ସାନ୍ତାଳୀ ଭାଷାର ଲିପିସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ


ଯେଉଁ ପ୍ରବାଦ ପୁରୁଷଙ୍କ ନାମ ଉଚ୍ଚାରଣ ମାତ୍ରେ ସାନ୍ତାଳୀ ଭାଷାର ରୂପ ପ୍ରଷ୍ଫୁଟିତ ହୋଇଥାଏ, ସେ ହେଉଛନ୍ତି ପ୍ରାଜ୍ଞ ପୁରୁଷ ପଣ୍ଡିତ ରଘୁନାଥ ମୁର୍ମୁ  । ସେ ସାନ୍ତାଳୀ ଭାଷାର ସ୍ୱତନ୍ତ୍ର ଲିପି  ‘ଅଲଚିକି’ ଉଦ୍ଭାବନ କରିବା ସହିତ ଏହାର ପ୍ରାଣ ପ୍ରତିଷ୍ଠା କରି ଯାଇଛନ୍ତି  । ବସ୍ତୁତଃ ସାନ୍ତାଳୀ ଭାଷା ମୋ÷ଖିକରୁ ଲିଖିତ ରୂପ ଗ୍ରହଣ କରି ନିଜସ୍ୱ ଗୋ÷ରବରେ ଗୋ÷ରାବାନ୍ୱିତ ହୋଇଛି  । ଏହି ପ୍ରାତଃ ସ୍ମରଣୀୟ ମହାନ ବ୍ୟକ୍ତିଙ୍କର ଜନ୍ମ ୧୯୦୫ ମସିହା ବୁଦ୍ଧ ଜୟନ୍ତୀରେ ମୟୂରଭଞ୍ଜ ଜିଲ୍ଲାର ଏକ  ଗ୍ରାମରେ ହୋଇଥିଲା  । ତାଙ୍କ ପିତାଙ୍କ ନାମ ନନ୍ଦଲାଲ ଓ ମାତାଙ୍କ ନାମ ସଲମା ଥିଲା  । ପଣ୍ଡିତ ରଘୁନାଥଙ୍କର ମୂଳ ନାମ ଚୁନୁ ଥିଲା  । ମାତ୍ର ଏହି ନାମ ତାଙ୍କ ପାଇଁ ଅଶୁଭ ହେବାରୁ ରଘୁନାଥ ନାମ ରଖାଯାଇଥିଲା  ।  ତାଙ୍କର ବହୁବିଧ ପ୍ରତିଭାକୁ ସମ୍ମାନ ଜଣାଇ ଆଦିବାସୀ ମହାସଭାର ସଭାପତି ଜୟପାଲ ସିଂ ତାଙ୍କୁ ପଣ୍ଡିତ ସମ୍ବୋଧନ କରୁଥିଲେ  । ତେଣୁ ସେ ପରବର୍ତ୍ତୀ ସମୟରେ ପଣ୍ଡିତ ରଘୁନାଥ ମୁର୍ମୁ ଭାବରେ  ପରିଚିତ ହୋଇଥିଲେ  ।
ନିଜର ମାତୃଭାଷା ସାନ୍ତାଳୀ ପାଇଁ ଲିପି ଉଦ୍ଭାବନ ଏବଂ ସମ୍ପୃକ୍ତ ଲିପିରେ ସାହିତ୍ୟ ରଚନା ସାନ୍ତାଳୀ ସାହିତ୍ୟକୁ ଉଚ୍ଚତମ ସୋପାନରେ ପହଞ୍ଚାଇଥିଲା  । ବସ୍ତୁତଃ, ସମୟ କ୍ରମେ ଏହା ସାନ୍ତାଳୀ ଭାଷା ଓ ସାହିତ୍ୟକୁ ଋଦ୍ଧିମନ୍ତ କରିଥିଲା  । ଆଜି ସାନ୍ତାଳୀ ଭାଷା ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ ହୋଇଛି  । 
ପଣ୍ଡିତ ମୁର୍ମୁ କେବଳ ନୂତନ ଲିପି ସୃଷ୍ଟି କରି ନଥିଲେ ସେ ସାନ୍ତାଳୀ ସାହିତ୍ୟକୁ ସୁଦୃଢ କରିବା ପାଇଁ ଅକ୍ଷର ଢଳେଇ, ମୁଦ୍ରାଯନ୍ତ୍ର ପ୍ରତିଷ୍ଠା ଓ ପାଠ୍ୟପୁସ୍ତକ ରଚନା କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ  । ସେ ମଧ୍ୟ ସାନ୍ତାଳ  ଅଧୁ୍ୟଷିତ ଅଞ୍ଚଳରେ ଭ୍ରମଣ କରି, ନୂତନ ଲିପିରେ ନିଜର ମାତୃଭାଷାକୁ ରଚନା କରିାବ ପାଇଁ ପ୍ରେରଣା ଦେଉଥିଲେ  ।
ଅଲିଚିକି ଲିପିରେ ୩୦ଟି ଅକ୍ଷର ଥିଲା  । ଏହି ଅକ୍ଷର ଗୁଡିକ ଇଂରାଜୀ ଶୈଳୀରେ ବ୍ୟବହାର ହେଉଥିଲା  ।  ସୁତରାଂ, ଅଲିଚିକି ଲିପିରେ ମାତ୍ରା ଚିହ୍ନର ବ୍ୟବହାର ନଥିଲା  । ଅକ୍ଷରର ଆକୃତି ଆଦିବାସୀ ଜୀବନର ପ୍ରତିକୃତି ଥିଲା  । ଦାଆ, ଲଙ୍ଗଳ, କୋଦାଳ ପ୍ରଭୃତି ପଦାର୍ଥର ଆକୃତି ଅଲଚିକି ବର୍ଣ୍ଣମାଳାରେ ସ୍ଥାନିତ ହୋଇଥିଲା  । ଏହା ବ୍ୟତୀତ ପଶୁ, ପକ୍ଷୀ ଓ ମଣିଷର ଅଙ୍ଗଭଙ୍ଗିରେ ସ୍ୱରୂପ ମଧ୍ୟ ‘ଅଲଚିକି’ ବର୍ଣ୍ଣମାଳାରେ ଦେଖିବାକୁ ମିଳିଥାଏ  । ବସ୍ତୁତଃ, ନୂତନ ଲିପିର ନିବିଡ଼ ସମ୍ପର୍କ ଜୀବନ  ସହିତ ଯୋଡି ହୋଇ ରହିଛି  । 
ପଣ୍ଡିତ ସାନ୍ତାଳୀ ଭାଷାର ମୂଳଦୁଆକୁ ସୁଦୃଢ କରିବା ପାଇଁ ପାଠ୍ୟ ପୁସ୍ତକ, ବ୍ୟାକରଣ ଓ  ଗଣିତ ପୁସ୍ତକ ରଚନା କରିଥିଲେ  । ତତସହିତ ନାଟକ, ଓ କବିତା ପୁସ୍ତକ ରଚନା କରି  ସମସ୍ତଙ୍କର ମନ ମୋହିଥିଲେ  । ଏହା ସାନ୍ତାଳ  ସମାଜ ଉପରେ ଗଭୀର ପ୍ରଭାବ ପକାଇଥିଲା  । ପଣ୍ଡିତ ମୁର୍ମୁଙ୍କର ଏହି ଅତୁଳନୀୟ ଅବଦାନ ପାଇଁ  ୧୯୭୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ୧୯୭୯ ମସିହାରେ ପଶ୍ଚିମବଙ୍ଗ ସରକାର ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ  । ଏହାଦ୍ୱାରା ସାନ୍ତାଳ ସମ୍ପ୍ରଦାୟ ଶିକ୍ଷିତ ଗୋଷ୍ଠୀ ନୂତନ ଲିପିରେ ସାହିତ୍ୟ ରଚନା କରିବାକୁ ଆଗ୍ରହୀ ହୋଇଥିଲେ  । 
ଆଜି ସାନ୍ତାଳୀ ଭାଷା ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାର ମାଧ୍ୟମ ହୋଇଛି  । ୨୦୦୩ ମସିହାରେ ଭାରତ ସରକାର ସାନ୍ତାଳୀ ଭାଷାକୁ ସ୍ୱୀକୃତି ଦେଇ ସମ୍ବିଧାନର ଅଷ୍ଟମସୂଚୀରେ ସ୍ଥାନିତ କରିଛନ୍ତି  । ପ୍ରତିବର୍ଷ ସାନ୍ତାଳୀ ଲେଖକମାନେ ନିଜର ଉକ୍ରୃଷ୍ଟ ରଚନା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଉଛନ୍ତି  । ବହୁ ସାହିତ୍ୟ ଅନୁଷ୍ଠାନ ସର୍ବଭାରତୀୟ ସାହିତ୍ୟ ସଭା ଆୟୋଜନ କରି ସାନ୍ତାଳୀ ସାହିତ୍ୟର ଆଲୋଚନା ଓ ସମୀକ୍ଷା କରୁଛନ୍ତି  । ସୁତରାଂ ପଣ୍ଡିତ ମୁର୍ମୁ ଏକ ମୋ÷ଖିକ ଭାଷାକୁ ଲିଖିତ ରୂପ ପ୍ରଦାନ କରି ଯେଉଁ ଗୋ÷ରବ ଆଣି ଦେଇଛନ୍ତି, ତାହା ଭାଷା ସାହିତ୍ୟରେ ଏକ ଉଲ୍ଲେଖନୀୟ ଘଟଣା  ।
ଓଡ଼ିଶା ସରକାର ଅଙ୍କୁ ସମ୍ମାନ ଜଣାଇ ତାଙ୍କ ନାମରେ ବାରିପଦା ଠାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା କରିଛନ୍ତି  । ପ୍ରତିବର୍ଷ ବୈଶାଖ  ପୂର୍ଣ୍ଣମୀ ଦିନ ତାଙ୍କ ଜନ୍ମଦିନକୁ ‘ଗୁରୁ କୁନାମୀ’ ଭାବେ ପାଳନ କରାଯାଉଛି  । ତାଙ୍କର ଏହି ମହାନ ଅବଦାନ ପାଇ ପଣ୍ଡିତ ମୁର୍ମୁଙ୍କୁ ଭାରତ ରତ୍ନ  ପ୍ରଦାନ ପାଇଁ ଦାବି କରାଯାଉଛି  ।
ଭୁଗୁଡାକଟା, ବାରିପଦା-ମୟୂରଭଞ୍ଜ