ଆସନ୍ନ ବିଶ୍ୱଯୁଦ୍ଧ

ଋଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଲାଣି । ବର୍ତ୍ତମାନ ସୁଦ୍ଧା ଏ ଯୁଦ୍ଧ ବନ୍ଦ ହେବାର କୌଣସି ସମ୍ଭାବନା ନାହିଁ । ୟୁକ୍ରେନ୍କୁ ୟୁରୋପିଆନ୍ ୟୁନିଅନ୍ ଏବଂ ଆମେରିକା ପ୍ରଚୁର ଭାବରେ ଅସ୍ତ୍ରଶସ୍ତ୍ର ସାହାଯ୍ୟ ଦେଉଥିବାରୁ, ଏଥିସହିତ ଜର୍ମାନୀ ମଧ୍ୟ ଏହି ଯୁଦ୍ଧରେ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ହୋଇଥିବାରୁ ବର୍ତ୍ତମାନ ଋଷ୍ ଏକକାଳୀନ ୨୦ଟିରୁ ଅଧିକ ଦେଶ ବିରୁଦ୍ଧରେ ବାସ୍ତବ ଲଢ଼େଇ ଲଢୁଛି । ଏହି କାରଣରୁ ଋଷ୍ର ବିଶାଳ ଆୟତନ ତୁଳନାରେ ୟୁକ୍ରେନ୍ ଛୋଟ ହୋଇଥିଲେ ମଧ୍ୟ ୟୁକ୍ରେନ୍ ଯୁଦ୍ଧ ବନ୍ଦ କରୁନାହିଁ କିମ୍ବା ଋଷିଆ ଜିତି ପାରୁନାହିଁ । ବର୍ତ୍ତମାନ ଏଭଳି ଏକ ପରିସ୍ଥିତିରେ ଆମେରିକା, ଜର୍ମାନୀ ଏବଂ ୟୁରୋପୀୟ ରାଷ୍ଟ୍ର ବିରୁଦ୍ଧରେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଋଷ୍ ଯେଉଁଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛି ତାହା ତାହା ପାଇଁ ଏକ ଅପମାନଜନକ ସ୍ଥିତି । ତେଣୁ ପୁଟିନ୍ ସମଗ୍ର ୟୁରୋପ୍ରେ ନିଆଁ ଲଗେଇ ଦେବେ ବୋଲି ସପ୍ତାହେ ତଳେ ଧମକ ଦେଇଛନ୍ତି । ୟୁକ୍ରେନ୍ ସହିତ ୟୁରୋପ୍ର ଅନ୍ୟାନ୍ୟ ରାଷ୍ଟ୍ର ଗୁଡ଼ିକ ବିରୁଦ୍ଧରେ ଯଦି ଋଷିଆ ଆକ୍ରମଣ କରେ ତେବେ ଯୁଦ୍ଧ ଆଣବିକ ଯୁଦ୍ଧ ଆଡ଼କୁ ଗତି କରିବ । ଏହା କେଉଁ ରୂପ ନେବ ତାହାର କଳନା କରିବା ସହଜ ନୁହେଁ । ଅନ୍ତତଃପକ୍ଷେ ମିଳିତ ଜାତିସଂଘ ନାମକ ବିଶ୍ୱର ୨୦୦ରୁ ଅଧିକ ରାଷ୍ଟ୍ରର ସଦସ୍ୟଙ୍କୁ ନେଇ ଗଠିତ ହୋଇଥିବା ବେଳେ ୨ ବର୍ଷରୁ ଉଦ୍ଧ୍ୱର୍ ହେଲାଣି ଋଷ୍-ୟୁକ୍ରେନ୍ ଯୁଦ୍ଧ କ୍ଷେତ୍ରରେ ମିଳିତ ଜାତିସଂଘର ଭୂମିକା ଶୂନ କହିଲେ ଚଳେ । ଉଭୟ ଦେଶ ଶହ ଶହ ଓ ହଜାର ହଜାର ସଂଖ୍ୟାରେ ଯୁଦ୍ଧ ବିମାନ, ଟ୍ୟାଙ୍କ୍ ଏବଂ ଜାହାଜ ଆଦି ହରେଇ ସାରିଲେଣି । ବର୍ତ୍ତମାନ ୟୁକ୍ରେନ୍ର ଭୌଗୋଳିକ ସ୍ଥିତିର ସମୀକ୍ଷା କରିଲେ ଏହା ସ୍ପଷ୍ଟ ହୋଇଯାଉଛି ଯେ ୟୁକ୍ରେନ୍ର ନଷ୍ଟ ହେଉଥିବା ବିଭିନ୍ନ ପ୍ରତିଷ୍ଠାନ ୟୁରୋପୀୟ ୟୁନିଅନ୍ର ସହଯୋଗ ସତ୍ତ୍ୱେ ଆସନ୍ତା ୨୦ ବର୍ଷ ଭିତରେ ବି ଅଣ୍ଟା ସଳଖି ଠିଆ ହୋଇପାରିବ ନାହିଁ । ଏବେକାର ତକ୍ରାଳୀକ ଯୁଦ୍ଧରେ ୟୁରୋପୀୟ ରାଷ୍ଟ୍ରସମୂହର ଦେଶମାନେ ସାହାଯ୍ୟର ହାତ ବଢେଇଛନ୍ତି । କିନ୍ତୁ ଏହି ସାହାଯ୍ୟ ମାଗଣା ନୁହେଁ । ତାହା ପ୍ରତିବଦଳରେ ୟୁକ୍ରେନ୍କୁ ବହୁ ମୂଲ୍ୟ ଦେବାକୁ ପଡିବ । ଏଥିପାଇଁ ଦଶନ୍ଧି ଦଶନ୍ଧି ମଧ୍ୟ ଲାଗିଯାଇପାରେ । ଯୁଦ୍ଧବିଧ୍ୱସ୍ତ ଅଞ୍ଚଳର ପୁନଃନିର୍ମାଣ ଏତେ ସହଜ ନୁହେଁ । ଏସିଆନ୍ ଡ଼େଭଲପ୍ମେଣ୍ଟ ବ୍ୟାଙ୍କ, ୱାର୍ଲ୍ଡ ବ୍ୟାଙ୍କ ଭଳି ବିଶ୍ୱର ବୃହତ୍ ବ୍ୟାଙ୍କ୍ ଗୁଡ଼ିକ ଯୁଦ୍ଧ ବିଧ୍ୱସ୍ତ ଅଞ୍ଚଳର ପୁର୍ନଗଠନ ପାଇଁ ବିପୁଳ ପରିମାଣର ଋଣ ଦେବା ପାଇଁ ଚାହିଁ ବସିଛନ୍ତି ।
ଅନ୍ୟପକ୍ଷରେ ୟୁରୋପୀୟ ୟୁନିଅନ୍ର ରାଷ୍ଟ୍ର ଗୁଡିକ ୟୁକ୍ରେନ୍କୁ ବ୍ୟାଙ୍କ୍ରୁ ଋଣ ନେବା ପରିବର୍ତ୍ତେ ସେମାନଙ୍କ ରାଷ୍ଟ୍ରରୁ ବିଭିନ୍ନ ପ୍ରକାରର ସହାୟତା ଋଣର ନିୟମ ଭିତ୍ତିରେ ନେବା ପାଇଁ ଚାପ ପକାଇବେ । ଏଥିରେ ୟୁକ୍ରେନ୍ ଦେଶର ପୁର୍ନଗଠନ ପାଇଁ ବିଭିନ୍ନ ପ୍ରକାରର ଅବାଂଛିତ ଚାପ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେବ । ତେଣୁ ଦେଖିବାକୁ ଗଲେ ଦୀର୍ଘକାଳୀନ ଭିତ୍ତିରେ ୟୁକ୍ରେନ୍ର ବିଜୟ ସେହି ରାଷ୍ଟ୍ର ପାଇଁ ଏକ ଦୀର୍ଘକାଳୀନ ବର୍ବାଦିର ବାହକ । ଗହମ ଭଳି ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ୟୁକ୍ରେନ୍ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ହୋଇଥିବା ବେଳେ କୃଷିର ପୁନରୁଦ୍ଧାର ପାଇଁ ୟୁକ୍ରେନ୍ ପାଖରେ ଆଉ ସମ୍ବଳ କିମ୍ବା ଭିତ୍ତିଭୂମି ନାହିଁ । ଜଳସେଚନ ପାଇଁ ଉଦ୍ଦିଷ୍ଟ ଅନେକ ପ୍ରକଳ୍ପ ବୋମାମାଡ଼ରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ତେଣୁ ୟୁକ୍ରେନ୍ ନିଜର ଅହଙ୍କାର ପରିତ୍ୟାଗ କରୁ ଏବଂ ପୁଟିନ୍ ନିଜର ଔଦ୍ଧତ୍ୟ ପରିତ୍ୟାଗ କରନ୍ତୁ । ଏଥିରେ ସମଗ୍ର ବିଶ୍ୱର ମଙ୍ଗଳ ।