ପ୍ରଧାନମନ୍ତ୍ରୀଙ୍କୁ ‘ମିତ୍ର ବିଭୂଷଣ’

ନୂଆଦିଲ୍ଲୀ : ତୃତୀୟ ପାଳି ସରକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ତିନି ଦିନିଆ ଶ୍ରୀଲଙ୍କା ଗସ୍ତ କରିଛନ୍ତି । ଗସ୍ତକାଳର ପ୍ରଥମ ଦିନରେ ସେ କଲୋମ୍ବରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେଙ୍କୁ ସାକ୍ଷାତ କରି ଉଭୟ ରାଷ୍ଟ୍ରର ହିତ ଉଦ୍ଦେଶ୍ୟରେ ୭ଟି ଏମ୍ଓୟୁ (ବୁଝାମଣା ପତ୍ର) ସ୍ୱାକ୍ଷରିତ କରିଛନ୍ତି । ପ୍ରତିରକ୍ଷା, ଶକ୍ତି, ଡିଜିଟାଲ ଭିତ୍ତିଭୂମି, ସ୍ୱାସ୍ଥ୍ୟ ଏବଂ ବାଣିଜ୍ୟ କ୍ଷେତ୍ରରେ ଏହି ୭ଟି ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ପ୍ରଥମଥର ପାଇଁ ଭାରତ ଶ୍ରୀଲଙ୍କା ସହିତ ପ୍ରତିରକ୍ଷା ଚୁକ୍ତି କରିଥିବା ଜଣାପଡ଼ିଛି । ଏ ଅବସରରେ ମୋଦିଙ୍କୁ ସେଠାରେ ଶ୍ରୀଲଙ୍କାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ମିତ୍ର ବିଭୁଷଣ’ ପ୍ରଦାନ କରାଯାଇଛି । ଉଭୟ ରାଷ୍ଟ୍ରମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ସହିତ ଉଭୟ ଦେଶର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟକୁ ଉଜ୍ଜ୍ୱଳ କରିବା ଉଦ୍ଦେଶ୍ୟରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସାକ୍ଷାତକାର ଅବସରରେ ମୋଦି କହିଥିଲେ ଯେ ଦୀର୍ଘଦିନ ଧରି ଆର୍ଥିକ ସଙ୍କଟ ଭୋଗୁଥିବା ଶ୍ରୀଲଙ୍କା ଏବେ ପୁନରୁଦ୍ଧାର ପଥରେ ଫେରିଥିବାରୁ ମୁଁ ନିଶ୍ଚିତ ଗର୍ବିତ ମନେ କରୁଛି । କୋଭିଡ୍ ହେଉ ଅବା ଆତଙ୍କବାଦୀ ଆକ୍ରମଣ ଅଥବା ଆର୍ଥିକ ସଙ୍କଟ ସର୍ବଦା ଭାରତ ଶ୍ରୀଲଙ୍କା ସହିତ ରହିଛି ବୋଲି ମୋଦି କହିଥିଲେ । ଦ୍ଭ ୭ ପୃଷ୍ଠାରେ...ଶ୍ରୀଲଙ୍କା ତଟସୀମାରୁ ପେଟପାଟଣା ପାଇଁ ମାଛ ମାରୁଥିବା ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ଗିରଫ କରିଥିବାବେଳେ ସେମାନଙ୍କୁ ମୁକ୍ତ କରିବା ପାଇଁ ଗସ୍ତକାଳରେ ମୋଦି ରାଷ୍ଟ୍ରପତି ଦିସାନାୟକେଙ୍କୁ ଅନୁରୋଧ କରିଥିଲେ । ରାଷ୍ଟ୍ରପତି ମଧ୍ୟ ବୋଟ୍ ସମେତ ସମସ୍ତଙ୍କୁ ମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ମତ୍ସ୍ୟଜୀବୀଙ୍କ ଜୀବିକାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଉଭୟ ରାଷ୍ଟ୍ର ମଧ୍ୟରେ ନିର୍ଦ୍ଧାରିତ ତଟସୀମା ଏବଂ ମାଛମରା ନେଇ ଉଭୟ ନେତା ଆଲୋଚନା କରିଥିଲେ । ତିନି ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀଲଙ୍କା ସହିତ ଭାରତର ଶାନ୍ତି ମିଶନ ପୁରୁଣା ହୋଇଥିବା ବେଳେ ଏବେ ଏହି ଚୁକ୍ତି ଭାରତର ପ୍ରତିରକ୍ଷା କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିବ । ଚୁକ୍ତି ଅନୁଯାୟୀ ଭାରତ-ଶ୍ରୀଲଙ୍କା ମିଳିତଭାବେ ତଟ ନିରୀକ୍ଷଣ କରିବା ସହ ଉଭୟ ରାଷ୍ଟ୍ର ସାମରିକ ଅଭ୍ୟାସ ଏବଂ ଯୁଦ୍ଧାସ୍ତ୍ର ବ୍ୟବହାର କରିପାରିବେ । ଭାରତର ତଟସୁରକ୍ଷା କ୍ଷେତ୍ରରେ ଭାରତ ମହାସାଗରରେ ଶ୍ରୀଲଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ଏହି ଚୁକ୍ତି ଆଗାମୀ ଦିନରେ ଫଳପ୍ରଦ ହେବ ବୋଲି କୁହାଯାଉଛି । ଖାସ୍ କରି ଚୀନ୍ର ବିସ୍ତାରବାଦ ନୀତିକୁ ମାତ ଦେବାକୁ ଭାରତ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ସେପଟେ ଚୀନ୍ର ମାତ୍ରାଧିକ ଋଣର ଶିକାର ହୋଇ ତଥା ଚୀନ୍ ବିସ୍ତାରବାଦ ନୀତିରେ ଶ୍ରୀଲଙ୍କା ଫସିବାକୁ ଯାଉଥିବା ବେଳେ ମାତ୍ରାଧିକ ଋଣରୁ ଭାରତ ହିଁ ପ୍ରଥମେ ମୁକୁଳାଇଥିଲା । ୨୦୨୨ରେ ଆର୍ଥିକ ସଙ୍କଟରେ ଯୁଝିହେଉଥିବା ଶ୍ରୀଲଙ୍କାକୁ ଭାରତ ୪ ନିୟୁତ ୟୁଏସ୍ ଡଲାର ଆର୍ଥିକ ସହାୟତା ଦେଇ ଏହି ସଙ୍କଟରୁ ମୁକ୍ତି ଦେଇଥିଲା । ସେହିପରି ଶ୍ରୀଲଙ୍କାର ଶକ୍ତିକ୍ଷେତ୍ରକୁ ମଜଭୁତ କରିବା ପାଇଁ ସେଠାରେ ୧୨୦ ମେଗାୱାଟ୍ର ସୋଲାର୍ ପାୱାର୍ ପ୍ଲାଣ୍ଟ ।