ଚାକିରି ପାଇଁ ଜୀବନ ବାଜି

ବର୍ତ୍ତମାନ ଉକ୍ରଟ ବେକାରୀ ଦେଖା ଦେଇଥିବା ବେଳେ କୌଣସି ସରକାରୀ ଚାକିରି ତଥା ପଦପଦବୀର ପୂରଣ ନିମିତ୍ତ ବିଜ୍ଞାପନ ବାହାରିଲେ ବେକାର ଯୁବଗୋଷ୍ଠୀଙ୍କ ମନରେ ଏକ ବଡ଼ ଆଶାର ସଞ୍ଚାର ହୋଇଯାଏ । ତେବେ କୌଣସି ଏକ ନିରାପତ୍ତାରକ୍ଷୀ ବାହିନୀ ସମ୍ପର୍କିତ ପଦବୀ ପୂରଣ କ୍ଷେତ୍ରରେ ଶାରୀରିକ ଯୋଗ୍ୟତା ଏକ ଅତ୍ୟାବଶ୍ୟକୀୟ ଅଙ୍ଗ । ଶାରୀରିକ ଯୋଗ୍ୟତାକୁ ବାଦ୍ ଦେଇ ପୁଲିସ୍, ସୈନ୍ୟବାହିନୀ, ନିରାପତ୍ତାରକ୍ଷୀ, ଅବକାରୀ ବିଭାଗ ଆଦି ବିଭାଗ ଗୁଡ଼ିକରେ ଚାକିରି ପାଇବା ଅସମ୍ଭବ । ଅନ୍ୟପକ୍ଷରେ ଲିଖିତ ପରୀକ୍ଷାରେ ଭଲ ନମ୍ବର ରଖି ର୍ୟାଙ୍କ୍ ହାସଲ କରିବା ପରେ ମଧ୍ୟ ଶାରୀରିକ ଯୋଗ୍ୟତା କ୍ଷେତ୍ରରେ ଯଦି ଜଣେ ବିଫଳ ହୁଏ, ତେବେ ସେ ସେ ପ୍ରକାରର ଚାକିରି ସେ ପାଇପାରିବେ ନାହିଁ । ଚାକିରି ପାଇବା ପାଇଁ ନିଜର ଦକ୍ଷତା, ଅଭ୍ୟାସ ଆଦି ନଥାଇ ଶାରୀରିକ ଯୋଗ୍ୟତା ପରୀକ୍ଷାରେ ଜୀବନକୁ ବାଜି ଲଗାଇ ଦେବା ଉଚିତ୍ ନୁହେଁ । ହେଲେ ଏଭଳି ହୁଏ । ପୂର୍ବରୁ ସୈନ୍ୟବାହିନୀର ନିଯୁକ୍ତିରେ ଶାରୀରିକ ଯୋଗ୍ୟତା ପରୀକ୍ଷାରେ ନିର୍ଦ୍ଦିଷ୍ଟ ସମୟ ଭିତରେ ଧାର୍ଯ୍ୟ କରାଯାଇଥିବା ଦୂରତାକୁ ଅତିକ୍ରମ କରିବାର କ୍ଷମତା ନଥାଇ ଅତିକ୍ରମ କରିବାର ଚେଷ୍ଟା କରି ଅନେକ ଦୁଃଖଦାୟକ ଘଟଣା ଘଟୁଛି । ଏ କ୍ଷେତ୍ରରେ ମୃତୁ୍ୟ ମଧ୍ୟ ହୋଇଛି । ପୂର୍ବରୁ ଏ ପ୍ରକାରର ଘଟଣା ଘଟିଥିଲେ ମଧ୍ୟ ଏଇ ଅଳ୍ପଦିନ ତଳେ ଝାରଖଣ୍ଡରେ ଅବକାରୀ ବିଭାଗରେ କନଷ୍ଟେବଲ୍ ପଦବୀ ପାଇଁ ବିଜ୍ଞାପନ ବାହାରିଥିଲା । ଏଥିରେ ଲକ୍ଷେ ୨୭ ହଜାର ୭୭୨ ଜଣ ଚାକିରି ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୭୮ ହଜାର ୨୩ ଜଣ ଲିଖିତ ପରୀକ୍ଷାରେ ପାସ୍ କରିବା ପରେ ଶାରୀରିକ ଯୋଗ୍ୟତା ପରୀକ୍ଷା ଦେବାକୁ ଥିଲା । ତେବେ ଶାରୀରିକ ଯୋଗ୍ୟତା ପରୀକ୍ଷା ଦେବା ସମୟରେ ରାଜ୍ୟର ୭ଟି ପରୀକ୍ଷା କେନ୍ଦ୍ରରେ ଆଶାୟୀ ପ୍ରାର୍ଥୀମାନେ ଶାରୀରିକ ଦକ୍ଷତା କିମ୍ବା ଅଭ୍ୟାସ ନଥିବା ସତ୍ତ୍ୱେ ସରକାରୀ ଚାକିରିଟିଏ ମିଳିଯିବା ଲୋଭରେ ଶାରୀରିକ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଜୀବନକୁ ବାଜି ଲଗାଇ ଦେଲେ । ବିଶେଷ କରି ନିର୍ଦ୍ଦିଷ୍ଟ ସମୟ ଭିତରେ ନିର୍ଦ୍ଦିଷ୍ଟ ଦୂରତାକୁ ଦୌଡ଼ି ଅତିକ୍ରମ କରିବା କ୍ଷେତ୍ରରେ ଶାରୀରିକ ଦକ୍ଷତା ନଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବାର ଉଦାହରଣ ରହିଥିଲେ ମଧ୍ୟ କିଛି ପ୍ରାର୍ଥୀ ଏଭଳି କାର୍ଯ୍ୟରେ ଦକ୍ଷତା ଦେଖାଇବାକୁ ଚେଷ୍ଟା କରିଥିଲେ । ଏହା ଫଳରେ ରାଞ୍ଚି, ଗିରିଡ଼ିହି, ହଜାରିବାଗ, ପଲାମୁ, ପୂର୍ବ ସିଂହଭୂମ୍ ଏବଂ ସାହେବଗଞ୍ଜ ଜିଲ୍ଲାରେ ୧୧ ଜଣ ପ୍ରାର୍ଥୀ ମୃତୁ୍ୟବରଣ କରିଛନ୍ତି । ଏଭଳି ପରୀକ୍ଷା ପୂର୍ବରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ମେଡ଼ିକାଲ୍ ଟିମ୍, ଔଷଧ, ଆମ୍ବୁଲାନ୍ସର ବ୍ୟବସ୍ଥା, ମୋବାଇଲ୍ ଶୌଚାଳୟ, ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇଥିଲା । ଅଥଚ ଦୁଃଖର କଥା ପୂର୍ବରୁ ଶାରୀରିକ ଯୋଗ୍ୟତା ପରୀକ୍ଷା ପାଇଁ କୌଣସି ପ୍ରସ୍ତୁତ ନକରି କିମ୍ବା ଖେଳକୁଦରେ ଆଦୌ ଅଭ୍ୟାସ ନଥିବା ପ୍ରାର୍ଥୀମାନେ ଏଭଳି କଠିନ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଚେଷ୍ଟା କରିବାରୁ ମୃତୁ୍ୟ ଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଲା ।
ଆଗରୁ ଅନେକ ଥର ଦେଖାଯାଇଛି ଯେ ଦୌଡ଼ିବାର ଅଭ୍ୟାସ ନଥିବା ବ୍ୟକ୍ତି ଯଦି ପ୍ରତିଯୋଗୀତାମୂଳକ ଭାବରେ ୪୦୦ ମିଟର ବି ଦୌଡ଼ି ଯିବେ ତାହା ଘାତକ ସାବ୍ୟସ୍ତ ହୋଇପାରେ । ଅଧିକ ଦୂରତାର ଦୌଡ କ୍ଷେତ୍ରରେ ହାଲିଆ ହୋଇ ତଣ୍ଟି ଶୁଖିଯିବା ଏକ ସାଧାରଣ ଘଟଣା ଏବଂ ତଣ୍ଟି ଶୁଖିଗଲେ ହଠାତ୍ ଥଣ୍ଡା ପାଣି ପିଇବା ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଏ । ଶାରୀରିକ ଦକ୍ଷତା ପରୀକ୍ଷାରେ ପୂର୍ବରୁ ଯେତେସବୁ ମୃତୁ୍ୟ ଘଟିଛି ସେସବୁ କ୍ଷେତ୍ରରେ ଦୌଡ଼ି ଆସି ତଣ୍ଟି ଶୁଖିଗଲେ ହଠାତ୍ ପାଣି ପିଇବା ଯୋଗୁଁ ହିଁ ମୃତୁ୍ୟ ଘଟିଛି । ତେବେ ଶାରୀରିକ ପରୀକ୍ଷା ଆୟୋଜନ କରୁଥବା ପକ୍ଷମାନେ ଏ ପ୍ରକାରର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ପ୍ରାର୍ଥୀମାନଙ୍କୁ ପ୍ରଥମରୁ ସୂଚାଇ ଦେବା ଉଚିତ୍ ଥିଲା । ଆଗକୁ ଏ ଦିଗ ପ୍ରତି ବିଶେଷ ଭାବେ ଧ୍ୟାନ ଦିଆଯିବା ଉଚିତ୍ ।