ଅଜଣା ଜଗତର ଡାକ
ଭିତରେ କଚ୍ଛପଟି ଏକ ବଢିଆ ଗାତ ଖୋଳି ସାରିଥିଲା । ଗାତର ବାହାର ଅଂଶ ଗୋଲ ଆଉ ଟିକେ ଭିତରକୁ ଏକ ମାଠିଆ ଭଳି ସାମାନ୍ୟ ମୋଟେଇ ଯାଇଥିଲା । ଯେମିତିକି ସୁରାଇ ଗ୍ଲାସ ଅପେକ୍ଷା ବେଶି ପାଣି ଧରିଲା ଭଳି ଏ ଗାତ ଭିତରେ ବେଶି ଅଣ୍ଡା ଧରିପାରେ ।କଚ୍ଛପଟି ଗାତ ଖୋଳି ଖୋଳି ଥକି ଯାଇଥିଲା । ତା’ର ଅଣ୍ଡାଦେବା ଅଙ୍ଗଯାହାକୁ କ୍ଲୋଆକା କୁହନ୍ତି ସେ ଗାତର ଠିକ ମଝିରେ ଥିଲା ଆଉ ସେଥିରୁ ଦୁଇ ତିନି ଚାରି ଏମିତି କରି ଗୋଲ ଗୋଲ ଅଣ୍ଡା ଗାତ ଭିତରକୁ ଲାଲ ସହ ଖସି ପଡୁଥିଲା ।
“ଏତେ ଉଚ୍ଚରୁ ଅଣ୍ଡା ପଡି ଫାଟୁନି ଅସୀମ ।”- ଶୋଭନା କହିଲେ । ଅସୀମ ମଧ୍ୟ ସେଇଆ ଦେଖୁଥିଲେ । ଅଣ୍ଡାର ଅତି ସାମାନ୍ୟ ମୋଟ ଖୋଳପା । କେଇ ଇଂଚ ଉପରୁ ପଡିଲେ ଅଣ୍ଡା ନଫାଟିଲେ ମଧ୍ୟ ଅଣ୍ଡା ଖୋଳପାରେ ଭଙ୍ଗା ଦାଗ ପଡିଯାଏ ଆଉ ତେଣିକି ଆଗକୁ ଅଣ୍ଡା ଖରାପ ହୋଇଯାଏ । କିନ୍ତୁ ଏଠି ପ୍ରାୟ ଫୁଟେ ଗଭୀର ଗାତ ଭିତରେ ଅଣ୍ଡା ପଡିଲେ ଫାଟିଯିବା କଥା । “ମାଡାମ୍, କଚ୍ଛପ ଅଣ୍ଡା ଫାଟେନି ।ଅଣ୍ଡା ଦେଲାବେଳେ ଅଣ୍ଡାର ଖୋଳ ଏକଦମ ନରମ ଥାଏ । ପ୍ରାୟ ପିଙ୍ଗ ପଙ୍ଗ ବଲ ଭଳି ନରମ । ପକାଇଲେ ବଲ ଭଳି ଡେଇଁବ । ପରେ ପବନ ବାଜିଲେ ଅଣ୍ଡାର ଖୋଳ ଶକ୍ତ ହୁଏ ।”- ରାମଦାସ ପାଖରେ ଠିଆ ହୋଇ କହିଲେ ।
ଶୋଭନା ଦେଖୁଥିଲେ ଏକ ଛୋଟ ଟେନିସ ବଲ ଆକାରର ଏକଦମ ଗୋଲ ଅଣ୍ଡା ଗାତ ଭିତରେ ଖସି ପଡୁଛି । କୁକୁଡା ଅଣ୍ଡା ଟିକେ ଏଲିପଟିକାଲ, କିନ୍ତୁ କଚ୍ଛପର ଅଣ୍ଡା ଏକଦମ ଗୋଲଆଉ ଧଳା ରଙ୍ଗ । ଧୀରେ ଗାତଭରି ଆସୁଥିଲା । କଚ୍ଛପଟି ଅଣ୍ଡା ଦେବାବେଳେ ବେଳେବେଳେ ରହିଯାଉଥିଲା, ସାମାନ୍ୟ କୁନ୍ଥାଉଥିଲା, ତା’ ନାକରୁ ଖର ନିଃଶ୍ୱାସ ଆସୁଥିଲା ଆଉ ଅଣ୍ଡା ତଳକୁ ଖସି ପଡୁଥିଲା । ଠିଆ ହୋଇ ଦେଖିଲେ କଚ୍ଛପଟି ଲାଗୁଥିଲା ଏକ ପକ୍ଷିଆ, ଉପରୁ ବର୍ଷା ହେଉଛି ଆଉ ତଳେ ଚାଷୀଟିଏ ପକ୍ଷିଆ ଘୋଡାଇ ହୋଇ ନିଜ କାମ କରୁଛି । ଏମିତି ଗାତ ଭରିଗଲା ଆଉ ଏବେ ଆସିଲା ଗାତକୁ ପୋତିବା ସମୟ । କଚ୍ଛପଟି ନିଜ ପଛ ଫ୍ଲିପରକୁ ବ୍ୟବହାର କରି ଆଖ ପାଖର ବାଲିକୁ ଗାତ ଉପରେ ପକାଉଥିଲା । ମୁହଁ ଆଗକୁ, ପଛକୁ ମୁହଁ ମୋଟେ ବୁଲାଉନି, କିନ୍ତୁ ନିଜ ଫ୍ଲିପର ହିସାବାରେ ଅନ୍ଦାଜରେ ଓଦା ବାଲି ଗାତରେ ସ୍କୁପ କରି ଭରି ଚାଲିଛି । ଏମିତି କିଛି ସମୟ ଚେଷ୍ଟା କରି ଗାତ ମୁହଁକୁ ବାଲିରେ ପୋତିଦେଲା । “ଅସୀମ ମାର ବ୍ୟବହାର ଦେଖ ତ? ନିଜ ଅଣ୍ଡାକୁ ସୁରକ୍ଷିତ ରଖିବାପାଇଁ ଗାତ ପୋତିଦେଉଛି ।”-ଶୋଭନା କହିଲେ । “ଏତିକି ନୁହେଁ ଶୋଭନା । ମା’ କଚ୍ଛପ ଆହୁରି ମଧ୍ୟ ବହୁ କାମ କରିବ । ଦେଖିବ ସେ କେମିତି ନିଜ ଗାତକୁ କମ୍ପ୍ୟାକ୍ଟିଙ୍ଗ କରୁଛି । ତା’ ପରେ ଆଉ ଏକ ଫଲସ ବଡି ପିଟ କରୁଛି । କେହି କେମିତି ତା’ ଗାତକୁ ଠଉରାଇ ନପାରୁ, ସେ ହିସାବରେ ସେ ବହୁ ପ୍ରଯତ୍ନ କରୁଛି । ଏହି ହେଉଛି ପ୍ରକୃତିର ବିସ୍ମୟ ।”-ଅସୀମ କହିଲେ ।
ଶୋଭନା ଆଉ ଅସୀମ ଏକ ଧ୍ୟାନରେ କଚ୍ଛପଟିର ପ୍ରତିଟି କାମକୁ ଧ୍ୟାନ ଦେଇ ଦେଖୁଥିଲେ । କେତେ ଯତ୍ନର ସହ ମା’ କଚ୍ଛପଟି ଅଣ୍ଡା ଦେଇସାରିଲାପରେ ନିଜ ଗାତକୁ ପୋତୁଛି । ଏଣେ କଚ୍ଛପଟି ଗାତ ପ୍ରାୟ ପୋତିଦେଲା । ଆଉ ଏକ ଛୋଟ ଧୂର୍ମୁଷରେ ବାଡେଇ ମେଜିଆକୁ କମ୍ପ୍ୟାକ୍ଟକଲାପରି ନିଜ ଦେହକୁ ଏପଟ ସେପଟ କରି ବାଡେଇ କମ୍ଫ୍ୟାକ୍ଟ କଲା । ତା’ ଶରୀର ବାମ ଡାହାଣ ହୋଇ ବାଲିରେ କ୍ରମାଗତ ବାଡେଇ ହୋଇ ଚାଲିଥିଲା ।ଶେଷରେ ଯାଗାଟା କମ୍ଫାକ୍ଟ ବା ଟାଣ ହୋଇଗଲା ଆଉ ଏବେ କଚ୍ଛପଟି ନିଜର ଆଗ ଫ୍ଲିପରରେ ସେ ଯାଗାରେ ବାଲି ପକାଇବାକୁ ଲାଗିଲା । ପ୍ରଥମେ ଯେମିତି ବାଲିଥିଲା, ସେମିତି ଏବେ ବାଲି ଦେଖାଯାଉ । କେହି ସହଜରେ ତା’ ଯାଗାକୁ ଜାଣି ନପାରନ୍ତୁ । ସେ ଟିକେ ଆଗେଇ ଯାଇ ନିଜ ପିଟ ଉପରକୁ ବାଲି କିଛି ସମୟ ପକାଇ ଚାଲିଲା । ସେଇଥି ପାଇଁ କଚ୍ଛପଟି ନିଜର ଉଭୟ ଆଗ ଆଉ ପଛ ଫ୍ଲିପର ବ୍ୟବହାର କରୁଥିଲା । ତା’ପରେ ସାମାନ୍ୟ ଦୁରରେ ମଧ୍ୟ ଏମିତି ଏକ ଫଲସ ପିଟ କଲା । ସେଇଥି ପାଇଁ ସେ ଗାତ ଖୋଳିନି ଅବଶ୍ୟ ।
“ପ୍ରକୃତିରେ କାମଫ୍ଲାଉଜିଙ୍ଗର ବା ଛଦ୍ମ୍ୱାବରଣର ଆବଶ୍ୟକତା ଅଛି ଅସୀମ ।”- ଶୋଭନା କହିଲେ ।
“ସମସ୍ତେ ନିଜ ଜୀବନ ଆଉ ନିଜର ପର ପିଢିର ଜୀବନ ଆଉ ସୁରକ୍ଷାପାଇଁ କିଛି ନା କିଛି କରୁଛନ୍ତି । ସୁରକ୍ଷା ବଳୟ ସମସ୍ତଙ୍କର ଆବଶ୍ୟକତା ଅଛି । ମଣିଷ ଗୁମ୍ଫାରେ ରହିବା ଦ୍ୱାରା ନିଜର ଏକ ସୁରକ୍ଷା ବଳୟ ତିଆରି କରିଥିଲା । ସେମିତି ପ୍ରତି ପଶୁ ପକ୍ଷୀ କିଛି ନା କିଛି କରି ନିଜର ଜୀବନକୁ ସୁରକ୍ଷିତ ରଖୁଛନ୍ତି ଅସୀମ ।”“ଆଶ୍ଚର୍ଯ୍ୟର କଥା । କେହି କିଛି ଶିଖାଇନି । କିନ୍ତୁ ପ୍ରକୃତି ସେମାନଙ୍କ ଭିତରେ ଆଗରୁ ଜ୍ଞାନ ଭରି ଦେଇଛି ।” “ଶୋଭନା, ଏବେ ବିଦାୟର ବେଳ ଆସିଲାଣି ।”-ଅସୀମ କହିଲେ । ଅସୀମ ଆଉ ଶୋଭନା ଦେଖୁଥିଲେ କଚ୍ଛପଟି ନିଜକୁ ସମୁଦ୍ର ମୁହାଁ କରିନେଲାଣି, ଅର୍ଥ ଏବେ ଯିବା ସମୟ ଆସିସାରିଲାଣି । ତା’ ଶରୀରଟି ଗୋଲ ହୋଇ ବୁଲିଯାଇଛି ଆଉ ତା’ ଆଗଟା ଅନ୍ଧାର । ଲହଡିର ଶବ୍ଦ ଶୁଣାଯାଉଛି । କଚ୍ଛପଟି ପୂର୍ବ ଭଳିଆ ନିଜର କାନ୍ଧ ପାଖ ଫ୍ଲିପରକୁ ଆଗକୁ ବଢାଇଦେଲା ଆଉ ବାଲିକୁ ଜୋରରେ ଦବାଇ ନିଜକୁ ଆଗକୁ ଟାଣିନେଲା । ତା’ ଶରୀରଟି ଆପେ ଘୁଷୁରିଗଲା ଆଉ ପଛ ଫ୍ଲିପର ତା’କୁ ସେଇମିତି ଆଗକୁ ଠେଲିନେଲା । ଏମିତି ଆଗ ଦୁଇ ଫ୍ଲିପର ଆଉ ପଛ ଦୁଇ ଫ୍ଲିପର ସାହାଯ୍ୟରେ କଚ୍ଛପଟି ପାଣି ଆଡକୁ ଘୁଷୁରି ଯାଉଥିଲା । ଆଗ ଦୁଇ ଫ୍ଲିପରର ବାଲିରେ ଅଳ୍ପ ଗଭୀର ଦାଗ କରୁଥିଲା ଆଉ ଛୋଟ ଫ୍ଲିପର ମଧ୍ୟ ଗଭୀର ଦାଗ କରୁଥିଲା । ଏଥିରୁ କଚ୍ଛପର ଯିବା ଆସିବା ରସ୍ତା ସ୍ପଷ୍ଟ ଜଣା ଯାଉଥିଲା ।
“ବାଲିରେ ନିଜ ଚିହ୍ନ ଛାଡି ମା’ ଚାଲିଗଲା ଅସୀମ ।”- ଶୋଭନା କହିଲେ । ତାଙ୍କ ସ୍ୱର ଭିତରେ ସାମାନ୍ୟ କମ୍ପନ ଥିଲା । ସେ କଚ୍ଛପର ଅଣ୍ଡା, ମାର ଜୀବନ ବିଷୟରେ ଭାବୁଥିବେ । ଶୋଭନା ଯାହାହେଲେ ବି ଏକ ନାରୀ । ନାରୀର ଏକ ମା’ପାଇଁ ସବୁବେଳେ ସମବେଦନା ରହିବ ।
“ଶୋଭନା, ଜୀବନପାଇଁ ଏକ ଚିହ୍ନ ଛାଡି ଏକ ମା’ ନୂଆ ଦିନ ପାଇଁ ଚାଲିଗଲା ।”-ଅସୀମ କହିଲେ ।
“ଏକ ଚିହ୍ନ କେବଳ ରହିଗଲା ଅସୀମ । ପାଣିରେ ପବନରେ ଦିନେ ହଜିଯିବ ।”
“ସମସ୍ତେ ଶୋଭନା, କିଛି ସମୟ ପରେ ସମସ୍ତେ ପାଣି, ପବନ ମାଡରେ ଝଡିପଡିବେ ଆଉ ମାଟିରେ ଦିନେ ହଜିଯିବେ ।”
“ଅସୀମ, ଦେଖୁନ କାଲି ସକାଳେ ଲହଡି ଆସିବ ଆଉ ଚିହ୍ନକୁ ଧୋଇନେବ । ଟିକେ ଖରାହେଲେ ଉପର ବାଲି ଶୁଖିଯିବ ଆଉ ବାଲିରେ ଥିବା ଚିହ୍ନ ପବନରେ ଉଡିଯିବ ।”
ସେତିକି ଦରକାର ଶୋଭନା । କଚ୍ଛପର କାମଫ୍ଲାଉଜିଙ୍ଗ ପୂର୍ଣ ହେବ । ତା’ ଅଣ୍ଡାର ଉପସ୍ଥିତି କେହି ସହଜରେ ଜାଣି ପାରିବେନି ।”
“ପ୍ରକୃତି ଅପୂର୍ବ ଅସୀମ । ଆମ ସମସ୍ତଙ୍କୁ ବୁଝିବାର ଅଛି, ଦେଖିବାର ଅଛି, ଅନ୍ୟକୁ ଜଣାଇବାର ଅଛି ।”(କ୍ରମଶଃ)
ଭୁବନେଶ୍ୱର