ହିନ୍ଦୁ ପରମ୍ପରାରେ ମହାଳୟା

ଶରତ କୁମାର ଦାସ : ଦେବଭୂମି ଭାରତ ଏକ ମହାନ ସଂସ୍କୃତି ଓ ପରମ୍ପରାର ଦେଶ ।ଏହାର ବଳିଷ୍ଠ ସାଂସ୍କୃତିକ ଆଦର୍ଶ ସର୍ବ ବିିଦିତ ଓ ସର୍ବ ବନ୍ଦିତ । ହିନ୍ଦୁ ବୈଦିକ ସନାତନ ଧର୍ମର ଅନେକ ରୀତିନୀତି, ପ୍ରଥା, ପରମ୍ପରା ଓ ଚଳଣିକୁ ନେଇ ଭାରତର ଜନଜୀବନ ତଥା ସମାଜ ପରିଚାଳିତ । ବେଦ,ବେଦାନ୍ତ, ଉପନିଷଦ, ଅଷ୍ଟାଦଶ ପୁରାଣ ପ୍ରଭୃତିର ତତ୍ତ୍ୱକୁ ବହନକରି ଭାରତୀୟ ଜୀବନଚର୍ଯ୍ୟା ପରିଚାଳିତ ଓ ନିୟନ୍ତ୍ରିତ । ସୁତରାଂ ଭାରତର ବିଧିବ୍ୟବସ୍ଥା ଅତ୍ୟନ୍ତ ମାର୍ଜିତ ତଥା ରୁଚିପୂର୍ଣ୍ଣ । ଏଠାରେ ଜୀବନ ଶୃଙ୍ଖଳିତ ଓ ଉନ୍ନତ । ଅନେକ ଓଷା,ବ୍ରତ ଓ ପର୍ବପର୍ବାଣିର ବିଧାନ ରହିଛି ଏହି ପବିତ୍ର ମାଟିରେ,ଯାହାକି ମନୁଷ୍ୟର ଉଚ୍ଚÿ ନୈତିକତାକୁ ଏକ ଅନୁକୂଳ ସ୍ରୋତରେ ଆଗେଇ ନେଉଛି କହିଲେ ସତ୍ୟର ଅପାଳାପ ହେବନାହିଁ ।
ଭାରତ ମାଟିର ହିନ୍ଦୁ ଶାସ୍ତ୍ର ଅନୁସାରେ ପାଳିତ ହେଉଥିବା ମହାନ ଆଦର୍ଶଭିତ୍ତିକ ପର୍ବପର୍ବାଣି ମଧ୍ୟରେ ‘ମହାଳୟା’ ଅନ୍ୟତମ । ମହାଳୟା ଏକ ଧର୍ମଭିତ୍ତିକ ପର୍ବ ଓ ସାଂସ୍କୃତିକ ମୂଲ୍ୟବୋଧର ପ୍ରତୀକ । ଏହା ହିନ୍ଦୁମାନଙ୍କ ଦ୍ୱାରା ପୂର୍ବପୁରୁଷମାନଙ୍କ ପ୍ରତି ଥିବା କର୍ତ୍ତବ୍ୟବୋଧର ପରିଚାୟକ । ସରଳ ଅର୍ଥରେ କହିଲେ ପୂର୍ବଜମାନଙ୍କ ସନ୍ତୁଷ୍ଟି ନିମନ୍ତେ ଏହା ଏକ ପବିତ୍ର ଶ୍ରାଦ୍ଧ କର୍ମ । ଆଶ୍ୱିନ ମାସର ପ୍ରଥମ ପକ୍ଷକୁ ପିତୃପକ୍ଷ ବା ଅପରପକ୍ଷ କୁହାଯାଏ । ଏହି ପକ୍ଷ ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପକ୍ଷକୁ ବୁଝାଯାଏ । ପିତୃପକ୍ଷର ଅମାବାସ୍ୟା ଦିନକୁ ମହାଳୟା କୁହାଯାଏ ଓ ଏହି ଅମାବାସ୍ୟାକୁ ପିତୃ ଅମାବାସ୍ୟା,ଦେବ ଅମାବସ୍ୟା ବା ମହାଳୟା ଅମାବାସ୍ୟା କୁହାଯାଏ ।
କିମ୍ବଦନ୍ତୀ ଅନୁଯାୟୀ ମହାଦାନୀ କର୍ଣ୍ଣଙ୍କର ଦାତାପଣିଆରେ ସନ୍ତୁଷ୍ଟ ହୋଇ ଯମରାଜ ତାଙ୍କୁ ସୁନା ରୂପା ପ୍ରଭୃତି କିଛି ମୂଲ୍ୟବାନ ପଦାର୍ଥ ପୁରସ୍କାର ଦେଇଥିଲେ ମାତ୍ର ତାଙ୍କୁ କୌଣସି ଖାଦ୍ୟ ପଦାର୍ଥ ଦିଆଯାଇନଥିଲା । କାରଣ ଜୀବିତାବସ୍ଥାରେ କର୍ଣ୍ଣ କାହାକୁ ଅନ୍ନ ଦାନ କରି ନ ଥିଲେ । ସେ ଯମରାଜଙ୍କୁ ପ୍ରାର୍ଥନା କରି ଚଉଦ ଦିନ ପାଇଁ ମର୍ତ୍ତ୍ୟଲୋକକୁ ଆସିଥିଲେ ଓ ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ । ଯମପୁର ପ୍ରତ୍ୟାବର୍ତ୍ତନ ପରେ ତାଙ୍କୁ ଆଉ ଅନ୍ନରୁ ବଂଚିତ କରାଯାଇ ନଥିଲା । ମର୍ତ୍ତ୍ୟଲୋକରେ କର୍ଣ୍ଣ ରହିଥିବା ସେହି ଚଉଦିଗ ଦିନ ଥିଲା ‘ପିତୃପକ୍ଷ' ।
ହିନ୍ଦୁ ପରମ୍ପରା ଅନୁସାରେ ଏକ ଗଭୀର ବିଶ୍ୱାସ ଅଛି ଯେ ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ଦିନ ପିତୃପୁରୁଷଗଣ ପିତୃଲୋକ ତ୍ୟାଗ କରି ମର୍ତ୍ତ୍ୟ ଲୋକକୁ ଅବତରଣ କରନ୍ତି । ତାଙ୍କ ବଂଶର ଉତ୍ତରାଧିକାରୀ ପିତୃ-ପିତାମହମାନଙ୍କୁ ଶ୍ରାଦ୍ଧ ପ୍ରଦାନ କରି ପୂଜାର୍ଚ୍ଚନା କରିଥାନ୍ତି । ଶ୍ରଦ୍ଧାର ସହିତ ଯାହା ଦାନ କରାଯାଇ ସନ୍ତୁଷ୍ଟ କରାଯାଏ ତାହାକୁ ଶ୍ରାଦ୍ଧ କୁହାଯାଏ ।’ଶ୍ରଦ୍ଧୟା ଦଦତୀତି ଶ୍ରାଦ୍ଧମ’ । ପିତୃପକ୍ଷରେ ପିତୃପୁରୁଷମାନଙ୍କୁ ପିଣ୍ଡ ଦାନ ପୂର୍ବକ ସନ୍ତୁଷ୍ଟ କରିବା ପୁତ୍ରମାନଙ୍କର ପ୍ରଥମ ତଥା ପ୍ରଧାନ ଧର୍ମ କୁହାଯାଏ । ଏହି ପିତୃପକ୍ଷରେ ପୁତ୍ରମାନେ ପିତୃପୁରୁଷମାନଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ କରି ତର୍ପଣ କରିଥାନ୍ତି ,ଫଳରେ ବିଶ୍ୱାସ ଅଛି ଯେ ପୂର୍ବପୁରୁଷଗଣ ପୁତ୍ ନାମକ ନର୍କରୁ ମୁକ୍ତି ପାଇ ମୋକ୍ଷ ଲାଭକରିଥାନ୍ତି । ପିତୃପୁରୁଷମାନଙ୍କ ଉପଲକ୍ଷେ ଦାନ ଧର୍ମ ଆଦି ଉସôବ ପାଳନ କରାଯାଉଥିବାରୁ ଏହାକୁ ‘ପିତୃପର୍ବ’ ମଧ୍ୟ କୁହାଯାଏ ।
ଆମର ମହାନ ପରମ୍ପରା ଅନୁସାରେ ମହାଳୟା ଏକ ପବିତ୍ର ତିଥି । ପିତୃପକ୍ଷରେ ଯେକୌଣସି ଦିନ ଶ୍ରଦ୍ଧାର ସହିତ ପିଣ୍ଡ ଦାନ କଲେ ପିତୃପୁରୁଷଗଣ ସନ୍ତୁଷ୍ଟ ହୋଇଥାନ୍ତି । ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ତର୍ପଣ କରାଯାଏ । ଶେଷ ଦିନ ଅର୍ଥାତ ମହାଳୟା ଦିନ ଶ୍ରାଦ୍ଧ ଦାନ କରି ସମାପନ କରାଯାଏ । ବିଶେଷକରି ବ୍ରାହ୍ମଣମାନଙ୍କର ତର୍ପଣ କରିବାର ବିଧି ରହିଛି । ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ ମହାଳୟା ଶ୍ରାଦ୍ଧ ,ସାମ୍ବସôରିକ ଶ୍ରାଦ୍ଧ ବା ପାର୍ବଣ ଶ୍ରାଦ୍ଧ କୁହାଯାଏ । ଏହି ଶ୍ରାଦ୍ଧରେ ମାତୁଳ କୁଳକୁ ଗୁରୁତ୍ୱ ଦିଆଯାଉଥିବାରୁ ଏହାକୁ ମଉଳା ଶ୍ରାଦ୍ଧ ମଧ୍ୟ କୁହାଯାଏ । ପିତୃପୁରୁଷମାନଙ୍କୁ ସନ୍ତୁଷ୍ଟ କରି ସେମାନଙ୍କର ଆଶୀର୍ବାଦ ପାଇବାର ଏକ ଉପଯୁକ୍ତ ସମୟ ହେଉଛି ମହାଳୟା ।
ମହାଳୟା ଦିନ ବ୍ରାହ୍ମଣ ବା କୁଳ ପୁରୋହିତଙ୍କୁ ଗୃହକୁ ସସମ୍ମାନେ ନିମନ୍ତ୍ରଣ କରାଯାଇ ଶ୍ରାଦ୍ଧ କର୍ମ କରାଯାଏ । ଏ ଶ୍ରାଦ୍ଧରେ ପିତୃକୁଳର ତିନି ପୁରୁଷ ଓ ମାତୃକୁଳର ତିନି ପୁରୁଷଙ୍କୁ ଶ୍ରାଦ୍ଧ ପ୍ରଦାନ କରାଯାଏ । ଘରର ଜ୍ୟେଷ୍ଠ ପୁତ୍ର କର୍ତ୍ତା ରୂପେ କୁଳ ପୁରୋହିତଙ୍କ ନିଦେ୍ର୍ଦଶରେ ଶ୍ରାଦ୍ଧ କର୍ମ ସମ୍ପନ୍ନ କରିଥାନ୍ତି । ଅରୁଆ ଚାଉଳ,କ୍ଷୀର,ନଡିଆ,କଦଳୀ,ଘିଅ,ମହୁ,ଆଦି ଦ୍ୱାରା ପିଣ୍ଡ ଦାନ କରାଯାଏ । ଫୁଲ,ଚନ୍ଦନ, ଧୂପ,ଦୀପ ଇତ୍ୟାଦିରେ ଶ୍ରାଦ୍ଧ କର୍ମ ସମ୍ପାଦନ ହୁଏ । କେବଳ ବ୍ରାହ୍ମଣଙ୍କ ଘରେ ରନ୍ଧାପିଣ୍ଡ ପ୍ରଦାନ କରାଯାଏ । ଶ୍ରାଦ୍ଧ ଶେଷରେ ପରିବାରର ପ୍ରତ୍ୟେକ ସଦସ୍ୟ ପିତୃପୁରୁଷଙ୍କ ଉଦେ୍ଦଶ୍ୟରେ ପ୍ରଣାମ କରି ଆଶୀର୍ବାଦ ଭିକ୍ଷାକରିଥାନ୍ତି । ଆଚଣ୍ଡାଳ ବ୍ରାହ୍ମଣ ପର୍ଯ୍ୟନ୍ତ ପ୍ରତିଟି ହିନ୍ଦୁ ପରିବାରରେ ମହାଳୟା ଶ୍ରାଦ୍ଧ ପାଳନ କରାଯାଏ । ଶ୍ରାଦ୍ଧ କର୍ମ ସମାପ୍ତ ହେବା ପରେ କୁଳ ପୁରୋହିତଙ୍କୁ ଯଥାବିଧି ଖାଦ୍ୟପେୟ ଓ ଦକ୍ଷିଣା ପ୍ରଦାନ ପୂର୍ବକ ବିଦାୟ କରାଯାଏ । ଘର ପରିବାର ସେ ଦିନ ସାତ୍ତ୍ୱିକ ଆହାର ସେବନ କରିଥାନ୍ତି । କେହି କେହି ଦୁଃଖୀ,ରଙ୍କୀ,ସାଧୁ ସନ୍ଥ ତଥା ପଡୋଶୀମାନଙ୍କୁ ନିମନ୍ତ୍ରଣ କରି ଭୋଜିଭାତରେ ଆପ୍ୟାୟିତ କରିଥାନ୍ତି । ଏହା ଫଳରେ ପିତୃପୁରୁଷଗଣ ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଛି । କୌଣସି କାରଣରୁ ଯଥା ସମୟରେ ମହାଳୟା ଶ୍ରାଦ୍ଧ ହୋଇ ନପାରିଲେ ଏହାକୁ କାର୍ତ୍ତିକ ମାସ ଅମାବାସ୍ୟା ଦିନ ପୁନଶ୍ଚ କରାଯାଏ । ଏହି ଅମାବାସ୍ୟାକୁ ଦୀପାବଳି ଅମାବାସ୍ୟା ବା ପିପେଇ ଅମାବାସ୍ୟା କୁହାଯାଏ । ପିପେଇ ଅମାବାସ୍ୟା ବା ଦୀପାବଳି ଅମାବାସ୍ୟାରେ ଶ୍ରାଦ୍ଧ କର୍ମ ହୋଇ ନପାରିଲେ ତାହା ଆଉ ଗୋଟିଏ ବର୍ଷ ପାଇଁ ହୋଇପାରେ ନାହିଁ । ଏହାପରେ ପିତୃପୁରୁଷଗଣ ଆଉ ପିଣ୍ଡ ଗ୍ରହଣ କରନ୍ତି ନାହିଁ । କାରଣ ଦୀପାବଳି ଅମାବାସ୍ୟା ଦିନ ପିତୃପୁରୁଷଗଣ ମର୍ତ୍ତ୍ୟଲୋକରୁ ପିତୃଲୋକକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଦୀପାବଳି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଦେଢମାସ ପିତୃପୁରୁଷଗଣ ମର୍ତ୍ତ୍ୟଲୋକରେ ବିଚରଣ କରି ସେମାନଙ୍କ ଆତ୍ମୀୟସ୍ୱଜନ ତଥା ଉତ୍ତରପୁରୁଷମାନଙ୍କ ଠାରୁ ଶ୍ରଦ୍ଧାର ସହିତ ପିଣ୍ଡ ଗ୍ରହଣ କରିଥାନ୍ତି । ଦୀପାବଳି ଅମାବାସ୍ୟା ଦିନ ପିପେଇ ବା କାଉଁରିଆ କାଠି ଜାଳି ସେମାନଙ୍କ ବିଦାୟ ପଥକୁ ଆଲୋକିତ କରାଯାଏ । ସେଥିପାଇଁ ସାଧାରଣତଃ ପୁରପଲ୍ଲୀରେ ଆତ୍ମୀୟସ୍ୱଜନମାନେ ଘରର ଦ୍ୱାରଦେଶରେ ଏକାଠି ହୋଇ ଦୀପାବଳୀ ଅମାବାସ୍ୟାର ସଂଧ୍ୟାରେ ଶୁଦ୍ଧପୂତ ଚିତ୍ତରେ ବଡବଡିଆଙ୍କ ଉଦେ୍ଦଶ୍ୟରେ ଡାକିଥାନ୍ତି-
"ବଡବଡିଆ ହୋ ସରଗେ ଯା' ସରଗେ ଯା'
ଅନ୍ଧାରରେ ଆସି ଆଲୁଏ ଯା'.... ।"
ହିନ୍ଦୁ ଶାସ୍ତ୍ର ଅନୁଯାୟୀ ପିତୃପୁରୁଷଗଣଙ୍କୁ ବଡବଡିଆ ବୋଲି କହି ଶ୍ରଦ୍ଧା, ସମ୍ମାନ ତଥା ଭକ୍ତି ପ୍ରଦର୍ଶନ କରାଯାଇଥାଏ । ଅବଶ୍ୟ ଭିନ୍ନ ଭିନ୍ନ ସ୍ଥାନରେ ଏହାର ପ୍ରଚଳନ ଭିନ୍ନ ହୋଇପାରେ । ମାତ୍ର ଏହା ଯେ ଭାରତୀୟ ସଂସ୍କୃତିର ଏକ ମହାନ ବିଭବ ଏକଥା ନିଃସନେ୍ଦହରେ କୁହାଯାଇପାରେ ।
ମହାଳୟା ଶ୍ରାଦ୍ଧ ବା ପିଣ୍ଡ ଦାନ ନିଜର ବାସଭବନ ବ୍ୟତୀତ ଶ୍ରୀମନ୍ଦିରର ବାଇଶ ପାହାଚରେ ମଧ୍ୟ ପ୍ରଦାନ କରାଯାଏ ,ଯାହାକି ଅଧିକ ପୁଣ୍ୟଦାୟୀ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏତଦବ୍ୟତୀତ ଯାଜପୁରର ଦେବୀ ବିରଜାପୀଠ , ନରେନ୍ଦ୍ର ତଥା ଭୁବନେଶ୍ୱରର ବିନ୍ଦୁସାଗର ପ୍ରଭୃତି ତୀର୍ଥ ପୁଷ୍କରଣୀ ତଟରେ ପିଣ୍ଡ ଦାନ କରାଯାଏ । ବୁଦ୍ଧଗୟାରେ ଆଶ୍ୱିନ ପ୍ରତିପଦା ଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଦୀର୍ଘ ଏକପକ୍ଷ ଧରି ପ୍ରତିଦିନ ପିଣ୍ଡ ଦାନ କରାଯାଏ । ଗୟାରେ ପିଣ୍ଡ ଦାନ କଲେ ଅଧିକ ପୁଣ୍ୟ ମିଳିଥାଏ ବୋଲି ହିନ୍ଦୁମାନଙ୍କର ଏକ ଶାଶ୍ୱତ ଧାରଣା ରହିଛି । ହିନ୍ଦୁ ଶାସ୍ତ୍ର ଅନୁସାରେ ମହାଳୟାରେ ପୂର୍ବଜମାନଙ୍କ ପ୍ରତି ପିଣ୍ଡ ଦାନ ଏକ ମହତ କାର୍ଯ୍ୟ ଅଟେ । ଏହାଦ୍ୱାରା ଅଶେଷ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ପୂର୍ବପୁରୁଷମାନେ ସନ୍ତୁଷ୍ଟ ହୋଇପାରିଲେ ଉତ୍ତରପୁରୁଷମାନେ ଖୁସିରେ ରହିଥାନ୍ତି । ସର୍ବ ସୁଖଶାନ୍ତି ପ୍ରାପ୍ତ ହେବା ସହିତ ସମସ୍ତ ରିଷ୍ଟଖଣ୍ଡନ ହୋଇଥାଏ ।
ଏହି କାରଣରୁ ମହାଳୟା ଶ୍ରାଦ୍ଧ ହିନ୍ଦୁ ଆସ୍ଥା ଓ ବିଶ୍ୱାସରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହିନ୍ଦୁ ପରମ୍ପରା ଅନୁଯାୟୀ ଇହଲୋକ ଓ ପରଲୋକ ମଧ୍ୟରେ ଏହା ଏକ ସମ୍ପର୍କର ସେତୁ । ଜନ୍ମ ମୃତୁ୍ୟର ଚକ୍ରରେ ପେଷିହୋଇ ଶରୀରର ମୃତୁ୍ୟ ହେଲେ ବି ଆତ୍ମାର ମୃତୁ୍ୟ ହୁଏ ନାହିଁ । କାରଣ ଆତ୍ମା ହିଁ ଅମର । ଆତ୍ମାର ସନ୍ତୁଷ୍ଟିରେ ସକଳ କାର୍ଯ୍ୟରେ ସନ୍ତୁଷ୍ଟି । ହିନ୍ଦୁ ଦର୍ଶନରେ ଏହି ସତ୍ୟ ପ୍ରତିପାଦନ କରେ ମହାଳୟା ।
ମୋ-୮୨୪୯୧୩୭୦୯୧