ଜାତିସଂଘ ରିପୋର୍ଟରେ ଭାରତର ଜନସଂଖ୍ୟା
ଭାରତର ଜନସଂଖ୍ୟା ୧୪୪କୋଟି ପାର ହୋଇ ୧୪୪.୧୭କୋଟିରେ ପହଞ୍ଚôଛି । ୭୭ ବର୍ଷରେ ଦୁଇଗୁଣା ହୋଇଛି ଜନସଂଖ୍ୟା । ଜାତିସଙ୍ଘ ଜନସଂଖ୍ୟା ପାଣ୍ଠି ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରୁ ଏହା ଜଣା ପଡିଛି । ୨୦୧୧ ଜନଗଣନା ବେଳେ ଭାରତର ଜନସଂଖ୍ୟା ୧୨୧କୋଟି ରେକର୍ଡ କରାଯାଇଥିଲା । ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ୦-୧୪ବର୍ଷ ପର୍ଯ୍ୟନ୍ତ ବୟସର ଜନସଂଖ୍ୟା ୩୫କୋଟି ହୋଇଛି , ଯାହାକି ମୋଟ ଜନସଂଖ୍ୟାର ୨୪ପ୍ରତିଶତ । ସେହିଭଳି ୧୦ରୁ୧୯ ଆୟୁବର୍ଗର ଜନସଂଖ୍ୟା ୧୭ ପ୍ରତିଶତ । ମୋଟ ଜନସଂଖ୍ୟାରେ ୧୦ରୁ ୨୪ ଆୟୁବର୍ଗଙ୍କ ସଂଖ୍ୟା ୨୬ ପ୍ରତିଶତ । ୧୫ରୁ ୬୪ ଆୟୁବର୍ଗଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୬୮ ପ୍ରତିଶତ । ସେହିଭଳି ୬୫ବର୍ଷରୁ ଅଧିକ ବୟସର ଜନସଂଖ୍ୟା ମୋଟ ଜନସଂଖ୍ୟାର ୭ ପ୍ରତିଶତ । ଦେଶର ପୁରୁଷଙ୍କର ହାରାହାରି ପରମାୟୁ ୭୧ ବର୍ଷ ହୋଇଥିବାବେଳେ ମହିଳାଙ୍କ କ୍ଷେତ୍ରରେ ଏହା ୭୪ ବର୍ଷ ରହିଛି । ଚଳିତବର୍ଷ ଆରମ୍ଭରେ ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ହୋଇଥିବା ବେଳେ ଏବେ ଭାରତ ସେହି ଧାରା ବଜାୟ ରଖିଥିବା ଜାତିସଙ୍ଘ ରିପୋର୍ଟରୁ ଜଣାପଡିଛି । ଚୀନରେ ଏକ ସନ୍ତାନ ଜନ୍ମନୀତି ଯୋଗୁଁ ଏହା ଜନସଂଖ୍ୟାରେ ଦ୍ୱିତୀୟ ସ୍ଥାନକୁ ଖସିଛି ।
କୌଣସି ଦେଶର ଜନସଂଖ୍ୟା ସେ ଦେଶର ପରିସମ୍ପତ୍ତି । କାରଣ ଏହା ଅର୍ଥବ୍ୟବସ୍ଥାକୁ ଶ୍ରମଶକ୍ତି ଯୋଗାଇଥାଏ । କିନ୍ତୁ ଜନସଂଖ୍ୟାର ଅଭିବୃଦ୍ଧି ଅଧିକ ହେଲେ ତାହା ପରିସମ୍ପତ୍ତି ହେବା ପରିବର୍ତ୍ତେ ଦେଶ ପାଇଁ ବୋଝ ହୋଇଥାଏ । ଏଠାରେ ସୂଚନାଯୋଗ୍ୟ ଯେ, ଆମ ଦେଶର ଜନସଂଖ୍ୟା ୨୦୧୧ ମସିହାରେ ୧୨୧କୋଟି ଥିବାବେଳେ ନିକଟରେ ୧୪୨.୮୫ କୋଟିରେ ହୋଇଥିବା ବେଳେ ଚୀନର ଜନସଂଖ୍ୟା ୧୪୨.୫୭ କୋଟିରେ ଥିଲା । ଅପରପକ୍ଷରେ ସମଗ୍ର ପୃଥିବୀର ଭୂଭାଗର ମାତ୍ର ୨.୪ ପ୍ରତିଶତ ଭାରତରେ ଥିବା ସ୍ଥଳେ, ପ୍ରାୟ ୧୭.୫ ପ୍ରତିଶତ ଜନସଂଖ୍ୟା ଏଠାରେ ବସତି ସ୍ଥାପନ କରନ୍ତି । ଭାରତରେ ସର୍ବାଧିକ ଜନବହୁଳ ରାଜ୍ୟ ମଧ୍ୟରେ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁର, ହାଇଦରାବାଦ, କଲ୍କାତାର ଜନସଂଖ୍ୟା ଯଥାକ୍ରମେ ପ୍ରାୟ ୧ କୋଟି ୨୪ ଲକ୍ଷ, ୧କୋଟି ୧୦ ଲକ୍ଷ,୮୪ଲକ୍ଷ, ୬୮ଲକ୍ଷ, ୫୮ଲକ୍ଷ ରହିଛିି । ସେହିପରି ଭାରତର ସର୍ବାଧିକ ଜନବହୁଳ ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ ,ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ, ଓ ମଧ୍ୟପ୍ରଦେଶର ଜନସଂଖ୍ୟା ଯଥାକ୍ରମେ ୧୯ କୋଟି ୯୫ ଲକ୍ଷ, ୧୧କୋଟି ୨୩ ଲକ୍ଷ, ୧୦କୋଟି ୩୮ ଲକ୍ଷ, ୯କୋଟି ୧୩ ଲକ୍ଷ ଓ ୭କୋଟି ୨୫ ଲକ୍ଷ ରହିଛି । ଏଥିସହିତ ସର୍ବନିମ୍ନ ଜନସଂଖ୍ୟ ବିଶିଷ୍ଟ ରାଜ୍ୟ ମଧ୍ୟରେ ସିକିମ୍ ମିଜୋରାମ, ଅରୁଣାଚଳ ପ୍ରଦେଶ,ଗୋଆ, ନାଗାଲ୍ୟାଣ୍ଡର ଜନସଂଖ୍ୟା ଯଥାକ୍ରମେ ୬ ଲକ୍ଷ ୭ ହଜାର, ୧୦ ଲକ୍ଷ ୯୧ ହଜା, ୧୩ ଲକ୍ଷ ୮୨ ହଜା, ୧୪ ଲକ୍ଷ ୫୭ ହଜାର ଓ ୧୯ ଲକ୍ଷ ୮୦ହଜାର ରହିଛି । ସେହିପରି ଆମ ରାଜ୍ୟ ଓଡ଼ିଶା କଥା ଚିନ୍ତାକଲେ ସଂପ୍ରତି ଆମ ରାଜ୍ୟର ଜନସଂଖ୍ୟା ପ୍ରାୟ ୪.୭୦ କୋଟି ।ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ଜନସଂଖ୍ୟା ବୃଦ୍ଧି ସମଗ୍ର ବିଶ୍ୱ ବିଶେଷ କରି ଆମ ଦେଶ ପାଇଁ ଚିନ୍ତାର କାରଣ ହୋଇଛି । ଯାହାକୁ ଅର୍ଥଶାସ୍ତ୍ରୀ ମାନେ ଜନ ବିସ୍ଫୋରଣର ଆଖ୍ୟା ଦେଇଛନ୍ତି ।ଆମ ଦେଶର ଜନ ସଂଖ୍ୟାର ଅଭିବୃଦ୍ଧିକୁ ଦେଖିଲେ ୧୯୨୧ ମସିହା ପରଠାରୁ ଜନ ସଂଖ୍ୟାର ଆକାର ବଢିବାରେ ଲାଗିଛି । ଏହି ଜନସଂଖ୍ୟା ବିସ୍ଫୋରଣ ଭାରତର ଅର୍ଥ ବ୍ୟବସ୍ଥା ସମ୍ମୁଖରେ ଏକ ବିରାଟ ଆହ୍ୱାନ, ଯାହାର ପ୍ରତିହତ ନିମନ୍ତେ ଆମକୁ ଏହା ସମ୍ପର୍କରେ ବିଶଦ୍ ଆଲୋଚନା ଏଠାରେ ପ୍ରଣିଧାନଯୋଗ୍ୟ । ଆକାର ଦୃଷ୍ଟିରୁ ଏହା ବିଶାଳ, ଅଭିବୃଦ୍ଧି ମଧ୍ୟ ଅତି ଉଚ୍ଚସ୍ତରର, ଏଣେ ଜନସଂଖ୍ୟାର ଗୁଣାତ୍ମକ ମାନ ମଧ୍ୟ ନିମ୍ନ ଧରଣର । ଏହି ପରିପ୍ରେକ୍ଷୀରେ ଜନ ବିସ୍ଫୋରଣ ଆର୍ଥିକ ବ୍ୟବସ୍ଥାରେ କି ପ୍ରଭାବ ପକାଇଛି, ତାହାର ବିଶ୍ଳେଷଣ ଏକାନ୍ତ ଆବଶ୍ୟକ । ଜନ ବିସ୍ଫୋରଣ ଦେଶରେ ମୁଣ୍ଡପିଛା ଆୟର ଅଭିବୃଦ୍ଧି ହାରକୁ ସ୍ୱଳ୍ପ କରେ । ୧୯୫୦-୧୯୫୧ ରୁ ୧୯୯୦-୧୯୯୧ ମଧ୍ୟରେ ଜାତୀୟ ଆୟର ବାର୍ଷିକ ହାରାହାରି ଅଭିବୃଦ୍ଧି ହାର ୪.୨୧ ପ୍ରତିଶତ ହୋଇଥିଲେ ହେଁ ମୁଣ୍ଡପିଛା ଆୟର ଅଭିବୃଦ୍ଧି ହାର ମାତ୍ର ୨.୧୪ ପ୍ରତିଶତ ହୋଇଥିଲା । ଦ୍ରୁତ ଜନସଂଖ୍ୟା ବୃଦ୍ଧି ଦେଶରେ ଖାଦ୍ୟଦ୍ରବ୍ୟ ପାଇଁ ଅଧିକ ଚାହିଦା ସୃଷ୍ଟି କରେ । ପଞ୍ଚବାର୍ଷିକ ଯୋଜନାକାଳ ମଧ୍ୟରେ ଦେଶର ମୋଟ ଖାଦ୍ୟଦ୍ରବ୍ୟ ଉତ୍ପାଦନ ପରିମାଣ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଁ ଦେଶ ଆତ୍ମନିର୍ଭରଶୀଳ ହେବାର ସଫଳତା ହାସଲ କରିଛି । ଏ ସବୁ ସତ୍ତ୍ୱେ ଦେଶରେ ଏବେ ମଧ୍ୟ ୨୭ ଭାଗ ଲୋକ ଦାରିଦ୍ର୍ୟର ସୀମାରେଖା ତଳେ ରହି ଦୁଇବେଳା ଦୁଇମୁଠା ଖାଇବାକୁ ପାଆନ୍ତି ନାହିଁ । ଅନେକ ଶିଶୁ ପୁଷ୍ଟିହୀନତା ଓ ଖାଦ୍ୟାଭାବ ଜନିତ ରୋଗବ୍ୟାଧିର ଶିକାର ହୋଇ ମୃତୁ୍ୟମୁଖରେ ପଡୁଛନ୍ତି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ବୃଦ୍ଧିହାର ଦେଶର ସୀମିତ ଭୂମି ଉପରେ ଅଧିକ ଚାପ ସୃଷ୍ଟି ମଧ୍ୟ କରିଥାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତରେ ୧୯୫୧ ରୁ ୨୦୧୧ ମଧ୍ୟରେ ଜଣପିଛା ଚାଷଜମି ୦.୯ ହେକ୍ଟରରୁ ୦.୩ ହେକ୍ଟରକୁ ହ୍ରାସ ପାଇଛି । ଜନସଂଖ୍ୟା ବୃଦ୍ଧି ଦ୍ୱାରା ଦେଶରେ ବେକାରୀ ଓ ଅବିନିୟୋଗର ସମସ୍ୟା ସୃଷ୍ଟି ହୋଇଛି । ଯୋଜନା ଆୟୋଗ ହିସାବରୁ ଜଣାଯାଏ ଯେ, ୨୦୦୧ ମସିହା ସୁଦ୍ଧା ଦେଶରେ ବେକାରୀ ସଂଖ୍ୟା ୧୦୬ ନିୟୁତ ଥିଲା ା
ଜନସଂଖ୍ୟାର ଆକାର ବର୍ଷକୁ ବର୍ଷ ବିଶାଳ ହେବାଦ୍ୱାରା ଲୋକମାନଙ୍କୁ ଶିକ୍ଷା, ଚିକିତ୍ସା ତଥା ବାସଗୃହର ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଦିଆଯାଇପାରୁ ନାହିଁ । ଏସବୁ ମାନବ ସମ୍ବଳ ବିକାଶ ନିମିତ୍ତ ଆବଶ୍ୟକ । ଦେଶର ପ୍ରାୟ ୧୨ ପ୍ରତିଶତ ଲୋକଙ୍କର ବାସଗୃହ ନାହିଁ । ସାକ୍ଷରତା ହାର ୫୨.୧ ରୁ ୭୪.୦ ପ୍ରତିଶତକୁ ବୃଦ୍ଧି ପାଇଥିଲେ ମଧ୍ୟ (୧୯୯୧ - ୨୦୧୧), ଦେଶର ୨୪ ପ୍ରତିଶତରୁ ଅଧିକ ଲୋକ ନିରକ୍ଷର । ଚିକିତ୍ସାର ସୁବିଧା ମଧ୍ୟ ସମସ୍ତଙ୍କ ପାଇଁ ନାହିଁ । ଏସବୁ ଦ୍ରୁତ ଜନସଂଖ୍ୟା ବୃଦ୍ଧିର କୁପରିଣାମ । ଜନ ବିସ୍ଫୋରଣ ପରିବେଶ ଓ ପର୍ଯ୍ୟାବରଣ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଜନସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ହେତୁ ନିଯୁକ୍ତି ଓ ଉଚ୍ଚଶିକ୍ଷା ଆଶାରେ ବହୁ ଲୋକ ଛୋଟ ଓ ବଡ ସହର ଆଡକୁ ଧାବମାନ ହେଉଛନ୍ତି । ସହରରେ ଛୋଟ ଛୋଟ ବସ୍ତି ଅନିୟନ୍ତ୍ରିତ ଭାବେ ଗଢିଉଠୁଛି । ସହରର ଜଳ, ରାସ୍ତା, ପରିବହନ, ଶିକ୍ଷା ଓ ସ୍ୱାସ୍ଥ୍ୟ ଅନୁଷ୍ଠାନ ଉପରେ ଚାପ ପଡୁଛି । ପରିବେଶ ଦୂଷିତ ହେଉଛି । ଜନସଂଖ୍ୟା ବୃଦ୍ଧି ଦ୍ୱାରା ପର୍ଯ୍ୟାବରଣ ମଧ୍ୟ ପ୍ରଦୂଷିତ ହେବାରେ ଲାଗିଛି । ମଣିଷ ତଥା ପ୍ରକୃତି ମଧ୍ୟରେ ଥିବା ସମତୁଲତା ରକ୍ଷା କରାଯାଇ ପାରୁନାହିଁ । ଫଳରେ ତାପମାତ୍ରାରେ ବୃଦ୍ଧି, ବାତ୍ୟା, ବନ୍ୟା, ମରୁଡି ଇତ୍ୟାଦି ପ୍ରାକୃତିକ ଦୁର୍ବିପାକ ଦେଖାଦେଉଛି ।
ଜନସଂଖ୍ୟା ବୃଦ୍ଧି ଆମ ଦେଶର ପ୍ରଗତିର ପ୍ରଧାନ ଅନ୍ତରାୟ । ପରିବାର ନିୟୋଜନ, ନିରାପଦ ମାତୃତ୍ୱ , ଲିଙ୍ଗଗତ ସମାନତା ଓ ଜନ ସଶକ୍ତିକରଣ ଜରିଆରେ ଜନ ସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିପାରିଲେ ଏହାର ସୁଫଳ ମିଳିପାରିବ । ଏଦିଗରେ ସାମୁହିକ ଉଦ୍ୟମ ଲୋଡା । ଏକଥାକୁ ସମସ୍ତେ ହୃଦୟଙ୍ଗମ କରିବା ଉଚିତ୍ ।
ତିର୍ତ୍ତୋଲ, ଜଗତସିଂହପୁର
ମୋ - ୯୯୩୭୧୫୧୦୫୨