ଆପଣା ମହତ ଆପେ ରଖି
ଗଣତନ୍ତ୍ରରେ ପବିତ୍ର ମନ୍ଦିର ପାର୍ଲିଆମେଂଟ କିମ୍ବା ବିଧାନସଭାରେ ହଟ୍ଟଗୋଳ, ଶାସକ-ବିରୋଧୀଙ୍କ ମଧ୍ୟରେ ହାତାହାତି, ମାଇକ ଭଙ୍ଗା ଘଟଣାରେ ବିସ୍ମିତ ହେବାର ନାହିଁ କି ଏଭଳି ଘଟଣା ନୂଆ ନୁହେଁ । ଓଡିଶା ବିଧାନସଭାରେ ଅଧିବେଶନ ସମୟରେ ହଟ୍ଟଗୋଳ ସବୁଦିନ ପ୍ରାୟତଃ ଦେଖାଯାଇଥିବାବେଳେ ଗୃହର ଦୁଇ ବରିଷ୍ଠ ସଦସ୍ୟ ତଥା ପାଞ୍ଚ ପାଞ୍ଚ ଥରର ବିଧାୟକଙ୍କ ମଧ୍ୟରେ ହାତାହାତି ଘଟଣା ଗଣତନ୍ତ୍ର ପବିତ୍ର ଗୃହରେ କେବଳ ମର୍ଯ୍ୟାଦା ହାନି କରିନାହିଁ, ଏକ କଳାଦାଗ ସୃଷ୍ଟି କରିଛି ବୋଲି କୁହାଯାଇପାରେ । ଏଡି ଘଟଣାରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗରେ ବାଚସ୍ପତି ସାତ ଦିନ ପାଇଁ ବିରୋଧୀ ଦଳର ବରିଷ୍ଠ ସଦସ୍ୟଙ୍କୁ ଗୃହରୁ ନିଲମ୍ବନ କରିଛନ୍ତି । ଗୃହରେ ବାଚସ୍ପତିଙ୍କ ରୁଲିଂ ବା ନିଷ୍ପତ୍ତି ଚୂଡାନ୍ତ । ବାଚସ୍ପତିଙ୍କ ନିଷ୍ପତି ପକ୍ଷପାତିତା ବୋଲି ଅଭିଯୋଗ କରି ବିରୋଧୀ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିବାବେଳେ କଂଗ୍ରେସ ସଦସ୍ୟମାନେ ଗୃହକୁ ବର୍ଜନ କରିବା ନେଇ ଘୋଷଣା କରିଛନ୍ତି । ଏହା ସତ୍ୟ ଯେ, ବିଧାନସଭା ହେଉଛି ଆଲୋଚନା କ୍ଷେତ୍ର । ରଣକ୍ଷେତ୍ର ନୁହେଁ । ମାତ୍ର ଏବେ କଥା କଥାକେ ବିରୋଧୀ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସି ହଟ୍ଟଗୋଳ କରିବା ଏବଂ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଏହାଦ୍ୱାରା ବାସ୍ତବ ସମସ୍ୟାଗୁଡିକ ଆଲୋଚନା ଦ୍ୱାରା ସମାଧାନ ହୋଇପାରେ ନାହିଁ । କିମ୍ବା ନୂତନ ଆଇନ ଆଲୋଚନା ଦ୍ୱାରା ପ୍ରଣୟନ ହୋଇପାରେ ନାହିଁ । ଶାସକ ଦଳ ବିନା ଆଲୋଚନାରେ ଅତ୍ୟନ୍ତ ତରବରିଆ ଭାବେ ହଁ, ନାଁ ମୌଖିକ ଧ୍ୱନିରେ ଆଇନ ବା ବିଲ୍ ଗୃହୀତ ହୋଇଥାଏ । ପରିସ୍ଥିତି ଏପରି ହୋଇଥାଏ ଯେ, ଆଇନ ବାରମ୍ବାର ସଂଶୋଧନ କରିବାକୁ ପଡିଥାଏ କିମ୍ବା ଅଦାଲତରେ ଦ୍ୱାରସ୍ଥ ହୋଇଥାଏ । ଅତୀତରେ ଏପରି ଘଟଣାରେ ସୁପ୍ରିମକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରି ବିନା ଆଲୋଚନା, ବିତର୍କରେ ପ୍ରଣୀତ ଆଇନରେ ଏହିଭଳି ଦଶା ହେଇଥାଏ ବୋଲି କଟୁ ମନ୍ତବ୍ୟ ଦେଇଥିଲେ । ସେମାନଙ୍କୁ ନିର୍ବାଚିତ କରିଥିବା ଭୋଟଦାତା ସେମାନଙ୍କ ଠାରୁ ବହୁତ କିଛି ଆଶା ରଖିଥାନ୍ତି । ରାଜ୍ୟ ବହୁ ସମସ୍ୟାର ସମ୍ମୁଖୀନ । ଦରଦାମ ବୃଦ୍ଧି, ଆଇନଶୃଙ୍ଖଳା ପରିସ୍ଥିତି, ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ, ଚାଷୀ ଉତ୍ପାଦିତ ସାମଗ୍ରୀର ଅଭାବୀ ବିକ୍ରି, ନାରୀ ନିର୍ଯାତନା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ଓ ଏହାର ସମାଧାନର ଆବଶ୍ୟକତା ରହିଛି । ଏପରିକି ଗୋଟିଏ ଗୋଟିଏ ଅଧିବେଶନ ହଟ୍ଟଗୋଳ ଯୋଗୁଁ ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଥିବା ନଜିର ରହିଛି । ସେହିପରି ଅଧିବେଶନ ପୂର୍ବ ସ୍ଥୀରିକୃତ ଦିବସ ପୂର୍ବରୁ ଅଧାରୁ ଶେଷ ହୋଇଯିବା ଏବେ ଏକ ପରମ୍ପରାରେ ପରିଣତ ହୋଇଯାଇଛି ବୋଲି କହିଲେ ହୁଏତ ଅତିରଂଜିତ ହେବ ନାହିଁ । କେବଳ ଏତିକି ନୁହେଁ, ହଟ୍ଟଗୋଳ ଯୋଗୁଁ ବିଧାନସଭାର ମୂଲ୍ୟବାନ ସମୟ ନଷ୍ଟ ହେବା ଯୋଗୁଁ କରଦାତାଙ୍କ ଅର୍ଥରେ ସମୃଦ୍ଧ ରାଜକୋଷରୁ କୋଟି କୋଟି ଟଙ୍କା ପାଣିରେ ପଡିବା ସାର ହେଉଛି । ବିଧାନସଭା ଅଧିବେଶନ ସମୟରେ ପ୍ରତି ମିନିଟ୍ ପାଇଁ ୨.୫ ଲକ୍ଷ ଟଙ୍କା ବ୍ୟୟ ହୋଇଥାଏ । ହଟ୍ଟଗୋଳ ଯୋଗୁଁ ଗୋଟିଏ ଦିନ ଅଧିବେଶନର ମୂଲ୍ୟବାନ ସମୟ ନଷ୍ଟ ହେଲେ ରାଜକୋଷରୁ କୋଟି କୋଟି ଟଙ୍କା ପାଣିରେ ପଡିଥାଏ । ମାନ୍ୟବର ଲୋକ ପ୍ରତିନିଧିମାନେ ଯଦି ଏଥିପ୍ରତି ସଚେତନ ଥାନ୍ତେ, ଜନତାଙ୍କ ଅର୍ଥରେ ସମୃଦ୍ଧ ରାଜକୋଷରୁ ଅର୍ଥ ଅପଚୟକୁ ପ୍ରଶ୍ରୟ ଦିଅନ୍ତେ ନାହିଁ କିମ୍ବା ଜନସାଧାରଣଙ୍କୁ ନିରାଶ କରନ୍ତେ ନାହିଁ । ଭୁଲିଯିବା ଉଚିତ ନୁହେଁ, ଭୋଟଦାତାଙ୍କ ଦ୍ୱାରା ସେମାନେ ୫ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି । ଏଭଳି ଆଚରଣ ପାଇଁ କିମ୍ବା କ୍ଷମତା ମୋହରେ ସ୍ୱେଚ୍ଛାଚାରିତାକୁ ଜନସାଧାରଣ କ୍ଷମା ଦେବେ ନାହିଁ କଥାରେ ଅଛି ‘ଆଲୋ ସଖି, ଆପଣା ମହତ ଆପେ ରଖି’ ।
ସୌଭାଗ୍ୟ ରଂଜନ ମହାନ୍ତି
ମୋ:୯୪୩୭୯୯୪୩୭୯