ଅଣଦେଖା କରା ନ ଯାଉ


ରୋଗୀମାନଙ୍କୁ ଆବଶ୍ୟକ ସମୟରେ ତୁରନ୍ତ ଡ଼ାକ୍ତରଖାନାରେ ପହଞ୍ଚାଇବା ପାଇଁ ସରକାର ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି । ସରକାରୀ ଡ଼ାକ୍ତରଖାନାରୁ ସରକାରୀ ଡ଼ାକ୍ତରଖାନାକୁ କିମ୍ବା ଘରୁ ସରକାରୀ ଡ଼ାକ୍ତରଖାନାକୁ ଜୀବନ ପ୍ରତି ସଙ୍କଟ ଥିବା ସମୟରେ ରୋଗୀଙ୍କୁ ପହଞ୍ଚାଇବା କ୍ଷେତ୍ରରେ ଏହି ଆମ୍ବୁଲାନ୍ସ ସେବାର ଅବଦାନ ଗୁରୁତ୍ୱପୂର୍ଣ୍ଣ । ତେବେ ଏହି ଆମ୍ବୁଲାନ୍ସରେ ନିୟୋଜିତ ହେଉଥିବା ଡ୍ରାଇଭରମାନେ ଠିକା ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଥିବାରୁ ସେମାନଙ୍କୁ ଠିକ୍ ସମୟରେ ଦରମା ମିଳୁନାହିଁ । କେବଳ ସେତିକି ନୁହେଁ ଠିକା ସଂସ୍ଥା ଗୁଡ଼ିକ ଶ୍ରମିକ କିମ୍ବା କର୍ମଚାରୀ ଯୋଗାଉଥିବା ସଂସ୍ଥା ଗୁଡ଼ିକ ଠାରୁ ଯେଭଳି ଅର୍ଥ ପାଉଛନ୍ତି, ସେହିଭଳି ନିଯୁକ୍ତି ଯୋଗାଇଥିବା ବ୍ୟକ୍ତିମାନଙ୍କ ଠାରୁ ମଧ୍ୟ ଅର୍ଥ ଶୋଷଣ କରି ବେଆଇନ୍ ଭାବରେ କଳାଧନ ଠୁଳ କରୁଛନ୍ତି । ଗୋଟିଏ ଦୃଷ୍ଟିରୁ ଦେଖିବାକୁ ଗଲେ ଠିକା କର୍ମଚାରୀମାନେ ଏକ ପ୍ରକାରର ଗୋତି ଶ୍ରମିକ ଭଳି କାର୍ଯ୍ୟ କରୁଛନ୍ତି ଏବଂ ସେମାନଙ୍କର ପ୍ରାପ୍ୟରୁ ଠିକା ସଂସ୍ଥା ଏକ ମୋଟା ରକମର ଅର୍ଥ କାଟି ରଖୁଛନ୍ତି । ଠିକାରେ କର୍ମଚାରୀ ଯୋଗାଇବା ବ୍ୟବସ୍ଥା ଦୁର୍ନୀତିର ଏକ ବଡ଼ ଉତ୍ସ ଭାବରେ ପ୍ରମାଣିତ ହେଲାଣି । ଏହି ଦୁର୍ନୀତି ବିରୁଦ୍ଧରେ ଯଦି କେହି ସ୍ୱର ଉତ୍ତୋଳନ କରୁଛି ଚାକିରି ଯିବାର ଧମକ ତାଙ୍କୁ ଦିଆଯାଉଛି । ଠିକା କର୍ମଚାରୀଙ୍କର ନିଯୁକ୍ତି ତ କଥା ପଦକରେ ରଦ୍ଦ ହୋଇଯାଉଛି । ଆମ୍ବୁଲାନ୍ସ ସେବା ଯୋଗାଉଥିବା କର୍ମଚାରୀମାନେ ରୋଗୀଙ୍କର ଜୀବନରକ୍ଷା କରୁଛନ୍ତି । ହେଲେ ସେମାନେ ସରକାରୀ କର୍ମଚାରୀରେ ପରିଗଣିତ ହେଉନଥିବାରୁ ଯେକୌଣସି ମୁହୂର୍ତ୍ତରେ ସେମାନଙ୍କ ଚାକିିରି ଚାଲିଯିବାର ଭୟ ରହୁଛି । ଏହି ଆଶଙ୍କା ଭିତରେ ସେମାନେ ଲୋକଙ୍କର ସେବା କରୁଥିବା ବେଳେ ସେମାନଙ୍କ ଅସୁବିଧା ପ୍ରତି ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ କରି ସେମାନେ ଆନେ୍ଦାଳନରେ କରୁଛନ୍ତି । ଗତ ସପ୍ତାହରେ ଆମ୍ବୁଲାନ୍ସ ଡ୍ରାଇଭରମାନେ ଆନେ୍ଦାଳନ କରିଥିଲେ । ଅଭିଯୋଗ ଥିଲା  ସେମାନଙ୍କୁ ନିଯୁକ୍ତି ଦେଇଥିବା ସଂସ୍ଥା, ୨ଶହ ଜଣଙ୍କୁ ଚାକିରିରୁ ବାହାର କରି ଦେଇଥିଲା । ଯଦିଓ ଗୋଟିଏ ଦିନ ପରେ ସେମାନେ ଆନେ୍ଦାଳନ ପ୍ରତ୍ୟାହାର କଲେ, ତଥାପି ସେମାନଙ୍କ ବାସ୍ତବ ଅଭିଯୋଗକୁ ଅଣଦେଖା କରାଯାଇପାରିବ ନାହିଁ । 
ପ୍ରତ୍ୟେକ ବର୍ଗର କର୍ମଚାରୀମାନଙ୍କ କ୍ଷେତ୍ରରେ ଆର୍ଥôକ ଅସୁବିଧା ସମ୍ପର୍କିତ ସମସ୍ୟା ଗୁଡ଼ିକୁ ସରକାର ଅନ୍ତତଃପକ୍ଷେ ବର୍ଷକୁ ଥରେ ସମୀକ୍ଷା କରିବା ଆବଶ୍ୟକ । କିନ୍ତୁ କର୍ମଚାରୀମାନଙ୍କ ଠାରୁ କାମ ନେବା ବେଳେ ଉପରିସ୍ଥ କର୍ମକର୍ତ୍ତାମାନେ ଯେଭଳି ତତ୍ପର ସେମାନଙ୍କର ଆର୍ଥôକ ସମସ୍ୟା ବାବଦରେ ସେଭଳି ତତ୍ପର ନୁହଁନ୍ତି । କର୍ମଚାରୀମାନଙ୍କର ଆର୍ଥôକ ସମସ୍ୟା ସମ୍ପର୍କିତ ପ୍ରଶ୍ନ ଉଠିଲେ ଉପରିସ୍ଥ କର୍ମଚାରୀମାନେ ପ୍ରସଙ୍ଗଟିକୁ ନ ଦେଖିଲା ଭଳି ଚାଲି ଯାଉଛନ୍ତି । ସ୍ୱାସ୍ଥ୍ୟ ସେବା ଏକ ଜରୁରୀ ସେବା ଏବଂ ଏହାକୁ କୌଣସି ପରିସ୍ଥିତିରେ ଅଟକାଇ ଦିଆଯାଇପାରିବ ନାହିଁ । 
ଗ୍ରାମାଞ୍ଚଳର ଦରିଦ୍ର, ଆର୍ଥôକ ଦୁର୍ବଳ ଶ୍ରେଣୀ, ଏପରିକି ସବୁ ଶ୍ରେଣୀର ଲୋକେ ୧୦୮ ଆମ୍ବୁଲାନ୍ସ ଉପରେ ନିର୍ଭର କରୁଛନ୍ତି । ରୋଗ କେବେ ହେଲେ କାହାରିକୁ ଅପେକ୍ଷା କରେ ନାହିଁ । ପରିସ୍ଥିତି ବିଗିଡ଼ିବା ପୂର୍ବରୁ ସମସ୍ତେ ଡ଼ାକ୍ତରଖାନାରେ ପହଞ୍ଚିବାକୁ ଚାହାନ୍ତି । କିନ୍ତୁ ଏଭଳି ଏକ ସେବାକୁ ଠିକା କର୍ମଚାରୀ ମାଧ୍ୟମରେ ପରିଚାଳନା କରିବା ଆଦୌ ଉଚିତ୍ ନୁହେଁ । ଏ ଦୃଷ୍ଟିରୁ ସରକାର ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଦାବି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ସେମାନଙ୍କ ସମସ୍ୟା ସମାଧାନ ଦିଗରେ ପ୍ରାଥମିକତା ଦେବା କ୍ଷେତ୍ରରେ ବହୁ ବିଳମ୍ବ ହୋଇଗଲାଣି । ଏହି ସେବାରେ ବିଳମ୍ବ ଅର୍ଥ ଗ୍ରାମାଞ୍ଚଳର ଗରିବ  ଲୋକମାନଙ୍କର ଜୀବନ ସହିତ ଖେଳ ଖେଳିବା । ସରକାରୀ ଡାକ୍ତରଖାନା ଗୁଡ଼ିକରେ ରୋଗୀ ପହଞ୍ଚାଇବାର ପ୍ରାଥମିକତା ୧୦୮ ଆମ୍ବୁଲାନ୍ସ ଉପରେ ନ୍ୟସ୍ତ ଥିବାରୁ ପ୍ରାଥମିକତା ଭିତ୍ତିକ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏ ପ୍ରସଙ୍ଗରେ ଠିକା ସଂସ୍ଥା ଗୁଡ଼ିକ ମଧ୍ୟସ୍ତି ହୋଇ ଯାଉଥିବାରୁ ସେମାନଙ୍କର ଆପତ୍ତି ଅଭିଯୋଗ କିମ୍ବା ଅସୁବିଧା ଗୁଡ଼ିକ ସରକାରଙ୍କ ଦୃଷ୍ଟିକୁ ଆସୁନାହିଁ । ଏବେ ସବୁଠାରୁ ବଡ଼କଥା ହେଲା ଠିକା ସଂସ୍ଥା ମାଧ୍ୟମରେ କର୍ମଚାରୀ ଚୟନ ପ୍ରକ୍ରିୟା ଅତ୍ୟନ୍ତ ଦୁର୍ନୀତି ପୂର୍ଣ୍ଣ ଏବଂ ଅନୈତିକତାରେ ଭରପୂର । ଠିକା ସଂସ୍ଥା ଗୁଡ଼ିକ କିଭଳି ଭାବରେ ହିସାବ ବର୍ହିଭୂତ ଅର୍ଥ ଉପାର୍ଜନ କରୁଛନ୍ତି, ତାହା ଉପରେ ମଧ୍ୟ ତଦନ୍ତର ଆବଶ୍ୟକତା ରହିଛି ।