ଜଗନ୍ନାଥ ମହାମନ୍ତ୍ରର ମହାତ୍ମ୍ୟ
ମୃତୁ୍ୟ ଜୀବନ ଚକ୍ରର ଏକ ଅଭିନ୍ନ ଅଙ୍ଗ । ଦିନରାତି ପରି ଜୀବନ ମୃତୁ୍ୟ ପରସ୍ପର ପରିପୂରକ । ସାରାଦିନ ଅକ୍ଳାନ୍ତ ପରିଶ୍ରମ କରି ଥକି ପଡ଼ିଥିବା ଶରୀର ଓ ଅବଶ୍ୟ ମନ ରାତ୍ରିର ସୁନିଦ୍ରା ଦ୍ୱାରା ହୋଇ ଉଠେ ସତେଜ । ଦେହ, ମନ ଓ ପ୍ରାଣରେ ଭରିଯାଏ ନୂତନ ଉର୍ଜା, ଉତ୍ସାହ ଓ ଉଦ୍ଦୀପନା । ଦିବସର ଆଲୋକ, କର୍ମ ଓ ଚଳଚଞ୍ଚଳ ପରିବେଶ ଯେତିକି ଆବଶ୍ୟକ ରାତ୍ରିର ଅନ୍ଧକାର, ନିସ୍ତବ୍ଧତା ଓ ବିଶ୍ରାମର ରହିଛି ସମାନ ମହତ୍ୱ । ଭଗବତ୍ ଗୀତାରେ କୁହାଯାଇଛି - ବାସାଂସି ଜୀର୍ଣ୍ଣାନି ଯଥା ବିହାୟ, ନବାନି ଗୃହଣାତି ନରୋପରାଣି । ତଥା ଶରୀରାଣି ବିହାୟ ଜୀର୍ଣ୍ଣା, ନ ନ୍ୟାନି ସଂଜାତି ନବାନି ଦେହି । ବସ୍ତ୍ର କିମ୍ବା ଘର ପୁରୁଣା କିମ୍ବା ଜୀର୍ଣ୍ଣଶୀର୍ଣ୍ଣ ହେଲେ ତାକୁ ବଦଳାଇ ମନୁଷ୍ୟ ନୂତନ ପୋଷାକ ଓ ଗୃହ ବ୍ୟବହାର କରେ । ସେହିଭଳି କାର୍ଯ୍ୟକାରିତା ପୂରଣ ହେଲେ ଆତ୍ମା ଧାରଣ କରେ ନୂତନ ଦେହ । ସଂସାର ଅନିତ୍ୟ ବ୍ରହ୍ମ ସତ୍ୟ । ଶରୀର କ୍ଷୟଶୀଳ ଆତ୍ମା ଅକ୍ଷୟ । ଏହି ମହାନ ସତ୍ୟକୁ ସଂସାରରେ ପ୍ରତିପାଦନ କରିବା ପାଇଁ ପ୍ରଭୁଙ୍କର ନବକଳେବର ଲୀଳା । ଅବ୍ୟକ୍ତ ବ୍ରହ୍ମ ଜଗତର କଲ୍ୟାଣ ପାଇଁ ଦାରୁବ୍ରହ୍ମ ରୂପରେ ଧରାପୃଷ୍ଠରେ ଅବତରଣ କରିଛନ୍ତି । ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ ପୁରୁଷ । ସମସ୍ତ ଦିବ୍ୟ ଅବତାର ମାନଙ୍କର ମୂଳ ଉତ୍ସ । ସେ ପୁଣି ନବମ ଅବତାର ବୁଦ୍ଧ । ଏବଂ ଭବିଷ୍ୟତରେ ଧାରଣ କରିବେ କଳ୍କୀ ରୂପ । ଦୀର୍ଘ ୧୯ ବର୍ଷର ଲୀଳାଖେଳା ସାରି ଚତୁର୍ଦ୍ଧା ମୂର୍ତ୍ତି କରିଛନ୍ତି ଘଟ ପରିବର୍ତ୍ତନ । ଦିବ୍ୟବ୍ରହ୍ମ ପୁରୁଣା ବିଗ୍ରହରୁ ସ୍ଥାନାନ୍ତରିତ ହୋଇ ନୂତନ ବିଗ୍ରହରେ ସଂସ୍ଥାପିତ । ବ୍ରହ୍ମ ବିହୀନ ଶ୍ରୀ ଅଙ୍ଗ କରିଛନ୍ତି ପାତାଳୀ ଲୀଳା । ବ୍ରହ୍ମ ସଂସ୍ଥାପିତ ନୂତନ କଳେବର ମହାଅଣସର ଗୃହରେ ବିଦ୍ୟମାନ । ଏହି କାଳଖଣ୍ଡ ବହନକରେ ଅନନ୍ୟ ମହତ୍ୱ । ଅବଣବସର ଲୀଳା କରୁଥିବାରୁ ଶ୍ରୀବିଗ୍ରହ ମାନଙ୍କର ସାଧାରଣ ଦର୍ଶନ, ପୂଜାର୍ଚ୍ଚନା ଇତ୍ୟାଦି ମନା । ତେଣୁ ଜଗନ୍ନାଥ ନାମ ହିଁ ବିଭୁ ଉପାସନାର ଏକମାତ୍ର ଉପାୟ ।
ଜଗନ୍ନାଥ ମହାମନ୍ତ୍ର ଜୟ ଜୟ ଜଗନ୍ନାଥ ଜଗନ୍ନାଥ ହରେ ହରେ, ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ହରେ ହରେ । କଳିଯୁଗରେ ଜଗନ୍ନାଥଙ୍କ ନାମ ଜପ ଓ କୀର୍ତ୍ତନ ବ୍ରହ୍ମ ଉପାସନାର ସହଜ ଓ ସରଳ ମାର୍ଗ । ଜପକୀର୍ତ୍ତନ ସ୍ୱରୂପ ନାମ ଯଜ୍ଞ ଅନନ୍ତ କୋଟି ଜନ୍ମର ପାପ କ୍ଷୟ କରେ । ଏହି ମହାମନ୍ତ୍ରକୁ ସ୍ମରଣ ଓ ମନନ କରିବା ବ୍ରହ୍ମଙ୍କୁ ନିତ୍ୟ ହୃଦୟରେ ଧାରଣ କରବା ସହ ସମାନ । ଦାରୁବ୍ରହ୍ମ ଜଗତର ନାଥ ଜଗନ୍ନାଥ ସମସ୍ତ ଜାଗତିକ ବିଭବର ଅଧିକାରୀ । ଧନ, ଐଶ୍ୱର୍ଯ୍ୟର ଅଧିକାରିଣୀ ମା'ଲକ୍ଷ୍ମୀ, ବିଦ୍ୟାଦାତ୍ରୀ ମା'ସରସ୍ୱତୀ ଓ ଶକ୍ତି ସ୍ୱରୂପ ଶ୍ରୀସୁଦର୍ଶନଙ୍କର ସେ ଇଷ୍ଟ । ଜଗନ୍ନାଥ ନାମ ବା ମହାମନ୍ତ୍ର ଜପ ଦ୍ୱାରା ଭକ୍ତର ସମସ୍ତ ମନବା‚ା ପୂରଣ ହୁଏ । ଦାରିଦ୍ର୍ୟ, ଦୁଃଖ, ଶୋକ ଜୀବନରୁ ଦୂରେଇ ଯାଏ । ଧନଧାନ୍ୟ ଗୋପଲକ୍ଷ୍ମୀରେ ଘର ପୂରି ଉଠେ । ମନୁଷ୍ୟ ଜୀବନ ଆନନ୍ଦମୟ ହେବା ସହ ଯଶକୀର୍ତ୍ତି ବଢ଼େ । ଜୀବ ଉଦ୍ଧାରକାରୀ ଶ୍ରୀଜଗନ୍ନାଥ ମହାମନ୍ତ୍ରକୁ ସର୍ବଦା ଜପ କରିବା ସହ କୋଟି ହୃଦୟର ମଉଡମଣୀ ପ୍ରାଣପ୍ରିୟ ଠାକୁରଙ୍କ ନାମ ପ୍ରଚାର ଓ ପ୍ରସାରରେ ସାମିଲ ହୋଇ ମାନବଜନ୍ମ ସାର୍ଥକ କରନ୍ତୁ ।
ଡ. ତପନ କୁମାର ପାଳ,ମୋ: ୯୯୩୭୬୫୮୩୬୨