କାହିଁକି କମୁଛି ଗୋ-ସମ୍ପଦ?
ଗୋ-ସମ୍ପଦ ସହିତ ମନୁଷ୍ୟର ସମ୍ପର୍କ ନିବିଡ଼ । ଦୁଗ୍ଧ ଉତ୍ପାଦନ ଠାରୁ ଆରମ୍ଭ କରି ଚାଷ କାମରେ ସାହାଯ୍ୟ କରିବା ପାଇଁ ଗୋ ସମ୍ପଦ ଉପରେ ମନୁଷ୍ୟ କାହିଁ କେତେ ଯୁଗରୁ ନିର୍ଭର କରିଆସିଛି । ହେଲେ ବର୍ତ୍ତମାନ ଆଧୁନିକ ସଭ୍ୟତା ଗୋ-ସମ୍ପଦକୁ ଅବହେଳା କରିଚାଲିଛି । ନିଜ ଘରେ ଗାଈ ରଖି କେହି କ୍ଷୀର ପାଇବା ପାଇଁ ଚେଷ୍ଟା କରୁନାହାନ୍ତି; ବରଂ ବଜାରରେ ପ୍ୟାକେଟ୍ରେ ମିଳୁଥିବା ଦୁଗ୍ଧକୁ ଆଣି ଲୋକେ ବ୍ୟବହାର କରୁଛନ୍ତି । ଏଭଳି ଦୁଗ୍ଧର ବ୍ୟବହାର ହେତୁ ଦେଶରେ ଦୁଗ୍ଧ ଉତ୍ପାଦନ ଠାରୁ ଦୁଗ୍ଧର ବିକ୍ରି ତିନି ଗୁଣା ଅଧିକ ବୋଲି ଏଇ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରତକୁ ସତର୍କ କରାଇ ଦେଇଛି । ବଜାରରେ ନକଲି ଦୁଗ୍ଧର ପ୍ରାବଲ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ମନୁଷ୍ୟ ପାଇଁ ଏକ ସତର୍କ ଘଣ୍ଟି । ବଜାରରେ ବିଭିନ୍ନ ପ୍ରକାରର ଦୁଗ୍ଧ କମ୍ପାନୀ ପ୍ୟାକେଟ୍ ଦୁଗ୍ଧ ବିକ୍ରି କରୁଛନ୍ତି । ସବୁ ପ୍ୟାକେଟ୍ରେ ବିଶୁଦ୍ଧ ଗାଈ କ୍ଷୀର ବୋଲି ଲେଖାଯାଉଛି । ହେଲେ ବ୍ୟବହାର କରିବା ବେଳକୁ ଦେଖାଯାଉଛି ଯେ ସମସ୍ତଙ୍କର ସ୍ୱାଦ ଏବଂ ଗନ୍ଧ ଭିନ୍ନ ଭିନ୍ନ । ଏହା କିଭଳି ହେଉଛି ବୋଲି ଉପଭୋକ୍ତାମାନେ ଆଜିଯାଏଁ ପ୍ରଶ୍ନ ପଚାରି ନାହାନ୍ତି । ଚାହିଦା ଥିଲେ ବଜାର ଥାଏ ଏବଂ ବଜାରରୁ ଲାଭ ଉଠେଇବା ପାଇଁ ଅପମିଶ୍ରଣ ତଥା ନକଲି ପଦାର୍ଥର ବିକ୍ରି ମନୋବୃତ୍ତି ବ୍ୟବସାୟୀଙ୍କର ଏବଂ କିଛି ଅସାମାଜିକ ବ୍ୟକ୍ତିଙ୍କର ମୁଣ୍ଡକୁ ଆସେ ।
ସହରାଞ୍ଚଳରୁ ଧୀରେ ଧୀରେ ଗାଈଙ୍କ ସଂଖ୍ୟା କମୁଛି; କିନ୍ତୁ ନୁଆ ନୁଆ ଦୁଗ୍ଧ କମ୍ପାନୀଙ୍କ ସଂଖ୍ୟା ବଢୁଛି । ଯେଉଁଠି ଗାଈ ନାହାନ୍ତି ଏବଂ ସଂଖ୍ୟା କମିବାରେ ଲାଗିଲାଣି, ସେ କ୍ଷେତ୍ରରେ ଏତେ ପରିମାଣର ଦୁଗ୍ଧ ବଜାରକୁ ଆସିବା ନେଇ ସନେ୍ଦହ ସୃଷ୍ଟି ହେବା ସହିତ ସରକାର ମଧ୍ୟ ଦୁଗ୍ଧର ମାନ ପରୀକ୍ଷା କରିବା ଉଚିତ୍ । ଅନ୍ୟପକ୍ଷରେ ସହରାଞ୍ଚଳରେ ଲୋକେ ଛୋଟ ଛୋଟ ପ୍ଲଟ୍ରେ ଘର କରି ସେଥିରେ ଗାଡ଼ି ରଖିବା ପାଇଁ ବ୍ୟବସ୍ଥା କରୁଛନ୍ତି । ଆଉ କେତେକ ସ୍ଥଳରେ ସେତକ ମଧ୍ୟ ସୁବିଧା ନାହିଁ । ଗାଡ଼ି ପୁଣି ରାସ୍ତାରେ ଥୋଉଛନ୍ତି । ଏହା ଫଳରେ ଗୋ-ସମ୍ପଦର ଆଶ୍ରୟସ୍ଥଳ ମଧ୍ୟ ଲୋପ ପାଉଛି । କାହା ଘରେ ଗୁହାଳ ନାହିଁ । ଅଥଛ ସମସ୍ତେ ରାତି ପାଇଲେ ବିଶୁଦ୍ଧ କ୍ଷୀର ପାଇବା ପାଇଁ ବିଭିନ୍ନ କମ୍ପାନୀର କ୍ଷୀର ବିକ୍ରି ହେଉଥିବା ଦୋକାନ ଆଗରେ ଭିଡ଼ କରୁଛନ୍ତି । ଗୁହାଳ ଅଭାବରୁ ବର୍ତ୍ତମାନ ରାଜପଥ ଉପରେ ଗାଈଗୋରୁ ଶୋଉଛନ୍ତି । ଏହା ଫଳରେ ପ୍ରତିଦିନ ଛୋଟବଡ଼ ଅନେକ ଦୁର୍ଘଟଣାରେ ଗାଈଗୋରୁଙ୍କ ମୃତୁ୍ୟ ଘଟୁଛି ଏବଂ ଲୋକେ ମଧ୍ୟ ଆହତ ହୋଇ ମୃତୁ୍ୟବରଣ କରୁଛନ୍ତି ।
ବର୍ତ୍ତମାନ କୃଷି କ୍ଷେତ୍ରରେ ପଶୁଶକ୍ତିର ବ୍ୟବହାର ପ୍ରାୟତଃ ବନ୍ଦ ହୋଇଗଲାଣି । ତେଣୁ ଲୋକମାନେ ଆଉ ବଳଦ ଆବଶ୍ୟକ କରୁନାହାନ୍ତି । ଏହା ଫଳରେ ଷଣ୍ଢଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ଗୁହାଳ ନାହିଁ, ଯେଉଁଠିବି ଗାଈ ଅଛନ୍ତି ସେଠାରେ ଷଣ୍ଢଙ୍କ ସଂଖ୍ୟା ବୃଦ୍ଧି, ରାସ୍ତା ଉପରେ ଷଣ୍ଢମାନଙ୍କର ବିଚରଣ, ସେମାନେ ପରସ୍ପର ଭିତରେ ଲଢ଼େଇ କରି ରାସ୍ତାର ନିରାପତ୍ତାକୁ ମଧ୍ୟ ବିପନ୍ନ କରି ଦେଉଛନ୍ତି । ସହରାଞ୍ଚଳ ଗୁଡ଼ିକରେ ଗୁହାଳ ଅଭାବ, ଗାଈଙ୍କର ସେବା କରି ଗୁହାଳ ପରିଷ୍କାର କରିବାର ମନୋବୃତ୍ତିର ଅଭାବ ବର୍ତ୍ତମାନ ଗୋସମ୍ପଦକୁ ବିଲୁପ୍ତି ଦିଗକୁ ନେଇଗଲାଣି । କୃଷିକ୍ଷେତ୍ରରେ ଯନ୍ତ୍ର ଶକ୍ତିର ପ୍ରୟୋଗ ହେବା ଦିନ ଠାରୁ ଆଉ ବଳଦର ଆବଶ୍ୟକତା ସେମିତି ବିଶେଷ ଭାବରେ ପଡୁନାହିଁ । ହଳ କରିବା ଠାରୁ ଆରମ୍ଭ କରି ଧାନ ଅମଳ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଟ୍ରାକ୍ଟର୍ ଏବଂ ବିଭିନ୍ନ କୃଷି ଯନ୍ତ୍ର ମାଧ୍ୟମରେ କରାଯାଉଛି । ଏହା ଫଳରେ ଆକ ଆନୁଷଙ୍ଗିକ ସମସ୍ୟା ଭାବରେ କୃଷିକ୍ଷେତ୍ର ପାଇଁ ଶ୍ରମିକ ମଧ୍ୟ ଆଉ ମିଳୁନାହାନ୍ତି । ଏହିଭଳି ଭାବରେ ଗୋ-ସମ୍ପଦ ବିଲୁପ୍ତି ପଥରେ ଥିବା ବେଳେ କୃଷି ମଧ୍ୟ ବିଶେଷ ଭାବରେ ଏଥିରେ ପ୍ରଭାବିତ ହେଉଛି । ଏମିତି ଧାରାରେ ଭବିଷ୍ୟତରେ ମନୁଷ୍ୟ ସମାଜ ରହିବ ତ?