ବଡ଼ ଖବର : ୩ ହଜାର ଦେଲେ ବର୍ଷସାରା ଫ୍ରି !

ଜାତୀୟ ରାଜପଥରେ ଯିବା ବେଳେ ପ୍ରାୟ ୬୦ କିଲୋମିଟରରେ ଗୋଟାଏ ଲେଖାଏଁ ଟୋଲ ଗେଟ୍ ପଡ଼େ । ଏହି ଟୋଲ ଗେଟ୍ରେ ନିର୍ଦ୍ଧାରିତ ଟଙ୍କା ଦେବା ପରେ ହିଁ ଆପଣ ଆଗକୁ ବଢନ୍ତି । ବେଳେ ବେଳେ ଟୋଲ ପ୍ଲାଜାରେ ଏମିତି ଭିଡ଼ ହୁଏ ଯେ ଘଂଟା ଘଂଟା ପର୍ଯ୍ୟନ୍ତ ଆପଣ ରାସ୍ତାରେ ହିଁ ଅପେକ୍ଷା କରନ୍ତି । କିନ୍ତୁ ଏବେ କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ଯେଉଁ ନିଷ୍ପତ୍ତି ନେଉଛି ତାହା ସବୁ ଗାଡ଼ି ଚାଳକଙ୍କ ଲାଗି ଆଶ୍ବସ୍ତିକର କରିବ । ନିୟମ ଅନୁସାରେ, ଏଣିକି ଥରେ ଟଙ୍କା ଦେଲେ ବର୍ଷସାରା ଆପଣଙ୍କୁ ଟୋଲଗେଟ୍ରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଅର୍ଥାତ୍ ଫ୍ରିରେ ଯାତ୍ରା କରିପାରିବେ ଆପଣ ।
ପରିବହନ ବ୍ୟବସ୍ଥା ସୁଦୃଢ କରିବା ଲାଗି ଲଗାତାର କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି । ଖାସ କରି ମନ୍ତ୍ରଣାଳୟର ଦାୟିତ୍ବ ନେବା ପରେ ଗଡ଼କରୀ ଯୁଗାନ୍ତକାରୀ ପଦକ୍ଷେପ ନେଉଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଖୁବଶୀଘ୍ର କେନ୍ଦ୍ର ସରକାର ବାର୍ଷିକ ଓ ଲାଇଫ୍ ଟାଇମ୍ ଟୋଲ ପାସ୍ ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି । ପ୍ରସ୍ତାବ ଅନୁସାରେ, ଯାତ୍ରୀ ମାତ୍ର ୩ ହଜାର ଟଙ୍କା ଦେଇ ବାର୍ଷିକ ପାସ୍ କିଣିପାରିବେ । ଯେଉଁ ପାସ୍ ଦେଖାଇ ଯାତ୍ରୀମାନେ ପୁରା ବର୍ଷ ଜାତୀୟ ରାଜପଥରେ ଆରାମରେ ଯାତ୍ରା କରିପାରିବେ । ଠିକ୍ ସେମିତି, ୧୫ ବର୍ଷିୟା ଲାଇଫ୍ ଟାଇମ୍ ପାସ କରିବାକୁ ହେଲେ ଦେବାକୁ ପଡ଼ିବ ୩୦ ହଜାର ଟଙ୍କା । କୁହାଯାଉଛି କି, ଏହି ନିର୍ଦ୍ଦେଶନାମା ଜାରି ହେଲେ ଟୋଲଗେଟ୍ ଦେଇ ଯାଉଥିବା ଯାତ୍ରୀ ଆରାମରେ ଯାତ୍ରା କରିବେ ଏବଂ ଘଂଟା ଘଂଟା ଜାମ୍ ବି ହେବନି ।
ରାସ୍ତାରେ ଯିବା ବେଳେ କେମିତି ସହଜରେ ଯାତ୍ରା କରିବେ ଯାତ୍ରୀ ସେନେଇ କେନ୍ଦ୍ର ପରିବହନ ବିଭାଗ ଅନେକ ପ୍ରସ୍ତାବ ଉପରେ ଆଲୋଚନା କରୁଛନ୍ତି । ସୂଚନା ଅନୁସାରେ, ନୂଆ ଟୋଲ୍ ନିୟମ ନେଇ ମନ୍ତ୍ରଣାଳୟ ବିଚାରବିମର୍ଶ ଚଲାଇଛି । ଖାଲି ଏତିକି ନୁହେଁ ଏବେ କିଲୋମିଟର ପିଛା ଯେତିକି ଟଙ୍କା ଆଦାୟ ହେଉଛି ତାହାକୁ କମାଇବାକୁ ଚେଷ୍ଟା କରାଯାଉଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ନୂଆ ବ୍ୟବସ୍ଥା ଆପଣାଇବାକୁ ହେଲେ କୌଣସି ନୂଆ ପାସ୍ କରିବାକୁ ପଡ଼ିବ ନାହିଁ । କାରଣ ଫାସ୍ଟ୍ୟାଗ୍ ସହ ଏହାକୁ ଲିଙ୍କ କରାଯିବ ।
ବର୍ତ୍ତମାନ ଟୋଲ ପ୍ଲାଜାରେ ମାସିକିଆ ପାସ୍ ମିଳୁଛି । ପ୍ରତିମାସ ୩୪୦ ଟଙ୍କାରେ ଏହି ମାସିକିଆ ପାସ୍ ମିଳୁଥିବା ବେଳେ ବାର୍ଷିକ ଦେୟ ରହିଛି ୪ ହଜାର ୮୦ ଟଙ୍କା । ହେଲେ ପୁରା ଦେଶରେ ଥିବା ରାଷ୍ଟ୍ରୀୟ ରାଜମାର୍ଗ ନେଟୱର୍କରେ ଅସୀମିତ ଯାତ୍ରା କରିବା ଲାଗି ୩୦୦୦ ଟଙ୍କାର ବ୍ୟବସ୍ଥା ହେଲେ ଶହଶହ ସଂଖ୍ୟାରେ ଯାତ୍ରୀ ଉପକୃତ ହେବେ ବୋଲି କୁହାଯାଉଛି । ସେପଟେ ଗଡକରୀ କହିଛନ୍ତି, ଗାଡ଼ି ମାଲିକ କେମିତି ଭଲରେ ଗାଡ଼ି ଚଳାଇବେ ସେନେଇ ଆମେ ଅନେକ ଯୋଜନା କରିବାକୁ ଯାଉଛୁ । ଆଗାମୀ ଦିନରେ ଆହୁରି ନୂଆ ନୂଆ ଯୋଜନା ହେବ ବୋଲି ମନ୍ତ୍ରୀ କହିଛନ୍ତି ।