ବିଶ୍ୱ ଖୁସି ତାଲିକା
ଆନ୍ତର୍ଜାତୀୟ ଖୁସି ଦିବସରେ ଜାତିସଂଘ ପକ୍ଷରୁ ପ୍ରକାଶିତ ବିଶ୍ୱ ଖୁସି ତାଲିକାରେ ଭାରତ ୧୧୮ତମ ରହିଛି । ୧୪୭ ଦେଶକୁ ନେଇ କରାଯାଇଥିବା ସର୍ଭେ ରିପୋର୍ଟରେ ଫିନଲାଣ୍ଡ କ୍ରମାଗତ ଭାବେ ପ୍ରଥମ ସ୍ଥାନ ଅକ୍ତିଆର କରି ବିଶ୍ୱରେ ସବୁଠାରୁ ଖୁସି ରାଷ୍ଟ୍ରର ମାନ୍ୟତା ବଜାୟ ରଖିଥିବାବେଳେ ଭାରତର ପଡୋଶୀ ଆଫଗାନିସ୍ଥାନ ସବୁଠୁ ଅଖୁସି, ରାଷ୍ଟ୍ର ବିବେଚିତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ସାମାଜିକ, ସମର୍ଥନ, ସ୍ୱାସ୍ଥ୍ୟ, ସ୍ୱାଧୀନତା, ଉଦାରତା, ଦୁର୍ନୀତି ଏବଂ ମୁଣ୍ଡପିଛା ମୋଟ ଘରୋଇ ଉତ୍ପାଦ ଆଦି ମାନଦଣ୍ଡ ଭିତିରେ ବିଶ୍ୱ ଖୁସି ତାଲିକା ପ୍ରସ୍ତୁତ ହୋଇଛି । ଏହି ମାନଦଣ୍ଡଗୁଡିକ ଆଧାରରେ ୧ରୁ ୧୦ନମ୍ବର ପର୍ଯ୍ୟନ୍ତ ସ୍କେଲରେ ଫିନଲାଣ୍ଡ ୭.୭୪ ନମ୍ବର ପାଇ ପ୍ରଥମ ସ୍ଥାନ ଅଧିକାର କରିଛି । ଫିନଲାଣ୍ଡ ପଛକୁ ଡେନମାର୍କ ଦ୍ୱିତୀୟ ସ୍ଥାନ ଏବଂ ଆଇସ୍ଲ୍ୟାଣ୍ଡ ତୃତୀୟ ସ୍ଥାନ ପାଇଥିବାବେଳେ କ୍ରମାନ୍ୱୟରେ ସ୍ୱିଡେନ, ନେଦରଲାଣ୍ଡସ, କୋଷ୍ଟାରିକା, ନରୱେ, ଇସ୍ରାଏଲ, ଲକଜେମବର୍ଗ ଏବଂ ମେକ୍ସିକୋ ପ୍ରଥମ ୧୦ଟି ସ୍ଥାନରେ ରହିଛନ୍ତି । ସେହିପରି ଯୁକ୍ତରାଷ୍ଟ୍ର ଆମେରିକା ଖୁସି ତାଲିକାର ୨୪ତମ ସ୍ଥାନରେ ରହିଥିବାବେଳେ ବ୍ରିଟେନ ୨୩, ଚୀନ ୬୮, ନେପାଳ ୯୨, ପାକିସ୍ଥାନ ୧୦୯, ଶ୍ରୀଲଙ୍କା ୧୩୩ ଓ ବଙ୍ଗଳାଦେଶ ୧୩୪ତମ ସ୍ଥାନରେ ରହିଛି । ଆଫଗାନିସ୍ଥାନ ୧୪୭ତମ ସ୍ଥାନରେ ରହିଛି ସବୁଠୁ ଅଖୁସି ରାଷ୍ଟ୍ର ହୋଇଥିବାବେଳେ ସିଏରାଲିଏନ ଓ ଲେବାନନ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସର୍ବାଧିକ ଅଖୁସି ର୍ୟାଙ୍କିଙ୍ଗରେ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଫିନଲାଣ୍ଡବାସୀ ଧନୀ ଓ ସ୍ୱାସ୍ଥ୍ୟବାନ ହୋଇଥିବାବେଳେ ସେମାନଙ୍କର ସାମାଜିକ ଚଳଣି ଅନ୍ୟମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ବୋଲି ତାଲିକାରେ ପ୍ରସ୍ତୁତକର୍ତ୍ତା ତଥା ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟର ଅର୍ଥଶାସ୍ତ୍ର ପ୍ରଫେସର ଜାନ-ଇମାନୁଏଲ ଡି’ ନେଭେ କହିଛନ୍ତି । ସେହିପରି ସର୍ବାଧିକ ଅଖୁସି ଭାବେ ପରିଗଣିତ ରାଷ୍ଟ୍ରଗୁଡିକରେ ଲେକାମାନେ ସଂଘର୍ଷ, ଦାରିଦ୍ର୍ୟ ଏବଂ ସାମାଜିକ ଅସ୍ଥିରତା ଭଳି ଅନେକ ସମସ୍ୟା ଦେଇ ଗତି କରୁଥିବାରୁ ସେମାନଙ୍କ ଜୀବନ ଅଖୁସି ହୋଇପଡିଥିବା କୁହାଯାଏ । କିନ୍ତୁ ବିଡମ୍ବନାର ବିଷୟ ଭାରତ ୨୦୨୪ରେ ତାଲିକାର ୧୨୬ତମ ସ୍ଥାନରେ ରହିଥିବାବେଳେ ଚଳିତ ବର୍ଷ ୮ଟି ସ୍ଥାନ ଉପରକୁ ଉଠିଛି । ଏଥିସହ ସୁସ୍ଥ ଜୀବନ ପାଇଁ ମାଗଣା ଚିକିସôା ବ୍ୟବସ୍ଥା ଏବଂ ବୀମା ଯୋଜନା ଲାଗୁକରିଛନ୍ତି । ଦେଶର ୮୦ପ୍ରତିଶତ ଗରିବ, ଅସହାୟ ପରିବାରକୁ ମାସିକ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଇଛନ୍ତି ଏଥିସହ ଭାରତ ଏବେ ବିଶ୍ୱର ତୃତୀୟ ବୃହତମ ଅର୍ଥନୈତିକ ଶକ୍ତି ହେବାକୁ ଯାଉଥିବା ନେଇ ସରକାର ଦାବି କରିଆସୁଛନ୍ତି । ସବକା ସାଥ୍-ସବକା ବିକାଶ ସରକାରଙ୍କ ନାରା ହୋଇଥିବାବେଳେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଦେଶର ଜନସାଧାରଣ ଖୁସି ହୋଇ ନପାରିବା କାରଣ କ’ଣ ବୁଝାପଡୁନାହିଁ । ଏହା ନିସନେ୍ଦହ ଯେ, ଦାରିଦ୍ର୍ୟ, ବେକାରୀ, ବେରୋଜଗାରୀ, ବାୟୁ, ଜଳ ପ୍ରଦୁଷଣ, ସାମାଜିକ ବିଦ୍ୱେଷ, ଦୁର୍ନୀତି, ଉଦାରତା ପରିବର୍ତେ ଘୃଣା ମନୋଭାବ, ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ, ସାମ୍ପ୍ରଦାୟିକ, ମନୋଭାବ, ଦରଦାମ ବୃଦ୍ଧି, ଦୁର୍ନୀତି, ଭ୍ରଷ୍ଟାଚାର, ମହିଳା ନିର୍ଯାତନା, ମହିଳା ଅସୁରକ୍ଷିତ ଆଦି ବଢିବାରେ ଲାଗିଛି । ସେହିପରି ମୁଣ୍ଡପିଛା ଆୟ ବୃଦ୍ଧି ନେଇ ସରକାର ଦାବି କରୁଥିବାବେଳେ ବାସ୍ତବରେ ତାହା ପରିଲକ୍ଷିତ ହେଉନାହିଁ । ଯେଉଁଥିପାଇଁ କି ଦେଶରେ ଜନସାଧାରଣ ଖୁସି ଅନୁଭବ କରି ପାରୁନଥିବା କହିଲେ ହୁଏତ ଅତିରଂଜିତ ହେବ ନାହିଁ ।
ସୌଭାଗ୍ୟ ରଂଜନ ମହାନ୍ତି,ମୋ:୭୯୭୮୬୬୬୪୦୩