ଅଜଣା ଜଗତର ଡାକ (୩୯)


ଅଶୋକ ବିଶ୍ୱାଳ : ହାଣ ପଟକୁ ଥିଲା ସମୁଦ୍ର ଆଉ ରାସ୍ତା । ସମୁଦ୍ର ଭିତରେ ପ୍ରଭେଦ ଥିଲା କେତେ ଫୁଟର । ସେଥିରେ ଥିଲା ଅନେକ ଅନେକ ଗଛ । ଆଉ ମଝି ରାସ୍ତାକୁ ଦଳେ ନିକୋବରୀ ମାକାକ ଓହ୍ଲେଇ ଆସିଥିଲେ । ଏଗୁଡିକ ହନୁ ମାଙ୍କଡ ଭଳି ବଡ ଆକାରର ନୁହନ୍ତି । ବେଶି ପାତି ମାଙ୍କଡ ଆକାରର, କିନ୍ତୁ ମୁହଁ କଳା ଆଉ ଲାଙ୍ଗୁଡ ପାତିଠାରୁ ସାମାନ୍ୟ ବଡ, ପ୍ରାୟ କୁକୁର ଲାଙ୍ଗୁଡ ଭଳି ଲମ୍ବା ହେବ, କିନ୍ତୁ ପୂରା ମୋଡି ହୋଇଯାଇନି । ଲୋକଙ୍କୁ ଦେଖି କେତେଟା ମାଙ୍କଡ ମଣିଷ ଭଳି ଠିଆ ହୋଇ ଅନାଇଲେ । ମଣିଷ ପାଖେଇ ଆସିଲେ ମାଙ୍କଡମାନେ ରାସ୍ତା ଛାଡିଦେବା କଥା । କିଛି ବଡମାଙ୍କଡ ଦୂରକୁ ଚାଲିଗଲେ କିନ୍ତୁ ଛୁଆମାନେ ଖୋଲାରେ ଖେଳ ଛାଡି ଗଛ ଉପରକୁ ଯିବାକୁ ପସନ୍ଦ କରୁନଥିଲେ । ସେମାନଙ୍କୁ ବଡ ମାଙ୍କଡମାନେ ବୋଧହୁଏ କିଛି କହୁଥିଲେ, ଛୁଆମାନେ ବଡଙ୍କୁ ଅନାଉଥିଲେ, କିନ୍ତୁ ରାସ୍ତା ଛାଡୁନଥିଲେ । ଅସୀମଙ୍କ ଦଳ ମଧ୍ୟ ମାଙ୍କଡମାନଙ୍କୁ ଘଉଡାଇବାକୁ ଚାହୁଁନଥିଲେ । ତେଣୁ ସେମାନେ ଅଟକିଗଲେ ।
ସେପଟେ ମାଙ୍କଡମାନେ ମଧ୍ୟ ମଣିଷ ଅଟକି ଯାଇଥିବାରୁ ପୁଣି ରାସ୍ତା ଉପରକୁ ଫେରି ଆସିଲେ । ବଡ ମାଙ୍କଡ ବୋଧେ ସାତ ଆଠଟା ହେବେ ଆଉ ଅନ୍ୟ ୧୦-୧୨ଟା ଛୁଆମାଙ୍କଡ । ମାକୁ କୁଣ୍ଢାଇ ଧରି ଲାଉ ହେଉଥିବା ଛୁଆଟିଏ ଅବଶ୍ୟ ନଥିଲା । ସେମାନେ ଚାଲିଲାବେଳେ ସେମାନଙ୍କ ଲାଙ୍ଗୁଡ ମାଟି ଛୁଉଁଥିଲା କିନ୍ତୁ ହନୁ ଭଳି ଏତେ ଘୁଷୁରୁନଥିଲା । ହନୁମାନେ ସାଧାରଣତଃ ବେଶି ଲମ୍ଫ ଦେଇଥାନ୍ତି, କିନ୍ତୁ ପାତିମାନେ ବେଶି ଚାଲନ୍ତି । ଏମାନେ ମଧ୍ୟ ବେଶି ଚାଲୁଥିଲେ । କିଛି ମାଙ୍କଡ କୌତୁହଳୀ ହୋଇ ଏମାନଙ୍କ ଆଡକୁ ଆସିଯାଉଥିଲେ । କିନ୍ତୁ ଦୂରତା ବଜାୟ ରଖି ଦେଖି ଫେରିଯାଉଥିଲେ । “ଗୋଟାଏ ମାଙ୍କଡକୁ ଏକ ଘରକିଆ କରିଦେଇଛନ୍ତି ।”- ସତୀଶ କୁମାର ହାତ ଦେଖାଇ କହିଲେ । ଦେଖିଲା ବେଳକୁ ଗୋଟାଏ ମାଙ୍କଡ ଦଳଠାରୁ ଶହେ ହାତ ଦୂରରେ ଅଛି । ସେ ଦଳ ପାଖକୁ ଆସିବାକୁ ଚେଷ୍ଟା କରୁନଥିଲା କି ଦଳର କିଏ ତା’ ପାଖକୁ ଯିବାକୁ ଆଗ୍ରହ ଦେଖାଉନଥିଲେ । ଅସୀମ ଭାବିଲେ ସେଟା ବୋଧେ ଗେଧ ହୋଇଥିବ । ଗେଧକୁ ଡରି କେଉଁ ମାଙ୍କଡ ପାଖ ମାଡୁନଥିବେ । ଗୋଟାଏ ମାଙ୍କଡ ପୂରା ମଣିଷ ଭଳିଆ ଠିଆ ହୋଇ ଏମାନଙ୍କୁ ଅନାଇଲା । ଏ ମାଙ୍କଡଙ୍କ ରଙ୍ଗ ପାଉଁଶିଆ କଳା ଆଉ ଛାତି ସାମାନ୍ୟ ପାଉଁଶିଆ ଧଳା । ସେମାନେ କିଛି ସମୟ ଏମିତି ରାସ୍ତାରେ ବୁଲିଲେ । ମଝିରେ ମଝିରେ ଛୋଟ ଛୋଟ ଦଳ କରି ଏମାନଙ୍କୁ ଅନାଉଥିଲେ । ପୁଣି ସମସ୍ତେ ଏକାଠି ହୋଇଯାଉଥିଲେ । କିନ୍ତୁ ପୂରା ରାସ୍ତା ଛାଡୁନଥିଲେ । ଏମିତି ଦଶ ପନ୍ଦର ମିନିଟ ଗଲାପରେ ଗୋଟାଏ ବଡ ମାଙ୍କଡ ରାସ୍ତାକଡକୁ ଆସିଗଲା । ତା’ର ମୋଟା ଶରୀର, ହାତ ଗୋଡ ବଳିଷ୍ଠ ଲାଗୁଥିଲା ଓ ତା’ ଲାଙ୍ଗୁଡଟା ଉପରେ ବେକ ଆଡକୁ ଲମ୍ବିଯାଇ ବେକଠୁ କେଇ ଆଙ୍ଗୁଳି ଦୂରରେ ରହିଲା । ବୋଧହୁଏ ଏମାନଙ୍କ ଦଳପତି ଆଉ ଦୂରରେ ଏକୁଟିଆ ଥିବା ମାଙ୍କଡଟି ଆଉ ଏକ ଅଣ୍ଡିରା ମାଙ୍କଡ । ଏମାନେ ଦଳରେ ପୁରାଉନାହାନ୍ତି । ବଡ ମାଙ୍କଡଟି ଧିରେ ଜଙ୍ଗଲ ଭିତରକୁ ଚାଲିଗଲା ଆଉ ତା’ ପଛେ ପଛେ ଅନ୍ୟ ମାଙ୍କଡମାନେ ମଧ୍ୟ ଚାଲିଲେ । 
ସେପଟେ ଜଙ୍ଗଲ ଧାରରେ ଲାଲ ରଙ୍ଗର କ୍ଲେରୋଡେନଡ୍ରନ ଫୁଲ ଫୁଟିଥିଲା । ବଡ ବୁଦାଟିରେ ଗୋଟାଏ ଡାଳ । ସେଥିରେ ଥିଲା ବେଶ ବଡ ବଡ ଆଉ ଚଉଡା ପତ୍ରମାନ । ସବା ଉପରେ ଲାଗିଥିଲା ଲାଲ ଫୁଲର ଗୋଚ୍ଛା । ଯେମିତିକି ଗଛର ଉପରେ କିଏ ଲାଲ ରଙ୍ଗର ରୋଷଣୀ ଆଲୁଅ କିଏ ରଖିଦେଇଛି । ଏ ଫୁଲ ଜଙ୍ଗଲରେ ସୁନ୍ଦର ଲାଗେ । ବାସ ରହିତ ବୋଧେ, କିନ୍ତୁ ଗାଢ ଲାଲ ରଙ୍ଗ ଆଖିକୁ ଆକର୍ଷଣ କରିନିଏ । ମାଙ୍କଡଗୁଡିକ ଏ ଭିତରେ ଏବ ବଡ ଗଛକୁ ଚଢିଗଲେ ଆଉ ଡାଳରେ ସେମାନେ ନିଜର ଖେଳ କୌତୁକ ଆରମ୍ଭ କରିନେଲେ । ଳାଗୁଥିଲା ଏ ମାଙ୍କଡମାନେ ଟିକିଏ ଲମ୍ବା ଚାଲିଲେ ବିଶ୍ରାମ ନିଅନ୍ତି । ସତୀଶ କୁମାର କହିବା ହିସାବରେ ଏମାନେ ବିଶ୍ରାମ କେଉଁଠି ବି ନେଇପାରନ୍ତି । ଏମାନଙ୍କ ବିଶ୍ରାମ ନେବା ଶୈଳୀ ହେଉଛି ଶୋଇଯିବା, ଏମିତି ବସି ରହିବା, ବା ତଳେ ଖାଲିରେ ଗଡିବା । ରାତିରେ ଅବଶ୍ୟ ଗଛ ଡାଳରେ ବିଶ୍ରାମ ନେଉଥାନ୍ତି । ଆଉ ଦିନେ ସେ ସତୀଶ କୁମାରଙ୍କ ଦଳ ସହ ବୁଲିଗଲେ । ସେ ଦିନ କେତେଟା ମାଙ୍କଡ ସମୁଦ୍ରକୂଳରେ ଥିଲେ । ସେଇଟା ସେମାନେ ବାଇନୋକୁଲାରରୁ ଦୂରରୁ ଦେଖିଲେ । ପାଖକୁ ଯାଇଥିଲେ ମାଙ୍କଡମାନେ ପଳାଇଥାନ୍ତେ । ଆକାଶ ବେଶ ସଫା ଥିଲା । ଜାଗାଟା ପଥୁରିଆ । କୋରାଲ ବେଡ, ଖଣ୍ଡେ ଖଣ୍ଡେ ବଡ କୋରାଲ ଭାଙ୍ଗି ଆସିବଡ ପଥର ଭଳିଆ କୂଳରେ ପଡିଛି । ଅନ୍ୟଥା ପଥର ପାହାଡ ସବୁଆଡେ । ମଝିରେ ମଝିରେ କୂଳରେ ସାମାନ୍ୟ ବାଲି କେଉଁଠି କେଉଁଠି ଅଛି । ଡାହାଣ ଆଡକୁ ଏକ ବଡ ପଥର ଥିଲା । ଦଳର ଆଉ କିଛି ମାଙ୍କଡ ପାଣି ପାଖେ ବସି ସମୁଦ୍ରକୁ ଅନାଉଥିଲେ । ବଡ ପଥରପୂର୍ଣ୍ଣ କୂଳର ପଛଆଡକୁ ପାହାଡ ଗଛରେ ଭରିଯାଇଥିଲା । ଏମିତିଆ ପଥରରେ ମଣିଷକୁ ସିନା ଚଢିବା କଷ୍ଟ ମାଙ୍କଡ ପାଇଁ କିଛି ଅସୁବିଧା ନାହିଁ । ଦଳର ଛୁଆ ମାଙ୍କଡମାନେ ସବୁ ଜାଗାର ଛୋଟ ମାଙ୍କଡମାନଙ୍କ ଭଳି ଚଳଚଞ୍ଚଳ ଥିଲେ । ସେମାନେ ନିଜ ନିଜ ଭିତରେ ଖେଳୁଥିଲେ । ଜଣେ ଜଣକୁ ଟାଣିବା ଓଟାରିବା, କିଛି ଖସିଯିବା, ସାମାନ୍ୟ ଦୌଡିବା ଏମିତି ଛୋଟ ଖେଳମାନ । ସେମାନେ ସ୍ଥିର ହୋଇ ବସିବାକୁ ନାରାଜ ।  ସେମିତି ଜାଗା ଶାମୁକାକୁ ପଥରରେ ଲାଗିବାପାଇଁ ସହାୟକ ହୁଏ । ଗୋଟାଏ ମାଙ୍କଡ ଏକଦମ କୂଳରେ ଥିବା ପଥର ଉପରକୁ ଆସି ନଇଁ ଅନାଇଲା । ତା’ର ହାତ ଗୋଟାଏ ପଥରକୁ ଧରିଥିଲା । ତଳ ପଥରରେ ବଡ ଶାମୁକାଟାଏ ଲାଗିଛି । ସେ ଜାଗାରେ ଟିକେ ଟିକେ ପାଣି ମାଡ ହେଉଥିଲା । ପାଣିର ଛିଟିକା ମଝିରେ ମଝିରେ ମାଙ୍କଡ ଉପରେ ପଡୁଥିଲା । ତଥାପି ମାଙ୍କଡ ସେମିତି ଅନାଇ କିଛି ନିଶ୍ଚିତ କରୁଥିଲା । (କ୍ରମଶଃ)
 ଭୁବନେଶ୍ୱର