ସହରାଞ୍ଚଳରେ ଜଳ ସଙ୍କଟ


ବର୍ତ୍ତମାନ ସମଗ୍ର ରାଜ୍ୟରେ ସହରାଞ୍ଚଳ ଗୁଡ଼ିକରେ ସୁଉଚ୍ଚ ବଡ଼ ବଡ଼ ଟାଙ୍କି ନିର୍ମାଣ କରି ତାହାରି ମାଧ୍ୟମରେ ଜଳ ଯୋଗାଣ କାର୍ଯ୍ୟକ୍ରମ କରାଯାଉଛି । ଏଭଳି ଜଳ ଯୋଗାଣ କ୍ଷେତ୍ରରେ ପ୍ରତ୍ୟେକ ଲୋକଙ୍କର ଘରକୁ ସହଜରେ ପାଣି ପହଞ୍ଚିପାରୁଛି । ଲୋକମାନଙ୍କର ଜଳ ସଙ୍କଟ ଜନିତ ସମସ୍ୟା ଦୂର ହୋଇପାରୁଛି । ତେବେ ଏ କ୍ଷେତ୍ରରେ ଜଳର ଅପଚୟ ଏକ ବଡ଼ ସମସ୍ୟା ଭାବରେ ଦେଖା ଦେଇଛି । କେତେକ ସ୍ଥାନରେ ଲୋକମାନେ ନିଜ ଘରକୁ ବ୍ୟକ୍ତିଗତ ଭାବରେ ଜଳ ସଂଯୋଗ ନେବା ପରେ ଏହାର ବ୍ୟବହାର ସହିତ ଅପବ୍ୟବହାର ମଧ୍ୟ କରୁଥିବା ଦେଖାଗଲାଣି । 
କର୍ଣ୍ଣାଟକ ରାଜ୍ୟର ବିଭିନ୍ନ ସହରରେ, ଦିଲ୍ଲୀ ଅଞ୍ଚଳରେ ଜଳ ସଂକଟ ଉକ୍ରଟ ଆକାର ଧାରଣ କରିଛି । ଠିକ୍ ସେହିପରି ଚେନ୍ନାଇ ଏବଂ ତାମିଲନାଡୁର ଅନ୍ୟାନ୍ୟ କେତେକ ସହରରେ ଜଳ ସଂକଟ ଚରମସୀମାରେ ପହଞ୍ଚିଲାଣି । ଓଡ଼ିଶାର ଅନେକ ଦୁର୍ଗମ ଅଞ୍ଚଳରେ ଗୋଟିଏ ବାଲଟି କିମ୍ବା ଗରା ଜଳ ପାଇଁ ମହିଳାମାନେ ୨/୩ କିଲୋମିଟର ପର୍ଯ୍ୟନ୍ତ ଦୂରତା ଚାଲି ଚାଲି ଅତିକ୍ରମ କରୁଛନ୍ତି । ତାହା ପୁଣି ବିଶୁଦ୍ଧ ଜଳ ନୁହେଁ । ଅନ୍ୟପକ୍ଷରେ ସହରାଞ୍ଚଳରେ କିଛି ବ୍ୟକ୍ତି ଘରର କାନ୍ଥ, ବାରଣ୍ଡା, ଝରକା ଆଦି ପ୍ରତିଦିନ ଧୋଉଛନ୍ତି । ସେହି ଜଳ ବ୍ୟବହାର ପରେ ସିଧାସଳଖ ରାସ୍ତାକୁ ଆସୁଛି ଏବଂ ବର୍ଷସାରା ଶୁଖିଲା ପାଗ ଥିଲେ ବି ରାସ୍ତା କାଦୁଅ ପଚ୍ ପଚ୍ ହେଉଛି । ଘର ଗୁଡ଼ିକୁ ଜଳ ଯୋଗାଣ କ୍ଷେତ୍ରରେ ମିଟର୍ ଲଗାଯାଇଥିବାରୁ କିଏ କେତେ ଜଳ ବ୍ୟବହାର କଲା ଏବଂ କିଭଳି ଭାବରେ ବ୍ୟବହାର କରିଲା ତାହା ଉପରେ କଟକଣା ଲଗାଇବା ସମ୍ଭବ ନୁହେଁ । କିନ୍ତୁ ଘରର କାନ୍ଥବାଡ଼ ଆଦି ଧୋଇବା କାର୍ଯ୍ୟରେ ବ୍ୟବହାର କରାଯିବା ସମୟରେ ଉଚ୍ଚା ଅଞ୍ଚଳରେ ଥିବା ଲୋକଙ୍କ ଘରକୁ ପାଣି ପହଞ୍ଚୁନାହିଁ ବୋଲି ମନେ ରଖିବା ଉଚିତ୍ । ଗାଡ଼ି ଧୋଇବା କିମ୍ବା ଅନ୍ୟାନ୍ୟ କାର୍ଯ୍ୟରେ ଜଳର ଅପଚୟକୁ ନେଇ ଦିଲ୍ଲୀରେ ମହାନଗର ନିଗମ ପକ୍ଷରୁ ନୂଆ ନୂଆ ନିଦେ୍ର୍ଦଶନାମା ମାନ ଜାରି କରାଯାଇଛି । ଦିଲ୍ଲୀରେ ଜଳ ସଙ୍କଟ ବଢ଼ି ଯାଇଥିବାରୁ ଏହାକୁ ନଷ୍ଟ କଲେ ସେଥିପାଇଁ ୨ ହଜାର ଟଙ୍କା ଜୋରିମାନା ଦେବା ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପାଣିର ବ୍ୟବହାର କ୍ଷେତ୍ରରେ ଘରର ପାଣିଟାଙ୍କି ଓଭର ଫ୍ଲୋ କରିଲେ, ଗାଡି ଧୋଇଲେ କୌଣସି ବ୍ୟବସାୟିକ ଉଦେ୍ଦଶ୍ୟରେ କାରବାର କରିଲେ ଏ ପ୍ରକାରର ଜୋରିମାନା ଦେବାକୁ ପଡିବ ବୋଲି ନିଦେ୍ର୍ଦଶ ଜାରି କରାଯାଇଛି । ପ୍ରତ୍ୟେକ ୱାର୍ଡ୍ ଏବଂ ପ୍ରତ୍ୟେକ ଅଞ୍ଚଳରେ ୨ ଶହଟି ପେଟ୍ରୋଲିଂ ଟିମ୍ ଜଳର ଅପଚୟକୁ ଯାଞ୍ଚ୍ କରିବା ପାଇଁ ଗଠନ କରାଯାଇଛି । ବର୍ତ୍ତମାନ ଓଡିଶାରେ ଠିକ୍ ସେହିଭଳି ଜଳର ଅପଚୟକୁ ଯାଞ୍ଚ୍ କରିବା ପାଇଁ ପଦକ୍ଷେପ ନିଆଯିବା ଜରୁରୀ । 
ଓଡ଼ିଶାର ପଶ୍ଚିମାଞ୍ଚଳରେ ସୁନ୍ଦରଗଡ଼, ବଲାଙ୍ଗିର୍ ଏବଂ ନୂଆପଡା ଆଦି ଅଞ୍ଚଳରେ ଜଳ ସଙ୍କଟ କିଭଳି ଉକ୍ରଟ ଆକାର ଧାରଣ କରିଛି, ତାକୁ ନ ଦେଖିଲେ କେହି ଅନୁଭବ କରିପାରିବେ ନାହିଁ । ଗ୍ରାମାଞ୍ଚଳରେ ଲୋକମାନେ ଶୁଖିଯାଇଥିବା ନଈର ବାଲିକୁ ଖୋଳି ସେଇଥିରୁ ପାଣି ସଂଗ୍ରହ କରୁଛନ୍ତି । ଶୁଖିଲା ନଈର ବାଲିକୁ ପ୍ରାୟ ୫ ଫୁଟ ପର୍ଯ୍ୟନ୍ତ ଖୋଳିଲେ ସେଥିରୁ ଅଳ୍ପ କିଛି ଝରି ପାଣି ବାହାରୁଛି । ଏହି ପାଣି ହିଁ ବଞ୍ଚିବା ପାଇଁ ସାହା, ଭରସା ହୋଇଛି । ଗୋଟାଏ ସ୍ଥାନରେ ପାଣି ଟାଙ୍କି ଉଛୁଳି ପାଣି ରାସ୍ତାକୁ ବହି ଯାଉଥିବା ବେଳେ ଆଉ ଗୋଟିଏ ସ୍ଥାନରେ ଶୁଖିଲା ନଈରୁ ବାଲି ଖୋଳି ପାଣି ସଂଗ୍ରହ କରିବାର ଦୃଶ୍ୟ ଏଭଳି ବିରୋଧାଭାସ ସୃଷ୍ଟି କରୁଛି ଯେ ଜଳସଙ୍କଟକୁ ନେଇ ଲୋକମାନେ ସଚେତନ ନ ହେଲେ ଭବିଷ୍ୟତରେ ଜଳ ଅଭାବରେ ସହରାଞ୍ଚଳର ଲୋକମାନେ ସହର ଛାଡି ଚାଲିଯିବାକୁ ବାଧ୍ୟ ହେବେ । 
ସରକାରୀ ଭାବରେ ବଡ଼ ବଡ଼ ଟାଙ୍କିରୁ ପାଇପ୍ ଯୋଗେ ପ୍ରତ୍ୟେକ ଘରକୁ ଜଳ ଯୋଗାଇବାର ବ୍ୟବସ୍ଥା ହୋଇଗଲାଣି । ଏହା ସତ୍ତ୍ୱେ ପ୍ରତ୍ୟେକଘରେ ଭୂଗର୍ଭସ୍ଥ ଜଳର ବ୍ୟବହାର ପାଇଁ ଗଭୀର ନଳକୂପ ମାନ ଖୋଳାଯାଉଛି । ଏଭଳି କାର୍ଯ୍ୟ ଉପରେ କେନ୍ଦ୍ରୀୟ ୱାଟର୍ କମିଶନ୍ କିଛି ଦିନ ତଳେ ଆପତ୍ତି ଉଠାଇଥିଲେ । ତେବେ କେନ୍ଦ୍ରୀୟ ୱାଟର କମିଶନ୍ଙ୍କର ଆପତ୍ତିକୁ ଗୁରୁତ୍ୱ ଦେଇ ଜଳର ସଦୁପଯୋଗ ପାଇଁ ଜଳ ବ୍ୟବହାରକାରୀ ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବା ଉଚିତ୍ ।