ଜାତୀୟତାର ମହାନ କବି ବୀରକିଶୋର (୩)
ବୀର କିଶୋର ଦେଶ ଭକ୍ତିର କବି ହେଲେ ହେଁ ସ୍ୱାଧୀନତା ପ୍ରାପ୍ତି ପରେ ସେ ଶିଶୁ ସାହିତ୍ୟ ରଚନାରେ ମନୋନିବେଶ କରିଥିଲେ । ଶିଶୁମାନଙ୍କ ପାଇଁ ଅନେକ ଶିକ୍ଷଣୀୟ କବିତା, ପୁସ୍ତକ ରଚନା କରିବା ସାଙ୍ଗକୁ ‘ମୋ’ଦେଶ’ ନାମକ ପ୍ରେସ ବସାଇ ଶିଶୁମାନଙ୍କ ବୋ÷ଦ୍ଧିକ ବିକାଶ ପାଇଁ ‘ମୋ ଦେଶ’ ଶିଶୁ ପତ୍ରିକା ସେ ପ୍ରକାଶ କରିଥିଲେ । ସେ ଅନୁଭବ କରିଥିଲେ ଶିଶୁ ହସିଲେ ଏ ଦୁନିଆଁ ହସିବ । କାରଣ ସେହିମାନେ ହିଁ ଦେଶର ଭବିଷ୍ୟତ ନାଗରିକ । ଧୂଳି ମଧ୍ୟରେ ମାଣିକ୍ୟ ଲୁଚି ରହିଥିବା ପରି ଶିଶୁମାନଙ୍କ ମଧ୍ୟରେ ଅସୀମ ଶକ୍ତି ଲୁଚି ରହିଥାଏ । ସେମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଇପାରିଲେ ସେମାନଙ୍କ ଜୀବନ ବିକାଶ ସମ୍ଭବ ହୋଇଥାଏ । ଗାଁର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋହର । ମା’ କଥା ଯେମିତି ମଧୁର, ମା ହାତରନ୍ଧା ବି ସେମିତି ସୁଆଦିଆ; ମା’ର ପଣତ ତା ପାଇଁ ସବୁଠୁ ଅଧିକ ନିର୍ଭୟ ଆଶ୍ରୟ ସ୍ଥଳ । ସେ ଯାହା କହେ ପିଲା ପାଇଁ ତାହା ଆଶୀର୍ବାଦ ପାଲଟିଯାଏ । ସନ୍ତାନ ପାଇଁ ସେ ସଫଳତାର ଏକ ଚିରସ୍ରୋତା ବୈତରଣୀ । କବି କଲମରେ ଫୁଟି ଉଠିଥିବା ସେଇ ମାଟି ମାର ମମତା ଭରା ଆକର୍ଷଣର ଏକ ମନଛୁଆଁ ଗୀତ ହୋଇଛି-
“ଯେତେ ଡାକ ଅଛି ଦୁନିଆ ଭିତରେ
ମାଆ ଭାବ ବେଶି ମିଠା
ଯେତେ ପିଠା ହୁଏ ସୁଆଦିଆ ଲାଗେ
ସବୁଠୁ କାକରା ପିଠା ।”
(ସବୁଠୁ ମିଠା)
ପୋ÷ରାଣି କଥା, ନୀତି ଉପଦେଶ, ଧାର୍ମିକ ପ୍ରବଚନ ଓ ଭକ୍ତି ସଙ୍ଗୀତ ଚପଳମତି ଶିଶୁମାନଙ୍କ ମନରେ ଈଶ୍ୱର ବିଶ୍ୱାସ ଜାତ କରେ । ଗଭୀର ଈଶ୍ୱର ବିଶ୍ୱାସ ହିଁ ଶିଶୁ ଜୀବନକୁ ପବିତ୍ର କରି ଗଢ଼େ । ସତ୍ୟ ଓ ଧର୍ମ ପଥରେ ଯିବା ପାଇଁ ସଂକଳ୍ପବଦ୍ଧ ହେଲେ ଶିଶୁ ଚାରିତ୍ରିକ ଶୁଦ୍ଧତା ଆଜିଥାଏ । ସତ୍ୟ କହିବା ପାଇଁ ତାକୁ ପିଲା ଦିନରୁ ଶିକ୍ଷାଦେଲେ ସେ ତା’ର ଉତ୍ତର ଜୀବନରେ ସତ୍ୟବାଦୀ ହୁଏ । ତେଣୁ କବିଙ୍କ ଲେଖନୀ ନିଃସୃତ ପଂକ୍ତି ହେଉଛି-
“ଯାହା ମୁଁ ଦେଖଇ ଯାହା ମୁଁ ଶୁଣଇ
ଯାହା ମୁଁ ଭାବଇ ମନେ
କରେ ଯାହା ମୁହିଁ ଲୁଚାଇବି ନାହିଁ
ନକହିବି କଥା ଭିନେ ।
ସତ ମୁଁ କହିବି କେବେ ନ ଭୁଲିବି
ସତ ମୋ ଜୀବନ ସାଥୀ,
ସତ ସିଏ କୁହେ ଶାନ୍ତିରେ ସେ ରୁହେ
ସୁଖେ କାଟେ ଦିନରାତି ।”
(ସତ୍ୟର ଜୟ)
‘ମୋ ଦେଶ’ କବିତାଟି ସେ ଓଡ଼ିଶାର ଶ୍ରେଷ୍ଠତ୍ୱ ଓ ମହତ୍ତ୍ୱ ପ୍ରତିପାଦନ କରିବା ଉଦେ୍ଦଶ୍ୟରେ ରଚନା କରିଥିବା ମନେ ହୁଏ । ନିଜ ଜନ୍ମଭୂମିର ବୀର କଥା ସେ ଶୁଣାଇଛନ୍ତି ଜଗତବାସୀଙ୍କୁ । ଜନନୀ ଓ ଜନ୍ମଭୂମି ପ୍ରତି ସମସ୍ତଙ୍କର ସ୍ନେହ ଭକ୍ତି, ଆନ୍ତରିକତା ଏବଂ ଆକର୍ଷଣ ଭାବ ଥାଏ । ଜନ୍ମମାଟିରେ ପାଦ ଥାପି ଚାଲିଲା ବେଳେ ମଣିଷ ସବୁ କିଛି ଭୁଲିଯାଏ, ଭାବ ବିହ୍ୱଳ ଓ ତନ୍ମୟ ହୋଇପଡେ । ଗ୍ରାମ୍ୟ ଜୀବନର ଶୋଭା ରାଶି ମଣିଷ ହୃଦୟରେ ଆଲୋକିକ ଆନନ୍ଦ ଦିଏ । ଘଞ୍ଚ ବନାନୀର ମୃଦୁମନ୍ଦ ଧ୍ୱନି କୋକିଳର କୁହୁ କୁହୁ କୁଜନ, ଅଙ୍କାବଙ୍କା ଗ୍ରାମ୍ୟ ନଦୀର କୁଳୁ କୁଳୁ ନିନାଦନ, ବନଫୁଲର ସୁରଭିତ ଗନ୍ଧ ଜନମନ ହରଣ କରେ । ଶିଶୁ ପ୍ରାଣ ପ୍ରକୃତିର ଏହି ଶୋଭାରେ ଆତ୍ମହରା ହୋଇଯାଏ ଏବଂ ପ୍ରକୃତ ସହିତ ପ୍ରାଣ ମିଳେଇ ଗୀତ ଗାଏ । ମୋ ଗାଆଁ କବିତାରେ କବି ପ୍ରକୃତିର ଏହି ଦୃଶ୍ୟରାଜିକୁ ସୃଜିବାକୁ ଯାଇ କହନ୍ତି-
“ଜନନୀ ଜନମଭୂଇଁ ଏଇ ମୋର ଗାଆଁ
ମହୁରୁ ମଧୁର ଲାଗେ ମୋତେ ତାର ନାଆଁ ।
ଛାତିରେ ପକାଇଯାଇ କେତେ ଧୂଳିବାଲି
କୋଡ଼ରେ କିଚାବି ଗୋଡ଼ ରଖିଲି ମୁଁ ଚାଲି ।
(ମୋ ଗାଆଁ)
ଶିଶୁ ସୁସ୍ଥ ସବଳ ସତେଜ ଆଉ ସୁନ୍ଦର ଜୀବନ ନେଇ ବଞ୍ଚô ରହିଲେ ଆଗାମୀ ଦିନରେ ଯିଏ ବିଚକ୍ଷଣ ସାହସୀ, ଦେଶ ଭକ୍ତ ନାଗରିକ ହେବ । ତେଣୁ କବି ଅଗଣିତ ଶିଶୁଙ୍କୁ ରୋଗ ଦୁଃଖରୁ ରକ୍ଷା ପାଇବା ପାଇଁ ଦୈନନ୍ଦିନ ଅଭ୍ୟାସ ଦ୍ୱାରା ପରିସ୍କାର ପରିଚ୍ଛନ୍ନ ରହିବାକୁ ଚେତାଇ ଦେଇଛନ୍ତି ।
“ସକାଳୁ ଉଠି ମୁଁ ଘଷିବି ଦାନ୍ତ
ଖାଇବା ଆଗରୁ ଧୋଇବି ହାତ
ବଢ଼ାଇବି ନାହିଁ ନଖ ମୋହର
ନଖର ମଇଳା ରୋଗର ଘର
ଆସନ ଉପରେ ଖୁସିରେ ବସି
ମାଆ ଯାହା ଦେବେ ଖାଇବି ହସି ।”
(ପରିଷ୍କାର ପରିଚ୍ଛନ୍ନତା)
ସମୟାନୁବର୍ତ୍ତିତା ହେଉଛି ଜୀବନରେ ସବୁଠାରୁ ଏକ ଭଲ, ମହତଗୁଣ । ଏହାକୁ ବ୍ରତ ମନେ କରି ନିଷ୍ଠାର ସହିତ ଜୀବନର ସକଳ ଲକ୍ଷ୍ୟ ବା ଉଦେ୍ଦଶ୍ୟକୁ ସମୟାନୁଯାୟୀ ସଙ୍ଗଠିତ କରିପାରିଲେ ତାହା ମନୋଜ୍ଞ ଏବଂ ଉପାଦେୟ ହୋଇ ଉଠେ । ତେଣୁ ନିତିଦିନିଆ ଜୀବନରେ ଏଇ ସୁନ୍ଦର ଅଭ୍ୟାସ ଦ୍ୱାରା ଆମେ କାର୍ଯ୍ୟରେ ସୁଫଳ ଭୋଗ କରିପାରିବା । ଏ ପରିପ୍ରେକ୍ଷୀରେ କବି କହନ୍ତି-
“ଘଡି କହେ ଟିକ ଟିକ୍ ଟିକ୍
ଠିକ୍ ବେଳେ କାମ କଲେ ସବୁ ହେବ ଠିକ୍
ଶେଯରୁ ଉଠ ଠିକ୍ ବେଳେ
ଠିକ ବେଳେ ଶୁଅ
ଗାଧୋଇ ସାରି ଠିକ୍ ବେଳେ
ଯାହା ମିଳେ ଖାଅ
ଇସ୍କୁଲକୁ ହସି ହସି
ବହି ଧରି ଯାଅ ।
(ଘଡି କହେ ଟିକ୍ ଟିକ୍)
ପୁସ୍ତକ ଅଧ୍ୟୟନର ଉଜ୍ଜ୍ୱଳ ଦିଗଟିକୁ ଆକୃଷ୍ଟ କରିବା ସଙ୍ଗେ ଜୀବନରେ ମହତ ହେବାକୁ କବିଙ୍କର ଲେଖା ଅଗଣିତ ଶିଶୁ କଣ୍ଠରେ ଝଙ୍କୃତ ହୋଇ ଉଠେ । କାରଣ ଶିକ୍ଷା ହୃଦୟକୁ ବିଶୁଦ୍ଧ କରିବା ସହିତ ଉତ୍ତର ମାର୍ଗ ପ୍ରଦର୍ଶନ କରିଥାଏ । ଏଥି ସହିତ ସାରା ଦୁନିଆଟା ଗୋଟିଏ ପରିବାର, ସ୍ନେହ, ମୈତ୍ରୀ ଆଉ ସଦ୍ଭାବନା ନେଇ କାର୍ଯ୍ୟ କରିବାକୁ ଶିଶୁର ମନରେ ଭରି ଦେଇଛନ୍ତି କେତେ କୋ÷ତୁକିଆ ସଙ୍ଗୀତ-
“ଦୁନିଆର ପିଲା ଆମର ସାଥି
ବିଶ୍ୱ ହିତେ ଯାଉ ଜୀବନ ବିତି ।
(ଅଗଷ୍ଟ ପନ୍ଦର)
‘ସବୁଠୁ ଭଲ’ କବିତାରେ ସୂର୍ଯ୍ୟ, ଜହ୍ନ, ତାରା, ମେଘ, ପାହାଡ, ବର୍ଷା, ପାଚିଲାଧାନ ପ୍ରଭୃତି ପ୍ରକୃତିର ଶୋଭା ବର୍ଣ୍ଣନା କରିବା ସଙ୍ଗେ କବି ଜନ୍ମ ମାଟି, ଦେଶ ଜାତିର ଟେକ ଓ ପତାକାର ମଧ୍ୟ ବର୍ଣ୍ଣନା କରିଛନ୍ତି । ତାଙ୍କ ଲେଖନୀ ନିଃସୃତ ପଂକ୍ତିଟିଏ ଦ୍ରଷ୍ଟବ୍ୟ-
“ସବୁଠୁ ଭଲ ଦେଶଟି ମୋର
ନ ହେବେ ସାରି କେହି,
ଉଡୁଚି ନିତି ପତାକା ମୋର
ସବୁଠୁ ଉଚ୍ଚେ ରହି ।
(‘ମୋ ଦେଶ’, ନଭେମ୍ବର ୧୯୬୮)
‘ମୋ ଦେହ’ କବିତାରେ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ଦ୍ୱାରା ଆମେ କପରି ଓ କେଉଁ କାର୍ଯ୍ୟକରି ପାରୁଛନ୍ତି ଅତି ସୁନ୍ଦର ଓ ନିକ୍ଷୁଣ ଭାବେ କବି ବର୍ଣ୍ଣନା କରିଛନ୍ତି । ଉଦାହରଣତଃ-
ଦୁଇଟି ମୋର ହାତ
ଦିହିଁକି ବାହେଁ ଖଟନ୍ତି ବୋଲି
ମିଳଇ ମୋତେ ଭାତ ।
ଏଇତ ମୋର ନାକ
ଯିବା ଆସିବା କରେ ପବନ
ଏଠି ଜୀବନ ଯାକ ।
(ମୋ ଦେଶ, ଜୁଲାଇ, ୧୯୬୯)
ରାହା ଧରି କାନ୍ଦୁଥିବା ଶିଶୁର ଅବୁଝା ମନକୁ ଶାନ୍ତି କରିବା ପାଇଁ ସେ କେତେକ ମନ ମତାଣିଆ ଗୀତ ଲେଖିଥିଲେ । ଡାକ କବିତା ହେଉଛି ତନ୍ମଧ୍ୟରେ ଅନ୍ୟତମ । ଏଥିରେ କବି ବିଭିନ୍ନ ପଶୁ, ପକ୍ଷୀଙ୍କ ଡାକିବା କଥା ବର୍ଣ୍ଣନା କରିବା ସଙ୍ଗେ ବୋଉ ଡାଲି ବଘାରିବା ପେଁକାଳି ବାଜିବା ଓ କୁନି ଝିଅକୁ ଭୋକ ହେଲା ବେଳର ଶବଦ ବା ଡାକ କଥା ଅତି ସୁନ୍ଦର ଭାବେ ପିଲାଙ୍କ ମନକୁ ଛୁଇଁବା ଭଳି ବର୍ଣ୍ଣନା କରିଛନ୍ତି ।
ଉଦାହରଣତଃ-
କାଉ ଡାକେ କାଆ କାଆ
କୋଇଲି ଡାକେ କୂ
ବେଳ ବୁଡିଲେ ବିଲୁଆ ଡାକେ
ହୁକେ ହୁକେ ହୁ ।
ଗାଈ ଡାକେ ହମା ହମା
ଛେଳି ଅଡ଼ଇ ମେଁ
ହନୁମାଙ୍କଡ଼ ଖିଙ୍କାରି ହୁଏ
ଘୋଡା ହେଁ ହେଁ ।
(ମୋ ଦେଶ, ଅଗଷ୍ଟ ୧୯୬୯)
କବି ଶିଶୁମାନଙ୍କ ସହିତ ଏକାତ୍ମ ହୋଇ ନାନା ଘାତ ପ୍ରତିଘାତ ମଧ୍ୟରେ ସେମାନଙ୍କ ଗହଣରେ ହସି ହସାଉଥିଲେ । ସେମାନଙ୍କର ମନ ନିଷ୍ପାପ, ନିର୍ମଳ, ଉଦାର ଆଉ ସରଳ । ତାଙ୍କର ଜଗତ ବିଶାଳ, ହୃଦୟ ମହାନ । ତେଣୁ ସେମାନଙ୍କର ମୁକ୍ତି ଆଉ କଲ୍ୟାଣ ପାଇଁ ସର୍ବଥା ବ୍ୟାକୁଳ ହୋଇ ଉଠୁଥିଲେ । ସର୍ବୋପରି ତାଙ୍କର ନିରବବିଚ୍ଛିନ୍ନ ସାଧନାର ଫଳ ସ୍ୱରୂପ ଆଧୁନିକ ଓଡ଼ିଆ ସାହିତ୍ୟ ବୈଚିତ୍ର୍ୟମୟ ହେବା ସଙ୍ଗେ ବେଶ ବ୍ୟାପକ ହୋଇପାରିଛି । ବିପ୍ଲବର ସେ ପ୍ରଳୟ କାହାଣୀ ତାଙ୍କର ବିପ୍ଳବୀ ଜୀବନ ମଧ୍ୟରେ ସୃଷ୍ଟି ହୋଇଥିଲା ଗୋଟିଏ ପରେ ଗୋଟିଏ କାଳଜୟୀ ସୃଷ୍ଟି । ବହୁ ଝଡ଼ ଝଞ୍ଜା ମଧ୍ୟରେ ଜୀବନ ନିର୍ବାହ କରୁଥିଲେ ମଧ୍ୟ ସାହିତ୍ୟ ସାଧନାରୁ କେତେ ବିଚୁ୍ୟତ ହୋଇନଥିଲେ । ତେଣୁ ତାଙ୍କ ଲେଖନୀ ନିଃସୃତି ପଂକ୍ତି ହେଉଛି- “ମୁଁ କବିତାକୁ ଭଲ ପାଏ । କବିତା ମତେ ଭଲ ପାଏ । ଋଶିଶୃଙ୍ଗ ମୁନିଙ୍କୁ ଜରତା ଛଡାଇ ଆଣିଲା ପରି ସ୍ୱାଧୀନତା ମତେ ଭୁଲାଇ ଆଣିଥିଲା ।
ମୁଁ ସ୍ୱାଧୀନତାକୁ ମନେ ମନେ ଅନୁଭବ ପରିଥିଲି ଏବଂ ସ୍ୱାଧୀନତାର ପବିତ୍ର ବହ୍ନିରେ ଝାସ ଦେଇଥିଲି । ଏଇ କବିତା ଲାଗି ଥରକୁ ଥର ଜେଲ ଗଲି । ତଥାପି କବିତା ଆଉ ମୋ ଭିତରେ ଯେଉଁ ନିବିଡ ସଂପର୍କ ତାହା ତୁଟିଲା ନାହିଁ ବରଂ ଅଧିକ ଶକ୍ତି ହୋଇଛି ।
(ସମର ଯୁଗର ଅମର ସଙ୍ଗୀତ, ଉତ୍ସର୍ଗ ପତ୍ର)
ସେ ପ୍ରଥମେ କଟକ ଲୋକାଲ ବୋର୍ଡର ଭାଇସ ଚେୟାରମ୍ୟାନ ହୋଇଥିଲେ ପରେ ଚେୟାରମ୍ୟାନ ହୋଇ ପାରିଥିଲେ । ୧୯୫୯ ମସିହାରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ସେ ନିର୍ବାଚିତ ହୋଇଥିଲେ । ପାଠ୍ୟ ପୁସ୍ତକ ଜାତୀୟ କରଣ କମିଟିର ସଂପାଦକ ଥିଲା ବେଳେ ଅନେକ ଜନ ହିତକର କାର୍ଯ୍ୟ କରିବା ସାଙ୍ଗକୁ ପିଲାଙ୍କ ନିମନ୍ତେ ସେ ୨ଟି ବହି ଲେଖିଥିଲେ । ସେ ହେଲା (୧) ମୋ ଛବି ବହି ଓ ନୂଆ ଛବି ବହି । ଶିଶୁ କଲ୍ୟାଣ ଉଦେ୍ଦଶ୍ୟରେ ମାସିକ ଶିଶୁ ପତ୍ରିକା ‘ମୋ ଦେଶ’ ସେ ପ୍ରକାଶ କରୁଥିଲେ । ୧୯୫୪ ମସିହାରେ ଶିଶୁ ସଂପାଦକ ସେ ସଙ୍କଳନ କରିଥିଲେ । ଜାତୀୟ ଉଦ୍ଦୀପନା ସୃଷ୍ଟି କରିଥିବାରୁ ସେ ଜାତୀୟ କବି ଭାବରେ ସବୁଠି ପରିଚିତ ଥିଲେ । ଋଷି ପ୍ରତମ ବୀର କିଶୋର ମହାନ୍ତିଙ୍କ ଜୀବନ ଦର୍ଶନ ଓ କାର୍ଯ୍ୟ ସହିତ ସ୍ୱର ମିଳାଇଥିଲେ । ତାଙ୍କ କବିତା ଗୁଡିକ ସଞ୍ଜୀବନୀ ମନ୍ତ୍ର ସଦୃଶ ଥିଲା । ସଂପୂର୍ଣ୍ଣ ତ୍ୟାଗ ଭାବନାର ଫଳସ୍ୱରୂପ ସେ ଜୀବନକୁ ତିଳତିଳ କରି ଜାଳି ଦେଇଥିଲେ ବାରମ୍ବାର କାରାବରଣ କରି । ସେ ମାନବ ମଧ୍ୟରେ ଦେବତାର ଦର୍ଶନ କରିଥିଲେ । ତେଣୁ ତାଙ୍କ ଲେଖନୀ ନିଃସୃତ ପଂକ୍ତି ହେଉଛି-
“ଯେତେ ଅହଂକାର ଅଛି ମୋର ହରି,
ହରି ନିଅ ଏହି ପ୍ରାର୍ଥନା
ଦେହର ମୁକତି ଲୋଡା ନାହିଁ ମୋର
ଦେଶର ମୁକତି ବାସନା (ଘୋଷା)
ଦେଶ ଲାଗି କରେ ନିତି କିଛି କାମ
ନା ଖୋଜେ ସମ୍ମାନ ନା ଖୋଜେ ନାମ
ଜୀବ ସେବାରେ ମୋ ଦିନ କଟିଯାଉ
ଶିବମୟ ହେଉ ଭାବନା ହରି-ହେ ।
(ଭକ୍ତି ଗୀତିକା)
ଏ କବିତା ଗୁଡିକ କାଳଜୟୀ, କାଳକାଳକୁ ଓଡ଼ିଆ ପ୍ରାଣକୁ ଅନୁପ୍ରାଣିତ କରିବା ସଙ୍ଗେ ଏହା ଜାତୀୟ ଜୀବନର ଉତ୍ସ ହୋଇ ରହିବ ।
ଡ. ମହତାବ ବିପୁଳ ମିଳନ ଉତ୍ସବମାନଙ୍କରେ ଜାତୀୟ କବିଙ୍କୁ ସମ୍ମାନିତ କରିଥିଲେ । ତାଙ୍କ ସମ୍ମାନାର୍ଥେ କଟକର ଓ.ଏମ୍.ପି. ଛକ ଠାରେ ଏକ ସରକାରୀ କଲେଜକୁ ଜାତୀୟ କବି ବୀରକିଶୋର କଲେଜ ନାମରେ ନାମିତ କରାଯିବା ସାଙ୍ଗକୁ ତାଙ୍କ ଗ୍ରାମ ପୁନଙ୍ଗ ଚାରିପୋଲିଆଠାରେ ଜାତୀୟ କବି ଉଦ୍ୟାନ ପ୍ରତିଷ୍ଠା କରାଯାଇଛି । ୧୯୭୩ ମସିହା ଏପ୍ରିଲ ୨୮ ତାରିଖରେ ଭୁବନେଶ୍ୱର ବାପୁଜୀ ନଗର ଠାରେ ତାଙ୍କର ମହାପ୍ରୟାଣ ହୋଇଥିଲା । ସେ ଆଜି ନାହାନ୍ତି ସତ ହେଲେ ରଖି ଦେଇ ଯାଇଛନ୍ତି ଚିରନ୍ତନ ସ୍ମୃତି । ଓଡ଼ିଶାର ସ୍ୱାଧୀନତା ସଂଗ୍ରାମରେ ଓତପ୍ରୋତ ଭାବରେ ଜଡିତ ହୋଇ ବିଭିନ୍ନ ଜେଲରେ କାରାବରଣ କରିବା ସାଙ୍ଗକୁ ସେ ଦେଶାତ୍ମବୋଧକ ଗୀତ ଲେଖିବା ଓ ଶିଶୁ ପ୍ରାଣକୁ ଛୁଇଁଲା ଭଳି ରାଶି ରାଶି ରୁଚିିମୟ କବିତା ରଚନା କରି ଓଡ଼ିଆ ଶିଶୁ ସାହିତ୍ୟର ପ୍ରଚାର ପ୍ରସାର ଓ ଋଦ୍ଧିମନ୍ତ କରିବା ଦିଗରେ ପ୍ରାତଃସ୍ମରଣୀୟ ହୋଇ ରହି ରହିବେ ।
ଏମ.ଆଇ.ଜି. ୱାନ ୪୨/୧
ଚନ୍ଦ୍ରଶେଖରପୁର ହାଓସିଂ ବୋର୍ଡ କଲୋନୀ, ଭୁବନେଶ୍ୱର
ମୋ- ୯୧୭୮୯୦୮୭୬୩