କାହିଁକି ବଢୁଛି ମଧୁମେହ?

କାହିଁକି ବଢୁଛି ମଧୁମେହ?


ବର୍ତ୍ତମାନର ଜୀବନଶୈଳୀରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଦିନକୁ ଦିନ ପ୍ରାକ୍ ମଧୂମେହରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟା ବଢୁଛି । ବର୍ତ୍ତମାନ ରାଜ୍ୟରେ ୨୦ରୁ ୩୦ ଲକ୍ଷ ବ୍ୟକ୍ତିଙ୍କ ଠାରେ ପ୍ରାକ୍ ମଧୁମେହ ସ୍ଥିତି ରହିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ସଚେତନତା ସୃଷ୍ଟି କରାନଗଲେ ଆସନ୍ତାଦିନ ମାନଙ୍କରେ ମଧୁମେହ ରୋଗୀଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ିଯିବ ଏବଂ ମଧୁମେହଜନିତ ଅନେକ ଶାରୀରିକ ଜଟିଳତା ସୃଷ୍ଟି ହୋଇ ଏହା ସମ୍ପର୍କିତ ଅନ୍ୟ ରୋଗ ଗୁଡ଼ିକ ଯୋଗୁଁ ମୃତୁ୍ୟ ଘଟିବ । 
ମଧୁମେହ ବଂଶାନୁକ୍ରମିକ ହୋଇଥିବା କୁହାଯାଉଥିଲେ ମଧ୍ୟ ବର୍ତ୍ତମାନ ସମୟରେ ଜୀବନଶୈଳୀଜନିତ ଏକ ରୋଗରେ ପରିଣତ ହୋଇଛି । ଶାରୀରିକ ପରିଶ୍ରମର ଅଭାବ, ଅତ୍ୟଧିକ ତେଲ ମସଲା ବ୍ୟବହୃତ ଖାଦ୍ୟ ପ୍ରତି ଲୋଭ, ଠିକ୍ ସମୟରେ ନ ଖାଇବା, ଶରୀର ପ୍ରତି ଯତ୍ନବାନ୍ ନହେବା, ମେଦ ବହୁଳତା ଆଦି ବିଭିନ୍ନ କାରଣରୁ ପ୍ରାକ୍ ମଧୁମେହ ଅବସ୍ଥା ସୃଷ୍ଟି ହେଉଛି । ପୂର୍ବପୁରୁଷରେ ବଂଶରେ କାହାରି ନଥିଲେ ମଧ୍ୟ ଏଭଳି ହେଉଥିବା ଦେଖାଯାଉଛି । ପ୍ରାକ୍ ମଧୁମେହ ଅବସ୍ଥାରେ ଜୀବନଶୈଳୀକୁ ପରିବର୍ତ୍ତନ କରି ଏକ ନିୟନ୍ତ୍ରିତ ଜୀବନଶୈଳୀ ନ କରିଲେ ମଧୁମେହ ଅବସ୍ଥାକୁ ଏହା ଚାଲି ଆସୁଛି । 
ବର୍ତ୍ତମାନ ସମୟରେ ସବୁଠାରୁ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିଟି ହେଲା ସବୁ ସହରାଞ୍ଚଳରେ, ପ୍ରାୟ ଗ୍ରାମାଞ୍ଚଳରେ ମୁକ୍ତାକାଶ ବ୍ୟାୟାମଶାଳା ନିର୍ମାଣ କରାଯାଉଛି । ଅନ୍ୟପକ୍ଷରେ ଏହି ବ୍ୟାୟାମଶାଳା ଗୁଡ଼ିକର ଉପଯୁକ୍ତ ବ୍ୟବହାର ହେଉଛି କି ନାହିଁ ସେ ସମ୍ପର୍କରେ କାହାରି ନିକଟରେ ତଥ୍ୟ ନାହିଁ; ବରଂ ଶାରୀରିକ ଶ୍ରମ ଅଭାବରୁ ମେଦ ବହୁଳତା ଏବଂ ମଧୁମେହ ଭଳି ଶାରୀରିକ ଜଟିଳତା ବଢୁଥିବା ଲକ୍ଷ୍ୟ କରାଯାଉଛି । ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ ସହରାଞ୍ଚଳ ହେଉ କି ପଲ୍ଲୀ ଅଞ୍ଚଳ ହେଉ ମୁକ୍ତାକାଶ ବ୍ୟାୟାମଶାଳା ଗୁଡ଼ିକ ଉଦେ୍ଦଶ୍ୟପୂରଣ କରୁନାହିଁ । ଯେଉଁ ଉଦେ୍ଦଶ୍ୟରେ ଏସବୁ ସ୍ଥାପନା କରାଯାଉଛି, ସେହି ଉଦେ୍ଦଶ୍ୟ ଠାରୁ ଲୋକଙ୍କର ଜୀବନଶୈଳୀ ଦୂରେଇ ଦୂରେଇ ଯାଉଛି । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ମୁକ୍ତାକାଶ ବ୍ୟାୟାମଶାଳା ସଂଖ୍ୟା ବଢୁଛି । କାହାରି ସହିତ କାହାରି ସମ୍ପର୍କ ଥିବା ଜଣାପଡୁନାହିଁ । ସ୍ୱାସ୍ଥ୍ୟ ସଚେତନତାକୁ ନେଇ ପ୍ରତି କଲୋନୀରେ ଯୋଗାଭ୍ୟାସକାରୀଙ୍କ ସଂଖ୍ୟା ବଢୁଛି । ଏହା ସତ୍ତ୍ୱେ ମଧୁମେହର ସଂଖ୍ୟା ବଢିବା ମଧ୍ୟ ଲକ୍ଷ୍ୟ କରାଯାଉଛି । ମୋଟ୍ ଉପରେ ଖାଦ୍ୟ, ଜୀବନଶୈଳୀ, ବ୍ୟାୟାମ, ନିଦ୍ରା ଆଦି ସମ୍ପର୍କିତ ସଚେତନତା ସୃଷ୍ଟି ନକରି କେବଳ ରୋଗ ସମ୍ପର୍କିତ ସଚେତନତା ସୃଷ୍ଟି କରିଲେ ଏହାର ସୁଫଳ ମିଳିବ ନାହିଁ । 
ଆଜିକା ସମୟରେ ଖୁବ୍ କମ୍ ସମୟ ମଧ୍ୟରେ ଲକ୍ଷ୍ୟ ହାସଲ ପାଇଁ ସମସ୍ତେ ବ୍ୟଗ୍ର । ଯେଉଁଥି ପାଇଁ ଶାରୀରିକ ପରିଶ୍ରମ ଆବଶ୍ୟକ, ସେଥିପାଇଁ ଔଷଧ ସେବନ କରି ତୁରନ୍ତ ଆରାମ ପାଇଯିବା ପାଇଁ ଲୋକେ ଚେଷ୍ଟା କରୁଛ"ି । ବାସ୍ତବ ଜୀବନରେ ଏଭଳି ହେବା ସମ୍ଭବ ନୁହେଁ । ଏ ଦୃଷ୍ଟିରୁ ଅନ୍ୟ ରୋଗମାନଙ୍କୁ ଡ଼ାକି ଆଣୁଥିବା ମଧୁମେହର ସ୍ଥିତି ସମ୍ପୂର୍ଣ୍ଣ ରୂପେ ଭିନ୍ନ । କେବଳ ଔଷଧ ଖାଇ ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ । ଏଥିପାଇଁ ନିୟମିତ ଭାବରେ ଶାରୀରିକ ଶ୍ରମ ସହିତ ଖାଦ୍ୟ ଅଭ୍ୟାସରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ । ଲୋକମାନେ ବର୍ତ୍ତମାନ ଖାଦ୍ୟ ଅଭ୍ୟାସକୁ ପରିବର୍ତ୍ତନ କରିବା ପାଇଁ ମାନସିକ ଭାବରେ ପ୍ରସ୍ତୁତ ନାହଁନ୍ତି । ଆମର ପାରମ୍ପରିକ ଖାଦ୍ୟ ଭାତ, ପନିପରିବା ତରକାରୀ, ଡ଼ାଲି ଇତ୍ୟାଦି ଖାଦ୍ୟ ତାଲିକାରୁ ଧୀରେ ଧୀରେ ଉଭେଇଯାଉଛି । ତାହା ସ୍ଥାନରେ ବିରିୟାନୀ, ତନ୍ଦୁରୀ ରୁଟି, ତଡ୍କା, ମାଂସ ଓ ମାଛର ଅତ୍ୟନ୍ତ ମସଲାଯୁକ୍ତ ବ୍ୟନ ପ୍ରତି ଲୋକଙ୍କର ଆଗ୍ରହ ରହୁଛି । ଏ ପ୍ରକାରର ଖାଦ୍ୟ ଭୋକ ନଥିବା ବେଳେ ଲୋକମାନେ ଅଧିକ ପରିମାଣରେ ଖାଉଛନ୍ତି । ତେଣୁ କେବଳ ମଧୁମେହ ସମ୍ପର୍କିତ ସଚେତନତାର ସମ୍ମୁଖୀନ ହେଲେ ସମସ୍ୟାର ସମାଧାନ ହେବ ନାହିଁ । ଏଥିପାଇଁ ଶାରୀରିକ ପରିଶ୍ରମ ଆବଶ୍ୟକ । ଲୋକମାନଙ୍କ ଭିତରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଇଛି ସତ; ମାତ୍ର ଏନେଇ ସଫଳତା ହାର ବଢ଼ି ଯାଇନାହିଁ । ଏଥିରୁ ପ୍ରମାଣିତ ହେଉଛି ଯେ ପାଠପଢ଼ାର ବିଷୟ ଭଳି ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କିତ ପରୀକ୍ଷା ହେଲେ ସମସ୍ତେ ପାସ୍ କରିଯିବେ । କିନ୍ତୁ ଏହି ଜ୍ଞାନକୁ ଜୀବନର ବାସ୍ତବ ପ୍ରୟୋଗ କ୍ଷେତ୍ରରେ ଅନେକ ବ୍ୟକ୍ତି ଫେଲ୍ ହେବେ । ଏ ପ୍ରକାରର ଜ୍ଞାନ ବିପଜ୍ଜନକ । ଏହି କାରଣରୁ ବିଶେଷ କରି ପ୍ରାକ୍ ମଧୁମେହ ରୋଗୀମାନେ ସତର୍କ ହେବା ଉଚିତ୍ ।