ବିସ୍ଥାପନ ଓ ଥଇଥାନ ନୀତିକୁ ମାନୁନି ସାତକୋଶିଆ ବନଖଣ୍ଡ
ଅନୁଗୁଳରୁ ସୁଶାନ୍ତ କୁମାର ସାହୁ : ଅନୁଗୁଳ-ସାତକୋଶିଆ ଅଭୟାରଣ୍ୟର ସମ୍ପ୍ରସାରଣ ଓ ସଂରକ୍ଷଣ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । କିନ୍ତୁ ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁଁ ସାତକୋଶିଆ ଅଭୟାରଣ୍ୟ ଶ୍ରୀ ହୀନ ହେବାକୁ ଯାଉଛି । ସରକାରଙ୍କ କୋଟି କୋଟି ଟଙ୍କା ଅକାରଣରେ ସ୍ୱାହା ହେଉଥିବା ନେଇ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସାତକୋଶିଆ ଅଭୟାରଣ୍ୟର ବନଖଣ୍ଡ ଅନ୍ତର୍ଗତ ଟୁଲୁକା, ଅସନବାହାଳ, କଟରଙ୍ଗ ଓ ଭୃକୁଣ୍ଡି ଆଦି ଗ୍ରାମକୁ ଅଭୟାରଣ୍ୟ ସମ୍ପ୍ରସାରଣ ପାଇଁ ବନ ବିଭାଗ ପକ୍ଷରୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ବିସ୍ଥାପନ ଦ୍ୱାରା ପ୍ରାୟ ୪ ଶହ ଗରୀବ ନିରୀହ ଆଦିବାସୀ ପରିବାର ବିସ୍ଥାପିତ ହେଉଛନ୍ତି । ମାତ୍ର ବନଖଣ୍ଡ ଅଧିକାରୀ ବିସ୍ଥାପନ ଓ ଥଇଥାନ ନୀତି ନିୟମକୁ ସମ୍ପୂର୍ଣ୍ଣ ଦଳି ମକଚି ମେରୀ ରାୟ ନୀତିରେ ବନବାସୀଙ୍କୁ ଜୋର ଜବରଦସ୍ତି ବିସ୍ଥାପିତ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସରକାର ସାତକୋଶିଆ ଅଭୟାରଣ୍ୟ ସମ୍ପ୍ରସାରଣ ପାଇଁ ଏହି ଗ୍ରାମକୁ ବିସ୍ଥାପନ ନିମନ୍ତେ ଘୋଷଣା କଲେ । ତେବେ ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତି ଅନୁଯାୟୀ ବିସ୍ଥାପିତ ହେବାକୁ ଯାଉଥିବା ଗ୍ରାମବାସୀଙ୍କୁ ପ୍ରଥମେ ବିଜ୍ଞପ୍ତି ପ୍ରକାଶ କରି ଥଇଥାନ, କ୍ଷତିପୂରଣ ବାବଦରେ ଅବଗତ କରାଇବା, ଚାଷ ଜମିବାଡ଼ି, ବଗିଚା, ଗଛ, ଜଳସେଚିତ ଜମି, ସ୍ଥାବର ଅସ୍ଥାବର ସମ୍ପତ୍ତି, ପରିବାର ସଦସ୍ୟ ଆଦି ସଠିକ୍ ଭାବେ ଆକଳନ ମୂଲ୍ୟାଙ୍କନ କରି କ୍ଷତିପୂରଣ ଦେବା ସହ ଥଇଥାନ ବ୍ୟବସ୍ଥା କରିବା ଆଦି ଅନେକ ନିୟମ ରହିଛି । କିନ୍ତୁ ସାତକୋଶିଆ ବନଖଣ୍ଡ ପକ୍ଷରୁ ବିଜ୍ଞପ୍ତି , ସର୍ଭେ କରିବା ତ ଦୁରର କଥା ପ୍ରଥମେ ଗ୍ରାମବାସୀଙ୍କ ମଧ୍ୟରେ ଦୁଇଟି ଗୋଷ୍ଠି ସୃଷ୍ଟି କରି ବିବାଦ ଆରମ୍ଭ କରିଦେଲେ । ସପକ୍ଷବାଦୀ ଆଉ ବିପକ୍ଷବାଦୀ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଲଗେଇ ଦେଲା ପରେ ମାଙ୍କଡ ପିଠା ଭାଗ କରିବା ନୀତିରେ କିଏ କେତେ କ୍ଷତି ପୂରଣ ପାଇବ ଆଉ କିଏ କିଛି ପାଇବ ନାହିଁ ତାହା ବନ ବିଭାଗ ଅଧିକାରୀ ଓ କର୍ମଚାରୀ ହିଁ ନିର୍ଣ୍ଣୟ କରିବେ । ଏଇଭଳି ବେଆଇନ ବିସ୍ଥାପନକୁ ବିରୋଧ କରି ବିସ୍ଥାପିତ ଗ୍ରାମବାସୀ ଦୀର୍ଘ ବର୍ଷ ଧରି ବିଗତ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ବିସ୍ଥାପିତ ଲୋକଙ୍କୁ ଥଇଥାନ, କ୍ଷତିପୂରଣ ପ୍ୟାକେଜ ନ ଦେଇ ମଧ୍ୟ ଜବରଦସ୍ତ ଘର ଦ୍ୱାର ଭାଙ୍ଗି ଦେଉଛନ୍ତି । ଏନେଇ ବିସ୍ଥାପିତମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ସରକାରଙ୍କ ଦାୟିତ୍ୱହୀନ, ମନମାନି ବୋଲି ତାଙ୍କ ଆଦେଶରେ ବର୍ଣ୍ଣନା କରିଥିଲେ ।
ବେଆଇନ ବିସ୍ଥାପନ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସାତକୋଶିଆ ବନଖଣ୍ଡ ଅଧିକାରୀ ଦୀର୍ଘ ୭ ବର୍ଷ ଧରି ମେରୀ ରାୟ ନୀତିରେ ବିସ୍ଥାପନ କରି ଚାଲିଛନ୍ତି । ବଡ଼ ଆଶ୍ଚର୍ଯ୍ୟର ବିଷୟ ଶହ ଶହ ବର୍ଷ ଧରି ରହିଆସୁଥିବା ଲୋକଙ୍କୁ ବିସ୍ଥାପିତ କରିବା ପୁର୍ବରୁ ବିଜ୍ଞପ୍ତି ଜାରି କରିବା, ରାଜସ୍ୱ ବିଭାଗ ତଥା ଅନ୍ୟାନ୍ୟ ବିଭାଗର ସହାୟତା ମାଧ୍ୟମରେ ଜାଗା ଚିହ୍ନଟ କରିବା, କ୍ଷତିପୂରଣ ଆକଳନ କରିବା ଆଦି ନିୟମ ଥିବା ବେଳେ, ସାତକୋଶିଆ ବନଖଣ୍ଡ ଅଧିକାରୀ ଖାତିର ନ କରି ମେରୀ ରାୟ ନୀତିରେ ବିସ୍ଥାପନ କରି ଚାଲିଛନ୍ତି ।ଏଇଠି ମନରେ ଉଙ୍କି ମାରୁଛି ଯେ ସାତକୋଶିଆ ବନଖଣ୍ଡ ଅଧିକାରୀ ସତରେ କେତେ ପାୱାରଫୁଲ । ଆଉ ଏହି ଗୋଟିଏ ସ୍ଥାନରେ ୭ବର୍ଷ ଧରି ରହିଥିଲେ ମଧ୍ୟ ତାଙ୍କ ପାଇଁ ସରକାରଙ୍କ ବଦଳି ନିୟମ ମଧ୍ୟ ଫେଲ ମାରି ଯାଉଛି ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି । ଜମି କ୍ଷତିପୂରଣ ନଦେଇ ଜମି ଉପରେ କୋଟି କୋଟି ଟଙ୍କା ବ୍ୟୟରେ ବନ୍ୟଜନ୍ତୁଙ୍କର ଆବାସସ୍ଥଳୀ ନିର୍ମାଣ କରାଯାଇଛି । କଟରଙ୍ଗ ଗ୍ରାମର ୨୫ ପରିବାର ହାଇକୋର୍ଟରେ ମକଦ୍ଦମା ରୁଜୁ କରିଥିଲେ ମଧ୍ୟ ସାତକୋଶିଆ ବନଖଣ୍ଡ ଅଧିକାରୀ ଡରିବା ଲୋକ ନୁହଁନ୍ତି । କାରଣ ସେ ସବୁ କଳାର ଅଧିକାରୀ ବୋଲି ଚର୍ଚ୍ଚା ହେଉଛି । ବିସ୍ଥାପନ, ଥଇଥାନ ନୀତି ଅନୁଯାୟୀ ଜମି ଅଧିଗ୍ରହଣ ପୁର୍ବରୁ ସର୍ଭେ କରିବା, ପକ୍କାଘର, ଟାଇଲି ଘର ଓ ଆଜବେଷ୍ଟ ଘର, ଗଛ ଲତା, କୂଅ, ପୋଖରୀ, ଜଳସେଚିତ ଜମି, ସ୍ଥାବର ଅସ୍ଥାବର ସମ୍ପତ୍ତି ଆକଳନ ଓ ମୂଲ୍ୟାଙ୍କନ କରିବା ଆଦି ନିୟମ ରହିଛି । କିନ୍ତୁ ଏହା ନ କରି ସରକାରଙ୍କ ୨୦ ଲକ୍ଷ ଟଙ୍କାର ପ୍ୟାକେଜ ପାସ ବହିକୁ ଦେଇଦେବା ପରେ ବନଖଣ୍ଡ ଅଧିକାରୀ ତୁରନ୍ତ ବନ କର୍ମଚାରୀଙ୍କୁ ନିଦେ୍ର୍ଦଶ ଦେଇ ମେସିନ୍ ଦ୍ୱାରା ଘରଦ୍ୱାର କୂଅ,ପୋଖରୀ, ଜଳ ସେଚିତ ଜମିକୁ ସମତୁଲ କରିଦେଇଛନ୍ତି ଯାହାକି ବିସ୍ଥାପିତ ବନବାସୀ କୋର୍ଟ କଚେରୀ ଯିବା ପୁର୍ବରୁ କୌଣସି ପ୍ରମାଣ ନଥିବ । ଗରୀବ ଆଦିବାସୀ ବନବାସୀ ମାନଙ୍କ ଅଜ୍ଞତାର ସୁଯୋଗ ନେଇ ଯୋଜନାବଦ୍ଧ ଭାବେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସଫଳ କରିଛି ବନବିଭାଗ ବୋଲି ବିସ୍ଥାପିତ ମାନେ ଅଭିଯୋଗ କରିଛନ୍ତି । ଲୋକଙ୍କ ଘରଦ୍ୱାର ଭାଙ୍ଗି ସେଇ ଜାଗାରେ ବନ୍ୟଜନ୍ତୁଙ୍କ ଆବାସସ୍ଥଳୀ ନିର୍ମାଣ କରିଛନ୍ତି ଆଉ ସରକାରୀ ଅନୁଦାନ ଅର୍ଥ ଖର୍ଚ୍ଚ ନେଇ କେଉଁଠି ସୂଚନା ଫଳକ ମଧ୍ୟ ବନ ବିଭାଗ ଲଗାଇ ନାହିଁ । ଅପରପକ୍ଷେ ପରିବେଶ ପର୍ଯ୍ୟଟନରେ ସ୍ଥାନୀୟ ଇଡିସିକୁ କୌଣସି ସୂଚନା ଦିଆଯାଉ ନାହିଁ । ଗୋଷ୍ଠୀ ପର୍ଯ୍ୟଟନ ପରିଚାଳନାରେ ପୂର୍ଣ୍ଣଛେଦ୍ ପଡିଥିବା ବେଳେ, ସଂରକ୍ଷଣ ଓ ପରିଚାଳନାରେ ସହଭାଗିତାକୁ ଏଡାଇ ଦିଆଯାଉଛି । ଏ ଦିଗରେ ରାଜ୍ୟ ସରକାର ଉଚ୍ଚସ୍ତରୀୟ ତଦନ୍ତ କରି ନ୍ୟାୟ ଦେବା ପାଇଁ ବିସ୍ଥାପିତ ଦାବି କରିଛନ୍ତି ।