ଜଟିଳ ସ୍ୱତ୍ତ୍ୱାଧିକାର ପ୍ରସଙ୍ଗ

ଖାଲିବା ଏବଂ ନିରାପଦ ଆର୍ଥିକ ବ୍ୟବସ୍ଥାର ଡାକ ଘର ମଧ୍ୟ ଏକ ଅନ୍ୟତମ ଭୂମିକାରେ ଥାଏ । ଯାହାପାଇଁ ଡାକଘରେ ଅନେକ ଲୋକ ପ୍ରାୟତଃ ସଞ୍ଚୟ ଖାତା ବା ପାସବୁକ ଖୋଲି ସେମାନଙ୍କର ଆର୍ଥିକ ଦେଣନେଣ କରିଥାନ୍ତି । ସଞ୍ଚୟ ବ୍ୟାଙ୍କ ଜମାଖାତାଧାରୀଙ୍କ ଅବର୍ତ୍ତମାନରେ ତାଙ୍କ ଉତ୍ତରାଧିକାରୀଙ୍କୁ ଜମା ବାବଦ ପ୍ରାପ୍ୟ ମିଳିବାର ଯେଉଁ ନିୟମ ରହି ଆସିଛି, ତାହା କ୍ରମଶଃ ଜଟିଳ ହେଉଥିବା ଭୁକ୍ତଭୋଗୀମାନେ ଅଭିଯୋଗ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ନିକଟରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ପ୍ରଦତ୍ତ ଏକ ରାୟକୁ ନେଇ ବିତର୍କ ସୃଷ୍ଟି ହୋଇଛି । ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ-୧୯୪୯ ଅନୁଯାୟୀ ବ୍ୟାଙ୍କ ଜମା ଖାତାଧାରୀଙ୍କ ମୃତୁ୍ୟ ପରେ ଆକାଉଣ୍ଟରେ ବା ଖାତାରେ ଥିବା ଜମାରାଶି ହକଦାର କିଏ ହେବ ତାହା ଉଲ୍ଲେଖ କରାଯାଇଛି । ଏହି ନିୟମ ଅନୁଯାୟୀ ଜମାକାରୀ ବା ଆକାଉଣ୍ଟ ହୋଲଡ଼ର ତାଙ୍କ ଖାତାରେ ଉତ୍ତରାଧିକାରୀ ବା ନୋମିନି ଭାବେ ଯାହାଙ୍କ ନାମ ଉଲ୍ଲେଖ ଥାଏ ତେବେ କେଉଁ ନୋମିନି ମୋଟ ଜମା ଅର୍ଥରାଶିରୁ କେତେ ଭାଗ ପାଇବାକୁ ହକଦାର ତାହା ମଧ୍ୟ ନୋମିନି ଫର୍ମ ବା ଘୋଷଣାନାମାରେ ଉଲ୍ଲେଖ ଥାଏ । ଯଦି ଜମାକାରୀଙ୍କ ଏକାଧିକ ଉତ୍ତରାଧିକାରୀ ବା ଦାୟାଦ ଥାନ୍ତି କିନ୍ତୁ ମାତ୍ର ଜଣଙ୍କର ନାମ ନୋମିନି ଭାବରେ ଉଲ୍ଲେଖ ଥାଏ, ତେବେ ତାକୁ ହିଁ ସେ ବାବଦ ପ୍ରାପ୍ୟ ଦେବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ବାଧ୍ୟ । ଏହାପରେ ସମ୍ପୃକ୍ତ ନୋମିନି ସେହି ଅର୍ଥରାଶିକୁ ଅନ୍ୟ ଦାୟାଦ ମାନଙ୍କୁ କେତେ ଦେବେ କିମ୍ବା ନ ଦେବେ ତାହା ତାଙ୍କ ବିବେକ ଉପରେ ନିର୍ଭର କରେ କିମ୍ବା କୋର୍ଟକଚେରୀ ନିଷ୍ପତ୍ତି ନିଏ । କିନ୍ତୁ ଦାୟାଦଙ୍କ ଭାଗବଣ୍ଟା ବିବାଦ ଆଳରେ ବ୍ୟାଙ୍କ କର୍ତ୍ତୃପକ୍ଷ ଉକ୍ତ ଅର୍ଥରାଶିକୁ ଅଟକାଇ ରଖିପାରିବେ ନାହିଁ । 
ନିକଟରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ଅନୁସାରେ ଖାତାରେ ଯାହାଙ୍କ ନାମ ନୋମିନି ଭାବେ ଉଲ୍ଲେଖ ଥାଉ ନା କାହିଁକି ଉକ୍ତ ରାଶି ନୋମିନଙ୍କ ଦସ୍ତଖତରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଠାରୁ ଗୃହୀତ ହେବେ ଏବଂ ଏକାଧିକ ଉତ୍ତରାଧିକାରୀ ବା ଦାୟାଦଙ୍କ ମଧ୍ୟରେ ବଣ୍ଟନ ହେବ । କେବଳ ନୋମିନି ସେହି ସମ୍ପୂର୍ଣ୍ଣ ରାଶିର ଏକ ଚାଟିଆ ମାଲିକାନା ଜାହିର କରିପାରିବେ ନାହିଁ । ଏହି ରାୟ ଦେବା ବେଳେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ସର୍ବୋଚ୍ଚ ନ୍ୟାୟାଳଙ୍କ ଏକ ରାୟକୁ ଆଧାର ଭାବେ ଗ୍ରହଣ କରିଛନ୍ତି ଏବଂ କୌଣସି ପରିସ୍ଥିତିରେ ଉତ୍ତରାଧିକାରୀ ଆଇନକୁ ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ ଅଧିକ୍ରମଣ କରିପାରିବ ନାହିଁ ବୋଲି କହିଛନ୍ତି ।
ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ପୂର୍ବରୁ ମାମଲାର ବିବରଣୀ ବିଷୟରେ କିଞ୍ଚôତ ଆଲୋକପାତ କରିବା ଉଚିତ ହେବ । ମନୋଜ କୁମାର ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ମାଆଙ୍କ ନାମରେ ବ୍ୟାଙ୍କ ଅଫ ବରୋଦା ଶାଖାରେ ଏକ ମିଆଦୀ ଜମା ଫିକ୍ସଡ ଡିପୋଜିଟ ରହିଛି, ଯେଉଁଥିରେ ନୋମିନି ରହିଛନ୍ତି ମନୋଜ । ୨୦୨୦ ଫେବୃଆରୀ ୮ରେ ତାଙ୍କ ମାଆଙ୍କର ମୃତୁ୍ୟ ପରେ ମିଆଦୀ ଜମା ବାବଦ ଅର୍ଥରାଶି ପାଇବା ପାଇଁ ମନୋଜ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଆବେଦନ କରିଥିଲେ । କିନ୍ତୁ ତାଙ୍କ ଭାଇ ବା ଜମାକାରୀଙ୍କ ଅନ୍ୟ ଦାୟାଦମାନେ ସେହି ଅର୍ଥରୁ ଭାଗ ଦାବି କରି ଅଦାଲତର ଦ୍ୱାରସ୍ତ ହୋଇଥିଲେ । ବାଦୀ-ପ୍ରତିବାଦୀମାନଙ୍କ ଓକିଲ ସେମାନଙ୍କ ମହକିଲଙ୍କ ସପକ୍ଷରେ ସ୍ୱାଭାବିକ ଭାବରେ ଯୁକ୍ତି ଉପସ୍ଥାପନ କରିବା ପରେ ମାମଲା ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ ପହଞ୍ଚôଥିଲା । ମାମଲାର ଶୁଣାଣି କରି ବିଚାରପତି ଶେଖର ବି ସରାଫ ଓ ବିଚାରପତି ବିପିନ ଚନ୍ଦ୍ର ଦୀକ୍ଷିତଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ତାଙ୍କ ରାୟରେ ନୋମିନଙ୍କ ସମେତ ଅନ୍ୟ ଉତ୍ତରାଧିକାରୀମାନେ ମଧ୍ୟ ଜମା ବାବଦ ଅର୍ଥ ପାଇବା ପାଇଁ ହକଦାର ବୋଲି ସ୍ପଷ୍ଟ କରିଛନ୍ତି ଏବଂ ଉକ୍ତ ଅର୍ଥରାଶିକୁ ଏକ ଟ୍ରଷ୍ଟରେ ଜମା କରିବାକୁ ବ୍ୟାଙ୍କ ଶାଖା କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟଙ୍କ ଉପରୋକ୍ତ ରାୟ ପରେ ବନ୍ଦ ପଡ଼ିଥିବା ଖାତାର ପ୍ରାପ୍ୟ ଅଧିକାର ପ୍ରକ୍ରିୟା ଆହୁରି ଆଇନଗତ ଜଟିଳତା ଭିତରକୁ ଚାଲିଯାଇଛି । ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ ୧୯୪୯ ଅନୁଯାୟୀ ନୋମିନିଙ୍କୁ ଅଚଳ ଖାତାର ପ୍ରାପ୍ୟର ହକଦାର କରାଯାଇଥିଲେ ମଧ୍ୟ ଏ ପ୍ରକ୍ରିୟା ଏତେ ଜଟିଳ ଯେ ସାଧାରଣ ଲୋକଟିଏ ପ୍ରାପ୍ୟ ପାଇଁ ନୟାନ୍ତ ହେବାକୁ ପଡ଼ୁଛି । ଏ ସମ୍ପର୍କିତ ବିଭିନ୍ନ ବ୍ୟାଙ୍କ ନୀତି, ନିୟମ ଓ ସର୍ତ୍ତ ମଧ୍ୟ ଭିନ୍ନ ଭିନ୍ନ । ନୋମିନଙ୍କ ନାମ ଓ ପରିଚୟ ବ୍ୟାଙ୍କ ଖାତାରେ ସ୍ପଷ୍ଟ ଉଲ୍ଲେଖ ଥିଲେ ମଧ୍ୟ ଖାତାଧାରୀଙ୍କ ଅବର୍ତ୍ତମାନରେ ସେହି ପ୍ରାପ୍ୟ ପାଇବାକୁ ହେଲେ ବ୍ୟାଙ୍କ ଶାଖା କର୍ତ୍ତୃପକ୍ଷଙ୍କ ଆଗରେ ଆହୁରି ଅନେକ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରିବାକୁ ପଡ଼ୁଛି । ନାମ ଓ ପରିଚୟର ସର୍ବସ୍ୱୀକୃତ ଓ ସର୍ବଗ୍ରାହ୍ୟ ପ୍ରମାଣପତ୍ର ଭାବେପ ଆଧାର ପରିଚୟ ପତ୍ରକୁ ସରକାର ସ୍ୱୀକୃତି ଦେଇଛନ୍ତି । ନୋମିନଙ୍କ ନାମ ଖାତାରେ ଉଲ୍ଲେଖ କରିବା ସମୟରେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ତାହାକୁ ହିଁ ନିର୍ବିକାରରେ ଗ୍ରହଣ କରୁଛନ୍ତି । କିନ୍ତୁ ଖାତାଧାରୀଙ୍କ ଅବର୍ତ୍ତମାନରେ ଖାତାରେ ଥିବା ରାଶି ପାଇବା ବେଳକୁ ଆଧାର ପରିଚୟ ପତ୍ର ତାର ମୌଳିକ ଶକ୍ତି ହରାଉଛି । ତେଣୁ ଆଧାର ପରିଚୟ ପତ୍ର ସହିତ ବିଚରା ନୋମିନଙ୍କୁ ଆହୁରି ଏଭଳି ଏକାଧିକ ଚିହ୍ନଟକାରୀ ଓ ସାକ୍ଷ୍ୟ ଯୋଗାଡ଼ କରିବାକୁ ପଡ଼ୁଛି, ଯେଉଁମାନଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀ ସରକାରୀ ଚାକିରିଆ, ଅର୍ଦ୍ଧ-ନ୍ୟାୟିକ କିମ୍ବା ନ୍ୟାୟିକ ଅଧିକାରୀ, ନିର୍ବାଚିତ ଜନପ୍ରତିନିଧି ମାନେ ଆସୁଛନ୍ତି । କେତେକ କ୍ଷେତ୍ରରେ ସାକ୍ଷ୍ୟ, ପ୍ରମାଣ ଓ ମୁଚାଲିକା ଭାବରେ ଟିକସ ପୈଠ ବିବରଣୀ ସହିତ ଦାଖଲ କରିବାକୁ ପଡ଼ୁଛି । ଯେଉଁଠାରେ ନୋମିନଙ୍କ ନାମ ଉଲ୍ଲେଖ ନଥାଏ ସେଠାରେ ଲିଗାଲ ହେୟାର ସାର୍ଟିଫିକେଟ ଆଧାରରେ ସମସ୍ତଙ୍କ ମଧ୍ୟରେ ସମାନ ଭାବରେ ସମ୍ପତ୍ତି ବା ଜମା ପରିମାଣ ରାଶି ବାଣ୍ଟି ଦେବାର ନିୟମ ରହିଛି । ଏହି ନିୟମର କାର୍ଯ୍ୟକାରିତା ମଧ୍ୟ ଏତେ ଜଟିଳ ଯେ ଏଥିପାଇଁ ଦାବିଦାରଙ୍କୁ ସତ୍ୟପାଠ, ସ୍ୱତ୍ତ୍ୱ ପ୍ରତ୍ୟାଖ୍ୟାନ ପ୍ରମାଣ ପତ୍ର ଓ କ୍ଷତିବିମୁକ୍ତି ପ୍ରମାଣ ପତ୍ର ସହିତ ଆବେଦନ କରିବାକୁ ପଡ଼ୁଛି ।
ଏଭଳି ପରିସ୍ଥିତିରେ ମଫସଲରେ ରହୁଥିବା ଅପାଠୁଆ ଓ ଅର୍ଦ୍ଧପାଠୁଆ ହିତାଧିକାରୀଙ୍କ ଦୁରବସ୍ଥା ନ କହିବା ଭଲ । ଯଦି ଖାତାଧାରୀଙ୍କ ଆକାଉଣ୍ଟରେ କମ ଅର୍ଥ ରହିଥିବ ତେବେ ଦାବି ପାଇଁ ଦୌଡ଼ି ନୟାନ୍ତ ହେବା ବଦଳରେ ବରଂ ଛାଡ଼ି ଦେବାକୁ ଅନେକେ ଉଚିତ ମଣୁଛନ୍ତି । ଯେଉଁଠି ନିୟମ ଆହୁରି ସରଳ ହେବା କଥା ସେଠାରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟଙ୍କ ରାୟ ବ୍ୟବସ୍ଥାକୁ ଆହୁରି ଜଟିଳ କରିଦେଇଥିବା ପରି ମନେ ହେଉଛି । ସମ୍ପତ୍ତିର ଭାଗବଣ୍ଟାକୁ ନେଇ ଦାୟାଦଙ୍କ ମଧ୍ୟରେ ବିବାଦ ଓ ସଂଘର୍ଷର ଉଦାହରଣ ଅନେକ । ସେହି ଦୃଷ୍ଟିରୁ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟଙ୍କ ରାୟ ସ୍ୱାଗତଯୋଗ୍ୟ । କିନ୍ତୁ ଏହି ରାୟ ସମାଜର ସବୁସ୍ତର ପାଇଁ କାର୍ଯ୍ୟକାରୀ ହେଉଥିବାରୁ ବିଚରା ଅମାୟିକ ଲୋକମାନେ ବ୍ୟବସ୍ଥାର ଜଟିଳତା ଭିତରେ ପେଷି ହୋଇଯାଉଛନ୍ତି । ଏବେ ସମୟ ଆସିଛି ବ୍ୟବସ୍ଥା କିପରି ସମାବେଶୀ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାର । ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ସାର୍ବଜନୀନ ସରଳ ନୀତି ନିର୍ଦ୍ଧାରଣ କରିବା ଆବଶ୍ୟକ । 
ଯୁଧିଷ୍ଠିର ମହାରଣା