କଷ୍ଟ ନକରେ ନଷ୍ଟ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା କଷ୍ଟ କେମିତି ଜୀବନକୁ ନଷ୍ଟ କରେନି, ସେବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା । ଥରେ ଗୋଟିଏ କୃଷକ ଭଗବାନଙ୍କ ଉପରେ ବହୁ ଅଭିମାନ କରିଥିଲା । କେତେବେଳେ ବନ୍ୟା, ବାତ୍ୟା ତ କେତେବେଳେ ମରୁଡି ତା ଫସଲ ଉଜାଡି ଦେଉଥିଲେ । ସେଥିପାଇଁ ତାର ପ୍ରବଳ ଅଭିମାନ ଥିଲା ଭଗବାନଙ୍କ ଉପରେ ।
ଥରେ ସେ ବହୁତ ରାଗିଯାଇ ଭଗବାନଙ୍କୁ କହିଲା "ଦେଖନ୍ତୁ ପ୍ରଭୁ, ସବୁବେଳେ, ସବୁ ବର୍ଷ ମୋ ଫସଲ ଉଜାଡି ଦଉଛ । ମୋ ଉଜୁଡା କ୍ଷେତ ପାଇଁ ତମେ ହିଁ ନାଟର ଗୋବର୍ଦ୍ଧନ । ତମେ ମୋତେ ଥରେ ବରଦାନ ଦେଇ ମୋ ଇଚ୍ଛା ଅନୁସାରେ ପାଣିପାଗ କର, ଦେଖିବ ମୁଁ କିପରି ଫସଲ କରି ଅନ୍ନଭଣ୍ଡାର ପୂରଣ କରିଦେବି ।’
ଭଗବାନ ଅଦୃଶ୍ୟ ଭାବେ ବର ଦେଇ ପକେଇଲେ । "ତଥାସ୍ତୁ" ବୋଲି ତାକୁ ସ୍ୱପ୍ନାଦେଶ ହେଲା । ଏହା ଉତାରୁ ସିଏ ଆରମ୍ଭ କରିଦେଲା ଚାଷବାସ କାମ । ଯେତେବେଳ ଖରା ଚାହିଁଲା ସେତେବେଳେ ଖରା, ଯେତେବେଳେ ବର୍ଷା ଚାହିଁଲା ସେତେବେଳେ ବର୍ଷା କରାଇଲା । ଏଥର ଭଲ ଫସଲ ହେଲା ।
ଏଥିରେ ଖୁସି ହୋଇ ସେ ମନେ ମନେ ଭଗବାନଙ୍କୁ କହିଲା, ଭଗବାନ କୃଷକକୁ ଅଯଥାରେ ହଇରାଣ କରନ୍ତି । ଏଥର ଦେଖନ୍ତୁ ସିଏ କିମିତି ଫସଲ ହୁଏ ।
କୃଷକର ଡାକ ଶୁଣି ଭଗବାନ ଶୂନ୍ୟବାଣୀ କଲେ ଆଉ କହିଲେ, ଏମିତି ହିଁ ତ ହେବାର ଥିଲା । କାରଣ ତୁ ଧାନଗଛକୁ ଟିକେ ବି ସଂଘର୍ଷ କରିବାକୁ ଦେଲୁନି । ନା ଜୋର ଖରା, ନା ଜୋର ପାଣି । ନା ବାତ୍ୟା, ବନ୍ୟା ସହ ଲଢିବାର ଶକ୍ତି । ଫଳରେ ତାକୁ ଜୀବନର କୌଣସି ସଂଘର୍ଷର ବିଷୟରେ ଜଣା ପଡିଲାନି । ତେଣୁ ଶସ୍ୟ ସବୁ ପାକେଳେଇଲାନି । ଆରେ ବାତ୍ୟା, ବନ୍ୟା, ପାଣି, ପବନ, ପ୍ରତିକୂଳ ପରିସ୍ଥିତିରେ ସିନା ସତ୍ତା ନିଜକୁ ବଞ୍ଚାଇବାକୁ ସଂଘର୍ଷ କରେ । ଆଉ ସେହି ସଂଘର୍ଷ ବଳରେ ହିଁ ଜୀବନ ଆଣ୍ଟ ହୁଏ । ନହେଲେ କୁଆଡୁ ହବ?’ ଦର୍ଶକବନ୍ଧୁ, ସେହିପରି ଜୀବନରେ ଯଦି ସଂଘର୍ଷ ନଥାଏ ତେବେ ମଣିଷର ଭିତରେ ଭିତରେ ପୋଲା ବା ଫମ୍ପା ହେଇଯାଏ । ତା ମଧ୍ୟରେ କୌଣସି ସୁଗୁଣ ରୁହେ ନାହିଁ । ସଂଘର୍ଷ ହିଁ ଜୀବନକୁ ନୂଆ ରୂପ ଦିଏ । ସଂଘର୍ଷ ହିଁ ସଫଳତା ଓ ପ୍ରଗତି ପଥରେ ମଣିଷକୁ ପ୍ରେରିତ କରିଥାଏ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।