ଚିହ୍ନଟ ହେଉନାହାନ୍ତି ନକଲି ଡ଼ାକ୍ତର

ରାଜ୍ୟରେ ନକଲି ଡ଼ାକ୍ତରମାନଙ୍କୁ ଚିହ୍ନଟ କରିବା କ୍ଷେତ୍ରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରରେ ଆଣ୍ଟି କ୍ୱାକରୀ ସେଲ୍ ଗଠନ କରାଯାଇଛି । କିଛି ମାସ ପୂର୍ବେ ବଲାଙ୍ଗିର, ବ୍ରହ୍ମପୁର ଏବଂ ରାଉରକେଲାରୁ ନକଲି ଡ଼ାକ୍ତର ଧରାପଡ଼ିବା ପରେ ନକଲି ଡ଼ାକ୍ତରଙ୍କ ଚିହ୍ନଟ ନିମିତ୍ତ ସରକାର ଚେଷ୍ଟା କରି ଆସିଛନ୍ତି । ହେଲେ ଏପର୍ଯ୍ୟନ୍ତ ନକଲି ଡ଼ାକ୍ତରଙ୍କୁ ଚିହ୍ନଟ କରି ବାହାର କରାଯାଇପାରିନାହିଁ । ନକଲି ଡ଼ାକ୍ତରମାନେ ସରକାରୀ ଚାକିରି କିମ୍ବା ଘରୋଇ କ୍ଲିନିକ୍ ଖୋଲି ସ୍ୱାସ୍ଥ୍ୟସେବାରେ ନିମଜ୍ଜିତ ରହିଛନ୍ତି । କେବଳ ଏଲୋପ୍ୟାଥିକ୍ ନୁହେଁ ହୋମିଓପ୍ୟାଥି ଓ ଆର୍ୟୁବେଦ ଭଳି ଅନେକ ପ୍ରକାରର ଡ଼ାକ୍ତରମାନେ ଏହି ବୃତ୍ତିରେ ଅଛନ୍ତି । ସେମାନଙ୍କ ସାର୍ଟିଫିକେଟ୍ ଯାଞ୍ଚ୍ କରିବା ସମ୍ଭବ ହେଉନାହିଁ । ଏ କ୍ଷେତ୍ରରେ ସରକାର ଗଠନ କରିଥିବା ଆଣ୍ଟି କ୍ୱାକରୀ ସେଲ୍ ଏ ପର୍ଯ୍ୟନ୍ତ ନକଲି ଡ଼ାକ୍ତରଙ୍କୁ ଚିହ୍ନଟ କରିପାରିନାହିଁ; ବରଂ ନକଲି ଚ୍ଛାକ୍ତରଙ୍କ ପାଖକୁ ଯାଉଥିବା ରୋଗୀମାନେ ସେମାନଙ୍କୁ ଚିହ୍ନଟ କରି ପୁଲିସ୍କୁ ଖବର ଦେଇଛନ୍ତି । 
୨୦୧୯ ମସିହାରେ ଓଡିଶା ଉଚ୍ଚ ନ୍ୟାୟାଳୟ ରାଜ୍ୟରେ କ୍ୱାକରୀ ସେଲ୍ ଗଠନ କରି ନକଲି ଡ଼ାକ୍ତର ଚିହ୍ନଟ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ଏ କ୍ଷେତ୍ରରେ ସବୁଠାରୁ ବଡ଼ ଅସୁବିଧା ହେଉଛି ଆଣ୍ଟି କ୍ୱାକରୀ ସେଲ୍ ଓ ସାଧାରଣ ଜନତାଙ୍କ ମଧ୍ୟରେ ଦୂରତା ବହୁତ ଅଧିକ । ଦୁର୍ନୀତି କ୍ଷେତ୍ରରେ ଅଭିଯୋଗ କରିବା ପାଇଁ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନମ୍ବର ଜାରି ହେଲା ଭଳି ଆଣ୍ଟି କ୍ୱାକରୀ ସେଲ୍ ପକ୍ଷରୁ କୌଣସି ସ୍ୱତନ୍ତ୍ର ନମ୍ବର୍ ଜାରି ହୋଇନାହିଁ । ତେଣୁ କୌଣସି ଜଣେ ଡ଼ାକ୍ତରଙ୍କର କାର୍ଯ୍ୟକଳାପ ଉପରେ ଲୋକଙ୍କର ସନେ୍ଦହ ହେଲେ ସେମାନେ କାହାକୁ ଜଣାଇବେ, ସେ ପ୍ରସଙ୍ଗରେ ଅନ୍ଧାରରେ ରହୁଛନ୍ତି । 
ବର୍ତ୍ତମାନ ରାଜ୍ୟରେ ବହୁ ସଂଖ୍ୟାରେ ନକଲି ଡ଼ାକ୍ତର ଝାରଖଣ୍ଡ ଓ ପଶ୍ଚିମବଙ୍ଗରୁ ଆସିଥିବା ଅଭିଯୋଗ ହେଉଛି । ଏମାନଙ୍କ ମଧ୍ୟରୁ ଅନେକ ସିଧାସଳଖ ରୋଗୀ ଚିକିତ୍ସା କରୁଛନ୍ତି ଏବଂ ଆଉ କିଛି ବିଭିନ୍ନ ଔଷଧ ଦୋକାନ ସହିତ ଯୋଡ଼ି ହୋଇ ଔଷଧ ବିକ୍ରିର ସହାୟତା କରୁଛନ୍ତି । ଏମାନଙ୍କର ସାର୍ଟିଫିକେଟ୍ ଯାଞ୍ଚ୍ କରିବା ଏତେ ସହଜ ନୁହେଁ । ତେବେ ବିଶେଷ ଭାବେ ଅନ୍ୟ ରାଜ୍ୟରୁ ଆସି ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ବୃତ୍ତିରେ ସଂପୃକ୍ତ ଥିବା ନକଲି ଡ଼ାକ୍ତରମାନେ ଦୀର୍ଘ ବର୍ଷର ବୃତ୍ତିଗତ ଜୀବନ ପରେ ହିଁ ଧରାପଡୁଛନ୍ତି, ପ୍ରଥମରୁ ଧରା ପଡୁନାହାନ୍ତି । ଆଣ୍ଟି କ୍ୱାକରୀ ସେଲ୍ ସହିତ ଯୋଗାଯୋଗ କରିବା ପାଇଁ ସ୍ୱତନ୍ତ୍ର ଭାବରେ ଏକ ଟୋଲ୍ ଫ୍ରି ନମ୍ବରର ଆବଶ୍ୟତା ରହିଛି । ଡ଼ାକ୍ତରୀ ଶିକ୍ଷାଗତ ବୈଧ ପ୍ରମାଣପତ୍ର ନଥାଇ ହୋମିଓପ୍ୟାଥି ଚିକିତ୍ସା କ୍ଷେତ୍ରରେ ବହୁ ବ୍ୟକ୍ତି ସମ୍ପୃକ୍ତ ଥିବା ଅଭିଯୋଗ ହୁଏ, କିନ୍ତୁ ଲୋକଙ୍କର ଅଭିଯୋଗ ଆଣ୍ଟି କ୍ୱାକରୀ ସେଲ୍ ସହିତ ସମ୍ପର୍କିତ ହେବାରେ ଅନେକ ଅସୁବିଧା ସୃଷ୍ଟି ହେଉଛି । ଆଣ୍ଟି କ୍ୱାକରୀ ସେଲ୍ ଗଠନ କ୍ଷେତ୍ରରେ ଜିଲ୍ଲାପାଳ, ଏସ୍ପି, ସିଡ଼ିଏମ୍ଓ, ଜିଲ୍ଲା ନ୍ୟାୟିକ ସେବା ପ୍ରାଧିକରଣ, ଆଇଏମ୍ଏର ପ୍ରତିନିଧି ରହିବେ ବୋଲି ନିଦେ୍ର୍ଦଶ ରହିଛି । ତେବେ ଏହି ସଦସ୍ୟମାନେ କେହି ବି ସାଧାରଣ ଲୋକଙ୍କର ହାତପାହାନ୍ତାରେ ନାହାନ୍ତି । ଏମାନଙ୍କ ପାଖକୁ ଯିବାକୁ ଅନେକ ସମୟରେ ଲୋକମାନେ ସଙ୍କୋଚବୋଧ କରନ୍ତି । ତେଣୁ ଏଭଳି ଏକ ସେଲ୍ ଗଠନ କରାଯାଉଥିଲେ ମଧ୍ୟ ଏହାର ପ୍ରକୃତ ସୁଫଳ ଏତେ ସହଜରେ ମିଳୁନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଆଣ୍ଟି କ୍ୱାକରୀ ସେଲ୍ ନିକଟରେ ରାଜ୍ୟରେ ନକଲି ଡ଼ାକ୍ତର ଥିବାର ତାଲିକା ମଧ୍ୟ ନାହିଁ । ଯେଉଁସବୁ କ୍ଷେତ୍ରରେ ନକଲି ଡ଼ାକ୍ତର ଧରା ପଡ଼ିଛନ୍ତି ବା ଧରା ପଡୁଛନ୍ତି ସେସବୁ ଗୁଡ଼ିକ ରୋଗୀ କିମ୍ବା ସାଧାରଣ ଲୋକଙ୍କ ଅଭିଯୋଗ ଆଧାରରେ ହୋଇଛି । ନକଲି ଡ଼ାକ୍ତରୀ ବୃତ୍ତିକୁ କ୍ୱାକ୍ ବୃତ୍ତି ଭାବରେ ଚିହ୍ନଟ କରାଯାଇଛି । ଏଥିରେ ନିଜ ଜୀବନ ସହିତ ଖେଳ ଖେଳିବା ଭଳି କାର୍ଯ୍ୟ କରାଯାଉଥିବାରୁ ଏ ପ୍ରକାରର ଡ଼ାକ୍ତରମାନଙ୍କୁ ଚିହ୍ନଟ କରାଗଲେ କଠୋରରୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବାର ଆବଶ୍ୟକତା ରହିଛି ।