ଅତି ଅହଂକାରର ଅନ୍ତିମ ଅବସ୍ଥା
ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଅତି ଅହଂକାରର ଅନ୍ତିମ ଅବସ୍ଥା ବାବଦରେ କିଛି ବାସ୍ତବ ଅନୁଶୀଳନର କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା । ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ନେଇ କିଛି ନା କିଛି ଅହଂକାର ଥାଏ । ଏଭଳି ଅହଂକାର ରହିବା ମଧ୍ୟ ଉଚିତ୍ । ହେଲେ ଅହଂକାର ଯେତେବେଳେ ଆତ୍ମବଡ଼ିମାର ଅହଂକାର ହୋଇଯାଏ ସେତେବେଳେ ଏହା ବ୍ୟକ୍ତି ପାଇଁ ଯେତିକି କ୍ଷତିକାରକ, ସମାଜ ପାଇଁ ମଧ୍ୟ ସେତିକି କ୍ଷତିକାରକ । ବ୍ୟକ୍ତିତ୍ୱକୁ ନେଇ ଅହଂକାର ସ୍ୱାଭାବିକ ଭାବେ ରହିଲେ ଏହା ବ୍ୟକ୍ତିତ୍ୱକୁ ପରିପୁଷ୍ଟ କରେ । ହେଲେ ଅହଂକାର ମାତ୍ରାଧିକ ହେଲେ ତାହା ଗର୍ବରେ ପରିଣତ ହୋଇଯାଏ । ଏହି ଗର୍ବ ହିଁ ମଣିଷକୁ ହିଂସ୍ର କରିଦିଏ । ଅହଂକାର ଏ ଅବସ୍ଥାକୁ ଆସିଲେ କ୍ଷତିକାରକ ।
ମହାଭାରତର ଦୁର୍ଯେ୍ୟାଧନ ଏବଂ କର୍ଣ୍ଣ ହେଉଛନ୍ତି ସୀମାତିରିକ୍ତ ଅହଂକାରର ଉଦାହରଣ । ଜଣେ ଜଣେ ଯୋଦ୍ଧା ଭାବରେ ସେମାନଙ୍କର ଅହଂକାର ରହିବା ସ୍ୱାଭାବିକ । ହେଲେ "ମୋ ଠାରୁ ଆଉ କେହି ଅଧିକା ନାହାନ୍ତି' ବୋଲି ରହିଥିବା ଅହଂକାର ଏକ ଗଣବିଧ୍ୱଂସୀ ଯୁଦ୍ଧର କାରଣ ପାଲଟିଲା । ଏଭଳି ଅହଂକାରକୁ ସମସ୍ତେ ତ୍ୟାଗ କରିବା ଆବଶ୍ୟକ । ଜଣେ ନିଜକୁ ନିଜେ ଯେତିକି ଭଲ ପାଏ ଅନ୍ୟକୁ ମଧ୍ୟ ସେତିକି ଭଲ ପାଇବା ଶିଖିବା ଉଚିତ୍ । ଏହା ସକାରାତ୍ମକ ଅହଂକାରର ରୂପ ନେଇ ସମାଜରେ ବ୍ୟକ୍ତିକୁ ପ୍ରତିଷ୍ଠିତ କରାଏ । ସାମାଜିକ ଭାବେ ସମ୍ମାନ ମିଳିବା କ୍ଷେତ୍ରରେ ସହାୟକ ମଧ୍ୟ ହୁଏ । ସେଥିପାଇଁ ନୀତିକଥା ଏବଂ ହିତୋପଦେଶ ସବୁରେ ଯେକୌଣସି ଏକ ଭାବନା ଅତି ହୋଇଗଲେ ବା ଅଧିକ ହୋଇଗଲେ ଏଭଳି ଚିନ୍ତା ମନରୁ ଦୂର କରି ଦେବା ଉଚିତ୍ ବୋଲି ସଚେତନ କରାଯାଇଛି । "ଅତି ସର୍ବତ୍ର ବର୍ଜୟେତ୍' ବୋଲି କୁହାଯାଇଛି । ଦୈନନ୍ଦିନ ଜୀବନରେ ଖେଳକୁଦ, ବ୍ୟାୟାମ, ଖାଇବା, ଶୋଇବା ଆଦି ପ୍ରତ୍ୟେକ ଘଟଣା ଏକ ନିର୍ଦ୍ଦିଷ୍ଟ ସୀମାରେ ରହିବା ଆବଶ୍ୟକ । ସୀମା ଅତିକ୍ରମ କଲେ ଏହା ଶରୀର ପାଇଁ ରୋଗ ସୃଷ୍ଟି କରେ । ଠିକ୍ ସେମିତି ଅହଂକାର ଅତ୍ୟଧିକ ହୋଇଗଲେ ତାହା ମଣିଷକୁ ଧ୍ୱଂସ ଆଡ଼କୁ ବାଟ କଢ଼େଇ ନିଏ । ପୁରାଣଶାସ୍ତ୍ରରେ, ନୀତିଶିକ୍ଷାରେ, ହିତୋପଦେଶରେସ ଜୀବନର ଅଭିଜ୍ଞତାରେ-ସବୁଥିରେ ଅହଂକାରର ଅନ୍ତିମ ଅବସ୍ଥା ଭୟାନକ ହିଁ ଭୟାନକ । ପ୍ରତ୍ୟେକ ଅହଂକାରୀ ବ୍ୟକ୍ତିର ଅନେକ ଅଜଣା ଶତ୍ରୁ ଥାଆନ୍ତି । ଏହି ଅଜଣା ଶତ୍ରୁମାନଙ୍କୁ ଖୋଜି ବାହାର କରିବା ମଧ୍ୟ ସମ୍ଭବ ନୁହେଁ । ଅହଂକାର ବଢ଼ିଲେ ଜୀବନରେ ଅନେକ ଅଜଣା ଶତ୍ରୁଙ୍କ ସଂଖ୍ୟା ବଢ଼େ । ଅହଂକାର ପରିତ୍ୟାଗ କଲେ ଅଜଣା ଶତ୍ରୁମାନେ ନିଜ ଭିତରେ ହିଁ ନଷ୍ଟ ହୋଇଯାଆନ୍ତି । ଅହଂକାର କେବଳ ନିଜକୁ ବିନାଶ କରେ ନାହିଁ, ଏହା ବଂଶ, ବୁନିଆଦର ମଧ୍ୟ ବିନାଶର କାରଣ ପାଲଟେ । ବିବେକବାନ ବ୍ୟକ୍ତି ସର୍ବଦା ଅହଂକାର ଠାରୁ ଦୂରେଇ ରହେ ।