‘ଅହଙ୍କାର ଛାଡ଼, ଗୋଷ୍ଠୀ କରନି’ : ସାଂସଦ ଓ ବିଧାୟକଙ୍କୁ ନଡ୍ଡାଙ୍କ ଚେତାବନୀ

ସରକାରକୁ ଆସିବା ପରେ ବିଜେପିର କିଛି ନେତା ପତିଆରା ଜାହିର କରିବାକୁ ଗୋଷ୍ଠୀ କରୁଛନ୍ତି । ଯାହାଦ୍ୱାରା ଦଳ ଦୁର୍ବଳ ହେବାର ଆଶଙ୍କା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସପକ୍ଷ ହାୱା ପାଇଁ ଜିତିଥିଲେବି କିଛି ବିଧାୟକ ଓ ସାଂସଦ ବିଜୟର ଶ୍ରେୟ ନିଜକୁ ହିଁ ଦେଉଛନ୍ତି । ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏସବୁକୁ ଅନୁଶୀଳନ କରିବା ପରେ ଦଳୀୟ ସାଂସଦ ଓ ବିଧାୟକଙ୍କୁ ଚେତାବନୀ ଦେଇଛନ୍ତି । ଅହଙ୍କାର ଛାଡ଼, ଲୋକଙ୍କ ପାଖକୁ ଯାଅ ଓ ଗୋଷ୍ଠୀ କରନି ବୋଲି ସେ କହିଛନ୍ତି ।
ପୁରୀରେ ସାଂସଦ ଓ ବିଧାୟକଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ଜେପି ନଡ୍ଡା । ସେ କହିଥିଲେଯେ, ବିଧାୟକ, ସାଂସଦ ଓ ମନ୍ତ୍ରୀ ବୋଲି ଗର୍ବ ଅହଙ୍କାର କରନି । ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସୁଖଦୁଃଖ ଦେଖ । ଅଙ୍ଗନବାଡ଼ି ଓ ମେଡ଼ିକାଲକୁୁ ଯାଇ ସ୍ଥିତି ପରଖ । ସେଠାରେ କିଛି ସମୟ ବିତାଇବାକୁ ପରାମର୍ଶ ଦେଇଛନ୍ତି । ଖାଲି ସେତିକିନୁହେଁ ନିଜ ଅଞ୍ଚଳର ଦଳିତ ପରିବାରଙ୍କ ସହ ସମ୍ପର୍କ ରଖି ସେମାନଙ୍କୁ ଯୋଜନା ବିଷୟରେ ଅବଗତ କରାଅ । ଗାଁକୁ ଚାଲିବାକୁ ନଡ୍ଡା ସାଂସଦ ଓ ବିଧାୟକଙ୍କୁ କହିଛନ୍ତି ।
୧୪ଟି ବିନ୍ଦୁ ଉପରେ ନଡ୍ଡା ନେତାଙ୍କୁ ଟିପସ ଦେଇଛନ୍ତି । ସେ କହିଥିଲେଯେ, ନେତାମାନେ ନିଜ ଆଡୁ ଲେନ୍ସକୁ ଯିବା ଉଚିତ ନୁହେଁ । ସେମାନେ ଏମିତି କାମ କରିବା ଦରକାର, ଯାହା ଫଳରେ କ୍ୟାମେରା ନେତାମାନଙ୍କ ପାଖକୁ ଆସିବ । ସେହିପରି ସରକାର ଓ ସଂଗଠନ ଉଭୟ ମିଶି ଚାଲିବାକୁ ବି ରାଷ୍ଟ୍ରୀୟ ଶ୍ରୀ ନଡ୍ଡା ପରାମର୍ଶ ଦେଇଛନ୍ତି । ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟକୁ ନେଇ ନଡ୍ଡାଙ୍କ ଏହି ମନ୍ତବ୍ୟ ବିଜେପିରେ ଆଲୋଡ଼ନ ସୃଷ୍ଟିକରିଛି । ବିଜେପି ସରକାର ଗଢ଼ିବାର ୧୦ ମାସ ପରେ ବି ଦଳର ସଂଗଠନ ଠପ୍ ହୋଇଯାଇଛି । ନେତାଙ୍କୁ ଏଯାଏଁ ନିଗମ କିମ୍ବା ଅନ୍ୟ ପଦପଦବୀରେ ଥଇଥାନ ହୋଇନାହିଁ । ଦଳୀୟ ନେତାମାନଙ୍କୁ ମଧ୍ୟ ଗୁରୁତ୍ୱ ମିଳୁନଥିବାରୁ ନେତାମାନେ ଅସନ୍ତୁଷ୍ଟ ଅଛନ୍ତି ।
ନିଗମ ଅଧ୍ୟକ୍ଷ ପଦବୀରେ ଥଇଥାନ ହେବାକୁ ଅନେକ ଯୁବ ଓ ବରିଷ୍ଠ ନେତାମାନେ ଆଶା ବାନ୍ଧି ବସିଛନ୍ତି । ଦୀର୍ଘଦିନ ଧରି ସେମାନେ ଅପେକ୍ଷା କରି ରହିଛନ୍ତି । ମାସ ମାସ ଧରି ପ୍ରତିଶ୍ରୁତି ଦିଆଯାଉଥିଲେବି ନିଗମ ପଦ୍ମ ଘୁଞ୍ôଚ ଘୁଞ୍ôଚ ଚାଲିଛି । ସେପଟେ ଦଳର ସଭାପତି ବି ଚୟନ କରାଯାଇପାରୁନାହିଁ । ଯାହାକୁ ନେଇ ବି ଦଳରେ ଅସନ୍ତୋଷ ପ୍ରକାଶ ପାଇଛି । ଗୋଟିଏ ଗୋଷ୍ଠୀ ମନମୋହନ ସାମଲଙ୍କୁ ପୁଣିଥରେ ସଭାପତି କରିବାକୁ ଚାହୁଁଥିବାବେଳେ ଆଉ ଏକ ଗୋଷ୍ଠୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟରୀର ନେତାଙ୍କୁ ସଭାପତି କରାଯାଉ ବୋଲି ଦାବି କରୁଛନ୍ତି । ସରକାରକୁ ଆସିବା ପରେ ବିଜେପିରେ ଏଭଳି ଛକାପଞ୍ଝା ଦଳୀୟ ସଂଗଠନକୁ ପ୍ରଭାବିତ କରୁଛି ।