ଇରମ ସହିଦଙ୍କ କଥା ଓ ବ୍ୟଥା

ପ୍ରହଲାଦ କୁମାର ସିଂହ : ରକ୍ତତୀର୍ଥ ଇରମ୍ ଯେ କୌଣସି ଦେଶପ୍ରେମୀ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ଓ ଆକର୍ଷଣର କେନ୍ଦ୍ରବିନ୍ଦୁ । ଏହି ପବିତ୍ର ପୀଠକୁ ଅନେକଥର ଟାଣି ହୋଇ ଆସିଛି । ତେବେ ସମଗ୍ର ଦେଶ ଗାନ୍ଧିଜୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ୧୯୯୪ ମସିହାରେ ପାଳନ କଲାବେଳେ ଏଇଠି ମୁଁ କଟାଇଥିଲି ଦିନଟିଏ । ସେଦିନ ସନ୍ଧ୍ୟାରେ ରକ୍ତତୀର୍ଥ ଇରମର ସ୍ମୃତି ସ୍ତମ୍ଭ ନିକଟରେ ସହିଦ ମାଟିକୁ ଆଭୂମ ପ୍ରଣିପାତ କଲାବେଳେ ଦେହ ଓ ମନରେ ସୃଷ୍ଟି ହେଉଥିଲା ଶିହରଣ । ମନେ ହେଉଥିଲା ସ୍ମୃତି ସ୍ତମ୍ଭରେ ଯେଉଁ ସହିଦମାନଙ୍କ ନାମ ଖୋଦିତ ହୋଇ ରହିଛି ସେମାନେ ଜଣକ ପରେ ଜଣେ ଜୀବନ୍ୟାସ ପାଉଛନ୍ତି । ପ୍ରାୟ ଘଣ୍ଟାଏ କାଳ ସେଠାରେ ଭାବାତୀତ ଧ୍ୟାନ କରିବା ବେଳେ ଅନୁଭବ କଲି ଓଡ଼ିଶାର ପ୍ରଥମ ମହିଳା ସହିଦ ପରୀ ବେୱାଙ୍କ ସମେତ ଅନ୍ୟମାନଙ୍କ ଉପସ୍ଥିତି ।
ସତେ ଯେମିତି ପରୀ ବେୱା ଇରମ୍ ମାଟିରେ ତାଙ୍କ ସହ ସହିଦ ହୋଇଥିବା ଅନ୍ୟ ୨୮ଜଣ ଓ ଗୁଳିବିଦ୍ଧ ହୋଇଥିବା ଆଉ ୫୬ଜଣଙ୍କ ସମେତ ସ୍ୱାଧୀନତା ସଂଗ୍ରାମକୁ ବ୍ୟାପକ କରିଥିବା ଅନ୍ୟ ସଂଗ୍ରାମୀମାନଙ୍କ ଅମର ଆତ୍ମା ସହ ମତେ ପରିଚିତ କରାଇ ଦେଉଥିଲେ । କ୍ଷମତା, ସମ୍ପତ୍ତି କିମ୍ବା କୋ÷ଣସି ବ୍ୟକ୍ତିଗତ ଫାଇଦା ଲାଗି ପରୀ ବେୱାଙ୍କ ଭଳି ଜଣେ ଦରିଦ୍ରତମ ସାହସୀ ମହିଳା ସତ୍ୟାଗ୍ରହ ସଂଗ୍ରାମର ମଇଦାନକୁ ଓହ୍ଲାଇ ନଥିଲେ । ସେ କହୁଥିଲେ ଅନେକ ଅକୁହା କଥା ଓ ମୁଁ କେବଳ ଭାବାତୀତ ଅବସ୍ଥାରେ ଶୁଣୁଥିଲି । ଇରମ୍ ମେଲଣ ପଡିଆରେ ୧୯୪୨ ସେପ୍ଟେମ୍ବର ୨୮ ସନ୍ଧ୍ୟାରେ ସଭା ଚାଲିଥିବାବେଳେ ବିନା ସତର୍କ ସୂଚନାରେ ପୁଲିସ କେମିତି ଆଖି ବୁଜା ଗୁଳି ଚାଳନା କଲା ଏବଂ ସେଠାରେ ଘଟଣାସ୍ଥଳରେ ୨୮ଜଣ ଓ ପରେ ଜେଲ୍ରେ ଆଉ ଜଣେ ଆହତଙ୍କ ମୃତୁ୍ୟ ହେଲା ଏବଂ ଗୁଳିବିଦ୍ଧ ଅନ୍ୟମାନେ କେମିତି ଦୀର୍ଘଦିନ ଧରି ଛଟପଟ ହେଲେ ଓ ସେମାନଙ୍କ ମଧ୍ୟରୁ କେତେକ କିପରି ଅବଶିଷ୍ଟ ଜୀବନ ପାଇଁ ଅକର୍ମଣ୍ୟ ହୋଇଗଲେ ସେକଥା ସ୍ମରଣ କରାଇ ଦେଉଥିଲେ ମା’ ପରୀ ବେୱା । ତାଙ୍କ ଦେହରେ କେଉଁଠି ତିନୋଟି ଗୁଳି ବାଜିଥିଲା ତାହା ସତେ ଯେମିତି ସେ ଦେଖାଇ ଦେବା ସହ ଇଙ୍ଗିତ କରୁଥିଲେ କେଉଁସ୍ଥାନରେ ତାଙ୍କ ଗୁଳିବିଦ୍ଧ ଶରୀରରୁ ରକ୍ତର ଧାର ଛୁଟି ଦେଶମୁକ୍ତି ଯଜ୍ଞରେ ଆହୂତି ହେଉଥିଲା । ସେ ଆଉ ବି କହୁଥିଲେ କିପରି ବର୍ବରୋଚିତ ଗୁଳିକାଣ୍ଡ ପରେ ଅନେକ ସହିଦଙ୍କ ଶବକୁ ସେହି ମେଲଣ ପଡିଆରେ ପୁଲିସ ପୋତି ଦେଲା । ନରମେଧ ଯଜ୍ଞ ପରେ ଲୋକେ ଗାଁ ଗଣ୍ଡା ଛାଡି ଜଙ୍ଗଲ ଓ ଦୂରଦୂରାନ୍ତକୁ ପଳାଇବା ପରେ କେମିତି ଗାଁ ଗାଁ ବୁଲି ପୋଲିସ ଫୋ÷ଜ ଲୁଟ୍ତରାଜ ଓ ଭୋଜି ଭାତରେ ମାତିଥିଲେ ସେକଥା ବି କହୁଥିଲେ ଉକ୍ରଳ ଜନନୀର ସୁପୁତ୍ରୀ ପରୀ ବେୱା । ଦେଶମାତୃକା ପାଇଁ ସହିଦ ହୋଇଥିବାରୁ ତାଙ୍କ ଜୀବନ ସାର୍ଥକ ହୋଇଥିବା କଥା ବି ସେ ଜୋର୍ ଦେଇ କହୁଥିଲେ ।
ସହିଦ ପରୀ ବେୱାଙ୍କ ଆତ୍ମା ମନେପକାଇ ଦେଉଥିଲା ଇରମ୍ ମାଟିରେ ଉକ୍ରଳମଣି ଗୋପବନ୍ଧୁ ଦାସ ୧୯୨୧ ମସିହା ଜୁନ୍ ୧୪ ତାରିଖରେ କରିଥିବା ସଭା ସମ୍ପର୍କରେ । ଇରମ୍କୁ ଦେଖି ଭାବବିହ୍ୱଳ ହୋଇଥିବା ଜାତୀୟତାବାଦୀ କବି ଗୋପବନ୍ଧୁଙ୍କ କବିତାକୁ ମନେ ପକାଇ ସେ ଶୁଣାଇଥିଲେ- ‘ଦେଶ, ଜାତି, ପ୍ରୀତି, ସରସ୍ୱତୀ ନଦୀ / ବହୁଛି ଇରମେ ଶତମାର୍ଗେ ଭେଦି / ଅନ୍ତଃସଲିଳା ଏ ସାରା ଭାରତେ / ଜାତୀୟତା ଧାରେ ବହିବ ନିରତେ / ଦେଶାତ୍ମବୋଧର ଚାରୁ ଗନ୍ତାଘର / ଇରମ ସୁରମ୍ୟ ଜାତୀୟ ନଗର ।’ ଏହାପରେ ସେ ବିପ୍ଳବୀ କବି ବା‚ାନିଧି ମହାନ୍ତିଙ୍କ ବିପ୍ଳବ ସଙ୍ଗୀତ ଅତି ତନ୍ମୟ ହୋଇ ଗାଇ ଚାଲିଲେ- ‘କହ କହ କେଉଁ ଜାତି ପାଇଛି ମୁକତି କରି ହାରିହୁରି ଗୁହାରି / କହ ପାଇଛି କେ ସୁଖ, ନିଭାଇଛି ଦୁଃଖ ମାଗି ମାଗି ପଥ ଭିକାରୀ ।’ ସେ ପୁଣି ବୋଲୁଥିଲେ ‘କି ହେବ ସେ ସ୍ୱରାଜ ଘେନି ଯଦି ମୋର ନପୁରେ ପେଟ..... ।’ କେମିତି ଜାତୀୟ କବି ବା‚ାନିଧିଙ୍କ ମୃତୁ୍ୟ ପରେ ବର୍ତ୍ତମାନର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଇରମ୍ ଅଞ୍ଚଳର ୬ଟି ପଞ୍ଚାୟତର ୨୬ଟି ଗାଁକୁ ନେଇ ପ୍ରାୟ ୧୯ ବର୍ଗମାଇଲ ଅଞ୍ଚଳରେ ଭାରତ ଛାଡ଼ ଆନେ୍ଦାଳନ କାଳରେ ୧୯୪୨ ସେପ୍ଟେମ୍ବର ୧୭ ତାରିଖରେ ସ୍ୱାଧୀନ ବାଞ୍ଝାନିଧି ଚକଲା ଗଠନ କରାଯାଇ ଲୋକେ ସେ ଅଞ୍ଚଳକୁ ସ୍ୱାଧୀନ ଘୋଷଣା କଲେ ଏବଂ ଏହି ସ୍ୱାଧୀନ କ୍ଷେତ୍ରରେ ଗୋ÷ରାଙ୍ଗ ଚରଣ ମହାନ୍ତିଙ୍କୁ ପ୍ରଧାନମନ୍ତ୍ରୀ ଓ କମଳା ପ୍ରସାଦ କରଙ୍କୁ ମୁଖ୍ୟ କମାଣ୍ଡର ଭାବେ ମନୋନୀତ କରାଗଲା ଓ ଅର୍ଜୁନ ବିଶ୍ୱାଳଙ୍କ ଘରେ ସ୍ୱାଧୀନ ସରକାରର ଦପ୍ତର ଚାଲିଲା, ସେ ଅଞ୍ଚଳରେ କେମିତି ଲୋକେ ମରଣ ସେନା ଗଢି ଦେଶ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ହୋଇଥିଲେ, ଆଉ ଏମାନଙ୍କୁ ଦବାଇବା ପାଇଁ କିପରି ଜମିଦାର କୋଠିକୁ ବାସୁଦେବପୁରରୁ ପୋଲିସ ଫୋ÷ଜ ଆସିବାରୁ ଲୋକେ ଶଙ୍ଖଧ୍ୱନି କରି ହଜାର ହଜାର ସଂଖ୍ୟାରେ ମେଲଣ ପଡିଆ ଆଡକୁ ମାଡିଆସିଲେ ସେକଥା କହିବାବେଳକୁ ତାଙ୍କ କଣ୍ଠରେ ଯେମିତି ଶତସିଂହର ଶକ୍ତି ସଞ୍ଚରି ଯାଉଥିଲା ।
ସେହି ସନ୍ଧ୍ୟାରେ ସତେ ଯେମିତି ମା’ ପରୀ ବେୱାଙ୍କ ପବିତ୍ର ଅମର ଆତ୍ମା ପରିଚିତ କରାଇଦେଉଥିଲା ଅନ୍ୟ ସଂଗ୍ରାମୀମାନଙ୍କୁ । ଏଠି ଯେଉଁମାନେ ବ୍ରିଟିଶ ପୁଲିସ ଗୁଳିରେ ସହିଦ ହୋଇଥିଲେ ସେମାନେ ଥିଲେ ପରୀ ବେୱାଙ୍କ ସମେତ ଗୋପାଳ ଚରଣ ଦାସ, ବିଶ୍ୱନାଥ ଦାସ, ବିଜୁଳି ଦାସ, ହୃଷୀକେଶ ବେହେରା, ମଦନ ପଲାଇ, ବଲ୍ଲଭ ବେହେରା, ମାଘ ମହାଳିକ, ଭୁଆ ମାଝି, କାଳୀ ମାଝି, ରାଧୁ ମହାଳିକ, ଧ୍ରୁବଚରଣ ଦେ, ବାସୁଦେବ ସାହୁ, ହରି ବେହେରା, କୃଷ୍ଣଚନ୍ଦ୍ର ସ୍ୱାଇଁ, ମଣି ବେହେରା, ନିଧି ମଳିକ, ବୃନ୍ଦାବନ ପଣ୍ଡା, ଭାବନ ରାଉତ, ଶଙ୍କର ମଳିକ, ଦିବାକର ପାଣିଗ୍ରାହୀ, ଉପ ମଳିକ, ରାମ ମାଝି, କୃପାସିନ୍ଧୁ ବେହେରା, ଜଟି ସାହୁ, ରତ୍ନାକର ପାଣି, ମଣି ପ୍ରଧାନ, ପରୀ ଦାସ ଓ ଗୋବିନ୍ଦ ରାଉତଙ୍କ ଭଳି ନିରସ୍ତ୍ର ସତ୍ୟାଗ୍ରହୀ ସଂଗ୍ରାମୀ । ସେମାନଙ୍କୁ କିଭଳି ବ୍ରିଟିଶ ପୁଲିସ ଗୁଳିମାରି ହତ୍ୟା କରିଥିଲା ତାହାର ଅମର ଗାଥା ବି ଶୁଣାଉଥିଲେ ସେ । ପରବର୍ତ୍ତୀ ସମୟରେ ମୃତୁ୍ୟବରଣ କରିଥିବା ଇରମ ଅଞ୍ଚଳର ଅନେକ ସଂଗ୍ରାମୀଙ୍କ ସାଧନା ସମ୍ପର୍କରେ ବି ସେ ସୂଚାଉଥିଲେ ।
କେବଳ ଇରମ୍ର ସହିଦ ଓ ସଂଗ୍ରାମୀ ନୁହନ୍ତି, ମହାତ୍ମାଗାନ୍ଧିଙ୍କ ଠାରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମର ଅନ୍ୟସବୁ ବୀର ଓ ବୀରାଙ୍ଗନାଙ୍କ ଆତ୍ମା ସହ ସେମାନେ କିଭଳି ସ୍ୱାଧୀନ ଭାରତର ସ୍ୱରୂପ ଦେଖି ବିଳପୁଛନ୍ତି ଏକଥା କହିବାବେଳକୁ ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥିଲା । ସେ କହୁଥିଲେ ୧୯୨୫ରେ ବୋଲଗଡ଼ ପ୍ରାଦେଶିକ କଂଗ୍ରେସ ଅଧିବେଶନରେ ସ୍ୱାଗତ ଅଭିଭାଷଣ ଦେବାବେଳେ ଗୋପବନ୍ଧୁ ଦାସ କେମିତି ଜୟୀରାଜଗୁରୁଙ୍କ ସମେତ ଦେଶମାତୃକା ପାଇଁ ଜୀବନ ଦେଇଥିବା ଓଡ଼ିଆ ବୀରଙ୍କ ଅମରାତ୍ମାମାନଙ୍କ ଉପସ୍ଥିତି ଅନୁଭବ କରୁଥିଲେ । ଆହୁରି ବି କହୁଥିଲେ ଦେଶର ସର୍ବକନିଷ୍ଠ ସହିଦ ବୀର ବାଜି ରାଉତଙ୍କ ସମେତ ୬ଜଣଙ୍କ ଆତ୍ମା କିଭଳି ଅତ୍ୟାଚାରୀ ରାଜାକୁ ଡରାଇବା ସମ୍ପର୍କରେ ନବକୃଷ୍ଣ ଚୋ÷ଧୁରୀଙ୍କ ବକ୍ତବ୍ୟ ସମ୍ପର୍କରେ ଏବଂ ୧୯୪୭ ଅଗଷ୍ଟ ୧୫ ରାତିରେ ହରେକୃଷ୍ଣ ମହତାବଙ୍କୁ କିଭଳି ମୁକ୍ତି ଆନେ୍ଦାଳନର ସହିଦ ଓ ସଂଗ୍ରାମୀମାନଙ୍କ ଆତ୍ମାମାନେ ଶୁଆଇ ଦେଇନଥିଲେ ସେ ସଂକ୍ରାନ୍ତରେ ‘ସାଧନାର ପଥେ’ରେ ଉଲ୍ଲେଖ କରିଥିବା ସ୍ୱୀକାରୋକ୍ତି ସଂକ୍ରାନ୍ତରେ ।
ସେଦିନ ସନ୍ଧ୍ୟାରେ ସତେ ଯେମିତି ସହିଦମାନେ ମୋତେ ପ୍ରଶ୍ନବାଣରେ ପୋତି ପକାଉଥିଲେ ଓ ମା’ ପରୀ ବେୱା ସେମାନଙ୍କୁ ବୁଝାଉଥିଲେ । ହଜାର ହଜାର ସହିଦଙ୍କ ବଳିଦାନ ଓ ଲକ୍ଷ ଲକ୍ଷ ସଂଗ୍ରାମୀଙ୍କ କାରା ଓ ନିର୍ଯାତନା ବରଣ ପୃଷ୍ଠଭୂମିରେ ଆମେ ୧୯୪୭ ଅଗଷ୍ଟ ୧୫ରେ ସ୍ୱାଧୀନ ହେଲୁ ଏବଂ ଏହାପରେ ସେମାନଙ୍କ ଉତ୍ତରଦାୟଦ ଭାବେ ଆମେ ସ୍ୱାଧୀନତା ସଂଗ୍ରାମର ଘୋଷିତ ପ୍ରତିଶ୍ରୁତି କେତେଦୂର ପାଳନ କରିଛୁ ଓ କଷ୍ଟଲବ୍ଧ ସ୍ୱାଧୀନତାକୁ ସୁରକ୍ଷିତ ରଖିପାରିଛୁ କି ନାହିଁ ସେ ସଂକ୍ରାନ୍ତରେ ଅମର ସହିଦମାନେ ସତେ ଯେମିତି ବ୍ୟକ୍ତ କରୁଥିଲେ ସେମାନଙ୍କ ଆତ୍ମାର କ୍ଷୋଭ । ସେମାନଙ୍କ ବଳିଦାନ ଓ ତ୍ୟାଗକୁ କ’ଣ ଆମେ ଭୁଲିଗଲୁ? ଭାରତର ଆତ୍ମା ଗାଁରେ ଥିବାବେଳେ ଗ୍ରାମ୍ୟ ଅର୍ଥନୀତି ବରବାଦ୍ ହେଉଛି କାହିଁକି? ସେତେବେଳେ କୁହାଯାଇଥିଲା ସ୍ୱାଧୀନ ଭାରତର ଆଇନଶୃଙ୍ଖଳା ପରିସ୍ଥିତି ଏତେ ମାର୍ଜିତ ଓ ସୁଶୃଙ୍ଖଳ ହେବ ଯେ ରାତି ଅଧରେ ଜଣେ ଯୁବତୀ କୋ÷ଣସି ସ୍ଥାନକୁ ଯାଇ ନିରାପଦରେ ଫେରି ଆସିବ । କିନ୍ତୁ ଏବେ ଅବସ୍ଥା କ’ଣ? ୨/୩ ବର୍ଷର କୁନି ଝିଅଠାରୁ ଆରମ୍ଭ କରି ୮୦ବର୍ଷର ବୃଦ୍ଧାଙ୍କ ପର୍ଯ୍ୟନ୍ତ ମହିଳାମାନେ ଘରେ ବାହାରେ ଏମିତିକି ଥାନା-ଫାଣ୍ଡିରେ ବି ସୁରକ୍ଷିତ ନୁହନ୍ତି । ଗ୍ରାମସ୍ୱରାଜ, ସ୍ୱଦେଶୀ, ସ୍ୱାଭିମାନ, ସ୍ୱାବଲମ୍ବନ ଆଦିକୁ କାହିଁକି କବର ଦିଆଯାଉଛି? ବେକାରୀ, ବେରୋଜଗାରୀ କାହିଁକି ବଢୁଛି? ଦେଶର ଋଣ ଭାର କାହିଁକି ୨୦୦ଲକ୍ଷ କୋଟି ଟଙ୍କା ଆଡକୁ ମୁହାଁଇଛି? ସ୍ୱାଧୀନତା ପ୍ରାପ୍ତି ବେଳେ ଗୋଟିଏ ଡଲାରର ବିନିମୟ ମୂଲ୍ୟ ଗୋଟିଏ ଟଙ୍କା ସହ ସମାନ ଥିବାବେଳେ ଏବେ କାହିଁକି ତାହା ୮୪ଟଙ୍କାରେ ପହଞ୍ଚôଲାଣି? ବିଶ୍ୱ ଶାନ୍ତି ସୂଚକାଙ୍କରେ ଭାରତର ସ୍ଥାନ କେଉଁଠି? କାହିଁକି ଦେଶରେ ବଢୁଛି ଚାଷୀ ଓ ବେକାର ଯୁବକ, ଯୁବତୀଙ୍କ ଆତ୍ମହତ୍ୟା? ସାମ୍ପ୍ରଦାୟିକତା, ଅସ୍ପୃଶ୍ୟତା ଓ ଦୁର୍ନୀତି କାହିଁକି ହୋଇଛି ରାଜନୈତିକ ନେତାମାନଙ୍କ ଭୂଷଣ? ସତ୍ୟ ଅହିଂସାର ପବିତ୍ର ଦେଶରେ କାହିଁକି ଉଠୁଛି ହିଂସା ଓ ମିଥ୍ୟାଚାରର ଦାବାନଳ? ଆର୍ଥିକ ବୈଷମ୍ୟ ବଢି ଏକ ପ୍ରତିଶତ ଧନୀଙ୍କ ପାଖରେ ଦେଶ ସମ୍ପତ୍ତିର ୪୦ ପ୍ରତିଶତ ଠୁଳ ହୋଇଥିବାବେଳେ ୫୦ ପ୍ରତିଶତ ଅତି ଗରିବଙ୍କ ପାଖରେ କାହିଁକି ରହିଛି ମାତ୍ର ୩ ପ୍ରତିଶତ ସମ୍ପତ୍ତି? ଓଡ଼ିଶାର ୪୮୦ କିଲୋମିଟର ଦୈର୍ଘ୍ୟର ସାମୁଦ୍ରିକ ବେଳାଭୂମି ସହ ୧୧ଶହ ବର୍ଗକିଲୋମିଟର ପରିମିତ ଚିଲିକା ହ୍ରଦ ଥିବାବେଳେ କାହିଁକି ଓଡ଼ିଶା ଲୁଣ ପାଇଁ ବାହାର କମ୍ପାନୀମାନଙ୍କ ଉପରେ ନିର୍ଭର କରୁଛି? ଦେଶର ଜଳ, ଜମି, ଖଣିଜସମ୍ପଦ ଆଦିକୁ କାହିଁକି ଲୁଣ୍ଠନ କରାଯାଉଛି? ଗାନ୍ଧିଜୀଙ୍କ ପ୍ରଦର୍ଶିତ ଗ୍ରାମସ୍ୱରାଜ, ଟ୍ରଷ୍ଟିସିପ୍, ଏକାଦଶ ବ୍ରତ, ତାରକମନ୍ତ୍ର ଆଦିକୁ ଭୂଲିଯାଇ କାହିଁକି ଆମେ ସେ ଦୂରେଇ ରହିବାକୁ ସତର୍କ କରିଥିବା ୭ଟି ପାପାଚାରରେ ଘାଣ୍ଟି ହେଉଛୁ...? ଏମିତି ଅସଂଖ୍ୟ ପ୍ରଶ୍ନରେ ସେମାନେ ଯେମିତି ପୋତି ପକାଉଥିଲେ । ଆମ ପୂର୍ବଜ ଏହି ଅତୃପ୍ତ ଆତ୍ମାମାନଙ୍କର ଗୋଟିଏ ହେଲେ ପ୍ରଶ୍ନର ଉତ୍ତର ମୋ ପାଖରେ ନଥିଲା ।
ଏଭଳି ଏକ ବାତାବରଣ ଭିତରେ ସେଠି ପ୍ରଶ୍ନ ଉଠାଇଲେ କବିଶେଖର ଚିନ୍ତାମଣି ମହାନ୍ତିଙ୍କ ଆତ୍ମା- ‘ଯେ ଦେଶର ଯଶ ଗୀତି ଭାଷା ଅତିକ୍ରମେ / ଜଗତ ଯା ପାଦମୂଳେ ନମେ ସସମ୍ଭ୍ରମେ / ଜନ୍ମିଲ ସେ ଦେଶେ ତୁମ୍ଭେ ତା’ର କେଉଁ ପାପେ / କିଏ ତୁମ୍ଭେ ଚିହ୍ନିଛ କି ଆପଣାକୁ ଆପେ? / ବୀରତ୍ୱର ବରଭୂଷା ଯେଉଁ ବୀରମାନେ / ନଥିଲା ଅସାଧ୍ୟ ଶବ୍ଦ ଯାଙ୍କ ଅଭିଧାନେ / ତାଙ୍କରି ବଂଶଜ ମର ଆଳସ୍ୟ ଆଳାପେ / କିଏ ତୁମ୍ଭେ ଚିହ୍ନିଛ କି ଆପଣାକୁ ଆପେ?’ କବି ଶେଖରଙ୍କ ଅମର ଆତ୍ମାର ଉଦାତ୍ତ ପ୍ରଶ୍ନ ସରିବା ପୂର୍ବରୁ ଆଉ କେହି ଜଣେ ସହିଦଙ୍କ ଆତ୍ମା ଇରମ୍ ମେଲଣ ପଡିଆ ପାଖରେ ଥିବା ଗମେଇ ଓ କାଂଶବାଂସ ନଦୀ କୂଳରୁ ଡାକି ଡାକି କହୁଥିଲା, ‘ହୋ ଯାଓ ତୟାର୍ ସାଥିଓଁ ହୋ ଯାଓ ତୟାର୍ / ଅଗର୍ ଦେଶ୍କି କାମ ନ ଆୟେ ତୋ ଜୀବନ ବେକାର..... ।’ ସହିଦ ପରୀ ବେୱାଙ୍କ ଆତ୍ମା କହୁଥିଲେ- ଶୁଣୁଛୁ ତ, ଯେଉଁମାନଙ୍କ ପାଇଁ ତମେ ସବୁ ସ୍ୱାଧୀନତାର ସୂର୍ଯେ୍ୟାଦୟ ଦେଖିଲ ସେମାନଙ୍କ ଅମର ଆତ୍ମାର କଥା ଓ ବ୍ୟଥା । ଏବେ ତମେ ସବୁ ସୁଧୁରି ଯାଅ । ନିର୍ଭୀକ ହୋଇ ସତ୍ୟ, ଅହିଂସାର ପ୍ରଶସ୍ତ ରାଜପଥରେ ଦେଶର ବିକାଶକୁ ଆଗେଇ ନେଇ ବିନାଶ କବଳରୁ ରକ୍ଷା କର । ସବୁ ସମସ୍ୟାର ସମାଧାନ ପାଇଁ ଗୋଟିଏ ବାଟ ‘ଗାନ୍ଧି ବିଚାର’ । ସେତେବେଳକୁ ସଞ୍ଜ ଯାଇ ରାତି ହୋଇ ଆସିଲାଣି । ଭାବାତୀତ ଧ୍ୟାନ ଭାଙ୍ଗି ଆଖି ଖୋଲିବା ବେଳକୁ ମେଲଣ ପଡିଆ ଶୁନଶାନ୍ । ଲାଗୁଥାଏ ସତେ ଯେମିତି ଅନ୍ୟଏକ ଦୁନିଅାଁରୁ ମୁଁ ଫେରୁଛି? ଓଡ଼ିଶାର ପ୍ରଥମ ମହିଳା ସହିଦ ପରୀ ବେୱାଙ୍କ ସମେତ ଅନ୍ୟ ସଂଗ୍ରାମୀ ଓ ସହିଦମାନଙ୍କ ଅତୃପ୍ତ ଆତ୍ମାମାନଙ୍କୁ ତୃପ୍ତ କରିବା ପାଇଁ ଆମ ଦେଶ, ରାଜ୍ୟ ଓ ଗାଁରେ କ’ଣ ଏମିତି କିଛି ମୁଷ୍ଟିମେୟ ସଙ୍କଳ୍ପବଦ୍ଧ ସାଧକ ନାହାନ୍ତି ଯେଉଁମାନେ ନିଷ୍ଠାରେ ଅଟଳ ରହି ପ୍ରତିକୂଳ ପରିସ୍ଥିତିକୁ ଅନୁକୁଳରେ ପରିଣତ କରି ସ୍ୱାଧୀନତା ସଂଗ୍ରାମ ସମୟର କଳ୍ପିତ ଗ୍ରାମସ୍ୱରାଜକୁ ସାକାର ରୂପ ଦେଇପାରିବେ? ଏଥିପାଇଁ ଧନ ଅପେକ୍ଷା ମନର ଢେର ଆବଶ୍ୟକତା ରହିଛି । ପ୍ରଣାମ ମା’ ପରୀ ବେୱା, ପ୍ରଣାମ ଗାନ୍ଧି ମହାତ୍ମା, ପ୍ରଣାମ ଦାସେ ଆପଣେ, ପ୍ରଣାମ ବାଜି ରାଉତ ଏବଂ ପ୍ରଣାମ ଏ ଦେଶର ଅଗଣିତ ସହିଦ ଓ ସଂଗ୍ରାମୀମାନଙ୍କୁ ଏବଂ ରକ୍ତତୀର୍ଥ ଇରମ୍ ଭଳି ପବିତ୍ର ମାଟିକୁ ।
ଋ-ଜ୍ଞବସକ୍ଷ: କ୍ଟ୍ରକ୍ସବଷବକ୍ଷକ୍ଷବୟଗ୍ଦସଦ୍ଭଷବଅଶଜ୍ଞବସକ୍ଷ.ମକ୍ଟଜ୍ଞ
ଉରକ୍ଷକ୍ଷ: ୯୪୩୭୦୧୭୩୯