ଉସ୍ତାଦ୍ ଜାକିର ହୁସେନ

 ଭାରତୀୟ ସଙ୍ଗୀତର କିମ୍ବଦନ୍ତୀ ପୁରୁଷ ଉସ୍ତାଦ୍ ଜାକିର ହୁସେନଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଛି । ସେ କେବଳ ଜଣେ ବିଖ୍ୟାତ ତବଲା ବାଦକ ନଥିଲେ, ସେ ଥିଲେ ଭାରତୀୟ ସଙ୍ଗୀତର ଆତ୍ମା । ତାଙ୍କ ତବଲା ବାଦନର ଟିପା ଧ୍ୱନି ଥିଲା ଭାରତୀୟ ସଙ୍ଗୀତର ହୃଦସ୍ପନ୍ଦନ । ତାଙ୍କ ତବଲାର ସ୍ୱରରେ ଆମେରିକାରୁ ନେଇ ଅଷ୍ଟ୍ରେଲିଆ ଏବଂ ଲଣ୍ଡନରୁ ନେଇ ଜର୍ମାନୀ ପର୍ଯ୍ୟନ୍ତ ସବୁଠି ଭାରତର ସଙ୍ଗୀତ ଝଙ୍କୃତ ହେଉଥିଲା । ସାଧନା, ନିଷ୍ଠା ଓ ଅଧ୍ୟବସାୟ ବଳରେ ଜଣେ ସାଧାରଣ ମଣିଷ କିଭଳି ଅସାଧାରଣ ଉଚ୍ଚତାରେ ପହଞ୍ଚô ପାରନ୍ତି ତା'ର ଜ୍ୱଳନ୍ତ ଉଦାହରଣ ଥିଲେ ପଦ୍ମବିଭୂଷଣ ଜାକିର ହୁସେନ । 
ତବଲା ଓ ସଙ୍ଗୀତପ୍ରେମୀ ମାନଙ୍କ ହୃଦୟରେ ଜାକିର ଏକ ଅଭୁଲା ଛାପ ଛାଡ଼ି ଯାଇଛନ୍ତି । ତାଙ୍କ ବାପା ଆଲ୍ଲା ରଖା କୁ୍ୟରେସି ଜଣେ ମହାନ ତବଲା ବାଦକ ଥିଲେ । ଏକଦା ଜାକିର କହିଥିଲେ ଯେ ସେ ଯେତେବେଳେ ଜନ୍ମ ହେଲେ ତାଙ୍କ ବାପା ତାଙ୍କ କାନରେ ପ୍ରାର୍ଥନା ପରିବର୍ତ୍ତେ "ତବଲାର ତାଳ' ଶୁଣାଇଥିଲେ । ଜୀବନକାଳ ମଧ୍ୟରେ ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଭାରତ ସରକାରଙ୍କ ତାଙ୍କୁ ୧୯୮୮ରେ ପଦ୍ମଶ୍ରୀ, ୨୦୦୨ରେ ପଦ୍ମଭୂଷଣ ଏବଂ ୨୦୨୩ରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ । ୧୯୯୦ ଦଶକରେ ସେ ସଙ୍ଗୀତ ନାଟକ ଏକାଡ଼େମୀ ସମ୍ମାନ ପାଇଥିଲେ । ଜାକିରଙ୍କୁ ଚାରଟି ଗ୍ରାମି ପୁରସ୍କାର ମିଳିଛି । ସେଥିରୁ ତିନୋଟି ପୁରସ୍କାର ସେ ଚଳିତବର୍ଷ ପାଇଛନ୍ତି । ଜାକିର ମୁମ୍ବାଇର ମାହିମରେ ଥିବା ସେଣ୍ଟ ମାଇକେଲ ସ୍କୁଲରେ ପାଠ ପଢ଼ିଥିଲେ । ଏହା ବ୍ୟତୀତ ସେ ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସେ ମାତ୍ର ୧୧ ବର୍ଷ ବୟସରେ ଆମେରିକାରେ ନିଜର ପ୍ରଥମ କନସର୍ଟ କରିଥିଲେ । ୧୯୭୩ ମସିହାରେ ସେ ତାଙ୍କର ପ୍ରଥମ ଆଲବମ୍ ଲିଭିଂ ଇନ ଦି ମ୍ୟାଟେରିଆଲ ୱାର୍ଲ୍ଡ ଆରମ୍ଭ କରିଥିଲେ । ଜାକିର ହୁସେନଙ୍କୁ ଯେତେବେଳେ ୧୨ ବର୍ଷ ହୋଇଥିଲା, ସେ ତାଙ୍କ ବାପାଙ୍କ ସହ ଏକ କନସର୍ଟକୁ ଯାଇଥିଲେ । ଏହି ସମାରୋହରେ ପଣ୍ଡିତ ରବିଶଙ୍କର, ଉସ୍ତାଦ ଅଲି ଆକବର ଖାନ, ବିସମିଲ୍ଲା ଖାନ, ପଣ୍ଡିତ ଶାନ୍ତା ପ୍ରସାଦ ଓ ପଣ୍ଡିତ କିଷନ ମହାରାଜଙ୍କ ଭଳି ସଙ୍ଗୀତ ଶିଳ୍ପୀମାନେ ଯୋଗ ଦେଇଥିଲେ ।   ସ୍ୱତନ୍ତ୍ର ତବଲା ବାଦନ ଶୈଳୀ ପାଇଁ ପରିଚିତ ଜାକିର ଭାରତର ଶାସ୍ତ୍ରୀୟ ସଙ୍ଗୀତ ଓ ପାଶ୍ଚାତ୍ୟ ସଙ୍ଗୀତ ମଧ୍ୟରେ ସମ୍ପର୍କ ସ୍ଥାପନର ଏକ ସେତୁ ଥିଲେ । ସେ ତାଙ୍କ ତବଲାର ଅତୁଳନୀୟ ତାଳରେ କୋଟି କୋଟି ଲୋକଙ୍କୁ ବାନ୍ଧି ରଖିବା ସହ ଭାରତର ଶାସ୍ତ୍ରୀୟ ସଙ୍ଗୀତକୁ ସେ ବିଶ୍ୱ ସଙ୍ଗୀତ ସହ ମିଶାଇ ପାରିଥିଲେ । ଏଥିପାଇଁ ସେ ସାଂସ୍କୃତିକ ଏକତାର ଦୂତ ପାଲଟିଥିଲେ । ତାଙ୍କ ପ୍ରଦର୍ଶନ ଆତ୍ମାକୁ ଛୁଇଁଲାଭଳି । ସଙ୍ଗୀତଜ୍ଞ ଓ ସଙ୍ଗୀତପ୍ରେମୀଙ୍କୁ ତାହା ପିଢ଼ି ପରେ ପିଢ଼ି ପ୍ରେରଣା ଯୋଗାଇବ । 
ଅନୁପମା ଭୂୟାଁ