ଏମ୍‌ଏ ବେବୀ ସିପିଆଇଏମ୍‌ ମହାସଚିବ

ଏମ୍‌ଏ ବେବୀ ସିପିଆଇଏମ୍‌ ମହାସଚିବ

ନୂଆଦିଲ୍ଲୀ : ବରିଷ୍ଠ ସିପିଆଇ (ଏମ୍‌) ନେତା ମାରିୟମ ଆଲେକଜାଣ୍ଡାର ବେବୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦୀ (ସିପିଆଇଏମ୍‌)ର ସାଧାରଣ ସମ୍ପାଦକ ତଥା ନୂଆ ମହାସଚିବ ଭାବେ ନିର୍ବାଚିତ ହୋଇଛନ୍ତି । ଗତ ସେପ୍ଟେମ୍ବରରେ ସୀତାରାମ ୟେଚୁରୀଙ୍କ ମୃତ୍ୟୁ ପରେ ବେବୀ ଏହି ପଦରେ ଅଧିଷ୍ଠିତ ହୋଇଛନ୍ତି । ତାମିଲନାଡ଼ୁର ମଦୁରାଇ ଠାରେ ଅନୁଷ୍ଠିତ ଭବ୍ୟ ସମାରୋହରେ ତାଙ୍କୁ ସ୍ୱାଗତ କରାଯାଇଥିବା ବେଳେ ୭୧ ବର୍ଷୀୟ ବେବୀ ଦଳର ପୂର୍ବତନ ସାଧାରଣ ସମ୍ପାଦକ ପ୍ରକାଶ କରାଟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ । କେରଳ ସରକାରରେ ମନ୍ତ୍ରୀ ରହିସାରିଥିବା ବେବୀ କେରଳର କୋଲ୍ଲମରେ ୧୯୫୪ ଏପ୍ରିଲ ୫ରେ ଜନ୍ମ ନେଇଥିଲେ । 
କେରଳରେ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିବା ବେବୀ  ପ୍ରକୁଲମ ଲୋୟର ପ୍ରାଇମେରୀ ସ୍କୁଲରୁ ଏବଂ ପ୍ରକୁଲମ ଏନଏସଏସ ହାଇସ୍କୁଲରୁ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ଏହା ପରେ ସେ କେରଳ ଷ୍ଟୁଡେଣ୍ଟ୍ସ ଫେଡେରେସନରୁ ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଥିଲେ । ସେ ଷ୍ଟୁଡେଣ୍ଟ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଆଇ) ଏବଂ ଡେମୋକ୍ରାଟିକ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ (ଡିୱାଇଏଫ୍‌ଆଇ)ର ଜାତୀୟ ସଭାପତି ମଧ୍ୟ ରହି ସାରିଛନ୍ତି । ଦକ୍ଷ ରାଜନୀତି ଯୋଗୁ ୧୯୮୬ରେ ସେ ୩୨ ବର୍ଷ ବୟସରେ ଯୁବ ସାଂସଦ ଭାବେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ଏହି କ୍ରମରେ ୧୯୯୯ରେ ସେ ସିପିଆଇ (ଏମ୍‌) କେନ୍ଦ୍ରୀୟ କମିଟିରେ ସଦସ୍ୟ ଭାବେ ଯୋଗ ଦେଇଥିଲେ । ବେବୀଙ୍କ ଶିକ୍ଷା ଏବଂ ରାଜନୀତିରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପଦବୀ ପାଇଁ ଚୟନ କରାଯାଇଛି ।