ଶ୍ରାବଣ ଯାତ୍ରା : ବୋଲବମ୍
କହିଲେ ଶ୍ରାବଣ ମାସରେ ଜଳାଭିଷେକ କରିବା ପାଇଁ ଶିବ ମନ୍ଦିର ଉଦେ୍ଦଶ୍ୟରେ କରାଯାଉଥିବା ଧାର୍ମିକ ପଦଯାତ୍ରାକୁ ବୁଝାଯାଏ । ଓଡ଼ିଶାର ବିଭିନ୍ନ ଶୈବ କ୍ଷେତ୍ରରେ ଏହି ଉତ୍ସବ ପାଳନ କରାଯାଇଥାଏ । ଆଷାଢ଼ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶିବାଳୟରେ ଭକ୍ତମାନେ ଶିବଙ୍କ ମସ୍ତକରେ ଜଳ ଢ଼ାଳିଥାନ୍ତି । ବୋଲ୍ବମ୍ ଯାତ୍ରାରେ ଭାଗ ନେଉଥିବା ଭକ୍ତ ମାନଙ୍କୁ କାଉଡିଆ କୁହାଯାଏ । ଭକ୍ତମାନେ ଗେରୁଆବସ୍ତ୍ର ପରିଧାନ କରି କାନ୍ଧରେ କଳସୀ ଭାର ଧରି ଚାଲି ଚାଲି ସଂପୂର୍ଣ୍ଣ ପଥ ଅତିକ୍ରମ କରିଥାନ୍ତି । ସେମାନେ କୌଣସି ନଦୀ ବା ଜଳାଶୟରୁ ଜଳନେଇ ମହାଦେବ ମନ୍ଦିରର ଶିବଲିଙ୍ଗ ଉପରେ ଜଳ ଢ଼ାଳନ୍ତି । ବିଶେଷକରି ଶ୍ରାବଣ ମାସର ପ୍ରତି ସୋମବାରରେ କାଉଡିଆଙ୍କ ଯାତ୍ରା ନର୍ମଦାରୁ ମହାକାଳ ପର୍ଯ୍ୟନ୍ତ, ଗଙ୍ଗାରୁ ନୀଳକଣ୍ଠ ମହାଦେବ, ବୈଦ୍ୟନାଥ ଧାମ, ଗୋଦବରୀରୁ ତ୍ରୈମ୍ବକ, ଗଙ୍ଗାରୁ କେଦାରେଶ୍ୱର ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥାନ୍ତି ।
ଏ ପରମ୍ପରା କେବେଠୁ ଆରମ୍ଭ ହୋଇଛି ତାହାର କୌଣସି ପ୍ରମାଣ ନାହିଁ । ତେବେ ପୁରାଣମାନଙ୍କରେ ଏହାର ପ୍ରମାଣ ଅଛି । ଦେବତା ଓ ଅସୁରମାନଙ୍କ ଦ୍ୱାରା କରାଯାଇଥିବା ସମୁଦ୍ର ମନ୍ଥନ ଯୋଗୁଁ ଶ୍ରାବଣ ମାସ ଅମାବାସ୍ୟା ଦିନ ସମୁଦ୍ରରୁ ଅମୃତ ଓ ବିଷ ପ୍ରାପ୍ତ ହୋଇଥିଲା । ଦେବତାମାନଙ୍କ ଅନୁରୋଧକ୍ରମେ ମହାଦେବ ସେହି ବିଷପାନ କରିଥିଲେ । ଫଳରେ ବିଷର ଉକ୍ରଟ ଜ୍ୱାଳାରେ ତାଙ୍କ କଣ୍ଠ ନୀଳବର୍ଣ୍ଣ ହୋଇଯାଇଥିଲା । ବିଷପାନ ଯନ୍ତ୍ରଣାରୁ ଲାଘବ କରିବା ପାଇଁ ଦେବତାଗଣ, ମହାଦେବଙ୍କ ମସ୍ତକରେ ସୁବାସିତ ଜଳ ଢ଼ାଳିଥିଲେ । ଶିବଙ୍କ ଠାରୁ କୃପା ଲାଭ କରିବା ଶ୍ରାବଣମାସରେ ପ୍ରତିବର୍ଷ ନୀଳକଣ୍ଠଙ୍କ ଜଳଲାଗି ଉତ୍ସବ ପାଳନ କରାଯାଇଆସୁଛି । ଭଗବାନ ଶିବ ଗଙ୍ଗାଜଳ ସ୍ନାନ ଦ୍ୱାରା ପ୍ରସନ୍ନ ହୋଇଥାଆନ୍ତି, ତାଙ୍କୁ ଧୂପ, ଦୀପ, ନୈବେଦ୍ୟ ତଥା ଫୁଲ ଚଢ଼ାଇବା ଦ୍ୱାରା ସେତିକି ପ୍ରସନ୍ନ ହୋଇନଥାନ୍ତି । ଏହି କାରଣରୁ ପୂର୍ବେ ଭକ୍ତମାନେ ବଦ୍ରିନାରାୟଣରୁ ଗଙ୍ଗାଜଳ ବହିଆଣି ରାମେଶ୍ୱର ଯାଇ ଶିବଙ୍କ ଶିରରେ ଜଳ ଲଗାନ୍ତି । ସେମାନେ ଏ ଜଳକୁ ଯେଉଁ ଭାରରେ ବୁହାନ୍ତି, ତାକୁ କୁହନ୍ତି କାଉଡି ବା କାଉଁରି ଭାର । କାଉଡି ବା କାଉଁରି ଅର୍ଥ ବାହୁଙ୍ଗି । ଏହାକୁ ଯେଉଁମାନେ ମୁହାନ୍ତି, ସେମାନଙ୍କୁ କୁହାଯାଏ କାଉଡିଆ ବା କାଉରିଆ । ଏମାନେ ଭାର ବୋହିକି ନେଲାବେଳେ କିଛି ଶବ୍ଦ ବା ସ୍ୱର ଉଚ୍ଚାରଣ କରୁଥାନ୍ତି । ତାହା ହେଉଛି - ବୋଲେବମ୍ ହରେବମ୍ ବମ୍ ବମ୍ ଭୋଲେ । ତା' ସହିତ ଭୋଲେ ବାବା ରକ୍ଷାକରେ, ଭୋଲେ ବାବା ପାରକରେ ଇତ୍ୟାଦି ଶବ୍ଦ ବା ବାକ୍ୟ ବ୍ୟବହାର କରନ୍ତି । ବମ୍ ବମ୍ ହେଉଛି ଗାଲ ବାଦ୍ୟର ଶବ୍ଦ । ଭିନ୍ନ ଅର୍ଥରେ ଶିବପୂଜା ବାଦ୍ୟ । ଏମିତି ଡ଼ାକି ଡାକି କାଉଡିଆମାନେ ରାସ୍ତାସାରା ଚାଲିଥାନ୍ତି । ଏହାଦ୍ୱାରା ମଧ୍ୟ ପଥଚଲା କଷ୍ଟ ଲାଘବ ହୋଇଯାଏ । ଏମାନଙ୍କର ପୋଷାକ ସ୍ୱତନ୍ତ୍ର । ନାଲି ଅଥବା ହଳଦିଆ । ଖାଲି ପାଦ । କାନ୍ଧରେ ଭାର । ସବୁରେ ଶିବ ସଂକେତ । ସେମାନେ ଯେଉଁ ଢ଼ଙ୍ଗରେ ଯାଆନ୍ତି, ତାହାକୁ ଶାସ୍ତ୍ରରେ ଏହିପରି ଲେଖାଯାଇଛି "ସ୍କନେ୍ଧଚ ବାମରଂ ଦୃଚ୍ୱା ବମ୍ବମ୍ ପ୍ରୋଜ୍ୟ କ୍ଷଣେକ୍ଷଣେ, ପଦେ ପଦେ ଅଶ୍ୱମେଧ୍ୟସ୍ତ ଅକ୍ଷୟ ପୁଣ୍ୟମ୍ ସୁତେ ।' କାନ୍ଧରେ କାଉଡି ଭାରବୋହି ବୋଲବମ୍ ଡାକଦେଇ ଯିବା ଦ୍ୱାରା ଭକ୍ତ ଅଶ୍ୱମେଧ ଯଜ୍ଞସମ ପୁଣ୍ୟ ଲାଭ କରିଥାଏ ।
ଆନନ୍ଦ ରାମାୟଣରେ ଲେଖାଅଛି ଯେ, ତ୍ରେତୟା ଯୁଗରେ ଭଗବାନ ରାମ କାଉଡିଆ ସାଜି ସୁଲତାନ ଗଞ୍ଜ ନିକଟ ଗଙ୍ଗାରୁ ଜଳ ସଂଗ୍ରହ କରି ବୈଦ୍ୟନାଥ ଧାମରେ ଭଗବାନ ଶିବଙ୍କୁ ଜଳାଭିଷେକ କରୁଥିଲେ । ଲଙ୍କାପତି ରାବଣ ମଧ୍ୟ କାଉଡିଆ ସାଜି ଶିବଙ୍କୁ ଜଳାଭିଷେକ କରୁଥିଲେ କାରଣ ସେ ଥିଲେ ପରମ ଶିବ ଭକ୍ତ । ଏହିପରି ଆଉ ଜଣେ ହେଲେ ଭୂତନାଥ ଭୈରବ । ସେ ମଧ୍ୟ ଶିବଙ୍କୁ କାଉଡି ଜଳରେ ସ୍ନାନ କରାଉଥିଲେ । ଏଥିରୁ ପ୍ରମାଣିତ ହୁଏ ଯେ, କାଉଡିଆଙ୍କ ଜଳାର୍ପଣ ପରମ୍ପରା ବହୁତ ପ୍ରାଚୀନ । ଏହା କେବଳ ଆମ ରାଜ୍ୟରେ ସୀମାବଦ୍ଧ ନୁହେଁ । ସମଗ୍ର ଭାରତରେ ହିନ୍ଦୁ ଶିବଭକ୍ତ ମଧ୍ୟରେ ଏହା ପ୍ରଚଳିତ ।
ଓଡ଼ିଶାରେ ଏହି ଯାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କେଉଁ କେଉଁ ଭକ୍ତମାନେ କଟକରୁ ମହାନଦୀର ଗଡ଼ଗଡ଼ିଆ ଘାଟରୁ ପାଣି ଆଣି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଜଳ ଢ଼ାଳନ୍ତି ତ ଆଉ କିଏ ପୁରୀର ଲୋକନାଥ ମନ୍ଦିର, ଆଖଣ୍ଡଳମଣି ମନ୍ଦିର, ଢ଼େଙ୍କାନାଳର କପିଳାସ ମନ୍ଦିର ଆଦିରେ ପାଣି ଢ଼ାଳନ୍ତି । ଏହି ଧାର୍ମିକ ଯାତ୍ରାରେ କାଉଡିଆଙ୍କ ସେବା ଶୁଶ୍ରୁଷା ତଥା ଯାତ୍ରା କଷ୍ଟ ଲାଘବ କରିବା ପାଇଁ ବିଭିନ୍ନ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ତଥା ସାଧାରଣ ଜନତା ରାସ୍ତାକଡ଼ରେ ବିଶ୍ରାମସ୍ଥଳ ଓ ଜଳଯୋଗର ବ୍ୟବସ୍ଥା ମଧ୍ୟ କରିଥାନ୍ତି ।
କାଉଡିଆଙ୍କ ପାଇଁ କିଛିଟା ସ୍ୱତନ୍ତ୍ର ନିୟମ ଅଛି । ଏହି ନିୟମାନୁଯାୟୀ ଭାରବୋହି ନେଲାବେଳେ ଭାରକୁ ଭୂମିରେ ଥୋଇବେ ନାହିଁ, ସେମାନେ ଏହି କାଳରେ ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରିବେ । ଅର୍ଥାତ୍ ମଦ, ମାଂସ ଓ ମାଛ ଇତ୍ୟାଦି ଖାଦ୍ୟ ଗ୍ରହଣ କରିବେ ନାହିଁ । ମନରେ ମନ୍ଦ ବା ଅଶ୍ଳୀଳ ଅଥବା ପରର ଅନିଷ୍ଟ ଚିନ୍ତା କରିବେ ନାହିଁ । କ୍ରୋଧ, ଲୋଭ, ମୋହ ଅଥବା କୁକର୍ମ ତ୍ୟାଗ କରିବା ଉଚିତ । ଅନ୍ୟର ଜଳ ଗ୍ରହଣ କରିବା ଠାରୁ ଦୂରେଇ ରହିବା, ନିୟମିତ ସ୍ନାନ ଓ ପୂଜା କରିବା, କେଶ ଓ ନଖ କାଟିବା ଅନୁଚିତ, ଭୂମିରେ ବସ୍ତ୍ର ବିଛେଇ ଶୟନ କରିବା, ଦେହ ଓ ମନରେ କେବଳ ଶିବଙ୍କୁ ରଖିଲେ ଏ ଯାତ୍ରା ସଫଳ ହୁଏ । କାଉଡିଆ ଯାତ୍ରାରେ ନିତ୍ୟ କର୍ମରେ ଶୁଦ୍ଧ ଓ ପବିତ୍ର ହୋଇ ବରୁଣ ଦେବତାକୁ ପୂଜନ କରି ଜଳକୁ ତମ୍ବା, ପିତ୍ତଳ, ଚାନ୍ଦି ପାତ୍ରରେ ଜଳ ଭରି କରାଯାଇଥାଏ । ମାଟି ପାତ୍ରରେ ସଂଗୃହୀତ ଜଳରେ ବ୍ରହ୍ମା ରହିଥାନ୍ତି । କିନ୍ତୁ ଏହାର ପବିତ୍ରତା ଉପରେ ସତର୍କତା ଅବଲମ୍ବନ କରିବା ଉଚିତ । ଜଳସ୍ରୋତରୁ ଥରେ ଜଳ ଭରିକରି ତାକୁ ଅଭିଷ୍ଟ କର୍ମ ପୂର୍ବ ଅର୍ଥାତ୍ ଶିବଙ୍କୁ ଅର୍ପଣ କରିବା ପୂର୍ବରୁ ଭୂମିରେ ରଖିବା ଅନୁଚିତ । ଅଶୌଚ ସମୟରେ କାଉଡିଆମାନେ ନିଜ ସାଥୀଙ୍କୁ ଧରାଇବା ବା କୌଣସି ଉଚ୍ଚ ଯାଗାରେ ରଖିବା ଉଚିତ । ଯେପରି ଭାରଟି ଭୂମିକୁ ସ୍ପର୍ଶ କରୁନଥିବ । ଯଦି କୌଣସି ବଶତଃ କାଉଡିଆ ଯାତ୍ରା କରିବା ସମୟରେ ଅଶୌଚ ହୋଇଥିବ ସେ ପୁଣି ଥରେ ନଦୀରେ ସ୍ନାନ କରି ମନ୍ତ୍ରଉଚ୍ଚାରଣ କରି ଜଳ ଭରି ଯାତ୍ରା କରିବା ଉଚିତ । ସୂର୍ଯେ୍ୟାଦୟର ଦୁଇ ଘଣ୍ଟା ପୂର୍ବରୁ ଓ ସୂର୍ଯ୍ୟାସ୍ତର ଦୁଇଘଣ୍ଟା ପରେ କାଉଡିଆ ଯାତ୍ରା କରିବାର ନିୟମ ରହିଛି । ରାତ୍ର ସମୟରେ ବିଶ୍ରାମ ସ୍ଥଳରେ ରହି କାଉଡିଆମାନେ ମହାଦେବଙ୍କ ମନ୍ତ୍ର ତଥା ଭଜନ କରିବା ଉଚିତ । ପାପ ପୁଣ୍ୟ ବ୍ୟକ୍ତିଗତ କର୍ମର ଫଳ । ଏଣୁ ଜଣେ ଭକ୍ତ ନିଜ ଭକ୍ତିର ପରାକାଷ୍ଠା ନେଇ ତା'ଫଳ ପାଏ । ଜଣେ କାଉଡିଆ ଯଦି ନିଜେ ଭକ୍ତ, ସେ ତା'ର ପୁଣ୍ୟ ଫଳ ଅବଶ୍ୟ ପାଇବ । ବିଧିପୂର୍ବକ ଭାବେ ମହାଦେବଙ୍କୁ ଜଳାଭିଷେକ କରି ତିନିଥର ସେହି ଜଳକୁ ଗ୍ରହଣ କରିବା ଉଚିତ । ଏହାଦ୍ୱାରା ଶାରୀରିକ, ମାନସିକ ସ୍ତରରେ ଥିବା ସମସ୍ତ ଦୋଷ ଦୂର ହୋଇଯାଇଥାଏ । ଧର୍ମ-ଅର୍ଥ-କାମ-ମୋକ୍ଷ ସମ୍ବନ୍ଧିତ ସମସ୍ତ ଇଛା ତୁରନ୍ତ ପୂର୍ଣ୍ଣ ହୋଇଥାଏ । ଏହି ଯାତ୍ରା କରିବା ଦ୍ୱାରା ଭକ୍ତଙ୍କୁ ମାନସିକ ପ୍ରସନ୍ନତା, ମନରୋଗ, ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଦିନକୁ ଦିନ କାଉଡିଆଙ୍କ ସଂଖ୍ୟା ବଢ଼ି ଚାଲିଛି । ଏବେ ତ ଉଭୟ ପୁରୁଷ ଓ ନାରୀ କାଉଡିଆମାନେ ଏଥିରେ ସଂପୃକ୍ତ । ଏହି ଯାତ୍ରା ସଫଳ କରିବାପାଇଁ ବିଭିନ୍ନ ସଂସ୍ଥା ମଧ୍ୟ କିଛି ମହତ କାର୍ଯ୍ୟ କରିଥାନ୍ତି । ଯେପରି କାଉଡିଆ ପାଇଁ ପୋଷାକ, ବିଶ୍ରାମସ୍ଥଳ, ଖାଦ୍ୟ ଓ ସେବା ଶୁଶ୍ରୁଷା ଇତ୍ୟାଦି କରିଥାନ୍ତି । ଏହା ପଛରେ ଲୋକଙ୍କ ମନରେ ଶ୍ରଦ୍ଧା, କର୍ମ ଧର୍ମ ଭାବ ଜାଗ୍ରତ ହୋଇଥାଏ । ନିଃସ୍ୱାର୍ଥ ଭାବରେ ଯେଉଁ ସେବାକରନ୍ତି ତାହା ଭଗବାନଙ୍କ ସେବା ବୋଲି ଲୋକମାନେ ମନେ କରିଥାନ୍ତି । କାଉଡିଆମାନେ ଜଳପାତ୍ରକୁ ପ୍ରଣାମ କରିବା ଉଚିତ ।
ମୋ: ୯୪୩୭୧୪୨୭୧୭