ପଞ୍ଚୁଦୋଳ ମାହାତ୍ମ୍ୟ

ଡା.ଉମେଶ ଚନ୍ଦ୍ର ପାତ୍ର : ପଞ୍ଚମୀ ଅବସରରେ ହିଁ ପ୍ରେମର ପ୍ରତୀକ ଅବିର ଖେଳର ଆୟମାରମ୍ଭ ହୋଇଥାଏ । ଏହି ପର୍ବର ଅନ୍ତିମ ତିଥି ହେଉଛି ପଞ୍ଚୁଦୋଳ । ଦୋଳ ପୂର୍ଣ୍ଣିମାରୁ ପାଞ୍ଚଦିନ ପରେ ହିଁ ଏହି ତିଥି ପଡ଼ିଥାଏ । ଦୋଳପୂର୍ଣ୍ଣିମାର ପାଞ୍ଚଦିନ ପରେ ଏହି ତିଥି ପଡ଼ୁଥିବାରୁ ଏହାକୁ ପଞ୍ଚୁଦୋଳ କୁହନ୍ତି । ଏହି ତିଥିକୁ ନେଇ ପୌରାଣିକ କଥାବସ୍ତୁ ସେପରି କିଛି ନାହିଁ; ତଥାପି ଓଡ଼ିଶାର ଜନଜୀବନରେ ଏହି ପର୍ବ ବେଶ୍ ପ୍ରଭାବ ବିସ୍ତାର କରିଛି । କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ଏପରିକି ସାରା ବିଶ୍ୱରେ ପ୍ରଭୁ ରାଧାକୃଷ୍ଣଙ୍କ ଯୁଗଳ ଲୀଳା ପ୍ରଚଳିତ ଅଛି । ରୂପ ଓ ରସର ଏହା ଅପୂର୍ବ ଲୀଳା । ସମଗ୍ର ମାନବୀୟ ଚିନ୍ତାଚେତନାକୁ ଗଭୀର ଭାବରେ ପ୍ରଭାବିତ କରିଛି । ହୋଲି ବା ଦୋଳ ଉତ୍ସବ ହେଉଛି ବିଜୟର ପର୍ବ । ଅଜ୍ଞାନ ଅନ୍ଧକାରକୁ ଦୂରେଇ ଆଲୋକ ଓ ଆନନ୍ଦକୁ ଆହ୍ୱାନ କରିବା ହେଉଛି ଏ ପର୍ବର ମୁଖ୍ୟ ଆଧାର । ଏହି ପର୍ବ ଉତ୍ତର ଫାଲ୍ଗୁନୀ କ୍ଷେତ୍ରାରାଶି ପୂର୍ଣ୍ଣିମା ତିଥିରେ ହିଁ ଅନୁଷ୍ଠିତ ହୋଇଥାଲ । ପାଲ୍ଗୁନ ପୂର୍ଣ୍ଣିମାର ପୂର୍ବରାତି୍ରରେ ମେଢ଼ାସୁର ଏବଂ ହୋଲିକା ରାକ୍ଷସୀକୁ ବଧ କରି ସେମାନଙ୍କ ମର ଦେହକୁ ନିଅାଁରେ ଭସ୍ମ କରିବା ପାଇଁ ଅଗ୍ନି ଉତ୍ସବର ଆୟୋଜନ କରିଥିଲେ । ଏହି ଅଗ୍ନିର ଚତୁଃପାଶ୍ୱର୍ ପ୍ରଦକ୍ଷଣ କରି ବ୍ରଜବାସୀଗଣ ଆନନ୍ଦରେ ବିଭୋର ହୋଇ ଅବିର ଖେଳରେ ମଜ୍ଜି ଯାଇଥିଲେ । ଶତ୍ରୁ ନିପାତର ଆନନ୍ଦରେ ପାଞ୍ଚଦିନ ବ୍ୟାପୀ ଏହି ପର୍ବ ପାଳନ କରିଥିଲେ । ବାଳୁତ କୃଷ୍ଣଙ୍କୁ ଦୋଳିରେ ବସାଇ ଦୋଳ ଉତ୍ସବ ମନାସିଥିଲେ । ପ୍ରେମମୟୀ ରାଧା ବିଭିନ୍ନ ରଙ୍ଗ ଅବିର ଧରି ଗୋପ ଗୋପାଳୁଣୀଙ୍କ ସହ ଦିବ୍ୟ ଆନନ୍ଦରେ ବିଭୋର ହୋଇ ଉଠିଥିଲେ । ଏହି ଗୌରବ ମହାଆନନ୍ଦର ସ୍ମୃତିକୁ ସମଗ୍ର ବିଶ୍ୱ ମାନବଙ୍କ ପାଖରେ ପହଞ୍ଚାଇବା ପାଇଁ ହିଁ ଦୋଳ ଉତ୍ସବର ସୃଷ୍ଟି ।
ଏହି ପର୍ବ ଦୀର୍ଘ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ହୁଏ । ଏହାକୁ ପଞ୍ଚୁଦୋଳ କୁହନ୍ତି । ଫଗୁ ଦଶମୀ ତିଥିରୁ ପ୍ରେମ ପୁରୁଷ ରାଧାକୃଷ୍ଣଙ୍କ ଯୁଗଳ ପ୍ରତିମା ବିମାନରେ ବସି ଚାଚେରୀ ଭୋଗ ବା ଦ୍ୱାରୀ ଭୋଗ ଖାଇବାକୁ ବାହାରନ୍ତି । ଏହି ପଞ୍ଚୁ ଦୋଳରେ ସମାପ୍ତ ହୁଏ । ଏହି ଦଶଦିନ ବ୍ୟାପୀ ଯାତ୍ରା କେବଳ ବିଶ୍ୱାସ, ଭରସା, ସ୍ନେହ ଓ ଶ୍ରଦ୍ଧାର ଯାତ୍ରା ଭାବରେ ପ୍ରତିଟି ମଣିଷର ହୃଦୟରେ ଅନୁରଞ୍ଜିତ ହୋଇଥାଏ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଗଭୀର ବିଶ୍ୱାସ ଏଇଠି ପ୍ରକଟିତ ହୁଏ । ପ୍ରତିଟି ସଞ୍ଜରେ ଖୋଳ, ତାଳ, କାହାଳୀର ଶବ୍ଦରେ ଗାଆଁଠୁ ସହର ମୁଖର ହୋଇଉଠେ । ମୁଠାମୁଠା ଅବିର ସମଗ୍ର ପରିବେଶକୁ ଅବିରମୟ କରିଦିଏ । ପ୍ରଭୁଙ୍କର ଏଇ ଭୋଗଖିଆ ପର୍ବ ଭକ୍ତଜନଙ୍କୁ ବିଭୋର କରେ । ପ୍ରତ୍ୟେକ ଦ୍ୱାର ଅଗଣାରେ ଭକ୍ତଜନ ଗୋମୟ ଲେପନ କରି ଚିତା ପକାଇ କଳସ ସ୍ଥାପନ କରି ଭୋଗ ନୈବେଦ୍ୟ ଧରି ଅପେକ୍ଷା କରିଥାଆନ୍ତି ବିମାନକୁ । ଏଇ ପ୍ରତୀକ୍ଷାର ପର୍ବ ପଞ୍ଚୁଦୋଳ ପର୍ଯ୍ୟନ୍ତ ଚାଲେ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅପୂର୍ବ ସଂଯୋଗ ଥାଏ ଏହି ପଞ୍ଚୁଦୋଳ ପର୍ଯ୍ୟନ୍ତ । ଓଡ଼ିଶାରେ ପାଳିତ ହେଉଥିବା ପ୍ରତ୍ୟେକ ପର୍ବପର୍ବାଣିରେ ସାମାଜିକତା ବେଶ ସ୍ପଷ୍ଟ ହୋଇଉଠେ । ପ୍ରେମ ଓ ବିଶ୍ୱାସଭାବ ଓ ସାମାଜିକ ସଦ୍ଭାବନା ବୃଦ୍ଧି ପାଇଁ ହିଁ ହୋଲି ପର୍ବର ସୃଷ୍ଟି । ନିଜେ ଆନନ୍ଦିତ ହେବା ସହ ଅନ୍ୟକୁ ଆନନ୍ଦ ପ୍ରଦାନ କରିବା ହିଁ ଏ ପର୍ବର ମୂଳ ଉଦେ୍ଦଶ୍ୟ । ରଙ୍ଗର ପସରା ନେଇ ହୋଲି ସାମାଜିକ ଜୀବନଧାରାକୁ ବେଶ ଆନନ୍ଦ ମୁଖର କରେ । ସେଇଥି ପାଇଁ ଏହି ପର୍ବ ପାଞ୍ଚ ଦିନ ଧରି ସମଗ୍ର ଭାରତବର୍ଷର କୋଣଅନୁକୋଣରେ ନିଜର ଗୁରୁତ୍ୱ ପ୍ରତିପାଳିତ କରିଥାଏ । ମଥୁରା ଓ ଗୋପ ପୁରରେ ଏହା ଦଶଦିନ ଧରି ଆନନ୍ଦ ଉତ୍ସାହ ସହକାରେ ପାଳିତ ହୋଇଥାଏ । କଥିତ ଅଛି ଦ୍ୱାପରରେ କୃଷ୍ଣଙ୍କର ବସନ୍ତ ରାସ ଦୀର୍ଘ ପାଞ୍ଚଦିନ ବ୍ୟାପୀ ଅନୁଷ୍ଠିତ ହୁଏ । ଏହି ସମୟରେ ପ୍ରଭୁ ରାଧାକୃଷ୍ଣଙ୍କର ଲୀଳାଖେଳା ସମ୍ବନ୍ଧରେ ବହୁ ଆଲୋଚନା ହେବା ସହ ସଂଗୀତ ଓ ନୃତ୍ୟ ଭିତ୍ତିକ ଅନେକ କାର୍ଯ୍ୟକ୍ରମ ଚାଲୁରହେ । ପ୍ରଭୁ ରାଧାକୃଷ୍ଣଙ୍କ ଯୁଗଳ ପ୍ରତିମା ଦ୍ୱାରା ଭୋଗ ଖାଇ ସାରିବା ପରେ ହିଁ ପଞ୍ଚୁଦୋଳର ଅପରାହ୍ନାରେ ମେଣ୍ଡାକୁଡ଼ିଆ ବା ଅଗ୍ନି ଚାରିପାଖରେ ସାତ ଘେରା ପରିକ୍ରମା କରନ୍ତି । ଫଗୁ ଦଶମୀ ତିଥିରେ ପ୍ରଭୁଙ୍କ ଯୁଗଳ ପ୍ରତିମା ରତ୍ନସିଂହାସନରୁ ଅବତରଣ କରି ବିମାନରେ ବସି ପ୍ରଥମେ ଅଗ୍ନିକୁ ସାତଘେରା ପରିକ୍ରମା କରି ଦ୍ୱାରୀ ଭୋଗ ପାଇଁ ସଜ ହୁଅନ୍ତି । ସେପରି ଦ୍ୱାରୀ ଭୋଗ ଖାଇବା ଶେଷ କରି ଦୋଳମଣ୍ଡପରେ ଝୁଲି ସାରିବା ପରେ ଅଗ୍ନି ଚାରିପାଖରେ ସାତ ଘେରା ଅତିକ୍ରମ ଯମୁନା ସ୍ନାନ ସମାପନ କରି ପୁନରାୟ ରତ୍ନମଣ୍ଡପକୁ ବିଜେ କରନ୍ତି । 
ପଞ୍ଚୁଦୋଳ କହିଲେ ପଞ୍ଚ ଶତ୍ରୁର ବିଦାୟ ଅର୍ଥାତ୍ କାମ, କୋଧ, ଅହଂକାର, ଅସତ୍ୟ ଓ ଅଧର୍ମର ବିନାଶର ତିଥି ହିଁ ପଞ୍ଚୁଦୋଳ । ପ୍ରତିଟି ମଣିଷ ଏଇ ମହାଶତ୍ରୁର ବିନାଶ ଘଟାଇ ସତ୍ୟ ଧର୍ମର ପ୍ରତିଷ୍ଠା ପାଇଁ ନିଜକୁ ପ୍ରସ୍ତୁତ ହେବା ଦରକାର । ପ୍ରଭୁ ରାଧାକୃଷ୍ଣ ଦୋଳ ବେଦିରେ ବସି ଝୁଲିବା ବେଳେ ଏଇ ମହାନ ଆଦର୍ଶ ବାର୍ତ୍ତା ପ୍ରଦାନ କରିଥାଆନ୍ତି । କାଳିକା ନିଜକୁ ଅଗ୍ନିଦେହରେ ଝାସଦେଇ ପୃଥିବୀରେ ମହା ସତ୍ୟର ମହାନ ବାର୍ତ୍ତା ପ୍ରଦାନ କରି ଯମୁନା ସ୍ନାନ କରନ୍ତି ଓ ଗୋଟିଏ ବର୍ଷ ପାଇଁ ଭକ୍ତଜନଙ୍କ ଠାରୁ ମେଲାଣି ନେଇ ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରନ୍ତି । ପଞ୍ଚୁଦୋଳ ପାଞ୍ଚ ମହାଶତ୍ରୁର ବିନାଶର ତିଥି । ବିପଥଗାମୀ ମନୁଷ୍ୟକୁ ସଦ୍ଗତି ଦେଇ ମହାସତ୍ୟର ଦିଗ୍ଦର୍ଶନ ବାଢ଼ନ୍ତି । ଓଡ଼ିଆଙ୍କ ଜନଜୀବନରେ ଜଗନ୍ନାଥ ପଞ୍ଜିକା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ସତେ ଯେପରି ପ୍ରଭୁଙ୍କ ନିଦେ୍ର୍ଦଶନାମା । ପୁରୀ ମୁକ୍ତିମଣ୍ଡପ ଓଡ଼ିଆଙ୍କ ମୁକ୍ତିର ମହାମନ୍ତ୍ର । ଦୋଳପୂର୍ଣ୍ଣିମା ତିଥିରେ ନୂତନ ପଞ୍ଜିକା ପ୍ରଚଳନ ହୋଇଥାଏ ଓ ପଞ୍ଚୁଦୋଳ ଅବସରରେ ଅବଧାନେ ଏଇ ନୂତନ ପଞ୍ଜିକା ପଢ଼ିଥାନ୍ତି । ଗାଁ ମୁଣ୍ଡା ଚଉତରା ନତୁବା ଭାଗବତ ଟୁଙ୍ଗିରେ ଏଇ ପଞ୍ଜିକା ପଢ଼ା ଅନୁଷ୍ଠିତ ହୁଏ । ଗାଁର ପ୍ରତ୍ୟେକ ଘରୁ ପୁରୁଣା ଲୋକ ଏଠାରେ ଉପସ୍ଥିତ ରହି ପଞ୍ଜିକା ଶୁଣନ୍ତି ଓ ଅବଧାନଙ୍କୁ ଦକ୍ଷିଣା ଦେଇ ଆଶୀର୍ବାଦ ନେଇ ଘରକୁ ଫେରନ୍ତି । ଏ ପରମ୍ପରା କାହିଁ କେଉଁ ଆଦିମ କାଳରୁ ଆମ ଗ୍ରାମିର ଜୀବନକୁ ଆହୁରି ଉତ୍ସବ ମୁଖର କରି ତୋଳୁଛି । ପଞ୍ଚୁଦୋଳରେ ପଞ୍ଜିକା ପଢ଼ା ଗାଁ ଜନଜୀବନରେ ଏକ ଉତ୍ସବ ମୁଖର ସଞ୍ଜ । ପିଲାଙ୍କ ହୋ ହୋ ଶବ୍ଦ ଭିତରେ ଗାଁ ଯାତ୍ରାର ଗହଳି । ଆର ପାଖରେ ମେଣ୍ଢା କୁଡ଼ିଆ ପୋଡ଼ା ଓ ରାଧାକୃଷ୍ଣଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ପର୍ବ ଗାଁ ପରିବେଶକୁ ଆହୁରି ଜୀବନ୍ତ କରେ । ଅବଧାନଙ୍କ ସତର୍କ ବାଣୀରେ ବୟସ୍କ ଲୋକଙ୍କ ଆଲୋଚନା । ଆହୁରି ଗହଳି ଜମାଏ । ପଞ୍ଚୁଦୋଳ ଜହ୍ନକିରଣକୁ ଖାଲି ବିମାନ ଧରି ବେହେରା ମାନେ ଭାଗବତ ଟୁଙ୍ଗିକୁ ଫେରିଲା ବେଳେ ଗାଁ ମଣ୍ଡପରୁ ପାଲା ସଂକୀର୍ତ୍ତନର ଶବ୍ଦ ଗାଁକୁ ଜୀବନ୍ତ କରିଥାଏ ।
ମୋ: ୯୪୩୭୦୫୧୯୫୭