୨୪ରୁ ୬ଷ୍ଠ ଓଡ଼ିଶା ଟ୍ରାଭେଲ୍ ବଜାର  : ପର୍ଯ୍ୟଟନର ବିକାଶକୁ ତ୍ୱରାନ୍ୱିତ କରିବ

 ଭୁବନେଶ୍ୱର  : ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି) ସହ ସହଭାଗିତାରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗର୍ବର ସହିତ ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୫ର ୬ଷ୍ଠ ସଂସ୍କରଣର ଘୋଷଣା କରାଯାଉଛି । ଆସନ୍ତା ଫେବୃଆରୀ ୨୪ରୁ ୨୭ ତାରିଖ ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରମୁଖ କାର୍ଯ୍ୟକ୍ରମ ଏକ ଅଗ୍ରଣୀ ଆନ୍ତର୍ଜାତୀୟ ଭ୍ରମଣ ଗନ୍ତବ୍ୟସ୍ଥଳୀ ଭାବେ ଓଡ଼ିଶାର ସ୍ଥିତିକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରାଜ୍ୟର ସାଂସ୍କୃତିକ ଐତିହ୍ୟ, ଶାନ୍ତ ବେଳାଭୂମି, ଇକୋ-ଟୁରିଜିମ ଓ ଆଡ୍ଭେଞ୍ଚର ଟୁରିଜିମ୍ ଅଫ୍ରିଙ୍ଗ୍ଗୁଡିକୁ ହାଇଲାଇଟ୍ କରିଥିଲେ । ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ବଲୱନ୍ତ ସିଂହ ଓଡ଼ିଶାର ପର୍ଯ୍ୟଟନ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖିଥିବା ରାଜ୍ୟ ସରକାର ପର୍ଯ୍ୟଟନ ନୀତି, ପଦକ୍ଷେପ ଓ ରଣନୈତିକ ଦୃଷ୍ଟିକୋଣ ଉପରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ । ୬ଷ୍ଠ ଓଡ଼ିଶା ଟ୍ରାଭେଲ୍ ବାଜାର ୨୦୨୫ ହେଉଛି ଏକ ପ୍ରମୁଖ କ୍ରେତା-ବିକ୍ରେତା ସମ୍ମିଳନୀ ଯାହା ଜାତୀୟ ଓ ଆନ୍ତର୍ଜାତୀୟ ଟ୍ରାଭେଲ ଓ ଟୁର ଅପରେଟର, ଡେଷ୍ଟିନେଶନ ମ୍ୟାନେଜମେଣ୍ଟ କମ୍ପାନୀ ଓ ଓଡ଼ିଶାର ବିକ୍ରେତାମାନଙ୍କୁ ଏକତ୍ରିତ କରିବ । ଓଡ଼ିଶା ଟ୍ରାଭେଲ ବଜାର ୨୦୨୫ର ପ୍ରାଥମିକ ଉଦେ୍ଦଶ୍ୟ ହେଉଛି  ଘରୋଇ ଓ ଆନ୍ତର୍ଜାତୀୟ ବଜାରରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀଗୁଡିକୁ ପ୍ରୋସôାହିତ କରିବା । ଓଡ଼ିଶାରେ ଥିବା ସମ୍ଭାବନାଗୁଡିକର ଏକ ସତେଜ ଦୃଷ୍ଟିକୋଣ ଉପସ୍ଥାପନ କରି ରାଜ୍ୟ ସରକାର ଆନ୍ତର୍ଜାତୀୟ ମାନର ଏକ ବହୁମୂଖୀ ପର୍ଯ୍ୟଟନ କେନ୍ଦ୍ର ଭାବେ ଓଡ଼ିଶାକୁ ଅବସ୍ଥାପିତ କରିବା ପାଇଁ ରଣନୈତିକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଭାରତର ୩୦ରୁ ଅଧିକ ସହରର ପ୍ରାୟ ୧୦୦ ଘରୋଇ ଟୁର୍ ଅପରେଟର୍ ଏବଂ ଅଷ୍ଟ୍ରେଲିଆ, ୟୁକେ, ଜର୍ମାନୀ, ବେଲ୍ଜିୟମ, ଦକ୍ଷିଣ ଆଫ୍ରିକା, ସ୍ପେନ୍, ସିଙ୍ଗାପୁର ଭଳି ୧୭ଟି ଦେଶରୁ ୩୦ର ଅଧିକ ବିଦେଶୀ ଟୁର୍ ଅପରେଟର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ୭୦ ଜଣ ସେଲର, ଘରୋଇ ଟୁର୍ ଅପରେଟର (ଡିଟିଓ) ଓ ବିଦେଶୀ ଟୁର ଅପରେଟର (ଏଫ୍ଟିଓ)ଙ୍କ ମଧ୍ୟରେ ବିଟୁବି ବୈଠକଗୁଡିକ ଉପରେ ଗୁରୁତ୍ୱ ଦେବ । ଏଥିସହିତ ଅଂଶଗ୍ରହଣକାରୀମାନେ ଭିତରକନିକା, ରଘୁରାଜପୁର, ପୁରୀ-କୋଣାର୍କ, ଡାଇମଣ୍ଡ ଟ୍ରାଏଙ୍ଗେଲ ଭଳି ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀଗୁଡିକୁ ଯାତ୍ରା କରିବେ । ଏହି କାର୍ଯ୍ୟକ୍ରମ ସମୟରେ ସେଲରମାନଙ୍କ ସହ ୩୦୦୦ ପୂର୍ବ ନିର୍ଦ୍ଧାରିତ ବୈଠକ ଧାର୍ଯ୍ୟ କରାଯାଇଛି । ଏହାବ୍ୟତୀତ ବିଟୁବି ବୈଠକ ଓ ଆଡ୍ଭେଞ୍ଚର ୱାର୍କସପ୍ ଏହି କାର୍ଯ୍ୟକ୍ରମର ପ୍ରମୁଖ ଅଂଶ ହେବାକୁ ଯାଉଛି ।