କପିଳାସର ପର୍ବପର୍ବାଣି (୧)

ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : କପିଳାସରେ ଶୈବ ସଂସ୍କୃତି, ଶାକ୍ତ ସଂସ୍କୃତି ଓ ବୈଷ୍ଣବ ସଂସ୍କୃତିର ମହାମିଳନ ଘଟିଛି । ମନ୍ଦିର ଗାତ୍ରର ପଶ୍ଚିମ ପାଶ୍ୱର୍ରେ ଶ୍ରୀଜଗନ୍ନାଥ ବିଗ୍ରହ ଖୋଦିତ । ଦେଓଗାଁ ଠାରେ ଶ୍ରୀବଳଦେବଜୀଉ ମନ୍ଦିର ପ୍ରାଙ୍ଗଣସ୍ଥ ଅଷ୍ଟଖମ୍ବ ମଣ୍ଡପରେ ଶିବ ପାର୍ବତୀଙ୍କର ବିବାହୋତ୍ସବ ଅନୁଷ୍ଠିତ ହୁଏ । ତେଣୁ ପ୍ରଥମ ନରସିଂହଦେବ କପିଳାସରେ ତିନିଧୂପ, ପାଞ୍ଚ ଅବକାଶ ତଥା ଛତିଶାନିଯୋଗ ରୀତିରେ ସେବା ପୂଜାର ବନେ୍ଦାବସ୍ତ କରାଇଛନ୍ତି । ଶ୍ରୀ ମନ୍ଦିରରେ ଶବର ବଂଶଜ ଦଇତାମାନେ ଯେପରି ଶ୍ରୀଅଙ୍ଗ ସେବାର ଅଧିକାର ପାଇଛନ୍ତି କପିଳାସରେ ସେହିପରି ଶବର ବଂଶଜ ଚିନ୍ତାପତ୍ରୀମାନେ ଶ୍ରୀଅଙ୍ଗ ସେବାର ଅଧିକାର ପାଇଛନ୍ତି । କପିଳାସରେ ପୁରୀ ଶ୍ରୀମନ୍ଦିର ସଦୃଶ ବାରମାସରେ ତେରଯାତ୍ରା ଅନୁଷ୍ଠିତ ହୁଏ । ପାଳିତ ପର୍ବପର୍ବାଣି ମଧ୍ୟରେ ମେଷ ସଂକ୍ରାନ୍ତି, ଅକ୍ଷୟ ତୃତୀୟା, ଚନ୍ଦନଯାତ୍ରା, ରଥୋତ୍ସବ, ଶିବବିବାହ, ଶୀତଳଷଷ୍ଠୀ, ଶିବ ପବିତ୍ରାରୋହଣ, ଶରତକାଳୀନ ଦୁର୍ଗୋତ୍ସବ, ଧନୁସଂକ୍ରାନ୍ତି, ପୁଷ୍ୟାଭିଷେକ, ମକର ସଂକ୍ରାନ୍ତି ଓ ଶିବରାତ୍ରି ପ୍ରଭୃତି ପ୍ରଧାନ ।
ଦେଓଗାଁରେ ଅକ୍ଷୟ ତୃତୀୟା ପାଳନ ହୋଇ ରଥାନୁକୂଳ ଓ ଅଂଶ ପୂଜା ହୁଏ । ପବିତ୍ର ଅକ୍ଷୟ ତୃତୀୟା ଠାରୁ ଏକୋଇଶି ଦିନ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟାରେ ଏକ ସୁସଜ୍ଜିତ ବିମାନରେ ଦେଓଗାଁ ବଳଦେବଜୀଉ ମନ୍ଦିର ଠାରୁ ବିଜେ ପ୍ରତିମା ମଦନମୋହନଙ୍କୁ ଚନ୍ଦନ ପୋଖରୀ ପର୍ଯ୍ୟନ୍ତ ମହାସମାରୋହରେ ନିଆଯାଏ । ପୂର୍ବରୁ ଦୁଇଗୋଟି ନୋ÷କାକୁ ଏକତ୍ର ବାନ୍ଧି ଚାପ ଖେଳର ବ୍ୟବସ୍ଥା ହୋଇଥାଏ । ଏହି ଚାପକୁ ମଧ୍ୟ ଚିତ୍ର ବିଚିତ୍ର କରାଯାଇଥାଏ । ଠାକୁରଙ୍କୁ ଚାପ ଖେଳାଇବା ନିମିତ୍ତ ନେବା ସମୟରେ ସେବକମାନେ ଛତ୍ରୀ, ତରାସ, ଆଢେଣୀ ଓ ପତାକା ଧରି ଯାଇଥାନ୍ତି । କୀର୍ତ୍ତନ ମଣ୍ଡଳୀ ମଧ୍ୟ ଆଗେ ଆଗେ କୀର୍ତ୍ତନ ଗାନ କରି ଚାଲିଥାନ୍ତି । ବିମାନ ବା ପାଲିଙ୍କି ବହନ କରିବା ନିମିତ୍ତ ସ୍ୱତନ୍ତ୍ର ସେବକ ରହିଛନ୍ତି । ଠାକୁରଙ୍କ ସାଥୀରେ ପୂଜାପଣ୍ଡା ଓ ଅନ୍ୟାନ୍ୟ ସେବକଗଣ ଯାଇଥାନ୍ତି । ପାଲଙ୍କିରୁ ଓହ୍ଲାଇ ଦିଆଯାଇ ଠାକୁରଙ୍କ ପୂର୍ବରୁ ସଜ୍ଜିତ ଚାପ ନୋ÷କାରେ ଚାପ ଖେଳାଯାଏ । ଚାପ ଖେଳି ସାରିବା ପରେ ପୋଖରୀ ନିକଟ ଚନ୍ଦନ ମଣ୍ଡପରେ ଠାକୁରଙ୍କୁ ବିଜେ କରାଯାଏ ଚନ୍ଦନ, ଅଗୁରୁ ଓ ଫୁଲ ମିଶି୍ରତ ସୁବାସିତ ଜଳରେ ଠାକୁରଙ୍କୁ ଆଣି କିଛି ସମୟ ବୁଡାଇ ରଖାଯାଏ । ଏହାପରେ ପୁନର୍ବାର ପୂର୍ବବତ୍ ଚାପଖେଳ ହୁଏ । ପ୍ରତିଦିନ ସ୍ନାନପରେ ଠାକୁର ଭିନ୍ନ ଭିନ୍ନ ବେଶ ହୋଇଥାନ୍ତି । ଏହି ବେଶ ଗୁଡିକ ହେଉଛି କାଳୀୟଦଳନ, ନଟବର, ଗିରିଗୋବର୍ଦ୍ଧନ ପ୍ରଭୃତି ବେଶ, ଚାପଖେଳ ସମୟରେ ସେବକମାନେ ଘଣ୍ଟ, ଘଣ୍ଟା, କାହାଳୀ ପ୍ରଭୃତି ବଜାନ୍ତି ଓ କୀର୍ତ୍ତନିଆମାନେ କୀର୍ତ୍ତନ କରନ୍ତି । ଚାପଖେଳି ସରିଲେ ଠାକୁର ମନ୍ଦିରକୁ ଫେରିଆସନ୍ତି ଓ ସିଂହାସନରେ ବିଜେ କରନ୍ତି । ଚନ୍ଦନଯାତ୍ରା ନିମିତ୍ତ ସ୍ୱତନ୍ତ୍ର ବିନିଯୋଗର ବ୍ୟବସ୍ଥା ହୋଇଥାଏ । ଚନ୍ଦନଯାତ୍ରା ଦର୍ଶନ କରିବାକୁ ଅନେକ ଯାତ୍ରୀ ଓ ଭକ୍ତ ଦେଓଗାଁଠାରେ ଏକତ୍ରିତ ହୋଇଥାନ୍ତି । ଏକୋଇଶି ଦିନ ଚାପ ଖେଳ ପରେ ଶେଷଦିନ ଅର୍ଥାତ୍ ଦ୍ୱାବିଂଶ ଦିବସରେ ଚାପ ଖେଳ ହୁଏ ନାହିଁ । ସେହିଦିନ କେବଳ ମଙ୍ଗଳାରୋପଣ ପରେ ଠାକୁର ମନ୍ଦିରକୁ ଫେରନ୍ତି । ଦେଓଗାଁ ବଳଦେବଜୀଉ ମନ୍ଦିର ପରିସରସ୍ଥିତ ଅଷ୍ଟଖମ୍ବ ବିଶିଷ୍ଟ ବିବାହ ମଣ୍ଡପରେ ଜ୍ୟେଷ୍ଠ ମାସ ଶୁଳ୍କ ପଞ୍ଚମୀ ତିଥିରେ ଶ୍ରୀଚନ୍ଦ୍ରଶେଖର ଓ ପାର୍ବତୀଙ୍କର ଶୁଭ ବିବାହ ଉତ୍ସବ ମହାସମାରୋହରେ ବୈଦିକ ରୀତିରେ ଅନୁଷ୍ଠିତ ହୁଏ । ଠାକୁରଙ୍କ ଚଳନ୍ତି ପ୍ରତିମା ଏଥିନିମିତ୍ତ କପିଳାସ ପୀଠରୁ ବିମାନରେ ଆଡ଼ମ୍ବର ସହକାରେ ଅଣା ହୋଇଥାନ୍ତି । ଶିବ ପାର୍ବତୀଙ୍କ ବିବାହ କୋ÷ତୁହୋଦ୍ଦୀପକ ଭାବରେ ବିଭିନ୍ନ ପୁରାଣରେ ବର୍ଣ୍ଣିତ । ପୁରାଣ ବର୍ଣ୍ଣାନୁଯାୟୀ ଶିବ ପାର୍ବତୀଙ୍କର ବିବାହୋତ୍ସବ ହିମାଳୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ପବିତ୍ର ବିବାହୋତ୍ସବରେ ସମସ୍ତ ଦେବଦେବୀ ଯୋଗ ଦେଇଥିଲେ । ହିମାଳୟ କପିଳାସରେ ଶିବ ପାର୍ବତୀଙ୍କର । ବିବାହୋତ୍ସବର ବର୍ଣ୍ଣନା କପିଳାସର ସନ୍ଥ ବତ୍ସା ଦାସ ପଦ୍ୟରେ ରଚନା କରିଥିଲେ । ସେହି ପଦ୍ୟ ହେଉଛି ଓଡ଼ିଆ ଭାଷାର ପ୍ରଥମ ଚଉତିଶା । ଚତୁର୍ଦ୍ଦଶ ଶତାବ୍ଦୀରେ ବତ୍ସା ଦାସଙ୍କ ଦ୍ୱାରା ରଚିତ ଏହି ଆଦ୍ୟ ଚଉତିଶାର ନାମ କଳସା ଓ ଉତିଶା । ମାଟିର ମହାକବି ସାରଳାଦାସଙ୍କ ଓଡ଼ିଆ ମହାଭାରତ ରଚନାର ବହୁ ପୂର୍ବରୁ ବତ୍ସା ଦାସଙ୍କ ଦ୍ୱାରା କଳସା ଚଉତିଶା ରଚନା ହୋଇ ଲୋକ ପ୍ରସିଦ୍ଧି ଲାଭ କରି ସାରିଥିଲା । ଏହି ଗୀତକୁ ମଙ୍ଗଳ ସୂଚକ ଗୀତିକା ବିବେଚନା କରି ଲୋକମାନେ ଝିଅ ଜୋଇଁଙ୍କ ବିବାହବେଦୀ ନିକଟରେ ସଧବା ସ୍ତ୍ରୀମାନଙ୍କ ଦ୍ୱାରା ଏହାକୁ ଗାନ କରାଉଥିଲେ । ଲୋକ ବିଶ୍ୱାସ ରହିଥିଲା ଯେ ବିବାହବେଦୀ ନିକଟରେ ଅହ୍ୟମାନେ କଳସା ଚଉତିଶା ବୋଲିଲେ ଝିଅଟି ଅହ୍ୟ ସୁଲକ୍ଷଣୀ ହେବ । ନିମ୍ନରେ କଳସା ଚଉତିଶାରେ କିୟଦଂଶ ପ୍ରଦାନ କରାଗଲା । ମାନ୍ତ୍ରିକ ମାନ୍ୟତା ଲାଭ କରିଥିବା ଏହି ମଙ୍ଗଳ ଗୀତିକାର ପ୍ରସିଦ୍ଧି ସଂପର୍କରେ ସାରଳା ଦାସ ମହାଭାରତରେ ଉଲ୍ଲେଖ କରିଛନ୍ତି :-
ବେଦମନ୍ତ୍ର ଯୁଗତେ ସେ ପଢନ୍ତି କଳସା,
ବଶିଷ୍ଟ ମାରକଣ୍ଡ ଆବର ଦୁର୍ବାସା ।
କଳସା ଚଉତିଶାଟି ହେଉଛି:-
କହନ୍ତି କାମିନୀ ଶୁଣ ହେମନ୍ତ ଦୁଲଣି,
କାହୁଁ ବର ବରିଲେ ତୁମ୍ଭର ପିତାମଣି ।
କୁଳମୂଳ ଗୋତ୍ର ଆଦି ନାହିଁ ଜାଣ ତାର,
କନକ ବେଦୀରେ ବୁଢା ବସିଛି ମଧ୍ୟର ।
ଝୁମୁଝୁମୁ ବାଜି ଘଣ୍ଟି ଘାଗୁଡି ଲୋଚାଏ,
ଝମକୁଣ ଅଛି କରେ ତ୍ରିଶୁଳ ଗୋଟାଏ ।
ଝୁଲି ହୋଇ ଝିଙ୍କି ହୋଇ ପଡୁଛି ଢୁଲାଇ,
ଝିଅ କି ନାତୁଣୀ ପ୍ରାୟେ ଦିଶିବୁ ଗୋ ତୁହି ।
ଧରାଧରି ହୋଇଯାଏ ଝିଅ ବୋବାଇଲେ
ଧାଇ ମୁଦୁସୁଲୀମାନେ ଚହଳ ପାଇଲେ ।
ଧାଇଁ ଆସି ତତକ୍ଷରେ ମିଳିଲେ ରାଜନ,
ଧର୍ମ ପୁଣ୍ୟକାଳେ କିମ୍ପା କରୁଛି ରୋଦନ ।
ମହାଦେଇ ମନବ୍ୟଥା ଛଡାଇ ରାଜନ,
ମିଳିଲେ ଯେ ସର୍ବଜନ ବିଭାଗର ଆସ୍ଥାନ ।
ମଙ୍ଗଳଣ କଲେ ନାହିଁ ହଳଦୀ ଚନ୍ଦନ
ମଙ୍ଗଳ ମହୁରୀ ଶଙ୍ଖ ବାଜେ ଘନ ଘନ ।
ବ୍ରହ୍ମା ଆଚାର୍ଯ୍ୟ ହୋଇଣ ବେଦିରେ ବସିଲେ,
ବରକୁ ଯେ ଦଶଜଣ ତୋଳି ବସାଇଲେ ।
ବାସ ବର୍ଗ ବନ୍ଧୁ ବାକ୍ୟ ଅସରଳା ସୂତା,
ବସିଲେ କଟମ୍ବାମାଡି ବାଳୀ ଘେନି ପିତା ।
ସକଳେ ଚଉଠି ସାରି କାଦଖେଳି ଗଲେ,
ଛ’ ସାତ ଅଷ୍ଟମଙ୍ଗଳା ଉଚ୍ଛବ ସାରିଲେ ।
କ୍ଷିତିପତି ଠାକୁର ଯେ କପିଳାସେ ସ୍ଥିତିଃ
କ୍ଷୁଦ୍ର ବୁଦ୍ଧି ବଛାଦାସ କଳସା ପଢନ୍ତି ।
ଚନ୍ଦ୍ରଶେଖର ଓ ପାର୍ବତୀଙ୍କର ବିବାହୋତ୍ସବ ଦର୍ଶନ କରିବାକୁ ଶହ ଶହ ଭକ୍ତ ଓ ଯାତ୍ରୀ ଏକତ୍ରିତ ହୋଇଥାନ୍ତି । ପୂର୍ବରୁ ଚନ୍ଦ୍ରଶେଖରଙ୍କ ବିଜେ ପ୍ରତିମା ବିବାହ ମଣ୍ଡପ ଠାରୁ ଅନତି ଦୂରରେ ରହିଥାନ୍ତି । ସନ୍ଧ୍ୟା ସମୟରେ ଠାକୁରଙ୍କ ଚଳନ୍ତି ପ୍ରତିମାଙ୍କୁ ବରବେଶରେ ଶୋଭାଯାତ୍ରାରେ ଆଡମ୍ବର ସହକାରେ ମହାସମାରୋହରେ ବିବାହ ମଣ୍ଡପକୁ ଅଣାଯାଏ । ବିବାହ ଶୋଭାଯାତ୍ରାରେ ଅଗଣିତ ବ୍ୟକ୍ତି ଓ ଯାତ୍ରୀ ଯୋଗ ଦେଇଥାନ୍ତି । ଛତ୍ରୀ, ତରାସ, ଆଦେଣୀ ସହିତ ନାନାଦି ଶୁଭବାଦ୍ୟ ବାଜିଥାଏ ଓ ଆତସବାଦ ଫୁଟାଯାଏ । ବର ଓ ବରଯାତ୍ରୀ ବିବାହ ମଣ୍ଡପ ନିକଟରେ ପହଞ୍ଚôବା ପରେ ପାରମ୍ପରିକ ରୀତିରେ ବାଟବରଣ ଅନୁଷ୍ଠିତ ହୋଇ ଠାକୁରଙ୍କ ଚଳନ୍ତି ପ୍ରତିମାଙ୍କୁ ବେଦୀ ଉପରକୁ ଅଣାଯାଏ । ତତ୍ ପୂର୍ବରୁ ବିବାହବେଦୀ ଆକର୍ଷଣୀୟ ଶୈଳୀରେ ସଜା ହୋଇଥାଏ । ଜଣେ ଚିନ୍ତାପତ୍ରୀ କନ୍ୟାପିତା ଓ ଅନ୍ୟ ଜଣେ ଚିନ୍ତାପତ୍ରୀ ବରପିତା ଭୂମିକାରେ ବେଦୀରେ କାର୍ଯ୍ୟ କରିଥାଆନ୍ତି । ପୀଠ ପୁରୋଧା ବୈଦିକ ରୀତିରେ ବିବାହ କାର୍ଯ୍ୟ ସଂପନ୍ନ କରିଥାନ୍ତି । ବେଦୀ ନିକଟରେ ଜ୍ୟୋତିଷ ମଙ୍ଗଳଛକ ପାଠ କରନ୍ତି । ପ୍ରଥମ ପାର୍ବତୀଙ୍କ ଚଳନ୍ତି ପ୍ରତିମାଙ୍କର ଗନ୍ଧାଧିବାସ, ହରଦ୍ରାଧିବାସ, କୌତୁକ ସୂତ୍ର, ଅଷ୍ଟାଦଶ ମାତୃଗଣ ପୂଜା ଓ ନାନ୍ଦୀମୁଖ ଶ୍ରାଦ୍ଧ ଅନୁଷ୍ଠିତ ହେବା ପରେ ଚନ୍ଦ୍ରଶେଖରଙ୍କ ଚଳନ୍ତି ପ୍ରତିମାର ମଧ୍ୟ ଅନୁରୂପ ଭାବରେ ଗନ୍ଧାଧିବାସ ଇତ୍ୟାଦି ଅନୁଷ୍ଠିତ ହୁଏ । ଏହାପରେ ଅଡାର୍ଘ୍ୟ, ଲବଣ ଚାମରୀ, ମହାବାକ୍ୟ ହୋଇ ହସ୍ତଗ୍ରନ୍ଥି ପଡେ । ହସ୍ତଗ୍ରନ୍ଥି ପରେ ହୋମ, ସପ୍ତପଦୀ ପ୍ରଭୃତ ଅନୁଷ୍ଠିତ ହୁଏ । ସମବେତ ଭକ୍ତ ଓ ଯାତ୍ରୀ ଆନନ୍ଦ ତଥା ଉଲ୍ଲାସ ଚିତ୍ତରେ ବିବାହ ଉତ୍ସବ ଉପଭୋଗ କରନ୍ତି । ବିବାହୋତ୍ସବର ଚାରିଦିନ ପରେ ଚତୁର୍ଥୀ ଓ ବନ୍ଦାପନା ମଧ୍ୟ ପାଳନ କରାଯାଏ । ଦେଓଗାଁ ଠାରେ ବିବାହୋତ୍ସବ ଓ ଚତୁର୍ଥୀ ସମାପନାନ୍ତେ ଠାକୁର ଠାକୁରାଣୀଙ୍କ ଚଳନ୍ତି ପ୍ରତିମା କପିଳାସ ପୀଠକୁ ପ୍ରତ୍ୟାବର୍ତ୍ତନ କରନ୍ତି ।
ପବିତ୍ର ଅକ୍ଷୟ ତୃତୀୟା ଠାରୁ ଦେଓଗାଁରେ ରଥ ନିର୍ମାଣର ଅନୁକୂଳ ହୁଏ । ରାଜ ପୁରୋଧାଙ୍କ ଦ୍ୱାରା ଶୁଭବେଳା ନିର୍ଣ୍ଣୟ କରାଯାଇ ବନଯାଗ ପୂର୍ବକ ରଥର ଅଖ ନିମିତ୍ତ ଗଛ କଟାଯାଏ । କପିଳାସ ମନ୍ଦିର ୧୨୪୬ ଖ୍ରୀଷ୍ଟାବ୍ଦରେ ପ୍ରଥମ ନରସିଂହଦେବଙ୍କ ଦ୍ୱାରା ନିର୍ମାଣ ହୋଇଥିଲା । ଏହି ମନ୍ଦିର ନିର୍ମାଣର ମୁଖ୍ୟ ବିଶ୍ୱକର୍ମା ଥିଲେ ବିଶ୍ୱନାଥ ମହାରଣା ବା ବିଶୁ ମହାରଣା । ସେ ମଧ୍ୟ ପରବର୍ତ୍ତୀ କାଳରେ କୋଣାର୍କ ମନ୍ଦିର ନିର୍ମାଣର ମୁଖ୍ୟ ବିଶ୍ୱକର୍ମା କାର୍ଯ୍ୟରେ ନିୟୋଜିତ ହୋଇଥିଲା । ୧୨୪୬ ମସିହାରେ ମୁଖ୍ୟ ବିଶ୍ୱକର୍ମା ଥିବା ବିଶୁ ମହାରଣାଙ୍କ ନିବାସ ସ୍ଥଳୀ ହେଉଛି କାବେରା ଗ୍ରାମ । ତାଙ୍କରି ବଂଶଧରମାନେ ଅଦ୍ୟାବଧି କପିଳାସର ମୁଖ୍ୟ ବିଶ୍ୱକର୍ମା କାର୍ଯ୍ୟ ନିର୍ବାହ କରୁଛନ୍ତି । ବିଶ୍ୱକର୍ମା ଓ ଅନ୍ୟାନ୍ୟ ସୁଦକ୍ଷ ଶିଳ୍ପୀ ଦେଓଗାଁରେ ରଥ ନିର୍ମାଣ କରନ୍ତି । ଏଠାରେ ଗୋଟିଏ ରଥ ନିର୍ମାଣ କରାଯାଏ । ସେହି ରଥରେ ବଳରାମ ଓ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି । ସୁଭଦ୍ରା ରଥାରୁଢ ହେବାର ପରମ୍ପରା ଏଠାରେ ନାହିଁ । ଏଠାରେ ମଧ୍ୟ ଦୁଇଗୋଟି ରଥ ନିର୍ମାଣ କରାଯାଏ ନାହିଁ । ବିଶ୍ୱକର୍ମା ଓ ଅନ୍ୟାନ୍ୟ ସୁଦକ୍ଷ ଶିଳ୍ପୀଙ୍କ ଦ୍ୱାରା ରଥ ନିର୍ମାଣ ହେବା ପରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ତହିଁର ନିର୍ମାଣଶୈଳୀ ତଦାରଖ କରି ପ୍ରମାଣପତ୍ର ଦିଅନ୍ତି । ବଳରାମ ମନ୍ଦିର ଠାରୁ ପ୍ରାୟ ଏକ କିଲୋମିଟର ଉତ୍ତରରେ ଗୁଣ୍ଡିଚା ମନ୍ଦିର । ରଥଯାତ୍ରା ପୂର୍ବରୁ ଦେବୋତ୍ତର ବିଭାଗ ତରଫରୁ ଗୁଣ୍ଡିଚା ମନ୍ଦିର ମରାମତି ଓ ଚିତ୍ରିତ ହୋଇଥାଏ । ଦେବୋତ୍ତର ବିଭାଗ ମଧ୍ୟ ରଥଦାଣ୍ଡର ଆବଶ୍ୟକୀୟ ମରାମତି କରିଥାନ୍ତି । ଶ୍ରୀଗୁଣ୍ଡିଚା ତିଥିରେ ଭକ୍ତଗଣ ସେହି ରଥଦାଣ୍ଡରେ ରଥଟାଣି ବଳରାମ ଓ ଜଗନ୍ନାଥଙ୍କୁ ଗୁଣ୍ଡିଚା ମନ୍ଦିରକୁ ନେଇଥାଆନ୍ତି । ୧୨୪୬ରେ କପିଳାସ ମନ୍ଦିର ନିର୍ମାଣ ସମୟରେ ଢେଙ୍କାନାଳ ରାଜ୍ୟ ସୃଷ୍ଟି ହୋଇନଥିଲା । ତେଣୁ ଦେଓଗାଁର ରଥଯାତ୍ରା ହେଉଛି ଢେଙ୍କାନାଳ ଅଞ୍ଚଳର ପ୍ରଥମ ରଥଯାତ୍ରା ଯାହା ୧୨୪୬ ମସିହାରୁ ଅନୁଷ୍ଠିତ ହୋଇ ଆଠଶହ ବର୍ଷର ପରମ୍ପରା ଅତିକ୍ରମ କଲାଣି ।
ଆନନ୍ଦନଗର, କାଠଗଡା,ଢେଙ୍କାନାଳ, ମୋ-୮୮୯୫୩୦୭୨୨