ଆସ୍ଥା ଓ ବିଶ୍ୱାସର ସଙ୍ଗମ କୁମ୍ଭ
ସୌର ଚନ୍ଦ୍ର ମହାପାତ୍ର : ବିଶ୍ୱାସ ଯେଉଁଠି, ଭଗବାନଙ୍କ ସ୍ଥାନ ସେଇଠି । ସନାତନ ଧର୍ମର ଆସ୍ଥା ଓ ବିଶ୍ୱାସର ମହାକୁମ୍ଭ ପ୍ରୟାଗରାଜ କୁମ୍ଭ ମେଳା । ନିକଟରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନିୟମିତ ରେଡ଼ିଓ କାର୍ଯ୍ୟକ୍ରମ "ମନ୍ କି ବାତ'ରେ ମହାକୁମ୍ଭ ଓ ରାମ ଲାଲାଙ୍କ ବିଷୟରେ ଆଲୋକପାତ କରିଛନ୍ତି । ମୋଦିଜୀ ତାଙ୍କ ଅଭିଭାଷଣରେ କହିଛନ୍ତି ଏହା ସାମାଜିକ ସଦଭାବର ଏଭଳି ସଙ୍ଗମ ଯେଉଁଠାରେ ଭେଦଭାବ କିମ୍ବା ଜାତିବାଦ ନାହିଁ । କୁମ୍ଭ ମେଳା ହେଉଛି ବିବିଧତାରେ ଏକତାର ଉତ୍ସବ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଏହା ଗୋଟିଏ ସୂତ୍ରରେ ବାନ୍ଧି ରଖିଛି । ଏହି ପରମ୍ପରା ହଜାର ହଜାର ବର୍ଷର । ଏହାସହ ମୋଦିଜୀ ଜାନୁଆରୀ ୧୧ରେ ପୌଷ ଶୁକ୍ଳ ଦ୍ୱାଦଶରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ଏହି ଦିନ ଏବେ ପ୍ରତିଷ୍ଠା ଦ୍ୱାଦଶୀ ପାଲଟି ଯାଇଛି । ପ୍ରୟାଗରାଜର ମହାକୁମ୍ଭ ମେଳା ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଗଭୀର ଆଧ୍ୟାତ୍ମବାଦ ଏବଂ ସଂଗଠନାତ୍ମକ କ୍ଷମତାର ଏକ ଶାଶ୍ୱତ ପ୍ରତୀକ । ପୌରାଣିକ ଆଧାରରୁ ଆରମ୍ଭ କରି ଆଧୁନିକ ଆୟୋଜନ ପର୍ଯ୍ୟନ୍ତ, ଏହି ଉତ୍ସବ ଏକ ବୈଶ୍ୱିକ ମେଳାର ରୂପ ଧାରଣ କରିସାରିଛି । ବହୁ ଆହ୍ୱାନ ସତ୍ତ୍ୱେ, ଏହା କୋଟି କୋଟି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଶ୍ରଦ୍ଧା, ଭକ୍ତି ଏବଂ ଏକତାର ଭାବନାକୁ ପ୍ରେରିତ କରୁଛି । ମହାକୁମ୍ଭ ଭାରତର ଶତାବ୍ଦୀ ପ୍ରାଚୀନ ପରମ୍ପରାର ପ୍ରତୀକ, ଯାହା ଆମକୁ ବିଶ୍ୱାସର ଶକ୍ତି, ସାଂସ୍କୃତିକ ସଂରକ୍ଷଣର ମହ୍ୱ ମାନବିକତାର ମନ୍ତ୍ର ଶିଖାଇଥାଏ ।
ଭାରତର ଧାର୍ମିକ ଐତିହ୍ୟର ପ୍ରତୀକ, ସନାତନ ଧର୍ମର ଆସ୍ଥା ଓ ବିଶ୍ୱାସର ମହାପର୍ବ ମହାକୁମ୍ଭ ମେଳା । ଏହା ଏପରି ଏକ ଆୟୋଜନ ଯାହା ଆସ୍ଥା, ପରମ୍ପରା ଏବଂ ଆଧ୍ୟାତ୍ମିକତାର ପ୍ରତୀକ । ପ୍ରତି ବାର ବର୍ଷରେ ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୟିନୀ ଓ ନାସିକରେ ଆୟୋଜିତ ହୋଇଥାଏ କୁମ୍ଭ ମେଳା । ଦେବେ ମହାକୁମ୍ଭ ମେଳା ସ୍ୱତନ୍ତ୍ର, ଅନନ୍ୟ ଏବଂ ଅଦ୍ୱିତୀୟ । କାରଣ ୧୪୪ ବର୍ଷରେ ଥରେ ଆୟୋଜିତ ହୋଇଥାଏ ଏହି ଭବ୍ୟ ମେଳା । ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମରେ ଆୟୋଜିତ ହେଉଥିବାବେଳେ ଏହାର ଧାର୍ମିକ ଏବଂ ତାତ୍ତ୍ୱିକ ଗୁରୁତ୍ୱ ରହିଛି । ଚଳିତ ବର୍ଷ ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । କୁମ୍ଭ ମେଳା ସହିତ ବେଶ କିଛି ପୌରାଣିକ କାହାଣୀ ଜଡ଼ିତ । ବିଶେଷକରି ସମୁଦ୍ର ମନ୍ଥନ ଏବଂ ନଦୀଗୁଡ଼ିକର ପବିତ୍ରତା ସହିତ ଏହାର ସଂଯୋଗ ରହିଛି । କିନ୍ତୁ ଏହି ମେଳା ସହିତ "କୁମ୍ଭ' ଶବ୍ଦଟିର ସଂଯୋଗ କିପରି ହେଲା? ବେଦ ଓ ପୁରାଣ ଭଳି ପ୍ରାଚୀନ ଧର୍ମଗ୍ରନ୍ଥରେ ଏହାର କୌଣସି ଉଲ୍ଲେଖ ଅଛି କି? କୁମ୍ଭ ଶବ୍ଦଟି ବେଦର ବିଭିନ୍ନ ସ୍ଥାନରେ ଉଲ୍ଲେଖ କରାଯାଇଛି ଯାହା ଗୋଟିଏ ପାତ୍ର ବା ଜଳ ପ୍ରବାହର ପ୍ରତୀକ । ବେଦ ଅନୁସାରେ ଅମୃତ ମନ୍ଥନ ବା ହରିଦ୍ୱାର, ପ୍ରୟାଗରାଜ, ଉଜ୍ଜୟିନୀ ଏବଂ ନାସିକର କୁମ୍ଭ ଉତ୍ସବର କିମ୍ବଦନ୍ତୀ ସହିତ ଏହାର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ । ଋଗବେଦରେ ଇନ୍ଦ୍ରଦେବଙ୍କ ସଂପର୍କରେ ଗୋଟିଏ ସ୍ତୋତ୍ରରେ କୁମ୍ଭ ଶବ୍ଦଟି ଉଲ୍ଲେଖ କରାଯାଇଛି । ଋଗବେଦର ସେହି ସ୍ତୋତ୍ର ଅନୁସାରେ କୁମ୍ଭ ଏକ କଞ୍ଚା ମାଟିର ପାତ୍ରକୁ ବୁଝାଇଥାଏ ଏବଂ ଇନ୍ଦ୍ରଙ୍କୁ ଶତ୍ରୁ ବିନାଶକାରୀ ଏବଂ ଜଳ ସରବରାହକାରୀ ଭାବରେ ବର୍ଣ୍ଣନା କରାଯାଇଛି । କୁମ୍ଭ ମେଳା ବା ଆଚାରଗତ ସ୍ନାନର କୌଣସି ଉଲ୍ଲେଖ ଋଗ ବେଦରେ ନାହିଁ । ତେବେ ପୂର୍ଣ୍ଣ କୁମ୍ଭ ଶବ୍ଦଟି ପ୍ରଥମେ ଅଥର୍ବବେଦରେ ଉଲ୍ଲେଖ କରାଯାଇଥିଲା, ଯାହା ଋଗବେଦର ପ୍ରାୟ ୬୦୦ ବର୍ଷ ପରେ ଲିଖିତ ହୋଇଥିଲା । ଏହାର ଚତୁର୍ଥ ମଣ୍ଡଳର ୩୪ତମ ସ୍ତୋତ୍ରରେ ଉଲ୍ଲେଖ ଅଛି, ଏହା ସମୟର ଧାରଣାର ପ୍ରତୀକ । ଋଗବେଦର ଦଶମ ମଣ୍ଡଳରେ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର କଥା ମଧ୍ୟ ଉଲ୍ଲେଖ କରାଯାଇଛି ଯାହା ସେମାନଙ୍କ ଏକତ୍ରିତ ହେବାର ଇଙ୍ଗିତ ଦେଇଥାଏ । ଏହା ବ୍ୟତୀତ ମହାଭାରତ ଏବଂ ପୁରାଣରେ ପ୍ରୟାଗର ଉଲ୍ଲେଖ ଅଛି । କିନ୍ତୁ କୁମ୍ଭକୁ ମେଳା ବା ଉତ୍ସବ ଭାବରେ ସ୍ପଷ୍ଟ ଉଲ୍ଲେଖ ନାହିଁ । କୁମ୍ଭ ମେଳାର ପ୍ରାଥମିକ ଉଲ୍ଲେଖ ଭାରତୀୟ ପୌରାଣିକ କାହାଣୀରେ ଦେଖିବାକୁ ମିଳେ । ବିଶେଷକରି ସମୁଦ୍ର ମନ୍ଥନରୁ ପ୍ରାପ୍ତ ଅମୃତ କୁମ୍ଭ କଳସ କଥା ସହିତ ଏହ ଗଭୀର ଭାବେ ସମ୍ବନ୍ଧିତ । ସେହି କୁଣ୍ଡରୁ ଚାରିବୁନ୍ଦା ଅମୃତ ପୃଥିବୀ ପୃଷ୍ଠର ଯେଉଁ ଚାରୋଟି ସ୍ଥାନରେ ଭୂପତିତ ହୋଇଥିଲା ସେହି ସ୍ଥାନରେ ପ୍ରତି ବର୍ଷ ୧୨ ବର୍ଷରେ ପୂର୍ଣ୍ଣ କୁମ୍ଭ ମେଳା ଆୟୋଜିତ ହୋଇଆସୁଛି ।
ପ୍ରସିଦ୍ଧ ଦାର୍ଶନିକ ତଥା ଆଧ୍ୟାତ୍ମିକ ଗୁରୁ ଆଦି ଶଙ୍କରାଚାର୍ଯ୍ୟ ଅଷ୍ଟମ ଶତାବ୍ଦୀରେ ହିନ୍ଦୁ ତୀର୍ଥ ଯାତ୍ରାର ପରମ୍ପରାକୁ ଔପଚାରିକ ରୂପରେ ପ୍ରତିଷ୍ଠା କରିଥିଲେ । ସେ ଏକ ପରମ୍ପରା ଆରମ୍ଭ କରିଥିଲେ ଯେଉଁଥିରେ ସାଧୁ ସଂପ୍ରଦାୟ କୁମ୍ଭ ମେଳାରେ ଏକତ୍ରିତ ହେଉଥିଲେ ଏବଂ ଆଧ୍ୟାତ୍ମିକ ଚର୍ଚ୍ଚା ତଥା ଧାର୍ମିକ କାର୍ଯ୍ୟ କରୁଥିଲେ । ପୁଣି ୧୪୪ ବର୍ଷରେ ଥରେ ସମ୍ପୂର୍ଣ୍ଣ ତିଥି ବାର ନକ୍ଷତ୍ରର ମିଳନ ହୁଏ । ଏହାକୁ ଅମୃତ ମହାକୁମ୍ଭ କୁହାଯାଏ । ଆସ୍ଥା ଓ ବିଶ୍ୱାସର ସଙ୍ଗମ କୁମ୍ଭ । ତୀର୍ଥରାଜ ପ୍ରୟାଗରୁ ଆରମ୍ଭ କରିା ଆହ୍ଲାବାଦ ଏବଂ ବର୍ତ୍ତମାନର ପ୍ରୟାଗରାଜ ପର୍ଯ୍ୟନ୍ତ ମହାକୁମ୍ଭ ବିକାଶର ଗାଥା ଅସୀମ, ଅକଳ୍ପନୀୟ । ମହାକୁମ୍ଭ ମେଳା ଭାରତରେ ଏକ ଭବ୍ୟ ଧାର୍ମିକ ଆୟୋଜନ । ଏହି ଉତ୍ସବର ଐତିହାସିକ ଗୁରୁତ୍ୱ ଯେତିକି, ଆଧ୍ୟାତ୍ମକ ମହତ୍ୱ ବି ସେତିକି । ଏହାର ମୌଳିକତା ପ୍ରାଚୀନ ଭାରତୀୟ ଗ୍ରନ୍ଥରେ ସମାହିତ । କୋଟି କୋଟି ଶ୍ରଦ୍ଧାଳୁଙ୍କ ସମର୍ପିତ ମନୋଭାବରେ ସଙ୍ଗମ ନଗରୀର ମହାକୁମ୍ଭ ଏବେ ବିଶ୍ୱର ସବୁଠୁ ବଡ଼ ଧାର୍ମିକ ମେଳା । ଏହି ଆସ୍ଥା, ଭକ୍ତି, ବିଶ୍ୱାସର କୁମ୍ଭ ହିଁ ସନାତନର ଅମୃତ ଧାରାକୁ ଚିରନ୍ତନ ଭାବେ ଉଜ୍ଜୀବିତ ରଖି ଆସୁଥିବ ।