ପ୍ରାଚୀନ କଥା-ସାହିତ୍ୟ "ପଞ୍ଚତନ୍ତ୍ର'

ବାଇବେଲ୍ ପରେ ନୀତିକଥା ସମ୍ବଳିତ ପ୍ରାଚୀନ ଭାରତୀୟ କଥା-ସାହିତ୍ୟ "ପଞ୍ଚତନ୍ତ୍ର' ସର୍ବାଧିକ ଲୋକପ୍ରିୟ  । ସମସ୍ତ ଭାରତୀୟ ଭାଷାରେ ତଥା ଇଂଲିଶ୍ ସମେତ ବିଶ୍ୱର ପ୍ରାୟ ୫୦ଟି ଭାଷାରେ ଏହା ଅନୁଦିତ ହୋଇଥିବା ଜଣାଯାଏ  । ଅଦ୍ୟାବଧି ଏହାର ୭ଶହରୁ ଊଦ୍ଧ୍ୱର୍ ସଂସ୍କରଣ ପ୍ରକାଶିତ  । ଏଥିରୁ ଏହାର ଲୋକପ୍ରିୟତା ସହଜରେ ଅନୁମାନ କରାଯାଇପାରେ  । ମୂଳ ପଞ୍ଚତନ୍ତ୍ର ସଂସ୍କୃତ ଭାଷାରେ ଲେଖାଯାଇଥିଲା  । ତେବେ କେଉଁ ପ୍ରାଚୀନ କାଳରୁ ଏହା ଉପଲବ୍ଧ ନୁହେଁ  । ଏହାକୁ କିଏ ରଚନା କରିଥିଲେ ଏହାକୁ ନେଇ ମଧ୍ୟ କିଛି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ  । ଜନୈକ ପଣ୍ଡିତ ବିଷ୍ଣୁ ଶର୍ମା ଏହାର ରଚୟିତା ବୋଲି ଗ୍ରହଣ କରାଯାଏ  । ତେବେ ସେ କେଉଁଠିକାର ବାସିନ୍ଦା ଥିଲେ ଏହାକୁ ନେଇ ମଧ୍ୟ ସନେ୍ଦହ ରହିଛି  । ତାଙ୍କୁ କାଶ୍ମିରୀ ପୁଣି କନ୍ନଡ଼ ପୁଣି ଗୁଜୁରାଟୀ ପୁଣି ଓଡ଼ିଆ ବୋଲି ମଧ୍ୟ ଦାବି କରାଯାଏ  । ମାଠର ବଂଶୀୟ ରାଜା ଅନନ୍ତଶକ୍ତି ବର୍ମାଙ୍କ ରାଜସଭାରେ ସେ ପଣ୍ଡିତ ଥିଲେ ବୋଲି କେହି କେହି ବିଶ୍ୱାସ କରିଛନ୍ତି  । ରାଜାଙ୍କ କୁପଥଗାମୀ ଦୁଷ୍ଟ ଦୁର୍ଦ୍ଦାନ୍ତ ଅଯୋଗ୍ୟ ରାଜପୁତ୍ରମାନଙ୍କୁ ନୀତିକଥା ମାଧ୍ୟମରେ ମାତ୍ର ମାସ ଛ'ଟାରେ ସେ ଶାନ୍ତ-ସୁଶୀଳ-ସପଥଗାମୀ-ସର୍ବଶାସ୍ତ୍ରଜ୍ଞ ଏବଂ ସୁଯୋଗ୍ୟ କରିପାରିଥିଲେ  । ତାଙ୍କର ସେହି ନୀତିକଥାମାନ ହିଁ ପଞ୍ଚତନ୍ତ୍ରରେ ସନ୍ନିବେଶିତ  । ପଞ୍ଚତନ୍ତ୍ରର ମୂଳ ସଂସ୍କୃତ ୪୭୬-୫୦୦ ଖ୍ରୀଷ୍ଟାବ୍ଦ ଭିତରେ ରଚନା କରାଯାଇଥିଲା  । ୫୩୧-୫୭୯ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହା ପ୍ରଥମେ ପହ୍ଲବୀ ଭାଷାରେ ଅନୁଦିତ ହୋଇଥିଲା, ଯାହାର ନାମ ରଖାଯାଇଥିଲା - "କରଟକଦମନକ କଥା'  । ଜୈନ ସାଧୁ ପୂର୍ଣ୍ଣଭଦ୍ର ଏବଂ ମେଘବିଜୟ ଏଥିରେ କିଛି କିଛି ପରିବର୍ତ୍ତନ ଆଣିଥିଲେ  । ଏହା ମଧ୍ୟ ଉପଲବ୍ଧ ନୁହେଁ କେଉଁ ଯୁଗରୁ  । ପରେ ଏହା ସିରିଆନ୍ ଏବଂ ପାର୍ଶୀ ଭାଷାରେ ଅନୁଦିତ ହୋଇଥିଲା  । ଏବେ ଆମେ ଯେଉଁ ଅନୁବାଦମାନ ଦେଖୁଛୁ ତାହା ବିଦେଶୀ ଭାଷା ଉପରେ ଆଧାରିତ  । ପଞ୍ଚତନ୍ତ୍ରର ଅନ୍ୟ ଲୋକପ୍ରିୟ ନାମଗୁଡ଼ିକ ହେଲା - "ତନ୍ତ୍ରାଖ୍ୟାୟିକା', "ପଞ୍ଚାଖ୍ୟାନକ', "ପଞ୍ଚାଖ୍ୟାନୋଦ୍ଧାର' ଏବଂ "ପଞ୍ଚୋପାଖ୍ୟାନ' । ଏଯାବତ ପ୍ରାଚୀନ କଥା ସାହିତ୍ୟ ଭିତରେ ପଞ୍ଚତନ୍ତ୍ର ତାର ସ୍ୱତନ୍ତ୍ରତା ଓ ନୀତି ସମ୍ବଳିତ ବିଶେଷକରି ପିଲାମାନଙ୍କ ପାଇଁ ଯେଉଁ ଛୋଟ ଛୋଟ ଆଖ୍ୟାନ ସବୁ ରହିଛି ତାହା ସବୁ କ୍ଷଣ ପାଇଁ ଶିକ୍ଷା ଓ ଜୀବନାଦର୍ଶର ବାର୍ତ୍ତା ପ୍ରଦାନ କରୁଛି । 
  ଡ.ସୁରେଶ କୁମାର ନାୟକ
କଟକ