ସୁପ୍ରିମକୋର୍ଟ କଲେଜିୟମର ପରାମର୍ଶ: ବଦଳିବେ ୭ ହାଇକୋର୍ଟ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ କଲେଜିୟମ୍ଙ୍କ ପରାମର୍ଶ କ୍ରମେ ବିଭିନ୍ନ ରାଜ୍ୟର ୭ ହାଇକୋର୍ଟ ବିଚାରପତିଙ୍କ ବଦଳି ପାଇଁ ନିଦେ୍ର୍ଦଶନାମା ଜାରି କରାଯାଇଛି । ଏହି ତାଲିକାରେ କର୍ଣ୍ଣାଟକ ହାଇକୋର୍ଟର ୪ ବିଚାରପତିଙ୍କ ନାମ ସାମିଲ ଥିବା ବେଳେ ତେଲେଙ୍ଗାନା ହାଇକୋର୍ଟର ୨ଜଣ ଏବଂ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଜଣେ ବିଚାରପତିଙ୍କ ନାମ ସାମିଲ ରହିଛି । ଗତ ଏପ୍ରିଲ ୧୫ ଏବଂ ୧୯ରେ ସିଜେଆଇ ସଞ୍ଜୀବ ଖନ୍ନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ନ୍ୟାୟାଳୟସ୍ତରରେ ଅନ୍ତର୍ଭୁକ୍ତିକରଣ ଜରିଆରେ ନ୍ୟାୟପାଳିକାର ଗୁଣବତ୍ତାକୁ ବୃଦ୍ଧି କରିବା ଏବଂ ନ୍ୟାୟିକ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ଉଦେ୍ଦଶ୍ୟରେ ଏହି ବଦଳି ପ୍ରକ୍ରିୟା କରାଯାଉଛି ବୋଲି ସିଜେଆଇ ମତବ୍ୟକ୍ତ କରିଥିଲେ ।
ବୈଠକର ନିଷ୍ପତ୍ତି କ୍ରମେ କର୍ଣ୍ଣାଟକ ହାଇକୋର୍ଟର ୪ ବିଚାରପତିଙ୍କ ମଧ୍ୟରୁ ଜଷ୍ଟିସ୍ ହେମନ୍ତ ଚନ୍ଦନ ଗୌଦରଙ୍କୁ ମାଡ୍ରାସ ହାଇକୋର୍ଟ, ଜଷ୍ଟିସ୍ କ୍ରିଷ୍ଣନ ନଟରାଜନଙ୍କୁ କେରଳ ହାଇକୋର୍ଟ, ଜଷ୍ଟିସ୍ ନେରାନାହଲ୍ଲି ଶ୍ରୀନିବାସନ ସଞ୍ଜୟ ଗୌଡାଙ୍କୁ ଗୁଜରାଟ ହାଇକୋର୍ଟ ଏବଂ ଜଷ୍ଟିସ୍ ଦୀକ୍ଷିତ କୃଷ୍ଣ ଶ୍ରୀପାଦଙ୍କୁ ଓଡ଼ିଶା ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି । ସେହିପରି ତେଲେଙ୍ଗାନା ହାଇକୋର୍ଟର ୨ ବିଚାରପତି ଜଷ୍ଟିସ୍ ପେରୁଗୁ ଶ୍ରୀସୁଧାଙ୍କୁ କର୍ଣ୍ଣାଟକ ହାଇକୋର୍ଟକୁ ଏବଂ ଜଷ୍ଟିସ୍ କାସୋଜୁ ସୁରେନ୍ଧରଙ୍କୁ ମାଡ୍ରାସ ହାଇକୋର୍ଟକୁ ସ୍ଥାନାନ୍ତର କରାଯି । ସେହିପରି ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ଜଷ୍ଟିସ କୁମ୍ଭଜଦଲା ମନ୍ମଧା ରାଓଙ୍କୁ କର୍ଣ୍ଣାଟକ ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ ସୁପାରିଶ କରାଯାଇଛି ।