ତାମିଲ୍ନାଡୁରେ ମଦ ମୃତୁ୍ୟ


ଦେଶର ବିଭିନ୍ନ ରାଜ୍ୟରେ ନିଜର ସ୍ୱତନ୍ତ୍ର ଅବକାରୀ ନୀତି ରହିଛି । କେତେକ ରାଜ୍ୟରେ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି । କିନ୍ତୁ ବର୍ତ୍ତମାନର ବିଶ୍ୱରେ ମଦ ଏକମାତ୍ର ନିଶାଦ୍ରବ୍ୟ ନୁହେଁ । ଗଞ୍ଜେଇ ଏବଂ ଅଫିମରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ପ୍ରକାରର ଉକ୍ରଟ ନିଶାଦ୍ରବ୍ୟ ବିଭିନ୍ନ ପ୍ରକାରରେ ବର୍ତ୍ତମାନ ନିଶା ବଜାରରେ ମିଳୁଛି । ଏବେ ଅନେକ ରାଜ୍ୟ ରାଜ୍ୟରେ ମଦ ବିକ୍ରିର ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବାରୁ ଏହାକୁ ନେଇ ଭିନ୍ନ ଭିନ୍ନ ନୀତି ସବୁ ଦେଖିବାକୁ ମିଳୁଛି । ଏହି ନୀତି ଗୁଡ଼ିକରେ କୌଣସି ନା କୌଣସି ଠାରେ କିଛି ତ୍ରୁଟି କିମ୍ବା ଦୁର୍ବଳତା ରହୁଥିବାରୁ ନିଶା ମାଫିଆମାନେ ଏହାରି ସୁଯୋଗ ନେଇ କଳାବଜାରରେ ନିଶା କାରବାର ଚଳାଇ ଆସିବା ଦେଖାଯାଉଛି । ଅତୀତରେ ଓଡ଼ିଶାରେ କିଛି ବ୍ୟକ୍ତି ବିଶେଷଙ୍କର ସ୍ୱାର୍ଥ ଯୋଗୁଁ କଟକ ଏବଂ ଭୁବନେଶ୍ୱର ଅଞ୍ଚଳରେ ବିଷାକ୍ତ ମଦ ବିକ୍ରିଜନିତ ବହୁ ଲୋକଙ୍କର ମୃତୁ୍ୟ ଘଟିଥିଲା । ଏଥିମଧ୍ୟରୁ ଅନେକ ଦୃଷ୍ଟି ଶକ୍ତି ହରାଇଥିଲେ । ଏବେ ତାମିଲନାଡୁରେ ସେହିଭଳି ଏକ ବିଷାକ୍ତ ମଦର ସେବନ ଜନିତ ମୃତୁ୍ୟସଂଖ୍ୟା ୪୦ ପାଖାପାଖି ହୋଇଗଲାଣି । ଏହାଛଡ଼ା ଶହେରୁ ଉଦ୍ଧ୍ୱର୍ ଏହି ବିଷାକ୍ତ ମଦ୍ୟପାନ କରି ବିଭିନ୍ନ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ତେବେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସ୍ଥାନୀୟ ଭାବରେ କୌଣସି ଏକ କଳାବଜାରୀ ସଂସ୍ଥା ପଲିଥିନ୍ ପାଉଚ୍ ମାଧ୍ୟମରେ ସ୍ଥାନୀୟ ଭାବରେ ବିଷାକ୍ତ ମଦ ପ୍ରସ୍ତୁତ କରି ଶସ୍ତା ଦରରେ ବଜାରକୁ ଛାଡ଼ିଥିଲା । ଏହି ବିଷାକ୍ତ ମଦ ପାନ କରି ଆଜି ଶହ ଶହ ଲୋକଙ୍କର ଜୀବନ ସଙ୍କଟାପନ୍ନ ହୋଇଛି ଏବଂ ୪୦ ପାଖାପାଖି ଲୋକ ମୃତୁ୍ୟବରଣ କରି ସାରିଲେଣି । 
ବିଷାକ୍ତ ମଦ ମୃତୁ୍ୟଜନିତ ପ୍ରତ୍ୟେକଟି ଘଟଣାରେ ଲକ୍ଷ୍ୟ କରାଯାଇଛି ଯେ ଇଣ୍ଡଷ୍ଟ୍ରିଆଲ୍ ସ୍ପିରିଟ୍ (ତାହାକୁ ଇଥାଇଲ୍ ଆଲକହଲ କୁହାଯାଏ)କୁ ନେଇ ଶସ୍ତା ମଦ ପ୍ରସ୍ତୁତ କରାଯାଏ । କାରଣ ଶିଳ୍ପ କ୍ଷେତ୍ରରେ ବ୍ୟବହାରକ କରାଯାଉଥିବା ଇଥାଇଲ୍ ଆଲକହଲ ମନୁଷ୍ୟ ଶରୀର ପ୍ରତି ଅତ୍ୟନ୍ତ କ୍ଷତିକାରକ ଏବଂ ପ୍ରାଣଘାତୀ ମଧ୍ୟ ହୋଇପାରେ । କିନ୍ତୁ ଏହି ସ୍ପିରିଟ୍ ବା ଆଲକହଲରେ ଅଧିକ ପରିମାଣର ପାଣି ତଥା ଅନ୍ୟାନ୍ୟ ସୁବିଷିତ ପଦାର୍ଥ ମିଶାଇ ଏହାକୁ ବଜାରକୁ ଛାଡ଼ିଲେ ମୃତୁ୍ୟ ହେବା ଭଳି ପରିସ୍ଥିତି କିମ୍ବା ଶରୀରର ଭୟଙ୍କର କ୍ଷତି ହେବା ଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା କମ୍ ରହେ । ବାସ୍ତବ କ୍ଷେତ୍ରରେ ଏହା ସତ୍ୟ ନୁହେଁ । କମ୍ ପରିମାଣରେ ହେଲେ ମଧ୍ୟ ଇଥାଇଲ୍ ଆଲକହଲ ବିଷ ହୋଇଥିବାରୁ ଏହା ଶରୀରେ କ୍ଷତି ଘଟାଏ । 
ଏ କ୍ଷେତ୍ରରେ ଆଉ ଏକ ପ୍ରସଙ୍ଗ ହେଲା ଏଭଳି ବିଷାକ୍ତ ମଦର କାରବାର କରୁଥିବା ବ୍ୟକ୍ତିମାନେ ରସାୟନ ଶାସ୍ତ୍ରରେ ଅଭିଜ୍ଞ ନୁହଁନ୍ତି । ଲୋକମାନଙ୍କ ଠାରୁ ଶୁଣୁଥିବା କଥାକୁ ନେଇ ଇଥାଇଲ୍ ଆଲକହଲକୁ ବଜାରରୁ କିଣିଆଣି ବିଷାକ୍ତ ମଦ ପ୍ରସ୍ତୁତ କରନ୍ତି । ସେମାନଙ୍କର ମଦର ରାସାୟନିକ ପ୍ରକ୍ରିୟା ସମ୍ପର୍କରେ କୌଣସି ଜ୍ଞାନ ନଥାଏ । କିମ୍ବା ଏହାର ପ୍ରସ୍ତୁତି ସମ୍ପର୍କିତ ଜ୍ଞାନ ମଧ୍ୟ ନଥାଏ । ଏହି କାରଣରୁ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଇଥାଇଲ୍ ଆଲକହଲର ଅପବ୍ୟବହାର କରାଯାଇ ବିଷାକ୍ତ ମଦ ପ୍ରସ୍ତୁତ କରାଯାଏ । ବର୍ତ୍ତମାନ ତାମିଲନାଡୁରେ ଏହା ହିଁ ଘଟିଛି । ନିୟମିତ ଭାବରେ ନିଶା ସେବନରେ ଅଭ୍ୟସ୍ତ ଥିବା ବ୍ୟକ୍ତିମାନେ ସାଧାରଣତଃ ଛୋଟ ଛୋଟ ବୋତଲର ମଦ ଏବଂ ଶସ୍ତା ପାଉଚ ମଦକୁ କିଣିବାକୁ ପସନ୍ଦ କରନ୍ତି । ଏହି ବିଷାକ୍ତ ମଦ ସବୁ ଛୋଟ ଛୋଟ ପାଉଚ୍ ଏବଂ ଛୋଟ ଛୋଟ ବୋତଲରେ ହିଁ ପ୍ୟାକିଂ କରାଯାଇ ବଜାରକୁ ଛଡ଼ାଯାଏ । ଏସବୁକୁ ବିକ୍ରି କରୁଥିବା ଦୋକାନୀମାନେ ମଧ୍ୟ ଏହି ବିଷାକ୍ତ ମଦର ପ୍ରସ୍ତୁତି ଏବଂ ପରିଣତି ସମ୍ପର୍କରେ ସବୁକିଛି ଜାଣିଥାନ୍ତି । ତେଣୁ ବିଷାକ୍ତ ମଦ ପ୍ରସ୍ତୁତକର୍ତ୍ତାଙ୍କୁ ଧରିବା ସହିତ ଏହାକୁ ବିକ୍ରି କରିଥିବା ବ୍ୟକ୍ତିଙ୍କୁ ମଧ୍ୟ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ ।