ଅଜଣା ଜଗତର ଡାକ

ଅଶୋକ ବିଶ୍ୱାଳ : ବାଲିରେ ଛୋଟ ଛୋଟ ଗେଣ୍ଡା, ଶାମୁକାମାନ ପଡିଥିଲା । କଚ୍ଛପଟି ଗଲାବେଳେ ସେସବୁ ଦବିଯାଉଥିଲା । କାଲି ସକାଳେ ସେମାନେ ଗୋଡ କାଢି ଚାଲିବେ । ଧୀରେ କଚ୍ଛପଟି ପାଣି ପାଖରେ ପହଞ୍ଚôଗଲା । କଚ୍ଛପର ଗଲାବେଳେ ଏକ ବଙ୍କା ଗୋଡଥିବା ବାମନ ମଣିଷ ହଲି ଦୋହଲି ଚାଲିଲା ଭଳି ଲାଗୁଥିଲା । ତା’ ଗତି ଏବେ ଆସିବା ଠାରୁ ଅଧିକା ଥିଲା । ମଝିରେ ସେ ବେଶି ଅଟକୁ ନଥିଲା । ପାଣି ବୋଧେ ସାମାନ୍ୟ ଚକଚକ ଲାଗୁଥିବ । କଚ୍ଛପଟି ସମାନ୍ୟ ଉଜ୍ଜ୍ୱଳ ଥିବା ଜିନିଷ ପ୍ରତି ଆକର୍ଷିତ ହୁଏ । କାରଣଟା ସହଜ । ପାଣିର ଧାର ତାରା ଆଲୋକରେ ମଧ୍ୟ ଅନ୍ୟ ଜିନିଷ ଅପେକ୍ଷା ଉଜ୍ଜ୍ୱଳ । ଆଉ କଚ୍ଛପ ହେଉଛି ମୁଖ୍ୟତଃ ପାଣିର ଜୀବ । ଧୀରେ ପାଣି କଚ୍ଛପକୁ ଛୁଇଁଗଲା, ବାଲିରେ କଚ୍ଛପର ସାମାନ୍ୟ ପ୍ରତିଫଳନକୁଦେଖାଇ ହଜିଯାଉଥିଲାା କ୍ରମଶଃ ପାଣିର ଗଭୀରତା ବଢିଗଲା ଆଉ କଚ୍ଛପର ଶରୀରକୁ ପାଣି ପୂରା ଛୁଇଁଗଲା ଓ ଖୋଳପା ଉପରେ ପଡିଥିବା ବାଲି ଧୋଇଗଲା । ଏବେ ଏକ ନୂଆ କଚ୍ଛପ ପାଣିରେ ଭାସୁଥିଲା ।ମା’ କଚ୍ଛପ ହିସାବରେ ତା’ର ଆଜିର କାମ ସରିଯାଇଛି । ନିଜ ହିସାବରେ ସେ କାଲିର ପିଢିକୁ ସୁରକ୍ଷିତ ଜାଗାରେ ରଖି ଫେରିଯାଉଛି । ପାଣିରେ ଜହ୍ନରୁ ଯେମିତି ଢେଉ ଲହଡି ସହ ମାଡ଼ିଆସୁଥିଲା । ପ୍ରତଫଳନ ଲମ୍ବା ହୋଇଯାଉଥିଲା ଓ କଚ୍ଛପକୁ ପାଣି ଘୋଡାଇ ଦେଉଥିଲା, ଆଉ ପାଣି କମିଲେ ଏକ ଚକଚକ କରୁଥିବା ପଥର ଯେମିତି ବେଳଭୂମିରେ ଦେଖାଦେଉଥିଲା । ଶେଷରେ ଏକ ବଡ ଢେଉ ଆସିଲା ଆଉ କଚ୍ଛପଟି ପାଣି ଭିତରେ କୁଆଡେ ହଜିଗଲା । ପାଣି ଫେରିଗଲା, କିନ୍ତୁ କଚ୍ଛପର ଚିହ୍ନ ନଥିଲା । ବାଲିର ବେଳାଭୂମି, କଚ୍ଛପର ପ୍ରଜନନ ଭୂମି ଏବେ ପୁଣି ନୂଆ ହୋଇଗଲା ।
“ବିଦାୟ ସମୁଦ୍ରର ମହାନତମ କଚ୍ଛପ ।”- ଶୋଭନା କହିଲେ ।
ଅସୀମ ମନରେ ଖୁସି ଅନୁଭବ କରୁଥିଲେ, କିନ୍ତୁ କଚ୍ଛପର ବିଦାୟରେ ଏକ ବନ୍ଧୁର ବିଦାୟ ପରି ମନ ଭିତରଟା ଭାରି ହୋଇଯାଉଥିଲା । ବନ୍ଧୁକୁ ଘର ଦୁଆରେ ବିଦାୟ ଦେଲାବେଳେ ହୃଦୟ ଭାରି ହୋଯାଏ । କାଲି କିଏ ଜାଣେ ଦେଖା ହେବକି ନାହିଁ । କିନ୍ତୁ ବନ୍ଧୁ ଯିବାପରେ ବିତିଯାଇଥିବା ମୁହୂର୍ତ୍ତମାନ ସବୁବେଳେ ତାଜା ରହିଯାଏ ଆଉ ମୁହୂର୍ତ୍ତମାନ ମନରେ ଗାର ଟାଣି ଚାଲିଥାନ୍ତି । ସେଇମିତି ଏ କଚ୍ଛପର ଚାଲିଯିବାରେ ସେମାନେ ହୃଦୟ ଭିତରେ ଏକ ଶୂନ୍ୟତା ଅନୁଭବ କରୁଥିଲେ । କାଲି ଆଉ ଏହି ନିର୍ଦ୍ଦିଷ୍ଟ କଚ୍ଛପର ପାଦ ଏ ବେଳାଭୂମିରେ ଏ ଯାଗାରେ ପଡିବନି ଆଉ କେଉଁ କଚ୍ଛପ ଆସିବ । କିନ୍ତୁି ଏ କଚ୍ଛପ ଛାପିଦେଇଅଛି ନିଜର ଚିହ୍ନ ବେଳାଭୂମିରେ ଆଉ ଶୋଭନା ତଥା ଅସୀମଙ୍କ ମନରେ । “ବିଦାୟ ମହାସମୁଦ୍ର ଯାତ୍ରୀ କଚ୍ଛପ । ତୁମର ଫେରିବାର ଯାତ୍ରା ମଙ୍ଗଳମୟ ହେଉ ।”–ଶୋଭନା କହିଲେ । “ତୁମର ଦୂର ଦୂର ମହାସମୁଦ୍ରରେ ଯାତ୍ରା ବିପଦଶୂନ୍ୟ ରହୁ । ତୁମେ ମଣିମାଣିକ୍ୟରେ ଭରା ସମୁଦ୍ର ତଳେ ନିଜର ମହାନ ସାମା୍ରଜ୍ୟ ପ୍ରତିଷ୍ଠା କର ।”- ଅସୀମ କହିଲେ ।” ଚନ୍ଦ୍ରର କିରଣ ଏକ ଏକ ନଦୀ ହୋଇ ସେମାନଙ୍କ ପାଖକୁ ବୋହି ଆସୁଥିଲା ।ଅସୀମ ଆଉ ଶୋଭନା ବଳାଏ ପାଣିରେ ଠିଆହୋଇ କଚ୍ଛପର ଯିବା ରାସ୍ତାକୁ ଅନାଇ ରହିଥିଲେ । ବର୍ତ୍ତମାନ ଆଉ କିଛି ଚିହ୍ନ ନଥିଲା । କିନ୍ତୁ ସେମାନେ ବିଶ୍ୱାସ କରୁଥିଲେ କଚ୍ଛପଟି ଜହ୍ନର ଆଲୋକ ସହ ସମୁଦ୍ରର ଶେଷ ଦିଗବଳୟ ପର୍ଯ୍ୟନ୍ତ ଭାସିଯାଉଛି ।
“ବିଦାୟ ଜ୍ୟାଣ୍ଟ ଲେଦରବ୍ୟାକ କଚ୍ଛପ ।”- ଦୁହେଁ ଏକା ସାଙ୍ଗରେ କହି ଉଠିଲେ ଆଉ ସେମାନଙ୍କର ହାତ ଏକା ସାଙ୍ଗରେ ଉପରକୁ ଉଠି ହଲୁଥିଲା ଆଉ ଜହ୍ନ ଥିଲା ପ୍ରତିଟି ଢେଉର ଶିଖରରେ । ସେମାନଙ୍କୁ କଚ୍ଛପଟି ପ୍ରତିଟି ଢେଉ ଉପରେ ଦେଖାଯାଉଥିଲା । ଏକ ବନ୍ଧୁ ଦୂରକୁ, ବହୁ ଦୂରକୁ ଚାଲିଯାଉଛି ।  ଅସୀମଙ୍କ କଥାରେ ଉତ୍ସାହ ଭରିଥିଲା । ସେପଟକୁ ଲୋକଙ୍କ ବେଶି ଯାତାୟାତ ନାହିଁ । ତେଣୁ କୋରାଲ ବା ସମୁଦ୍ର ବା ଅନ୍ୟ ବଣ୍ୟପ୍ରାଣୀଙ୍କ ଉପରେ ମନୁଷ୍ୟର ପ୍ରଭବା କମ ଥିବ । ଅବଶ୍ୟ ନିକୋବରୀ ବା ଶୋମ୍ପେନମାନେ କେବକେବେ ସମୁଦ୍ର ଉପକୂଳରେ ବୁଲୁଥିବେ । କିନ୍ତୁ ସେମାନଙ୍କ ସଂଖ୍ୟା କମ । ବେଶି କିଛି ପ୍ରଭାବ ବିଚ ଉପରେ ପଡିନଥିବ । 
“ଏକ ଅଛୁଆଁ ଜାଗା ଦେଖିବ ।”- ଅସୀମ ଶୋଭନାଙ୍କୁ ଆଉଥରେ କହିଲେ ।  ଶୋଭନା ସେପଟକୁ ଯିବା କଥା କେତେଥର କହିଛନ୍ତି । କିନ୍ତୁ ଯିବାରେ ବହୁ ଅସୁବିଧା ଅଛି ବୋଲି କିଛି ଠିକ କରାଯାଇ ପାରିନଥିଲା । ଏମିତି ବି ଇଷ୍ଟ-ୱେଷ୍ଟ ରୋଡ ମଝିରୁ କଟି ଯାଇଥିଲା । କ୍ୟାମ୍ପବେଲ ବେରେ ଦୁଇଟା ରାସ୍ତା । ଗୋଟାଏ କ୍ୟାମ୍ପବେଲ ବେରୁ ଦ୍ୱୀପର ଦକ୍ଷିଣ କୂଳେକୂଳେ ୪୧ କିମି କ୍ୟାମ୍ପ ପର୍ଯ୍ୟନ୍ତ ଯାଇଛି । ତା’ପରେ ଗଲାଥିଆ ବ୍ରିଜ । ସେ ପର୍ଯ୍ୟନ୍ତ ରାସ୍ତା ଅଛି । ତେଣିକି ଆଗକୁ ରାସ୍ତା ପ୍ରାୟ ନାହିଁ । କେବେ ରାସ୍ତା ହୋଇଥିଲା, କିନ୍ତୁ ଏବେ କେମିତି ଅନେକ ଯାଗାରେ ଭାଙ୍ଗିଯାଇଛି । ଅନ୍ୟ ଆଉ ଏକ ରାସ୍ତା ଇଷ୍ଟ-ୱେଷ୍ଟ ରୋଡ ଦ୍ୱୀପକୁ ମଝିରୁ କାଟି ପଶ୍ଚିମ ଉପକୂଳ ପର୍ଯ୍ୟନ୍ତ ତିଆରି କରାଯାଇଥିଲା । ସେଇଟା ଆଲେକଜାଣ୍ଡ୍ରିଆ ନଦୀ କୂଳ ପର୍ଯ୍ୟନ୍ତ ଲମ୍ବିଥଲା । ରାସ୍ତାରେ ୨୯ କିମିରେ ଏକ ବଡ ଲ୍ୟାଣ୍ଡ ସ୍ଲାଇଡ ହୋଇଗଲା ଆଉ ତା’ପରେ ରୋଡ ବନ୍ଦ ହୋଇଯାଇଥିଲା । ସେପଟେ ଅଛି ଡିପାର୍ଟମେଣ୍ଟର କୋପେନହିଟ କ୍ୟାମ୍ପ । ସେ ରାସ୍ତାରେ ୧୬ କିମି ପର୍ଯ୍ୟନ୍ତ ସେଟଲରମାନଙ୍କ ବସତି ଥିଲା । ଏହି ରାସ୍ତାରେ ଏବେ ୨୨ କିମି. ଶୋମ୍ପେନ ହଟ୍ର କିଛି ଆଗପର୍ଯ୍ୟନ୍ତ ଗାଡି ଯିବ । ତା’ପରେ କିଛି ଦୂର, ଆଉ ଆଗକୁ ଗାଡି ରାସ୍ତା ବନ୍ଦ । “ତାପର ଯାତ୍ରା ହେବ ସାଇକେଲରେ ।”-ଅସୀମ ଶୋଭନାଙ୍କୁ ପୁଣି କହିଲେ । ଶୋଭନା ଅସୀମଙ୍କୁ ହସିକରି ଅନାଇଲେ । “ସତରେ ସାକେଲରେ ଯିବ ନା କ’ଣ?”
“ଶୂନ ଗାଡିରେ ଆମେ ଉଡିଯିବା ।”-ଅସୀମ କହି ପୁଣି ହସି ଉଠିଲେ ।
ସେପଟେ କେବେ ରାସ୍ତା ତିଆରି ହୋଇଥିଲା । ଆଉ ଏବେ ଅବ୍ୟବହୃତ ହେବାରୁ ରାସ୍ତା ଉପରକୁ ଗଛ ଲତା ଆସିଯାଇଥିବ, କେଉଁଠି କେଉଁଠି ରାସ୍ତା ବନ୍ଦ ହୋଇଯାଇଥିବ । ଏମିତିଆ ରାସ୍ତାରେ ଚାଲିକରି ଯାଇହେବ କିମ୍ବା ଅତି ବେଶିରେ ସାଇକେଲରେ ଯାଇହେବ । ସାଇକେଲ ଯାତ୍ରା ସୁବିଧା । ହାଲୁକା ବାହାନ । ଯେଉଁଠି ଦରକାର ସେଇଠି ସାଇକେଲକୁ ହାତରେ ଟେକି ନେଇହେବ । ସେଇ କାରଣରୁ ଅସୀମ ଦ୍ୱୀପରେ ସାଇକେଲ ପାଟ୍ରୋଲିଙ୍ଗର ବ୍ୟବସ୍ଥା କରିଥିଲେ । ଫଳରେ ସେମାନଙ୍କ ପାଟ୍ରୋଲିଙ୍ଗ ଦଳ ଲମ୍ବା ରାସ୍ତା ସହଜରେ ଅତିକ୍ରମ କରିପାରୁଥିଲେ । ସେ ମଧ୍ୟ ବେଳେବେଳେ ସାଇକେଲରେ ସମୁଦ୍ରକୂଳରେ ପାଟ୍ରୋଲିଂ କରୁଥିଲେ । ପଶ୍ଚିମ ଉପକୂଳକୁ ଏହି ଯାତ୍ରା ସେମିତି ସାଇକେଲରେ ହେବ । ସେପଟକୁ ଫରେଷ୍ଟର ଲୋକମାନେ ମୋଟେ ଯାଆନ୍ତି ନାହିଁ, କ୍ୟାମ୍ପ ମଧ୍ୟ କରାଯାଇନାହିଁ । ତେଣୁ ସେପଟକୁ ଯିବାର ଆବଶ୍ୟକତା ମଧ୍ୟ ଥିଲା । 
“ଲମ୍ବା ଯାତ୍ରା ହୋଇଯିବ ନି ତ?”- ଶୋଭନା ନିଜର ଶଙ୍କା ପ୍ରକାଶ କରୁଥିଲେ ।  “ଆରେ ସାଇକେଲରେ ଏକ ଆଡଭେଞ୍ଚର ।”-ଅସୀମ ଶୋଭନାଙ୍କୁ ଉତ୍ସାହିତ କରୁଥିଲେ । ଶୋଭନାଙ୍କୁ ସାଇକେଲ ଦେଖାଗଲା । ଏକ ନୂଆ ଚକଚକିଆ ସାଇକେଲରେ ସେ ବସିଛନ୍ତି ଆଉ ତାଙ୍କ ବାଳ ଫଡଫଡ କରି ଉଡୁଛି । ସାଇକେଲର ସ୍ପୋକ ଗୁଡିକୁ ତେଲ ଦେଇ ସଫା କରିଦିଆଯାଇଛି । ହୁଇଲରେ ରଙ୍ଗୀନ ବ୍ୟାଣ୍ଡ ଲଗାଯାଇଛି । ତାଙ୍କ ସାଇକେଲର ଘଣ୍ଟି କ୍ରିଂ କ୍ରିଂ କରୁଛି । ସାଇକେଲରେ ସେ ପେଡାଲ ପରେ ପେଡାଲ ମାରି ଚାଲୁଛନ୍ତି । ଆଉ ତାଙ୍କ ସାଇକେଲଟା ସାଇଁ କିନା ଗଡିଯାଉଛି । ସାଇକେଲରେ ଲମ୍ଭା ଯାତ୍ରା କରିବା ଏକ ଭଲ ଆଡଭେଞ୍ଚର । ସବୁ ଜିନିଷକୁ ପାଖରେ ଦେଖିହେବ । ସାଇକେଲ ଏମିତିଆ କଠିନ ଯାତ୍ରାର ବାହନ ହିସାବରେ ତିଆରି ହୋଇଛି ।  ଅସୀମ ଆଉ ଶୋଭନା ନିଜ ରାସ୍ତାରେ ବାହାରିଗଲେ । କିଛି ବାଟ ଗାଡିରେ ଯାତ୍ରା କରିବା ପରେ ସାଇକେଲ ଯାତ୍ରା ଆରମ୍ଭ ହୋଇଗଲା । କିନ୍ତୁ ଏକ ଅସୁବିଧା ଥିଲା ବେଶ ଲମ୍ବା ଲ୍ୟାଣ୍ଡ ସ୍ଲାଇଡିଙ୍ଗ ପଏଣ୍ଟ । ପାହାଡଟା ତଳକୁ ଧସି ଯାଇଥିଲା ଆଉ ମଝିରେ ପ୍ରାୟ ୨୦୦-୩୦୦ ମିଟରର ବଡ ଖାଇ ହୋଇଯାଇଥିଲା । ସେଇ ଖାଇ ଧାରରେ ଚାଲିକରି ଆରପଟକୁ ଯିବା କିଛି ସହଜ ନଥିଲା । ଖସିପଡୁଥିବା ମାଟିର ଧାରରେ ଏମିତି ଚାଲିକରି ଯିବାକୁ ମଧ୍ୟ ଡର ଲାଗେ । କିନ୍ତୁ ଅସୀମ ସାହସ କରି ସେହି ଖାଇ ଧାରରେ ଚାଲିବାକୁ ଲାଗିଲେ । ତାଙ୍କ ଲୋକମାନେ ପ୍ରଥମେ ଟିକେ ଦୋଦୋପାଞ୍ଚ ହେଉଥିଲେ କିନ୍ତୁ ପରେ ସମସ୍ତେ ସାହସ ବାନ୍ଧି ସେହି ଖାଇକୁ ପାର ହୋଇଗଲେ । ଏବେ ସାଇକେଲ ସେମାନଙ୍କ ହାତରେ ଆଉ ଆଗକୁ ରାସ୍ତା ଜଙ୍ଗଲ ଭିତରେ ଗଡିଯାଇଛି । (କ୍ରମଶଃ)
                                                            ଭୁବନେଶ୍ୱର