ଶିମିଳିପାଳରେ ବୁଲୁଛି କଳା ମହାବଳ

ଶିମିଳିପାଳରେ ବୁଲୁଛି କଳା ମହାବଳ
 ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବଫର ଜୋନ୍‌ରେ କଳା ମହାବଳ ବାଘ ବୁଲୁଛି। ଯାହାର ଭିଡିଓ ସୋସିଆଲ ମିଡିିଆରେ ଭାଇରାଲ ହେବାରେ ଲାଗିଛି। ଏହି ମହାବଳ ବାଘକୁ ନେଇ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡ଼ିଥିବା ବେଳେ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇ ଜଣେ ବ୍ୟକ୍ତି ନିଖୋଜ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଘଟଣାର ତଦନ୍ତ ପାଇଁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର, ଦକ୍ଷିଣ ଓ ବାରିପଦା ଡିଭିଜନର କର୍ମଚାରୀମାନଙ୍କୁ ନେଇ ଏକ ଟିମ୍‌ ଗଠନ ହୋଇଥିବା ଦକ୍ଷିଣ ଡିଭିଜନର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡ଼ା କହିିଛନ୍ତି। ତେବେ ଭାଇରାଲ ହୋଇଥିବା ଭିଡିଓଟି ୧୫ ଦିନ ପୂର୍ବର ଏବଂ  ଜଣେ ବ୍ୟକ୍ତି ନିଖୋଜ ହେବା ଘଟଣା ଏକ ଅପପ୍ରଚାର ବୋଲି ସେ କହିଛନ୍ତି।
ତେବେ ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ବନ ବିଭାଗ ଆଶା ବାନ୍ଧିଥିବା ବେଳେ ଗଣନା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାବଳ ବାଘ ନିଜ ବାସସ୍ଥାନ ଚିହ୍ନଟ ପାଇଁ କୋର୍‌ କିମ୍ବା ବଫର ଅଞ୍ଚଳରେ ଚଳପ୍ରଚଳ କରିବା ଏବଂ ଗୃହପାଳିତ ପ୍ରାଣୀ ଶିକାର କରୁଥିବାରୁ ବାଘ ସଂଖ୍ୟା ବୃଦ୍ଧି ପାଇଥିବା ଅନୁମାନ କରାଯାଉଛି।ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଧୀନ ଚାକିଡ଼ି ଓ ତାଳବନ୍ଧ ରେଞ୍ଜ ଏବଂ ବାରିପଦା ବନଖଣ୍ଡ ବାଙ୍ଗିରିପୋଷି ରେଞ୍ଜ ଅଧୀନ ବ୍ରାହ୍ମଣଗାଁ ଅଞ୍ଚଳରେ ଏକ କଳା ମହାବଳ ବାଘ ବୁଲୁଥିବା ଲୋକେ ଦେଖି ଭିଡିଓ ଉତ୍ତୋଳନ କରିଛନ୍ତି। ବାଘଟି କିଛି ଦିନ ଧରି ଜଙ୍ଗଲରେ ବୁଲୁଥିବା ବେଳେ ଖାଦ୍ୟ ପାଇଁ ଗୃହପାଳିତ ପ୍ରାଣୀଙ୍କୁ ଶିକାର କରୁଥିବା ନେଇ ବନ ବିଭାଗ ନିକଟରେ ଅଭିଯୋଗ ହୋଇଛି। ବନ କର୍ମଚାରୀମାନେ ବାଘର ଚଳପ୍ରଚଳ ଉପରେ ନଜର ରଖିବା ସହ ଅଞ୍ଚଳବାସୀଙ୍କୁ ସତର୍କ କରାଇଛନ୍ତି। ଗୃହପାଳିତ ପ୍ରାଣୀଙ୍କ ଶିକାର ବାବଦରେ ବିଭାଗ ପକ୍ଷରୁ ସରକାରୀ ସହାୟତା ପ୍ରଦାନ କରାଯାଉଛି। ତେବେ ଶିମିଳିପାଳରେ ବାଘ ବଂଶ ବୃଦ୍ଧି ଘଟୁଥିବାରୁ  ପର୍ଯ୍ୟଟକମାନେ ବାଘକୁ ଦେଖି ଖୁସି ପ୍ରକଟ କରୁଛନ୍ତି। ମହାବଳ ବାଘକୁ ନେଇ ଶିମିଳିପାଳ ଗର୍ବ ଓ ଗୌରବ ବହନ କରୁଥିବା ବେଳେ ବାଘ ବଂଶ ବୃଦ୍ଧି ନିମନ୍ତେ ବିଭାଗର ନିରନ୍ତର ପ୍ରୟାସ ସଫଳ ହେବ ବୋଲି ପରିବେଶବିତମାନେ ମତପ୍ରକାଶ କରିଛନ୍ତି ।