ପାଣ୍ଡିଆନ ଗୋ ବ୍ୟାକ ନାରାରେ କମ୍ପିଲା ନବୀନ ନିବାସ : ଗର୍ଜିଲେ ମୁନ୍ନାଙ୍କ ସମର୍ଥକ

ପାଣ୍ଡିଆନ ଗୋ ବ୍ୟାକ ନାରାରେ କମ୍ପିଲା ନବୀନ ନିବାସ  : ଗର୍ଜିଲେ ମୁନ୍ନାଙ୍କ ସମର୍ଥକ

ଭୁବନେଶ୍ୱର : ୱକ୍‌ଫ ବିଲ ଭୋଟିଂକୁ ନେଇ ବିଜେଡିରେ ତୋଫାନ । ବିଜେଡି ରାଜ୍ୟ ସଭା ସଦସ୍ୟ ମୁନ୍ନା ଖାନ ଭୁବନେଶ୍ୱରରେ ପହଞ୍ଚିବା ପରେ ବିବାଦ ଆହୁରି ତୀବ୍ର ହେବାରେ ଲାଗିଛି । ସସ୍ମିତ ପାତ୍ରଙ୍କ ଭାଜପା ସମର୍ଥିତ ଆଭିମୁଖ୍ୟକୁ ମୁନ୍ନା କଡ଼ା ଭର୍ତ୍ସନା କରିଛନ୍ତି । ତାଙ୍କ ସମର୍ଥକମାନେ ନବୀନ ନିବାସରେ ପହଞ୍ଚିଛନ୍ତି । ପାଣ୍ଡିଆନ ଗୋ ବ୍ୟାକ ନାରାରେ କମ୍ପିଲା ନବୀନ ନିବାସ । ‘ପାଣ୍ଡିଆନଙ୍କୁ ତଡି ବିଜେଡି ବଞ୍ଚାଅ’ ବୋଲି କହିଛନ୍ତି ଦଳୀୟ ସମର୍ଥକ । ପାଣ୍ଡିଆନଙ୍କ ଭିତିରିଆ ନିର୍ଦ୍ଦେଶରେ ସସ୍ମିତ ବିଲ୍‌ ସପକ୍ଷରେ ଭୋଟ ଦେଇଥିବା ଦଳୀୟ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ଏପରିକି ତାଙ୍କୁ ଦଳରୁ ନିଲମ୍ବନ ପାଇଁ ଦାବି ଉଠିଛି । ସେମାନଙ୍କର ଅଭିଯୋଗ ଯେ, ପାଣ୍ଡିଆନ ପ୍ରଚ୍ଛଦପଟରେ ରହି ସବୁ କରାଇଛନ୍ତି। ତାଙ୍କ ନିର୍ଦ୍ଦେଶରେ ସସ୍ମିତ ରାଜ୍ୟ ସଭାରେ ୱକ୍‌ଫ ବିଲ୍‌କୁ ସମର୍ଥନ କରିଛନ୍ତି । ତେଣୁ ସସ୍ମିତଙ୍କୁ ତୁରନ୍ତ ବିଜେଡିରୁ ନିଲମ୍ବନ କରାଯାଉ ବୋଲି ଦାବି ହୋଇଛି ।

ଅନ୍ୟପକ୍ଷେ ବିଜେଡି ରାଜ୍ୟସଭା ସଦସ୍ୟ ମୁନା ଖାନ ମଧ୍ୟ ସସ୍ମିତଙ୍କ ଏଭଳି ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୱକ୍‌ଫ ବିଲ୍‌କୁ ବିରୋଧ କରିବାକୁ ସଂସଦୀୟ ବୋର୍ଡ ବୈଠକରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାସତ୍ତ୍ୱେ କାହା ନିର୍ଦ୍ଦେଶରେ ସସ୍ମିତ ବିଲ ସମର୍ଥନରେ ଭୋଟ ଦେଲେ ବୋଲି ମୁନ୍ନା ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପକ୍ଷେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ମୁନ୍ନାଙ୍କୁ ଆଶ୍ୱସନା ଦେଇ ଖୁବ୍‌ଶୀଘ୍ର ଘଟଣା ସମ୍ପର୍କରେ ବୁଝିବେ ବୋଲି କହିଛନ୍ତି।