କୋଭିଡ଼ ଯୋଦ୍ଧାଙ୍କ ବି ସ୍ମୃତ ବଳିଦାନ
ଭୟଙ୍କର କରୋନା ମହାମାରୀ ବେଳେ ପାଲଟିଥିଲେ ସୁରକ୍ଷା କବଚ । ସାମ୍ନାକୁ ଆସି ଲଢ଼ିଲେ, ଲୋକଙ୍କ ଜୀବନରକ୍ଷା କରିବାକୁ ଯାଇ ନିଜ ଜୀବନ ହାରିଲେ । ବିଡ଼ମ୍ବନା, ଏହି ସମ୍ମୁଖ ଯୋଦ୍ଧାମାନଙ୍କୁ ଭୁଲିଗଲେ ସରକାର । ତାଙ୍କ ପାଇଁ ସରକାରୀ ପ୍ରତିଶ୍ରୁତି ପାଲଟିଲା ପାଣିର ଗାର । ଚାରିଆଡ଼େ ଗୋଡ଼ାଉଥିଲା ମୃତୁ୍ୟର ଭୟ । ସ୍ଥିତି ଏମିତି ଥିଲା ଯେ ଘରେ କାହାର କାଶ, ଛିଙ୍କ ହେଲେ ନିଜ ଆତ୍ମୀୟମାନେ ଦୂରତା ରକ୍ଷା କରୁଥିଲେ । ଏମିତି ଏକ ସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଉଥିଲେ କୋଭିଡ଼ ଯୋଦ୍ଧା । ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ପୁଲିସ, ସାମ୍ବାଦିକମାନେ ପାଲଟିଥିଲେ ସୁରକ୍ଷା କବଚ । ସମର୍ପଣର ସହ କର୍ତ୍ତବ୍ୟ ପାଳନ କରି ମହାମାରୀର ସେଇ ତାଣ୍ଡବ ଭିତରେ ନିଜ ଜୀବନକୁ ବାଜି ଲଗାଇଲେ । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଥିଲେ କୋଭିଡ଼ ଯୋଦ୍ଧାମାନେ ।
ଜୀବନ ହରାଉଥିବା ଶତାଧିକ କୋଭିଡ଼ ଯୋଦ୍ଧାକୁ ସମ୍ମାନ ସହ ସେମାନଙ୍କ ଆତ୍ମୀୟଙ୍କୁ ଅନୁକମ୍ପାମୂଳକ ସହାୟତା ବି ଦିଆଯାଇଥିଲା । ୨୦୨୧ରେ ରାଜ୍ୟ ସରକାର ଘୋଷଣା କଲେ କୋଭିଡ଼ ଯୋଦ୍ଧାଙ୍କ ବଳିଦାନକୁ ସମ୍ମାନ ଦିଆଯିବ । ସେମାନଙ୍କ ସ୍ମୃତିରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପାର୍କରେ ସ୍ମାରକୀ ନିର୍ମାଣ ହେବ । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବ ଏ ନେଇ ଘୋଷଣା କରିଥିଲେ । ସରକାରଙ୍କ ପକ୍ଷରୁ କୁହାଯାଇଥିଲା, ସ୍ମୃତିସ୍ତମ୍ଭରେ ଜୀବନ ହରାଇଥିବା ସମସ୍ତ ସମ୍ମୁଖ ଯୋଦ୍ଧାମାନଙ୍କ ନାମ ରହିବ । ସେମାନଙ୍କ ବଳିଦାନକୁ ଓଡ଼ିଶା ମନେ ରଖିବ । ପିଢ଼ି ପରେ ପିଢ଼ି ଏହି ସ୍ମୃତିସ୍ତମ୍ଭ ଦେଖି କରୋନା ମହାମାରୀର ଭୟାବହତା କଥା ଜାଣିବେ । କରୋନା ଯୋଦ୍ଧାଙ୍କ ତ୍ୟାଗକୁ ମନେ ରଖିବେ । ୨୦୨୧ ସ୍ୱାଧୀନତା ଦିବସରେ ଏହାକୁ ଉଦଘାଟନ କରିବା ଯୋଜନା ଥିଲା । ଏହା ଦାୟିତ୍ୱ ପୂର୍ତ୍ତ ବିଭାଗକୁ ଦିଆଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏ ପ୍ରସ୍ତାବ କୁଆଡ଼େ ହଜିଗଲା । କରୋନା ସମୟରେ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଆମକୁ ରକ୍ଷା କଲେ, ସେମାନଙ୍କ କଥା ସମସ୍ତେ ଭୁଲିଗଲେ । ଇତିମଧ୍ୟରେ ବିଭାଗୀୟ ଅଧିକାରୀ ବଦଳିଯାଇଛନ୍ତି । ସରକାର ବି ବଦଳିଯାଇଛି । ନୂଆ ସରକାର ଏମିତି ଏକ ଘୋଷଣା ବାବଦରେ ଜାଣିନାହାନ୍ତି । ହେଲେ କୋଭିଡ଼ ଯୋଦ୍ଧାଙ୍କ ପରିବାରଙ୍କ ଆଶା, ଭରସା, ନୂଆ ସରକାରଙ୍କ ଉପରେ ରହିଛି । ନୂଆ ସରକାର କୋଭିଡ଼ ଯୋଦ୍ଧାଙ୍କ ବଳିଦାନକୁ ନିଶ୍ଚିନ୍ତ ସମ୍ମାନ ଦେବେ ବୋଲି ସେମାନଙ୍କ ଆଶା । କରୋନା ମହାମାରୀରେ ହଜାର ହଜାର ଜୀବନ ଯାଇଛି । ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ପ୍ରାୟ ୧୨୦୪ ଜୀବନ ନେଇଥିଲା କରୋନା । ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୬ ହଜାରରୁ ଅଧିକ ଥିଲା । ୩ କୋଟି ୩୯ ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହୋଇଥିଲା । ସ୍ୱାସ୍ଥ୍ୟ ବିଭାଗର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଜୀବନକୁ ବାଜି ଲଗାଇଥିଲେ । ଅଧିକାରୀମାନେ ବି ରାତି ଦିନ ଏକ କରି ଲାଗିଥିଲେ କାମରେ । କରୋନା ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ଲକଡାଉନ, ସଟଡାଉନ ଆଦି କଟକଣାକୁ ସଫଳତାର ସହ କାର୍ଯ୍ୟକରିଥିଲେ ପୁଲିସ କର୍ମଚାରୀ । ସାମ୍ବାଦିକମାନେ ବି ଲୋକଙ୍କୁ ସଚେତନ କରିବାକୁ ଯାଇ ନିଜକୁ ବିପଦ ଭିତରକୁ ନେଇଯାଇଥିଲେ । ଏହି ଯୋଦ୍ଧାମାନଙ୍କ ବଳିଦାନକୁ କେବେ ସମ୍ମାନ ମିଳିବ?