ଛୁଆ ଚୋରି ଘଟଣା: ଅଭିଯୁକ୍ତକୁ ଚିହ୍ନଟ କରିପାରି ନାହିଁ ପୋଲିସ
ଭୁବନେଶ୍ୱର ରାମ ମନ୍ଦିର ନିକଟରୁ ଦୃଷ୍ଟିବାଧିତ ମାଆ କୋଳରୁ ଛୁଆ ଚୋରି ଘଟଣାକୁ ୨୪ ଘଣ୍ଟା ଟପିଲାଣି । ହେଲେ ଏବେ ବି କମିସନରେଟ ପୋଲିସର ହାତ ଖାଲି । ଅପହୃତ ଛୁଆକୁ ମାଆ କୋଳରୁ ଚୋରି କରିଥିବା ଅଭିଯୁକ୍ତକୁ ଚିହ୍ନଟ କରିପାରି ନାହିଁ ପୋଲିସ। ଏହା ଭିତରେ ଶିଶୁ ପୁତ୍ରର ଫଟୋ ସାମ୍ନାକୁ ଆସିଛି । ଅନ୍ୟପଟେ ଦେଢ ବର୍ଷର ଶିଶୁ ପୁତ୍ରକୁ ଅସହାୟ ଦୃଷ୍ଟିବାଧିତ ମାଆ ଝୁରି ହେଉଛି । ଛୁଆକୁ ଫେରାଇ ଆଣିବାକୁ କ୍ୟାମେରା ଆଗରେ ହାତଯୋଡି ଗୁହାରି ହେଉଛି । କାନ୍ଦି କାନ୍ଦି ପୋଲିସ, ପ୍ରଶାସନିକ ଅଧିକାରୀଙ୍କୁ ଅନୁରୋଧ କରୁଛି ତା ଛୁଆକୁ ତା କୋଳକୁ ଫେରାଇ ଦିଆଯାଉ ।
ଦେଢ଼ ବର୍ଷର ଛୁଆକୁ କେଉଁ ଦୁର୍ବୁତ୍ତ କାହିଁକି ଏବଂ କେଉଁ ଉଦ୍ଦେଶ୍ୟ ରଖି ଛଡ଼ାଇ ନେଇଗଲା ସେନେଇ ପ୍ରଶ୍ନ କରିଛନ୍ତି ଅସହାୟ ମାଆ । ରାମ ମନ୍ଦିର ଆଗରେ ବସି ରହି, ପ୍ରଭୁ ରାମଙ୍କ ଉପରେ ସବୁ ଭରସା ଓ ବିଶ୍ୱାସ ରହିଛି ବୋଲି କୋହଭରା କଣ୍ଠରେ କାନ୍ଦି କାନ୍ଦି କହିଛନ୍ତି । ଯେ କେହିବି ମୋ ଛୁଆକୁ ନେଇଛନ୍ତି, ତାକୁ ମୋ ପାଖରେ ଛାଡି ଦିଅନ୍ତୁ ବୋଲି ମହିଳା ଜଣକ କାନ୍ଦି କାନ୍ଦି କହିଛନ୍ତି । ଅନ୍ୟପଟେ ଡିସିପି କହିଛନ୍ତି, ପିଲାକୁ ହ୍ୟୁମାନ ଓ ଟେକ୍ନିକାଲ୍ ଇଣ୍ଟେଲିଜେନ୍ସ ଟିମ୍ ଖୋଜୁଛି । ରାଜ୍ୟ ବାହାରକୁ ଯାଇ ପୁଲିସ ଟିମ୍ ତନାଘନା ଚଳାଇଛି । କେହି ପିଲାର ସନ୍ଧାନ ପାଇଲେ ପୁଲିସକୁ ଜଣାଇବାକୁ କହିଛନ୍ତି ଭୁବନେଶ୍ବର ଡିସିପି ।