ମାୟାବତୀଙ୍କୁ କ୍ଷମା ମାଗିଲେ ଭଣଜା ଆକାଶ : ‘ତୁମେ ମୋର ଆଦର୍ଶ, ରାଜନୀତି ଗୁରୁ’

 ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀଙ୍କ ଭଣଜା ଆକାଶ ଆନନ୍ଦ ତାଙ୍କ ଭୁଲ ପାଇଁ କ୍ଷମା ମାଗିଛନ୍ତି । ଆକାଶ ବିଏସପି ସୁପ୍ରିମୋ ମାୟାବତୀଙ୍କୁ କ୍ଷମା ମାଗିବା ସହ ପୁଣି ଥରେ ତାଙ୍କୁ ଦଳକୁ ଫେରାଇ ନେବା ପାଇଁ ନିବେଦନ କରିଛନ୍ତି । ଏହାସହ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି, ‘ତୁମେ ମୋର ରାଜନୈତିକ ଗୁରୁ ଏବଂ ଆଦର୍ଶ । ଆଉ ଏବେଠାରୁ ମୁଁ କେବଳ ତୁମର ନିଦେ୍ର୍ଦଶ ପାଳନ କରିବି’ । ସୂଚନା ଯେ, ମାୟାବତୀ ନିକଟରେ ଆକାଶ ଆନନ୍ଦଙ୍କ ଶଶୁର ଅଶୋକ ସିଦ୍ଧାର୍ଥଙ୍କୁ ଦଳରୁ ବହିଷ୍କାର କରିଥିଲେ । ଏହା ପରେ ସେ ତାଙ୍କ ଭଣଜାଙ୍କୁ ମଧ୍ୟ ପଦ ଏବଂ ଦଳରୁ ବହିଷ୍କାର କରିଥିଲେ । ସେ ପୋଷ୍ଟରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଦଳର ହିତ ପାଇଁ, ମୁଁ ମୋର ସମ୍ପର୍କୀୟମାନଙ୍କୁ, ବିଶେଷକରି ମୋର ଶଶୁର ଘର ଲୋକଙ୍କୁ କୌଣସି ପ୍ରକାରେ ପ୍ରତିବନ୍ଧକ ହେବାକୁ ଦେବି ନାହିଁ । କେବଳ ଏତିକି ନୁହେଁ, ମୁଁ କିଛି ଦିନ ପୂର୍ବେ କରିଥିବା ମୋର ଟ୍ୱିଟ୍ ପାଇଁ ମଧ୍ୟ କ୍ଷମା ପ୍ରାର୍ଥନା କରୁଛି । ଯେଉଁଥିପାଇଁ ମୋତେ ଦଳରୁ ବହିଷ୍କାର ହେବାକୁ ପଡ଼ିଥିଲା ।