ସସ୍ମିତ ପାତ୍ରଙ୍କୁ ମୁନା ଖାନ୍ଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର : ଓ୍ବକ୍ଫ ବିଲ୍କୁ ନେଇ ବିଜୁ ଜନତା ଦଳରେ ବିବାଦ ଥମିବାର ନାଁ ନେଉନାହିଁ । କେଉଁ ପରିସ୍ଥିତିରେ ଦଳର ଭୋଟ୍ ଦୁଇଭାଗ ହୋଇଗଲା ତାହାକୁ ଗ୍ରହଣ କରିପାରୁନାହାନ୍ତି ବିଜେଡି ନେତା । ୱାକଫ ବିଲ ସମର୍ଥନରେ ବିଜେଡି ସାଂସଦ ଭୋଟ ଦେବାକୁ ନେଇ ଉଠୁଛି ପଡୁଛି ବିଜେଡି ରାଜନୀତି । ଜଣଙ୍କ ପରେ ଜଣେ ନେତା ସୁପ୍ରିମୋଙ୍କୁ ପ୍ରଶ୍ନ କରୁଛନ୍ତି । ଯାହାକି ବିଜେଡି ରାଜନୀତିରେ ଝଡ଼ ସୃଷ୍ଟି କରିଛି । ଏହାରି ମଧ୍ୟରେ ରାଜ୍ୟସଭା ଏମପି ମୁନା ଖାନ୍ ଭୁବନେଶ୍ୱରରେ ପହଂଚିଛନ୍ତି । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବେ ସାଂସଦ ମୁନା ଖାଁ । ମୁନାଙ୍କ ସହ ସାମିଲ୍ ହେବେ ଇସଲାମ ସମ୍ପ୍ରଦାୟର ନେତା । ସେ ବିମାନ ବନ୍ଦରରେ ପହଂଚି ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କରିଥିଲେ।
ମୁନା ଖାନ୍ କହିଥିଲେ, ” ଦୋମୁହାଁ ନୀତି ଦଳରେ ଚଳିବ ନାହିଁ, ଯାହାର ଯିବାର ଅଛି ଭାଜପାକୁ ପଳାନ୍ତୁ। ମୁଁ ସିଧା ଯାଇ ଦଳର ସଭାପତି ନବୀନ ବାବୁଙ୍କୁ ସବୁ ଜଣାଇବି। ସଂସଦୀୟ ବୋର୍ଡ ବୈଠକରେ ବିଲ୍କୁ ବିରୋଧ ନିଷ୍ପତ୍ତି ହୋଇଥିଲା। ବିଲ୍ ବିରୋଧରେ ଭୋଟ୍ ପାଇଁ ନବୀନ ବାବୁ ସ୍ପଷ୍ଟ ଭାବେ କହିଥିଲେ। ସସ୍ମିତ କାହିଁକି ଟ୍ବିଟ୍ କରି ବିବେକାନୁମୋଦିତ ଭୋଟ ପାଇଁ କହିଲେ ଜାଣିନି।” ବିମାନବନ୍ଦରରେ ରୋଷ ଝାଡ଼ିବା ପରେ ନବୀନ ନିବାସରେ ପହଞ୍ଚିଥିଲେ ମୁନା ଖାନ୍। ସେଠାରେ ସସ୍ମିତ ପାତ୍ରଙ୍କ ଭୂମିକାକୁ ନେଇ ଫେରାଦ ହୋଇଥିଲେ।