ବହୁ ସମସ୍ୟାର ସହଜ ସମାଧାନ
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ କରିବା ବହୁ ସମସ୍ୟାର ସହଜ ସମାଧାନର ପନ୍ଥା ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଜୀବନ ଥିଲେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ସମସ୍ତଙ୍କ ଜୀବନରେ ସମସ୍ୟା ଅଛି । ସେଥିମଧ୍ୟରୁ କିଛି ସମସ୍ୟା ଗୁରୁତର ହୋଇଥିବା ବେଳେ ଆଉ କିଛି ସମସ୍ୟାକୁ ସହଜରେ ସମାଧାନ କରିହୁଏ । ତେବେ ଏମିତି ବି କିଛି ସମସ୍ୟା ଅଛି ଯାହାକୁ ନିଜେ କେହି ସମାଧାନ କରିପାରିବେ ନାହିଁ । ସେଥିପାଇଁ ଅନ୍ୟର ସାହାଯ୍ୟ ସହଯୋଗ ଆବଶ୍ୟକ । ଅନ୍ୟର ସାହାଯ୍ୟ ସହଯୋଗ ମିଳୁଥିଲେ ମଧ୍ୟ ସମସ୍ୟାରୁ ମୁକୁଳିବାକୁ ହେଲେ ଧୈର୍ଯ୍ୟ ଦରକାର ଏବଂ ବାଉଳିଚାଉଳି ହୋଇ ଅନେକ ଲୋକଙ୍କ ଶରଣ ପଶିଲେ କିଛି ଲାଭ ହେବ ନାହିଁ; ବରଂ ନୀରବ ରହିବା ଦ୍ୱାରା ସମସ୍ୟା ଆପେ ଆପେ ଦୂରେଇ ଯାଏ । ଜୀବନର ସମସ୍ୟା ଗୁଡ଼ିକ ଅନେକ ପ୍ରକାରର । କେତେବେଳେ ଆର୍ଥôକ ସମସ୍ୟା ଆସେ ତ ଆଉ କେତେବେଳେ ସାମାଜିକ ଜୀବନର ସମସ୍ୟା ସବୁ ଆସେ । କିଛି ସମସ୍ୟା ଆମେ "ନିଜର' ବୋଲି ଭାବୁଥିବା ଲୋକମାନେ ହିଁ ସୃଷ୍ଟି କରନ୍ତି । ତେବେ ଧୈର୍ଯ୍ୟ ଏବଂ ନୀରବତା-ଏହି ଦୁଇଟି ହେଉଛି ସମସ୍ୟାକୁ ସମ୍ମୁଖୀନ ହୋଇ ସେଥିରୁ ବାହାରିବାର ସବୁଠାରୁ ବଡ଼ ଅସ୍ତ୍ର । ଧୈର୍ଯ୍ୟହରା ହୋଇ ବିଭିନ୍ନ ଲୋକଙ୍କର ଶରଣ ପଶିଲେ, ସାହାଯ୍ୟ ମାଗିଲେ କିମ୍ବା ନିଜର ଅସହାୟତା ପ୍ରକାଶ କରିଲେ କୌଣସି ସମସ୍ୟା ଆପେ ଆପେ ସମାଧାନ ହୁଏନାହିଁ । ଧୈର୍ଯ୍ୟର ସହିତ ସମସ୍ୟାକୁ ସମ୍ମୁଖୀନ ହେବାକୁ ପଡ଼େ ।
ଜୀବନ ଯୁଦ୍ଧରେ ସମସ୍ୟା ହେଉଛି ଏକ ପରୀକ୍ଷା । ଏଥିରେ ହାରି ଯାଉଥିବା ଲୋକ ଜୀବନ ଯୁଦ୍ଧରେ ମଧ୍ୟ ହାରିଯାଏ । ଜୀବନ ସଂଗ୍ରାମର ରଣାଙ୍ଗନରେ ଲଢ଼ି ପାରୁନଥିବା ଅନେକ ଲୋକ ଆତ୍ମହତ୍ୟା କରୁଥିବା ଆଜିକାଲି ଆମେ ନିତିନିତି ଦେଖୁ ।
ଜୀବନରେ ସମସ୍ୟା ଅଛି । ସମସ୍ୟା ଆସିବ ମଧ୍ୟ । ଏସବୁ ସମସ୍ୟାକୁ ଅଧୈର୍ଯ୍ୟ ହେଲେ ସେସବୁ ଦୂରେଇ ଯାଏ ନାହିଁ; ବରଂ ଜଟିଳ ହୁଏ । କୌଣସି ସମସ୍ୟାକୁ ଜଟିଳ ହେବାକୁ ଦିଆଯିବା ଉଚିତ୍ ନୁହେଁ । ଯେତିକିରେ ବର୍ତ୍ତମାନ ସମସ୍ୟା ରହିଛି, ସେତିକିରେ ଯଦି ଧୈର୍ଯ୍ୟର ସହ ମୁକାବିଲା କରାଯିବ, ସମସ୍ୟା ଦୂରେଇ ଯିବ । ଏତିକି ବୁଝିପାରିଲେ ଜୀବନ ଉପଭୋଗ୍ୟ ଏବଂ ଆନନ୍ଦମୟ ହେବ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।