ବଦଳିବ ବିଜେଡ଼ି ଢାଞ୍ଚା : ଲାଗୁଛି ଝଟକା ପରେ ଝଟକା

ଭୁବନେଶ୍ୱର : ବିଜେଡ଼ିର ଏବେ ସମୟ ଭଲ ଚାଲିନାହିଁ । ନିର୍ବାଚନ ପରଠାରୁ ଝଟକା ପରେ ଝଟକା ଲାଗିଚାଲିଛି । ଦଳ ପାୱାରରେ ଥିବାବେଳେ ନବୀନଙ୍କ ଛାଇ ଦେଖିଲେବି ବିଜେଡ଼ି ନେତାଙ୍କ ମନରେ ଛନକା ପଶିଯାଉଥିଲା । କିନ୍ତୁ ଏବେ ନବୀନଙ୍କ ନାଲି ଆଖିକୁ ବି ଖାତିର କରୁନାହାନ୍ତି । ଦଳର ପରିଚାଳନାକୁ ନେଇ ନେତା ଓ କର୍ମୀଙ୍କ ମନରେ ଅସନ୍ତୋଷ ପରିଲକ୍ଷିତ ହେଉଥିବାରୁ ବିଜେଡ଼ି ସାଂଗଠନିକ ଢାଞ୍ଚା ବଦଳାଇବାକୁ ଯୋଜନା କରୁଛି ।
ବିଜେଡ଼ି ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଆସନ୍ତା ଅପ୍ରେଲ ୧୯ରେ ବିଜେଡ଼ିର ସଭାପତି ନିର୍ବାଚନ ହେବ । ପୁଣିଥରେ ନବୀନ ପଟ୍ଟନାୟକ ବିଜେଡ଼ି ସଭାପତି ହେବା ନିଶ୍ଚିତ ହୋଇସାରିଛି । ଏହା ପରେ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯିବ । ତେବେ ଦଳରେ ନମ୍ବର-ଟୁ କିଏ ? ସେନେଇ ନବୀନ ଘୋଷଣା କରିବେ କି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ । ଯାହାକୁ ନେଇ ବିଜେଡ଼ି ଅଳିନ୍ଦ ଚଳଚଞ୍ଚଳ ହୋଇଯାଇଛି । ୨୦୨୦ ମାର୍ଚ୍ଚ ୫ରୁ ଦଳରେ ପ୍ରଣବ ପ୍ରକାଶ ଦାସଙ୍କୁ ନମ୍ବର-ଟୁ ବୋଲି ଗ୍ରହଣ କରାଯାଉଥିଲା । ପ୍ରଥମ ଥର ପାଇଁ ବିଜେପି ଢାଞ୍ଚାରେ ବିଜେଡ଼ି ସାଂଗଠନିକ ସମ୍ପାଦକ ପଦବୀ ସୃଷ୍ଟି କରିଥିଲା । ତେବେ ୨୦୨୩ ନଭେମ୍ବର ୨୭ରେ ଭିକେ ପାଣ୍ଡିଆନ୍ ବିଜେଡ଼ିରେ ଯୋଗ ଦେଇଥିଲେ । ତାଙ୍କୁ ପଦପଦବୀ ମିଳିନଥିଲେବି ସେ ଅଘୋଷିତ ଭାବେ ବିଜେଡ଼ିରେ ନମ୍ବର ଟୁ ବୋଲି ବିବେଚିତ ହେଉଥିଲେ । କିନ୍ତୁ ଦଳ ହାରିବା ପରେ ପାଣ୍ଡିଆନ୍ ଇସ୍ତଫା ଦେଇଥିଲେ । ତେଣୁ ପୁଣି ନବୀନ ନମ୍ବର-ଟୁ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । କାହାକୁ ଏହି ଦାୟିତ୍ୱ ମିଳିବ ସେନେଇ ସ୍ପଷ୍ଟ ହୋଇନଥିଲା ବେଳେ ଦଳରେ କିନ୍ତୁ ଏହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି ।
ଏସବୁ ଭିତରେ ଆଉ ଏକ ବଡ଼ କଥାଟି ହେଉଛି ଦଳ ରାଜନୈତିକ ବ୍ୟାପାର କମିଟି ଗଢ଼ିବ । ନବୀନଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଢ଼ାଯିବ । ବିଜେଡ଼ି ଗଠନ ବେଳେ ରାଜନୈତିକ ବ୍ୟାପାର କମିଟି ଥିଲା । ବିଜୟ ମହାପାତ୍ର ଏହି କମିଟିର ଅଧ୍ୟକ୍ଷ ଥିଲେ । କିନ୍ତୁ ରାଜନୈତିକ ବ୍ୟାପାର କମିଟି ବୈଠକ ବସିଥିବାବେଳେ ହିଁ ନବୀନ ତାଙ୍କର ଟିକେଟ୍ କାଟି ଦେଇଥିଲେ । ପରେପରେ ଆଉ ବିଜେଡ଼ିରେ ରାଜନୈତିକ ବ୍ୟାପାର କମିଟି ଗଢ଼ା ଯାଇନଥିଲା । ଏବେ କିନ୍ତୁ ଦଳରେ ଅସନ୍ତୋଷକୁ ପ୍ରତିହତ କରିବା ପାଇଁ ନବୀନ ପୁରୁଣା ଢାଞ୍ଚାରେ କମିଟି ଗଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ଦଳରେ ରାଜନୈତିକ ବ୍ୟାପାର କମିଟି ବହୁତ ପ୍ରଭାବଶାଳୀ । ଟିକେଟ ଆବଣ୍ଟନରୁ ନେଇ ଦଳୀୟ ରଣନୀତି ପର୍ଯ୍ୟନ୍ତ ପ୍ରାୟତଃ ଏହି କମିଟି ନିଷ୍ପତ୍ତି ନେଇଥାଏ । ନବୀନ ଏହି କମିଟିରେ କାହାକୁ ରଖିବେ ତାହା ଏବେ ଦଳରେ ଆଲୋଡ଼ନ ସୃଷ୍ଟିକରିଛି ।