ଅଜଣା ଜଗତର ଡାକ


ଅଶୋକ ବିଶ୍ୱାଳ : ଏମାନେ ଘୋଷ୍ଟ କ୍ରାବ । କଚ୍ଛପର ଅଣ୍ଡାଦେବା ସ୍ଥାନର ଆୟତନ ଆକାର ଟିକେ ବଡ । ଏ ଗୁଡିକ ଗାତ ପାଖରେ ଥିବା ଘୋଷ୍ଟ କ୍ରାବର ବାଲିରୁ ତିଆରି ଛୋଟ ହୁଙ୍କା ।”- ଅସୀମ ଏତିକି କହି ଏକ ମାଉଣ୍ଡ ପାଖକୁ ଚାଲିଗଲେ । 
ଘୋଷ୍ଟ କ୍ରାବମାନେ ଜୁଆର ରେଖାର ଉପର ଆଡକୁ କ୍ରାବ ମାଉଣ୍ଡ ବା ଛୋଟ ଛୋଟ ବାଲିର ହୁଙ୍କା ତିଆରି କରନ୍ତି । ବଡ ଗୋଡ ଆଉ ସବମେରିନ ବା ବୁଡାଜାହାଜର ପେରିସ୍କୋପ ଭଳିଉପରକୁ ଉଠିଥିବା ଆଖି ଥିବା ଏହି ପତଳା କଙ୍କଡାମାନେ ଭଟ୍ଟା ସମୟରେ ବାହାରି ଆସି ଖାଇବା ଖୋଜନ୍ତି । ସେମାନଙ୍କୁ ନିଃଶ୍ୱାସ ନେବା ପାଇଁ ଦେହ ଟିକେ ଓଦା ରହିବା ଦରକାର । ଅପେକ୍ଷାକୃତ ବଡ କଙ୍କଡା ଗାତମାନ ସେଇ ଛୋଟ ବାଲି ହୁଙ୍କା କଡରେ ଥାଏ ।ଚାରିଆଡେ ଶୁଖିଲା ବାଲି ଅଳ୍ପ ଖେଳାଇ ହୋଇପଡିଥାଏ । କୂଳର ଗଛମାନ ସେଠାରୁ କେଇ ଖୋଜ ଦୂରରେ ଥାଏ । ଏ ଚଞ୍ଚଳ କଙ୍କଡାମାନେ ଟିକିଏ ବିପଦ ଦେଖିଲେ ଦୌଡି ଗାତ ଭିତରେ ଲୁଚିଯାଆନ୍ତି । 
“ଘୋଷ୍ଟ କ୍ରାବ, ବାଃ, ବାଃ । ତୁମେମାନେ ଏମିତି ସମୁଦ୍ରକୂଳକୁ ବାଲୁଙ୍କାରେ ସଜାଇଦିଅ ।”-ଶୋଭନା ଯେମିତି ତାଳିମାରି କହୁଥିଲେ । ତାଙ୍କ ଅଂଚଳରେ  ବାଲୁଙ୍କା କରି ଝିଅମାନେ ପୂଜା କରନ୍ତି । ଫୁଲରେ ସଜାନ୍ତି । ଏଠି ଫୁଲ ତ କେଇ ଖୋଜ ଦୂରରେ । ପବନରେ ବେଳେବେଳେ ଉଡିଆସି କଙ୍କଡା ତିଆରି ଛୋଟ ହୁଙ୍କା ଉପରେ ପଡୁଛି । 
ଏମିତି ଛୋଟ ଛୋଟ ଜିନିଷ ଦେଖି ସମୁଦ୍ରକୂଳରେ ଚାଲିବାକୁ ମଜା ଲାଗୁଥିଲା । ବେଶି ଗରମ ନଥିଲା ଆଉ ପବନ ଥିଲା ବେଶ ତାଜା । ପାଣି ଚମକୁଥିଲା । ସେମାନେ କୂଳରେ କିଛି ଯାଗାରେ ବାଲିର ଛୋଟଛୋଟ ଗୁଳିମାନ ପଡିଥିବାର ଦେଖିଲେ । କିଏ ଯେମିତି ବହୁ ପରିଶ୍ରମ କରି ଗୁଳା କରି ଓଦା ବାଲିର ଧାରରେ ଛାଡିଦେଇଛିା ସେମିତି ତ ଗୋଲ ଗୋଲ ବଢି ମଣିଷ ତିଆରି କରେ । ପରେ ଶୁଖିଗଲେ ସମୟ ଦେଖି ଖାଇବ । ପାଖରେ ଏକ ଛୋଟ ଗାତ । କିଛି ଦେଖାଯାଉନଥିଲା । କିନ୍ତୁ ଏମିତି ଗୁଳା କରିବାର ଅର୍ଥ ଜଣା ଯାଉନଥିଲା । କେଉଁ ପ୍ରାଣୀ କରିଥିବ କେଜାଣି? ସୁନ୍ଦର ଭାବେ ଗୋଲ ଗୋଲ ଗୁଳା ହୋଇଥିଲା । ବଡ ଛୋଟ ନାହିଁ । କାରଖାନାର ପ୍ଲାଷ୍ଟିକ ମାଳି ଭଳି ସବୁ ସମାନ ଆକାରର ମାଳି ଥିଲା ।“ଏତେ ଛୋଟ ଛୋଟ ଗୁଳା ଯେ ଅସୀମ ।”- ଅସୀମଙ୍କୁ ଶୋଭନା ଦେଖାଇ ଦେଲେ । ତାଙ୍କୁ ଲାଗିଲା ଏହି ସବୁ ଗୁଲିକୁ ନେଇ ଏକ ମାଳି ତିଆରି କରାଯାଇ ପାରିବ । ଶୋଭନା ବସିପଡି ଭଲକରି ଅନାଇଲେ । ଏକ ଛୋଟ ଗାତରୁ ଗୁଳିର ଆରମ୍ଭ ଆଉ ଚାରିଆଡକୁ ପ୍ରାୟ ସମାନଭାବରେ ଖେଳାଇ ହୋଇ ପଡିଛି । କିଛି ଯାଗାରେ ଗୁଳିମାନ ବେଶି ଥିଲା ତ କିଛି ଜାଗାରେ କମ । ଶୋଭନା ସେଥିରୁ କିଛି ଜ୍ୟାମିତିକ ପ୍ୟାଟର୍ଣ୍ଣ ଖୋଜୁଥିଲେ । ସବୁ ପ୍ରାଣୀମାନେ ନିଜର ହିସାବରେ ଏକ ଏକ ପ୍ୟାଟର୍ଣ୍ଣ ତିଆରି କରନ୍ତି । ଏମିତି ଦେଖିଲେ ଜାଣିହୁଏନା, କିନ୍ତୁ ଭଲକରି ଲକ୍ଷ୍ୟ କଲେ ବହୁତ କିଛି ଜାଣିହୁଏ । 
“କିଏ କଲା?”
“ଏକ ଛୋଟ କଙ୍କଡା । ପ୍ରାୟ ଏକ ସେମି ଲମ୍ବର ବାଲିରେ ରହୁଥିବା ଛୋଟ କଙ୍କଡାମାନେ ଏମିତି ଗୁଳା ଭଟ୍ଟା ସମୟରେ ବନାନ୍ତି । ଇଂରାଜୀରେଏହାକୁ ସ୍ୟାଣ୍ଡ ବବଲର କ୍ରାବ କୁହାଯାଏ ।”-ଅସୀମ କହିଲେ । 
“କାରଣ?”- ଶୋଭନା ପଚାରିଲେ । ଏ କଙ୍କଡାମାନଙ୍କୁ ଗୁଳିକରି ଖେଳିବାକୁ ଭଲଲାଗେ ନା କ’ଣ? ଛୁଆମାନେ କେତେ କେତେ ଜିନିଷ ଛୋଟବେଳେ ତିଆରି କରନ୍ତି ଆଉ ପୁଣି ସେମିତି ଫୋପାଡି ଦିଅନ୍ତି । ସେମିତି ଖେଳିବା ଫୋପାଡିବା ଯଦି କଙ୍କଡା ରାଇଜରେ ଥିବ ତ ତେବେ ବଡ ଆଶ୍ଚର୍ଯ୍ୟର କଥା । 
“ଖାଦ୍ୟ ଖୋଜିବା । ଏହି ଛୋଟ କଙ୍କଡାମାନେ ବାଲିକୁ ମୁହଁରେ ନେଇ ସେଥିରୁ ଡେଟ୍ରିଟସ, ପ୍ଲାଙ୍କଟନ ଆଦି ଖାଇବା ଖୋଜନ୍ତି ଆଉ ବାକି ବାଲିକୁ ତଳେ ପକାଇ ଦିଅନ୍ତି । ସେମାନଙ୍କ ଲାଳ ବାଲିରେ ଲାଗି ଏମିତି ଛୋଟ ଛୋଟ ଗୁଳିରେ ପରିବର୍ତ୍ତନ ହୁଏ । ସେମାନଙ୍କ ମୁହଁର ଆକାର ହିସାବରେ ଗୁଳିର ଆକାର ଷ୍ଟାଣ୍ଡାର୍ଡାଇଜଡ ହୋଇଯାଏ । ପରେ ଜୁଆରରେ ଅବଶ୍ୟ ଏହି ଗୁଳି ସବୁ ଧୋଇଯାଏ । ପରେ ପୁଣି ଆଉ ଥରେ ଭଟ୍ଟା ସମୟରେ ଛୋଟ କଙ୍କଡାମାନେ ବାହାରି ଆସି ଖାଇବା ଖୋଜନ୍ତି । ସେମାନେ ନିଜ ନିଜ ଅଧିକାର କ୍ଷେତ୍ର ମୁହଁରୁ ଏହି ଗୁଳି ଓଗାଳିବା ଦ୍ୱାରା ତିଆରି କରନ୍ତି ।”“ସତରେ ଅସୀମ, ଆମ ପାଖରେ କେତେ ଜୀବ ଅଛନ୍ତି, ଆମେ ସେମାନଙ୍କୁ ଲକ୍ଷ୍ୟ କରିପାରୁନା । ସେମାନଙ୍କୁ ଲକ୍ଷ୍ୟ କରିନେଲେ କେତେ ବଢିଆ ଜିନିଷ ମିଳିଯାଉଛି, କେତେ ନୂଆ କଥା ଜାଣିବାକୁ ମିଳିଯାଉଛି ।”-ଶୋଭନା ଖୁସିରେ କହିଲେ । 
ଏକ ଛୋଟ ଗାତ ମୁହଁରେ ଟିପେ ଆକାରର ଶରୀର ଆଉ ପତଳା ଚଞ୍ଚଳ କଙ୍କଡାଟିଏ ଅନାଇଥିଲା । ଜୁଆରରେ ବେଳେବେଳେ ତା’ ଗାତ ବୁଡିଯାଉଥିଲା ଆଉ ସେଥିରୁ ବୁଦବୁଦ ହୋଇ ପାଣି ବାହାରୁଥିଲା । ଜୁଆର ଛାଡିଗଲେ କଙ୍କଡାଟି ଦୌଡି ପୁଣି ଗାତ ପାଖକୁ ଚାଲିଯାଉଥିଲା । ଅସୀମ ଶୋଭନାଙ୍କ ଉତ୍ସାହ ଦେଖି ସମୁଦ୍ର କଙ୍କଡା ଆଉ ସମୁଦ୍ର କଚ୍ଛପ ବିଷୟରେ ସାମାନ୍ୟ କହିଲେ । 
ସମୁଦ୍ର ଭିତରେ ଆଉ କୂଳରେ ଅଛନ୍ତି ଅସଂଖ୍ୟ ପ୍ରକାରର କଙ୍କଡା । ଏମାନଙ୍କର ଗୋଡ ଗଣ୍ଟିଗଣ୍ଟିଆ ଆଉ ଉପରର ଆବରଣ ଶକ୍ତ ।ସେମାନଙ୍କର ଏକ ମୋଟା ବୁଢା ଗୋଡ ପ୍ରାୟ ଥାଏ ଯାହା ସେମାନଙ୍କୁ ଆକ୍ରମଣ କରିବାରେ ବା ସୁରକ୍ଷା ପ୍ରଦାନରେ ସାହାଯ୍ୟ କରେ । ସେମାନେ ପ୍ରାୟ ସବୁ ଖାଦ୍ୟ ଖାଇଥାନ୍ତି । ସବୁ ମରା ସଢା ଖାଦ୍ୟ ଏମାନଙ୍କର ପ୍ରିୟ । ଏମାନଙ୍କୁ କୁହାଯାଇପାରେ ସମୁଦ୍ରକୂଳ ଆଉ ସମୁଦ୍ର ତଳର ସଫାଇ କର୍ମଚାରୀ । ହର୍ମିଟ କ୍ରାବ ଖାଲି ପଡିଥିବା ସି ସେଲର ଖୋଳ ଭିତରେ ଆଶ୍ରୟ ନିଏ । ହର୍ମିଟ କ୍ରାବର ଆକରରେ ବୃଦ୍ଧି ଘଟିଲେ ସେ ପୁରୁଣା ଗେଣ୍ଡା ବା ସି ସେଲର ଖୋଳପା ଛାଡିଦେଇ ଆଉ ଏକ ନୂଆ ଖୋଳପାର ସନ୍ଧାନ କରେ । ହର୍ମିଟ କ୍ରାବ ମାଟିରେ ରହିପାରେ । ଜ୍ୟା କୋକୋନଟ କ୍ରାବ ବା ରବର କ୍ରାବ ପୃଥିବୀର ସବୁଠାରୁ ବଡ ସ୍ଥଳୀୟ କଙ୍କଡା ।
କ୍ରାବର ନାଁ ଗୁଡା ମଧ୍ୟ ସେମିତି ଅଦ୍ଭୂତ, ସବୁ କଳ୍ପନା ସମ୍ଭୂତ ମନେହୁଏ । ପୋର୍ସିଲିନ କ୍ରାବ, ରିଫ କ୍ରାବ, ବକ୍ସ କ୍ରାବ, ଅଲଗେଇ କ୍ରାବ, ଡେକୋରେଟର କ୍ରାବ, ମୋଲଟଡ ସାଲି ଲାଇଟହାଉସ କ୍ରାବ, ରେଡ ଆଇ କ୍ରାବ,ଫିଡଲର କ୍ରାବ, ହର୍ମିଟ କ୍ରାବ, ଘୋଷ୍ଟ କ୍ରାବ ଇତ୍ୟାଦି । ସମୁଦ୍ରରେ ଅଛନ୍ତି ଅନେକ ପ୍ରକାରର ଗେଣ୍ଡା, ଶାମୁକା ବା ଶଂଖ ଜାତୀୟ ପ୍ରାଣୀ । ସେମାନଙ୍କର କେତେ ଯେ ଆକାର । କିଏ ବିରାଟ ଶଂଖ ହେଲାଣି ତ କିଏ ଛୋଟ କଉଡିର ଆକାର ଧାରଣ କରି ସାରିଲାଣି । କିଏ ଏକ କୋନ କେକ ଭଳି ମୋଡି ମୋଡି ହୋଇ ଗୋଜିଆ ହୋଇଯାଇଛି । କାହାକୁ ଆମେ ଟର୍ବାନ ସେଲ ବା ହେଲମେଟ ସେଲ କହିବା ତ କାହାକୁ କାହିବା ଜ୍ୟାଣ୍ଟ କାମ ସେଲ । (କ୍ରମଶଃ)
                                                            ଭୁବନେଶ୍ୱର