ବିଜେପି : କ୍ଷମତା ଆସିଲା, କଳି ବଢ଼ିଲା

ଭୁବନେଶ୍ୱର : ୧୯୮୦ରେ ରାଜ୍ୟରେ ବିଜେପି ଥିଲା ସାଇନ୍ ବୋଡର଼୍ ପାର୍ଟି । ୧୯୯୦ ଦଶକ ବେଳକୁ ବିଜେପି ବିଧାନସଭାରେ ସାମାନ୍ୟ ହଲଚଲ ସୃଷ୍ଟି କରିଥିଲା । ହେଲେ ୨୦୦୦ରେ ବିଜେଡ଼ି ସହ ମିଶି କ୍ଷମତାକୁ ଆସିବାର ସୁଯୋଗ ପାଇଥିଲା ବିଜେପି । ତେବେ ୨୦୦୯ରୁ ପ୍ରାୟ ୧୫ ବର୍ଷର ସଂଗ୍ରାମ ପରେ ଦଳ ଏକାକୀ ସରକାର ଗଢ଼ିବାର ସୁଯୋଗ ପାଇଛି । ସବୁ ଦଳ ଭଳି ବିଜେପିରେ ପଦ ପଦବୀ ପତିଆରାର ଲଢେ଼ଇ ଲାଗିବା ସ୍ୱାଭାବିକ କଥା । କିନ୍ତୁ ଦଳ କ୍ଷମତାକୁ ଆସିବା ପରେ କଂଗ୍ରେସ ଭଳି ଦଳରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଆଗରୁ ଚୁଟ୍ କିନା ଦଳର ସଭାପତି ନିର୍ବାଚନ ହେଉଥିବାବେଳେ ଏବେ ଛକାପଞ୍ଝା ଦେଖିବାକୁ ମିଳୁଛି ।
ବିଜେପି ସରକାର ଗଢ଼ା ହେବାପରେ ନେତା ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ପତିଆରା ଲଢେ଼ଇ । ସ୍ଥିତି ଏମିତି ହୋଇଛିଯେ, ଏଯାଏଁ ମନ୍ତ୍ରୀମଣ୍ଡଳ ବି ସମ୍ପୂର୍ଣ୍ଣ ହୋଇପାରିନାହିଁ । ରାଜ୍ୟ ସରକାରରେ ୨୨ ମନ୍ତ୍ରୀ ରହିପାରିବେ । କିନ୍ତୁ ଗତ ୮ ମାସ ହେଲା ୧୬ ଜଣ ମନ୍ତ୍ରୀ ଅଛନ୍ତି । ସେହିପରି ଯୋଜନା ବୋଡର଼୍ଠାରୁ ନେଇ ଅନେକ କମିଶନ ପଦବୀ ବି ପୂରଣ କରାଯାଇପାରିନାହିଁ । ଦଳର ଡଜନ ଡଜନ ନେତା ନିଗମ ପାଇବା ପାଇଁ ଅନେଇ ବସିଛନ୍ତି । କିନ୍ତୁ କ୍ଷମତାର ଅଙ୍କ ଛିଣ୍ଡୁନଥିବାରୁ ସବୁ କିଛି ଠପ୍ ହୋଇଯାଇଛି । ସମସ୍ତଙ୍କର ଅପେକ୍ଷା କେବେ ରାଜ୍ୟ ବିଜେପିର ନୂଆ ଟିମ୍ ଗଢ଼ା ହେବେ ? କିଏ ହେବେ ବିଜେପି ସଭାପତି ? ଦଳର ଲକି ସଭାପତି ମନମୋହନ ସାମଲ ରିପିଟ୍ ହେବେ ନା ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ମଙ୍ଗ ଧରିବେ ? ଏହାକୁ ନେଇ ରାଜ୍ୟ ବିଜେପିରେ ଗତ ତିନି ମାସ ଧରି ଅଙ୍କକଷା ଚାଲିଛି । ସଭାପତି ରେସ୍ରେ ଏବେ ସାତ ଆଠ ଜଣ ନେତା ଅଛନ୍ତି । ମନମୋହନଙ୍କ ବ୍ୟତୀତ ସମୀର ମହାନ୍ତି, ଗୋଲକ ମହାପାତ୍ର, ଯତୀନ୍ ମହାନ୍ତି, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଠାରୁ ନେଇ ଅନେକଙ୍କ ନାଁ ଶୁଣିବାକୁ ମିଳୁଛି । ଆରଏସଏସ ସରସଂଘଚାଳକ ମୋହନ ଭାଗବତ ଓଡ଼ିଶା ଆସିଥିବାବେଳେ ସେ ହିଁ ସମାଧାନର ସୂତ୍ର ବାହାର କରିବେ । ଉଭୟ ସଂଘ ଓ ଦଳ ଭିତରେ ଯିଏ ସମନ୍ୱୟ ରକ୍ଷା କରିବେ ସେ ହିଁ ଧରିବେ ବିଜେପି ମଙ୍ଗ । ଫେବୃଆରୀ ହିଁ ବିଜେପିର ସାଂଗଠନିକ ଚିତ୍ର ସ୍ପଷ୍ଟ ହୋଇଯିବ । ତେବେ ସେ ଯେତେ ଘଣ୍ଟାଚକଟା ଚାଲୁ ପଛେ, ସବୁ ନିଷ୍ପତ୍ତି ମୋଦି ଓ ଶାହ ନେବେବୋଲି କୁହାଯାଉଛି । ତେଣୁ ଦିଲ୍ଲୀ ନିର୍ବାଚନ ସରିବା ପରେ ହିଁ ବିଜେପିର ନବକଳେବର ହେବବୋଲି କୁହାଯାଇପାରିବ ।