ଆଲୁଅ-ଅନ୍ଧାରର ଜୀବନ

ଆଜ୍ଞା ନମସ୍କାର,
ଆଲୁଅ ପାଇଁ ଆଖି ଖୋଲିବାକୁ ପଡ଼େ । ଖୋଲା ଆଖିରେ ହିଁ ଆଲୁଅ ଦିଶେ । ଏଇଟା ତ ନିରାଟ ସତକଥା । ହେଲେ ବନ୍ଦ ଆଖିରେ ମଧ୍ୟ ଆଲୁଅ ଦିଶେ! ସବୁ ଆଲୁଅ, ଖୋଲା ଆଖିରେ ହିଁ ଦୁଶେନି କି ସବୁ ଅନ୍ଧାର ବନ୍ଦ ଆଖିରେ ନଥାଏ । 
ଆମେ ବାହ୍ୟଜଗତକୁ ଦେଖିବା ପାଇଁ ଆଖିକୁ ଉପଯୋଗ କରୁ । ଆଖି ଯୋଡ଼ିକରେ ମଣିଷ ଯାହା ଦେଖେ, ତାହା ହେଉଛି ବାହ୍ୟଦୃଷ୍ଟି । କିନ୍ତୁ ସଂସାର କେବଳ ବାହ୍ୟଦୃଷ୍ଟିରେ ବିଦ୍ୟମାନ ନାହିଁ । ସଂସାରର ଅନେକ କିଛି ଅର୍ନ୍ତଦୃଷ୍ଟିରେ ରହିଛି । ବନ୍ଦ ଆଖିରେ ମଧ୍ୟ ବହୁତ କିଛି ଦେଖାଯାଏ, ଅନେକ କିଛି ଅନୁଭବ ହୋଇପାରେ । ତାହା ଆଲୁଅର ସ୍ୱରୂପ ବି ହୋଇପାରେ ।   
ଆମେ ଆଖି ଖୋଲିଲେ ବାସ୍ତବ ଦୁନିଆକୁ ଦେଖୁଥିବା ସ୍ଥଳେ, ଆଖି ବନ୍ଦ କରିଲେ ଚିନ୍ତା ଏବଂ ଭାବନାର ଦୁନିଆରେ ପ୍ରବେଶ କରିଥାଉ । ଏହି ଚିନ୍ତା ଏବଂ ଭାବନାର ଦୁନିଆ, ଖୋଲା ଆଖିରେ ଦେଖୁଥିବା ଦୁନିଆ ଠାରୁ ବହୁ ଗୁଣରେ ବଡ଼ । 
ବାସ୍ତବରେ ଜୀବନରେ ବହୁ ବିଷୟ ରହିଛି, ଯାହାକୁ ଦେଖିବା ପାଇଁ ଆଲୋକ ଅପେକ୍ଷା ଅନ୍ଧକାର ମଧ୍ୟ ଆବଶ୍ୟକ ପଡ଼େ । ଆଲୋକକୁ ଉପଭୋଗ କରିବା ପାଇଁ ଚକ୍ଷରୁ ଆବଶ୍ୟକତା ରହିଛି, କିନ୍ତୁ ଆଲୁଅକୁ ଅନୁଭବ କେବଳ ଅନ୍ତର ହିଁ କରିପାରେ । ଏଇଠି ଆଲୁଅ-ଅନ୍ଧାର ଆଖି ଖୋଲିବା ବା ଆଖି ବନ୍ଦ କରିବା ସହିତ ସମ୍ପର୍କିତ ନୁହେଁ । ଏହା ଚିନ୍ତାଶକ୍ତିର ଏକ ବିଷୟ । 
ଅନ୍ଧକାର କହିଲେ କେବଳ ଆଲୁଅର ଅନୁପସ୍ଥିତିକୁ ହିଁ ବୁଝାଯାଏ ନାହିଁ । 
ପ୍ରତ୍ୟେକ ବ୍ୟକ୍ତି ମୌଖିକ ଭାବରେ ଅନ୍ଧକାରରୁ ଆଲୁଅ ଆଡ଼କୁ ଯିବା ପାଇଁ ଚାହାନ୍ତି । କିନ୍ତୁ ମନର କୌଣସି ଏକ ନିଭୃତ କୋଣରେ ଅନ୍ଧକାର ହିଁ ଅନ୍ଧକାର ରହିଥାଏ । ଆଉ ଅନ୍ଧକାରରୁ ମୁକ୍ତି ପାଇଁ ମଣିଷ ଚେଷ୍ଟିତ ହେବାଟା ପ୍ରାୟ ଉଣା ବୋଲି କହିଲେ ଚଳେ । "ହଁ, ଯେମିତି ଅଛି ସେମିତି ହିଁ ଥାଉ' ବୋଲି ମଣିଷ ଭାବେ । ଏହାର ମୂଳ କାରଣ ହେଲା ସମୟର ପ୍ରକୃତି ସହିତ ମଣିଷ ପରିଚିତ ନୁହେଁ ବା ପରିଚୟ ହେବା ପାଇଁ ଚାହେଁନା । 
ଅନ୍ଧକାର ନଥିଲେ ଆଲୁଅର ଉପସ୍ଥିତି ଏବଂ ମହତ୍ତ୍ୱକୁ ବୁଝିହୁଏ ନାହିଁ । ଅନ୍ଧକାର ନଥିଲେ ଆଲୁଅର କିଛି ଅର୍ଥ ହିଁ ନାହିଁ । ଜୀବନର ଅନ୍ଧକାରମୟ ଦିଗଟି ନଥିଲେ, କେହି କେବେ ଆଲୋକିତ ବା ଉଜ୍ଜଳ ଦିଗଟି ଖୋଜନ୍ତେ ନାହିଁ । ଜୀବନ ପାଇଁ ଉଭୟଟିର ଆବଶ୍ୟକତା ରହିଛି । ପରସ୍ପର, ପରସ୍ପରର ପରିପୂରକ; ଶତ୍ରୁ ନୁହେଁ । ତେଣୁ ଅନ୍ଧକାରକୁ ନକାରାତ୍ମକ ଦୃଷ୍ଟିରେ ଦେଖିବା ଅପେକ୍ଷା, ଆଲୋକର ଉପସ୍ଥିତି ପାଇଁ ସକାରାତ୍ମକ ଦିଗକୁ ଅନୁଭବ କରିବାକୁ ହେବ । ଅନ୍ଧକାର ମଧ୍ୟରୁ ହିଁ ଆଲୋକର ସୃଷ୍ଟି । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।