ଭୀଷ୍ମଙ୍କ ନୀତିବାକ୍ୟ ପ୍ରଦାନ

ଯୁଦ୍ଧକ୍ଷେତ୍ରରୁ ପାଣ୍ଡବମାନଙ୍କୁ ଫେରାଇ ଆଣିବା ପାଇଁ ଶ୍ରୀକୃଷ୍ଣ କହିଲେ- ବିଳମ୍ବ ନକରି ହସ୍ତୀନାକୁ ଫେରିଯାଇ ରାଜ୍ୟାଭିଷେକର ଆୟୋଜନ କରିବାକୁ ହେବ  ।  ମାତ୍ର ଯୁଧିଷ୍ଠିର କହିଲେ ରାଜ୍ୟାଭିଷେକ ପୂର୍ବରୁ ପିତାମହ ଭୀଷ୍ମଙ୍କୁ ସାକ୍ଷାତ କରାଯିବା ଉଚିତ୍  । ତେଣୁ ଧର୍ମରାଜ ଯୁଧିଷ୍ଠିର ଭୀଷ୍ମଙ୍କ ଶରଶଯ୍ୟା ନିକଟକୁ ଗଲେ  । ଦେଖିଲେ ଶରଶଯ୍ୟାରେ ପିତାମହ ଆଖିବୁଜି ଶୋଇଛନ୍ତି  । ସମସ୍ତେ ପିତାମହଙ୍କୁ ପ୍ରଣାମ କରିବାରୁ ସେ ଆଖି ଖୋଲି ଚାହିଁଲେ ଓ କହିଲେ ଏବେ ନିଷ୍କଣ୍ଟକ ରାଜ୍ୟ ଭୋଗ କର  । କ’ଣ ପାଇଁ ଧର୍ମରାଜ ମୋ ନିକଟକୁ ଆସିଲୁ  । ଯୁଧିଷ୍ଠିର କହିଲେ- ଆମ୍ଭର ହିତ ପାଇଁ ଆପଣ ଜୀବନ ତେଜିଲେ  । ଏ ଚରାଚର ପୃଥିବୀରେ କିଏ ଆପଣଙ୍କୁ ଯୁଦ୍ଧରେ ପରାସ୍ତ କରିପାରିବ ? ସର୍ବଦା ଆପଣଙ୍କ ଦୟା ଓ ଆଶୀର୍ବାଦ ଆମ ଉପରେ ଆପଣଙ୍କର ରହିଅଛି  । ଆପଣଙ୍କର ମନେ ଅଛି ନା ! ପ୍ରଥମ ଦିନ ଯୁଦ୍ଧରେ ମୋତେ ଆପଣ ଆଶୀର୍ବାଦ କରି କହିଥିଲେ ଶତ୍ରୁମାନଙ୍କୁ ବିନାଶ କରି ପଞ୍ଚୁକଟକରେ ରାଜା ହୁଅ  । ତେଣୁ ମହତଙ୍କ ବଚନ କ’ଣ ଅନ୍ୟଥା ହେବ ? ପିତାମହ କହିଲେ ଶ୍ରୀକୃଷ୍ଣଙ୍କ ସହାୟତା ତୁମ ପାଇଁ ରହିଛି  । ତେଣୁ ତୁମର କୋ÷ଣସି କାର୍ଯ୍ୟରେ ଭୟ କରିବା ଅନୁଚିତ  । ଧୃତରାଷ୍ଟ୍ର ପୁତ୍ରମାନେ ନିଧନ ହେଲେ  । ତୁ ଧର୍ମପାଳନ ପୂର୍ବକ ରାଜ୍ୟ ଶାସନ କର  । ରାଜା ଭାବରେ ପ୍ରଜାମାନଙ୍କୁ ସୁଖରେ ରଖିବୁ  । ଯୁଗେ ଯୁଗେ ପୃଥିବୀ ଅଧର୍ମକୁ ସହ୍ୟ କରିପାରେ ନାହିଁ  । ପ୍ରଜାମାନେ ସୁଖ ସନ୍ତୋଷରେ ରହିଲେ ରାଜା ସୁଖରେ ରହିଥାଏ  । ପ୍ରଜା ସୁରକ୍ଷିତ ରହିଲେ ରାଜ୍ୟର ସର୍ବସିଦ୍ଧି ହୋଇଥାଏ  । ରାଜ୍ୟ ଦଣ୍ଡ ବରଗିବୁ ଧାର୍ମିକ ଲୋକ ଦେଖି ତାହାଦ୍ୱାରା ପ୍ରଜାମାନେ ସୁଖୀ ହୁଅନ୍ତି  । ଚାର ଦ୍ୱାରା ବିଧି କି ଅବଧି ଦେଖି ଦଣ୍ଡ ବିଧାନ କରିବୁ  । ଦୋଷ ଅନୁରୂପ ଶାସ୍ତି ବିଧାନ କରିବୁ  । ଅନୀତି ପାଇଁ ଦଣ୍ଡ ପ୍ରଦାନ କଲେ କିଛି ଦୋଷ ନାହିଁ   । ଅଳ୍ପ ଦୋଷକୁ ରୋଷେ କରିବୁ ନାହିଁ  ।
ରାଜ୍ୟର ଜମିର ମାପ କରାଇବୁ  । କୋଡିଏ ହାତରେ ଗୋଟିଏ ନଳକାଠି  । ପଞ୍ଚବିଂଶ ନଳରେ ଏକମାଣ ହୁଏ  ।  କୋଡିଏ ମାଣରେ ଏକ ବାଟି ଜାଣିବ  । କର ବା ଖଜଣା ଭାବେର ବାଟିଏ ଜମିରୁ ଚିନାଏ ଘେନିବୁ  । ଏହିପରି କଲେ ମୋହରି ଆୟୁଷ ଘେନି ବଞ୍ଚôଥିବୁ  । ବର୍ଷା ନହେଲେ ଠାବେ ଠାବେ ଜଳଛତ୍ରମାନ ବସାଇବୁ  । ଦୁଃଖୀ ଲୋକଙ୍କୁ ଗୃହବାସ ଦେବୁ  । ବ୍ରାହ୍ମଣମାନଙ୍କୁ ଦାନ ଦେବାରେ କାର୍ପଣ୍ୟ କରିବୁ ନାହିଁ  । ଶିବଆଳେ ଗୋଦୋହନ କରାଇବୁ  । ନଦୀମାନଙ୍କର ଶଙ୍ଖ ଓ ନାବର ବ୍ୟବସ୍ଥା କରିବୁ  । ପଥିକମାନଙ୍କ ପାଇଁ ଠାବେ ଠାବେ ପାନ୍ଥଶାଳା ତୋଳାଇବ  । ପଥଶ୍ରାନ୍ତ ଲୋକମାନେ ଯେପରି ସୁସ୍ଥ ରହିବେ, ସେ ବ୍ୟବସ୍ଥାମାନ କଲେ ସେମାନେ ରାଜ୍ୟର କଲ୍ୟାଣ କାମନା କରିବେ  । ରାଜ୍ୟର ପ୍ରଶଂସାରେ ପ୍ରଜାମାନେ ଖୁସି ହୋଇ ସାଧୁ ସାଧୁ ଧ୍ୱନି କଲେ ତାହାକୁ ନାମ ମଧ୍ୟ ଦଣ୍ଡ ଦିଏ ନାହିଁ  । ସର୍ବଦା ବୁଝି ବିଚାରି ପ୍ରଜାଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିବୁ  ।
ରାଜ୍ୟର ଭଲ ମନ୍ଦ ଖବର ଡଗରଠାରୁ ସର୍ବଦା ତିନି ତିନିଥର ବୁଝିବୁ  । ଅନ୍ୟ ରାଜ୍ୟର ମତିଗତି ଜାଣିବା ପାଇଁ କେବଳ ଭାଇମାନଙ୍କୁ ପ୍ରେରଣ କରିବୁ  । ବିଶ୍ୱାସୀ ଲୋକ ହାତରେ ମଢଫୁଲି ନିଯୋଗର ଦାୟିତ୍ୱ ଦେବୁ  । ଅପ୍ରାଧ ଦେଖି ନିଜଗୁଣରେ କ୍ଷମା ଦେବୁ ବୋଲି ପିତାମହ କହିଲେ  । ରାଜ୍ୟର ସୁରକ୍ଷା ପାଇଁ ଦକ୍ଷ ସୈନ୍ୟବଳ, ଅଶ୍ୱବଳ, ଓ ଗଜବଳ ଉପରେ ନିର୍ଭର କରିବୁ  । ପାଞ୍ଚ ବରଷର ଅଶ୍ୱ ପାଇଁ ପଚାଶ ବର୍ଷର ରାଉତ ନିଯୁକ୍ତ କରିବୁ  । ପଚିଶ ବର୍ଷର ଯୁବକମାନଙ୍କୁ ପଦାତିକ ସୈନ୍ୟ ଭାବେ ନିଯୁକ୍ତି କରିବୁ  । ସତର ବର୍ଷର ମତ୍ତଗଜକୁ ବଳିଷ୍ଠ ମାହୁନ୍ତ ଦେବୁ  । ସର୍ବଦା ସୈନ୍ୟବଳକୁ ସଜ କରି ରଖିଥିବୁ  । ବେଳା ଅନୁସାରେ ଅବକାଶ କରିବୁ ଓ ସର୍ବଦା କଟୁଆଳକୁ ନିଘା ରଖିବା ଅନ୍ୟ ରାଷ୍ଟ୍ରର ଗତିବିଧି ଉପରେ ଦୃଷ୍ଟି ଦେବୁ  । ନିଜେ ଅନ୍ଧାରୀ ବିଜେ କରି ରାଜ୍ୟର ଭଲ ମନ୍ଦ ପରଖିବୁ  । 
ରାଜା ଭାବେ ସର୍ବଦା ପଣ୍ଡିତମାନଙ୍କ ମୁଖରୁ ପୁରାଣ ଓ ପୋଥି ଶୁଣୁଥିବୁ  । ଗୁରୁଜନମାନଙ୍କୁ ସମ୍ମାନ କରୁଥିବୁ  । ସ୍ତ୍ରୀ ଲୋକମାନଙ୍କ କଥାକୁ କେବେ ବିଶ୍ୱାସ କରିବୁ ନାହିଁ  । ଅସୁରଭୋଗ ତୀର୍ଥରେ ସ୍ନାନ କରିବୁ ନାହିଁ  । ଭଣ୍ଡାରେ ସର୍ବଦା ନିପ୍ରୋହି ହୋଇଥିବୁ  । ବଳବନ୍ତ ସାମନ୍ତକୁ ଗୃହବାସ ପ୍ରଦାନ କରିବୁ  । ପାରିଧିରେ ଯୋଗୀ ପରି ଆଚରଣ କରିବୁ  । ଦେବ ବିପ୍ରମାନଙ୍କ ପାଦପୂଜା କରିବାରେ ହେଳା କରିବୁ ନାହିଁ  । ଧାର୍ମିକ ଲୋକମାନଙ୍କ ବ୍ରତ ଓ ଏକାଦଶୀ ପାଳିବା ପାଇଁ ସହାୟତା କରିବୁ  । ଯାଗଯଜ୍ଞ ଆଦି ମଙ୍ଗଳ କର୍ମ ସର୍ବଦା କରୁଥିବୁ  । ଉପଗତ ଶତ୍ରୁପ୍ରତି ଦଣ୍ଡବିଧାନ କରୁଥିବୁ  । ବିଦେଶୀ ଲୋକଙ୍କୁ ନଗ୍ରରେ ସ୍ଥାନ ଦେବୁ ନାହିଁ  । ଦୁଷ୍ଟ ଓ ଦାନବମାନଙ୍କୁ ବିନାଶ କରି ପ୍ରଜାମାନଙ୍କର ସୁରକ୍ଷା ପ୍ରତି ଦୃଢ ନଜର ରଖିଥିବୁ  । ତୀର୍ଥସ୍ଥାନମାନଙ୍କର ଅନ୍ନଛତ୍ରମାନ ଦେବୁ  । ଗୁରୁଜନମାନଙ୍କୁ ସମ୍ମାନ ସର୍ବଦା ଦେଇଥିବୁ  ।  ପରଦାର (ନାରୀ) ଓ ପରଧନ ପ୍ରତି ଲୋଭ କି ଅପହରଣ କରିବୁ ନାହିଁ  । ରାଜ୍ୟର ସମସ୍ତ ଖବର ମନ୍ତ୍ରୀର ଗୋଚରରେ ସମର୍ପଣ କରିବୁ  । କୃଷକମାନଙ୍କ ଉପରେ ଅଧବକ କର ବସାଇବୁ ନାହିଁ  । ଅନେକ ବ୍ରାହ୍ମଣ ଶାସନ ଓ ଗୋଶାଳାମାନ ବସାଇବୁ  । ଗୋ ସମ୍ପଦର ବିକାଶ ପାଇଁ ଅନେକ ଗୋଚର ସ୍ଥାନ ଛାଡିଦେବୁ  । ଅସହଣ ଭୂମିରେ ସେନାପତି ନିଯୁକ୍ତ କରିବୁ  । ଅଶ୍ୱଗଜମାନଙ୍କ  ପ୍ରତିପୋଷଣ ପାଇଁ ଅଧିକ ଧନ ପ୍ରଦାନ କରିବୁ  । ଗୁଣ ଅନୁରୂପ ବ୍ୟକ୍ତିମାନଙ୍କୁ ପୂଜା କରିବୁ   । କବିମାନଙ୍କ ପ୍ରତି କେବେ କୃପଣ ହେବୁ ନାହିଁ  । ଭୀଷ୍ମ ଯୁଧିଷ୍ଠିରଙ୍କୁ ଏହିପରି ଉପଦେଶ ଦେଇ ଶ୍ରୀକୃଷ୍ଣଙ୍କୁ ଚାହିଁ କହିଲେ- ପ୍ରଭୁ ମୁଁ ତୁମର ଶରଣ  । ଏହା କହି ପିତାମହ ଭୀଷ୍ମ ପ୍ରାଣତ୍ୟାଗ କଲେ  । ଏହି ସମୟରେ ସ୍ୱର୍ଗରୁ ଏକ ପୁଷ୍ୟେକ ବିମାନ ଆସି ଭୀଷ୍ମଙ୍କୁ ବୈକୁଣ୍ଠ ଲୋକକୁ ନେଇଗଲା  । ଶ୍ରୀକୃଷ୍ଣଙ୍କ ଦର୍ଶନ କରି ଭୀଷ୍ମ ବଇକୁଣ୍ଠରେ ସ୍ଥାନ ପାଇଲେ  । ମାତା ଗାନ୍ଧାରୀ ଅର୍ଜୁନକୁ ଡାକି କହିଲେ- ୟେ ପୁତ୍ରମାନଙ୍କର ଦାହ ସଂସ୍କାର କାର୍ଯ୍ୟ କିପରି କରାଯିବ ? ଗାନ୍ଧାରୀଙ୍କ କଥା ଶୁଣି ପାଣ୍ଡବମାନେ ଦାହ ସଂସ୍କାର କରିବା ପାଇଁ ଲାଗିପଡିଲେ  । ଅନଳ ଲଗାଇ କୋ÷ରବମାନଙ୍କର ଦାହ କରିବାକୁ ଭୀମସେନ ବ୍ୟାସ ସରୋବର ତୀରରୁ ଦୁର୍ଯେ୍ୟାଧନଙ୍କ ମୃତପିଣ୍ଡ ନେଇ ଆସିଲେ  । ଚିତାରେ କୋ÷ରବ ଶହେଭାଇଙ୍କୁ ଥୋଇ ଶ୍ରୀକୃଷ୍ଣ ଅଗ୍ନି ସଂଯୋଗ କରିବା ପାଇଁ ଅର୍ଜୁନଙ୍କୁ କହିଲେ  । ଅର୍ଜୁନ ଅଗ୍ନିବାଣ ବିନ୍ଧି ଚିତାରେ ଅଗ୍ନି ସଂଯୋଗ କଲେ  । ଶହେ ଭାଇଙ୍କ ମୃତପିଣ୍ଡ ନିକଟରେ ଅନ୍ୟ ବନ୍ଧୁବାନ୍ଧବମାନଙ୍କର ଶବ ରଖି ଦାହ କରାଗଲା  । ପ୍ରଚଣ୍ଡ ଅଗ୍ନିଶିଖା ଆକାଶ ମଣ୍ଡଳକୁ ଉଠିବାରେ  ଲାଗିଲା  । ଧୃତରାଷ୍ଟ୍ର ଯୁଧିଷ୍ଠିରଙ୍କୁ କହିଲେ ଏବେ ତୁମ୍ଭେ ରାଜ୍ୟଭାର ସମ୍ଭାଳି ସିଂହାସନ ଗ୍ରହଣ କର  । ପୁତ୍ରମାନଙ୍କ ଅଭାବରେ ଆଉ ବଞ୍ଚô ଲାଭ କ’ଣ ? ଆମ୍ଭେମାନେ ଏହି ଅଗ୍ନିରେ ପୁତ୍ରମାନଙ୍କୁ  ସ୍ମରଣ କରି ପଶିବୁ  । ଯୁଧିଷ୍ଠିର କହିଲେ- ତାତ ! ଆମ୍ଭେ କ’ଣ ତୁମ୍ଭର ପୁତ୍ର ନୋହୁ  । ଗାନ୍ଧାରୀ କହିଲେ- ପୁତ୍ର ତୋହ କଥାରେ ଆମ୍ଭେ ପୁତ୍ରଶୋକ ପାଶୋରୀ ଦେଲୁ  । ତୁମ୍ଭଙ୍କୁ କଲ୍ୟାଣ କରୁଛୁ, ଆମ୍ଭ ଆଇଷ୍ୟ ନେଇ ତୁମ୍ଭେ ଶୁଭରେ ଶାସନ କର  । ଯୁଧିଷ୍ଠିର ବହୁ ଦାନ ଧର୍ମ କରି ବାର ଦିନରେ ପ୍ରେତ କାର୍ଯ୍ୟ ସମାପନ କଲେ  ।  ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ପାଇଁ ବିଦୁର ଆୟୋଜନରେ ଲାଗି ପଡିଲେ  ।