ଆଉ ଶୁଭୁନି ରଜ ଦୋଳି ଗୀତ


ରଜ ଆସିଲେ "ରଜଦୋଳି କଟମଟ, ମୋ ଭାଇ ମୁଣ୍ଡରେ ଦୋଳ ମୁକୁଟ  । ଦୋଳ ମୁକୁଟଲୋ, ଦିଶୁଥାଏ ଝଟଝଟ...' ଗୀତରେ ଗାଁ ଗଣ୍ଡା ଦୁଲୁକି ଉଠେ  । ବିଭିନ୍ନ ପଲ୍ଲୀ ଗତୀର ଗୁଞ୍ଜରଣରେ ସୃଷ୍ଟି ହୁଏ ନିଆରା ପରିବେଶ  । ହେଲେ ଏସବୁ ଗୀତ ଆଉ ଶୁଣିବାକୁ ମିଳୁନାହିଁ  । ନା ସହରରେ ନା ଗାଁ ଗଣ୍ଡାରେ  । ଉକ୍ରଳୀୟ ପରମ୍ପରା ଓ ୧୨ ମାସରେ ୧୩ ପର୍ବର ନିଆରା ଉଦ୍ଦୀପନା ବିଶେଷ କରି ଗ୍ରାମ୍ୟ ଜୀବନ ସହ କାହିଁ କେତେ କାଳରୁ ଯୋଡ଼ି ହୋଇଯାଇଛି  । ଏବେ କିନ୍ତୁ ସେ ସବୁ ଅନେକଙ୍କୁ ପ୍ରଭାବିତ କରିପାରୁନି  । ଜଗତୀକରଣ ପ୍ରଭାବରେ ଉଗ୍ର ଆଧୁନିକତା ଆଡ଼କୁ ଅଣନିଶ୍ୱାସୀ ହୋଇ ଧାଉଁଥିବା ମଣିଷଙ୍କ ପାଇଁ ଏଭଳି ପର୍ବପର୍ବାଣି ସେମିତି କିଛି ମାନେ ରଖେନା  । ଠିକ୍ ସେମିତି ରଜପର୍ବ ଧୀରେ ଧୀରେ ତାର ଆଦର ହରାଇବାକୁ ବସିଲାଣି  । କେଉଁଠି ମାନସିକତା ଅଭାବରୁ ତ କେଉଁଠି ପରିସ୍ଥିତି ଓ ପରିବେଶ ଚାପରେ ରଙ୍ଗହୀନ ହୋଇଯାଇଛି ଏହି ପୁରୁଖା ପର୍ବ  ।
ରଜ ସଂସ୍କୃତ ଶବ୍ଦ "ରଜସ'ରୁ ଆସିଛି, ଯାହାର ଅର୍ଥ ମାସିକ ଧର୍ମ । ବିଶ୍ୱାସ ରହିଛି ଏହି ସମୟରେ ବସୁମତୀ ମା'ରଜସ୍ୱଳା ହୁଅନ୍ତି । ଏଣୁ ତାଙ୍କୁ ଅଧିକ କଷଣ ନ ଦେବା ପାଇଁ କୃଷିକାର୍ଯ୍ୟ କରାଯାଏ ନାହିଁ । ରଜରେ କୁମାରୀମାନେ ଖାଲିପାଦରେ ଭୂମିରେ ଚାଲିବା ହେଉଛି ପାରମ୍ପରିକ ବିଧି । ଏଥିପାଇଁ ଆଗକାଳରେ ସେମାନେ ପାଦରେ ଗୁଆ ଖୋଳପା, କଦଳୀ ପଟକୁା ଆଦି ପିନ୍ଧୁଥିଲେ । ରଜରେ ମହିଳା ମାନଙ୍କୁ ମଧ୍ୟ ଘରକାମରୁ ବିରତି ଦିଆଯାଏ । ରଜ ତିନିଦିନ । ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମିଦହନ କୁହାଯାଏ । ଏହି ତିନିଦିନ ବସୁମତୀ ମା'ଙ୍କର ବିଶ୍ରାମ ଦିବସ ବୋଲି ବିଶ୍ୱାସ ରହିଛି । ଚତୁର୍ଥ ଦିନକୁ ବସୁମତୀ ସ୍ନାନ ବା ଠାକୁରାଣୀ ବୁଡ଼ କୁହାଯାଏ । ସେଦିନ ଠାକୁରାଣୀଙ୍କୁ ସ୍ନାନ କରାଇ ନୈବେଦ୍ୟ ଅର୍ପଣ କରାଯାଏ । ଘର ଆଗଣାରେ ହଳଲଙ୍ଗଳ, ଶିଳପୁଆ ଇତ୍ୟାଦିକୁ ହଳଦୀରେ ସ୍ନାନ କରାଇ ପୂଜାର୍ଚ୍ଚନା କରାଯାଏ ।   ସାଧାରଣତଃ ଓଡ଼ିଶାରେ ପ୍ରଚଳିତ ଅନେକ ପର୍ବପର୍ବାଣି କୃଷି ଭିତ୍ତିକ  । କୃଷି ଅବକାଶ ସମୟରେ ଚାଷୀଙ୍କ ମନରେ ଟିକେ ଆନନ୍ଦ ଭରିଦେବା ଏବଂ ଚାଷ କାମରେ ମାତି ଉଠିବାକୁ ବିଭିନ୍ନ ପର୍ବପର୍ବାଣି ଉକ୍ରଳୀୟ ଜନଜୀବନ ସହ କାହିଁ କେତେ କାଳରୁ ମିଶିଯାଇଛି  । ଅକ୍ଷୟ ତୃତୀୟାର ଅକ୍ଷିମୁଠି ଅନୁକୂଳ ପରେ ଖରିଫ ଚାଷରେ ଚାଷୀ ଲାଗିପଡ଼ନ୍ତି  । ଜମି ଚାଷ କରିବା ଓ ବିହନ ବୁଣିବା କାମ ଏହି ସମୟରେ ହିଁ ହୋଇଥାଏ  । ମୌସୁମି ପ୍ରଭାବରେ ବିହନ ଗଜା ହୁଏ  । ଗଛ ବନ ହେବା ପର୍ଯ୍ୟନ୍ତ ଚାଷୀଙ୍କୁ ଟିକେ ଅବସର ମିଳିଥାଏ  । ଏହି ସମୟରେ ଆସେ ରଜପର୍ବ, ଯାହା ପିଢ଼ି ଧରି ପାଳିତ ହୋଇଆସୁଛି  ।
ରଜ ନାମ ମୁହଁରେ ଧରିବା ମାତ୍ରେ ନାନା ରକମର ପିଠା କଥା ମନେ ପଡ଼ିଯାଏ  । ଆଉ ରଜ ଆସିବା ମାତ୍ରେ ପୋଡ ପିଠ, କାକରା, ଚକୁଳି, ମୁହାଁ, ଭାଜିଆ ଓ ଆରିସା ପିଠାର ମହ ମହ ବାସ୍ନାରେ ଗାଁ ଗଣ୍ଡା ମହକି ଉଠେ  । ତା ସାଙ୍ଗକୁ ମୁଢ଼ି, ଉଖୁଡ଼ା, ଆମ୍ବ ଓ ପଣସର ସ୍ୱାଦ ପର୍ବକୁ ଆହୁରି ମିଠା କରିଦିଏ  । ତେବେ ପୂର୍ବଭଳି ଏବେ କିନ୍ତୁ ନା ପିଠାର ମହକ ଅଛି, ନା ରହିିଛି ମିଠା ସୁଆଦ  । ସହର ତ ସହର, ଗାଁ ଗଣ୍ଡାରେ ବି ଏସବୁ ପ୍ରତି ଆଗ୍ରହ କମିବାରେ ଲାଗିଛି  । ପିଠା ବଦଳରେ ପିଜା ଆଜି ଲୋକଙ୍କୁ ସୁଆଦିଆ ଲାଗୁଛି  । ଫଳରେ ଆମର ଓଡ଼ିଆ ଖାଦ୍ୟ ପଖାଳ ଠାରୁ ପୋଡ଼ପିଠା ପର୍ଯ୍ୟନ୍ତ ସବୁ ମଫସଲିଆ ପାଲଟିଯାଇଛି  । ଖାସ୍ ଏହି କାରଣରୁ ରଜ ସମୟରେ ପୂର୍ବଭଳି ନାନା ରକମର ସୁଆଦିଆ ପିଠା ଖାଇବାକୁ କି ଦେଖିବାକୁ ଆଉ ମିଳୁନି  । ରଜ ଆସିଲେ ନାନା ରକମର ଦୋଳି ତିଆରି ହୁଏ  । ଗାଁ ମୁଣ୍ଡ ଆମ୍ବ ତୋଟାରେ ଲାଗିଥିବା ପଟା ଦୋଳି, ଅରଟ ଦୋଳି, ଚକ୍ରି ଦୋଳିର ମଜା କଥା ଭାବିଲେ ରୁମ ଟାଙ୍କୁରି ଉଠେ  । ଗାଉଁଲୀ କାରିଗରମାନେ କାଠ ଓ ବାଉଁଶରେ ଏସବୁ ଦୋଳି ତିଆରି କରିଥାନ୍ତି  । ତେବେ ଆଜି ପରିସ୍ଥିତି ଓ ପରିବେଶ ବଦଳି ଯାଇଥିବାରୁ ଗାଁ କାରିଗରଙ୍କ କାରିଗରୀ କାଁ ଭାଁ ଦେଖିବାକୁ ମିଳୁଛି  । ଜଙ୍ଗଲ କ୍ଷୟ ଯୋଗୁଁ କାଠ ବାଉଁଶ ମିଳୁ ନଥିବାବେଳେ ଆମ୍ବ ତୋଟାର ଦୋଳି ବଦଳରେ ଘର ବାଲ୍କୋନିରେ ଝୁଲୁଥିବା ବେତ ଓ ଲୁହା ଦୋଳିକୁ ଲୋକେ ବେଶି ପସନ୍ଦ କରୁଛନ୍ତି  । ଫଳରେ ଆଗଭଳି ରଜ ସମୟରେ ବିଭିନ୍ନ ରକମର ଦୋଳି ଏବେ ଦେଖିବାକୁ ମିଳୁନାହିଁ  । ଦିନ ଥିଲା ରାଜ ବେଳେ ଦୋଳି ଖେଳିବାକୁ ଗାଁ ତୋଟାରେ ଝିଅବୋହୂଙ୍କ ଭିଡ଼ ଜମୁଥିଲା  । ଦୋଳି ଖେଳ ସମୟରେ ନାନା ରକମର ପଲ୍ଲୀ କଥା ଗୀତ ମାଧ୍ୟମରେ ପ୍ରକାଶ କରାଯାଉଥିଲା  । ଏବେ ଏସବୁରେ ବଡ଼ ପରିବର୍ତ୍ତନ ଆସିଛି  । ଭିଡ଼ଠାରୁ ଦୂରେଇ ରହି ଅନେକ ରଜ କାଟିବାକୁ ବେଶି ପସନ୍ଦ କରୁଛନ୍ତି  । ଫଳରେ ସେ କାଳ ଭଳି ଗୀତର ଗୁଞ୍ଜରଣ ଆଉ ଶୁଭୁନି କି ଗାଁ ମୁଣ୍ଡ ଆମ୍ବତୋଟାରେ ଦୋଳି ଝୁଲିବା ଦେଖାଯାଉନି  ।  ଗ୍ରୀଷ୍ମ ଓ ବର୍ଷା ଋତୁର ସନ୍ଧିକ୍ଷଣରେ ଭିଜାମାଟିର ବାସ୍ନା ନେଇ ଆସେ ଓଡ଼ିଶାର ଗଣପର୍ବ ରଜ । ସତେ ଯେମିତି ଏହା ଧରିତ୍ରୀ ମାତା ଓ ମୌସୁମିର ମିଳନ ପର୍ବ । ସାରା ବିଶ୍ୱରେ ପ୍ରକୃତିକୁ ନେଇ ଏମିତି ଏକ ପର୍ବର ପରିକଳ୍ପନା ହୁଏତ ଆଉ କେଉଁଠି ନଥିବ । ପ୍ରକୃତି ସୃଷ୍ଟି କରିଛି ବର୍ଷା । ଆଉ ବର୍ଷାକୁ ସ୍ୱାଗତ କରେ ରଜ । ପିଠା, ଦୋଳି ଓ ଗୀତର ଆସର ହିଁ କରିଦିଏ ଏହି ପର୍ବର ମନକଥା । ପହିଲି ରଜରେ ଝିଅମାନଙ୍କ ସଜବାଜ ଠାରୁ ଆରମ୍ଭ କରି ବସୁମତି ସ୍ନାନ ପର୍ଯ୍ୟନ୍ତ ପାଳିତ ହୋଇଥାଏ ରଜପର୍ବ ।
ଡା.ଶୁଭଶ୍ରୀ ମିଶ୍ର,ମୋ: ୯୮୬୧୪୬୩୪୦୬