ଆବେଗର ନିୟନ୍ତ୍ରଣ
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଅବଗତ ହେବା ଜୀବନର ପ୍ରାୟ ପରିସ୍ଥିତିରେ ଆମକୁ କାହିଁକି ଆମ ଆବେଗକୁ ନିୟନ୍ତ୍ରଣ କରିବାକୁ ହେବ ଆଉ ନକଲେ ପରିଣତି କଣ, ସେନେଇ କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ସାମାଜିକ ଜୀବନରେ ଅନେକ ପ୍ରକାରର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସମସ୍ୟା ଗୁଡ଼ିକ ମଧ୍ୟ କେବେ କେବେ ଜଟିଳ ହୋଇ ବ୍ୟକ୍ତିର ଧୈର୍ଯ୍ୟର ପରୀକ୍ଷା ନିଏ । ସମସ୍ୟାକୁ ନେଇ ଆବେଗର ସୃଷ୍ଟି । ମଣିଷ ବହୁ ସମୟରେ ଦୁଃଖ, ସୁଖ, ପ୍ରେମ, ବନ୍ଧୁତ୍ୱ ଆଦିକୁ ନେଇ ଆବେଗରେ ବଶବର୍ତ୍ତୀ ହୋଇପଡ଼େ । ଆବେଗ ହେଲା ଅପ୍ରୀତିକର ପରିସ୍ଥିତିରେ ଦୁର୍ବଳ ହୋଇପଡ଼ିବା । କୌଣସି ବି ପରିସ୍ଥିତିରେ ଯଦି କେହି ଦୁର୍ବଳ ହୋଇଯାଏ, ତାହା ହେଲେ ଅନ୍ୟମାନେ ଏହି ଦୁର୍ବଳତାର ସୁଯୋଗ ନେଇ ସ୍ୱାର୍ଥ ହାସଲ କରନ୍ତି ।
ପ୍ରିୟଜନଙ୍କ ବିୟୋଗରେ ଦୁଃଖତ ସମସ୍ତଙ୍କର ହୁଏ । ମୃତୁ୍ୟ ଏକ ଚିରନ୍ତର ସତ୍ୟ, ମାତ୍ର ପ୍ରିୟଜନଙ୍କ ମୃତୁ୍ୟରେ ଅତିମାତ୍ରାରେ ଆବେଗାତ୍ମକ ଆଚରଣ ଦେଖାଇ ଅବାଂଛିତ କାର୍ଯ୍ୟ କରିଲେ ତାହା ନିଜ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ । ଆବେଗ ହେଉଛି ଏକ ମାନବୀୟ ଗୁଣ । କିନ୍ତୁ ଆବେଗ ଉପରେ ନିୟନ୍ତ୍ରଣ ରଖିବା ହେଉଛି ଅତିମାନବୀୟ କାର୍ଯ୍ୟ । ସେତିକି ଧୈର୍ଯ୍ୟ ନ ଧରିଲେ ଦୁଃଖ, ଶୋକ, ରାଗ, ହିଂସା ଆଦିର ପରିସ୍ଥିତିକୁ ସମ୍ମୁଖୀନ କରିବା ପରିବର୍ତ୍ତେ ଆବେଗର ବଶବର୍ତ୍ତୀ ହୋଇ ନିଜ ଦୁର୍ବଳତାକୁ ମଣିଷ ପ୍ରକାଶ କରିଦିଏ । ଭବିଷ୍ୟତ ଜୀବନରେ ଏହି ଦୁର୍ବଳତା ଗୁଡ଼ିକ ଅନ୍ୟମାନଙ୍କୁ ସ୍ୱାର୍ଥ ହାସଲ କରିବା ପାଇଁ ସୁଯୋଗ ଦିଏ । ଆବେଗର ମଧ୍ୟ ଏକ ସୀମା ଅଛି । କିଛି ମାତ୍ରାରେ ଆବେଗ ରହିବା ତ ମାନବୀୟ ଗୁଣ, ଅଥଚ ଆବେଗ ସୀମା ଲଙ୍ଘିଲେ କେବଳ ଲୋକହସା ହିଁ କରାଏ ।
ଦୁଃଖରେ ତ ସମସ୍ତେ ଲୁହ ଗଡ଼ାନ୍ତି, କିନ୍ତୁ ଦୁଃଖରେ ଲୁହ ଗଡ଼ାଇବାର ଅର୍ଥ ନୁହେଁ ଯେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିବା । ପିତୃମାତୃହରା ଅନାଥ ଶିଶୁ ମଧ୍ୟ ଆଉ କାହାର ଆଶ୍ରୟରେ ବଞ୍ଚି ବଡ଼ ହୋଇ ପୁଣି ନିଜ ଗୋଡ଼ରେ ଛିଡା ହୁଏ । ଏହା ଧୈର୍ଯ୍ୟ ଯୋଗୁଁ ସମ୍ଭବ ହୁଏ । ତେଣୁ ମଣିଷର ବିପଦ ସମୟରେ ତାର ପରୀକ୍ଷା ଧୈର୍ଯ୍ୟ ମାଧ୍ୟମରେ ହିଁ ନିଆଯାଇଥାଏ । କୌଣସି ବି ଆବେଗରେ ଭାଙ୍ଗି ପଡୁଥିବା ବ୍ୟକ୍ତି କେବେ ହେଲେ ଜୀବନର ବଡ଼ ବଡ ନିଷ୍ପତ୍ତି ନେଇପାରିବ ନାହିଁ ଏବଂ ବଡ଼ ବଡ଼ ନିଷ୍ପତ୍ତି ସମୟରେ ଆବେଗକୁ ନିୟନ୍ତ୍ରଣରେ ନରଖିଲେ ନିଷ୍ପତ୍ତି ଭୁଲ୍ ହୋଇ ଯାଇପାରେ । ଆଉ ଥରେ ନିଷ୍ପତ୍ତି ଭୁଲ୍ ହେଲେ ଜୀବନଯାକ ଅନୁତାପ କରିବାକୁ ପଡ଼େ । ଅତଏବ ଜୀବନରେ ଆବେଗକୁ ନିୟନ୍ତ୍ରଣ କରନ୍ତୁ, ଯଦି ସତରେ ଜୀବନକୁ ଜୀବନ ଭଳି ବଞ୍ଚିବାକୁ ଚାହାନ୍ତି ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।