ହଜୁଛି ରଜର ମହକ, ରଜ ପୋଡ଼ପିଠା


ଓଡ଼ିଶାରେ ଘରେ ଘରେ ପାଳନ କରାଯାଉଥିବା ରଜପପର୍ବର ପାରମ୍ପରିକ ଚରିତ୍ରରେ ଏବେ ଘଟିଛି ଅନେକ ପରିବର୍ତ୍ତନ  । ସହରରେ ରଜର ମଉଜ ନାହିଁ  । ଗାଁ ଗହଳିରେ ଆଉ ସେଭଳି ମନମତାଣିଆ ପର୍ବର ଆକର୍ଷଣ ଦେଖିବାକୁ ମିଳୁନାହିଁ  । ଜାତୀୟ ପର୍ବ ଭାବେ ପରିଚିତ ରଜପର୍ବ କୁମାରୀ କନ୍ୟାମାନଙ୍କୁ ପୂର୍ବରୁ ଯେଉଁଭଳି ପ୍ରଭାବିତ କରୁଥିଲା ସେଥିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି  । ତେବେ ବି ପରମ୍ପରାର ଛିଟା ସଂପୂର୍ଣ୍ଣ ଭାବେ ଲିଭିନାହିଁ  । ରଜପର୍ବରେ ନୂଆ ପୋଷାକ ପିନ୍ଧିବା, ପିଠାପଣା ଓ ଭଲ ମନ୍ଦ ଖାଦ୍ୟ ପ୍ରସ୍ତୁତ କରିବା ବ୍ୟବସ୍ଥା ଏବେ ବି ପ୍ରଚଳିତ ଅଛି ଅନେକ ସ୍ଥାନରେ  । ମଫସଲ ଅଞ୍ଚଳରେ ରଜର ମହକ ଏବେ ବି ଉତ୍ଫୁଲ୍ଲିତ କରୁଛି ଲୋକମାନଙ୍କୁ  । କୁମାରୀ କନ୍ୟାମାନେ ତିନିଦିନ ଧରି ସ୍ନାନ କରନ୍ତି ନାହିଁ  । ଖାଲି ପାଦରେ ଭୂମି ଉପରେ ଚାଲିବା ମଧ୍ୟ ଦେଖାଯାଏ ନାହିଁ  । ଏକରକମ ଘର ଭିତରେ ବସି ରହନ୍ତି ସେତେବେଳେ କଦଳୀ ପାଟୁଆ ବା ଗୁଆଖୋଳ ପିନ୍ଧି ପଦାକୁ ଆସନ୍ତି  । ଏବେ ଚପଲ ବ୍ୟବହାର କରାଗଲାଣି  । ବସୁମତୀ ପୂଜା ପାଳନ ପାଇଁ ମାଟି ଖୋଳିବା ବା ମାଟିକୁ ଆଘାତ ଦେବା ଠାରୁ ଦୂରରେ ରହନ୍ତି ଲୋକମାନେ  । ଦଳ ଦଳ ହୋଇ ମହିଳାମାନେ ସାହି ପଡ଼ୋଶୀ ଘରକୁ ଯାଇ ହସଖୁସିରେ ସମୟ ବିତାଇଥାଆନ୍ତି  । ସନ୍ଧ୍ୟା ପୂର୍ବରୁ ସମାପ୍ତ କରିଥାଆନ୍ତି ଭୋଜନ ପର୍ବ  । ରଜ ପୂର୍ବଦିନ ଠାରୁ ସବୁକାର୍ଯ୍ୟ ଶେଷ କରି ଥାଆନ୍ତି ସେମାନେ  । କଂସାବାସନ ମଜା ମଜି ଠାରୁ ଆରମ୍ଭ କରି ରଜ ତିନିଦିନ ପାଇଁ ମସଲା ବାଟିବା ଏବଂ ପିଠା ପଣା ପାଇଁ ବିରିବଟା ଓ ଚୂନା କୁଟା କାର୍ଯ୍ୟ ଶେଷ କରାଯାଇଥାଏ  । ଗାଁ ଗହଳିରେ ଏବେବି ଏହି ପରମ୍ପରାର ଚିତ୍ର କାଁ ଭାଁ ଲକ୍ଷ୍ୟ କରାଯାଏ  । ଢ଼ିଙ୍କିରେ ଚାଉଳ ଚୂନା କରିବାଠାରୁ ଆରମ୍ଭ କରି ଦୋଳିରେ ବସି ମଉଜରେ ସାରାଦିନ ଝୁଲିବା ଦେଖାଯାଇଥାଏ  । ଆଷାଢ଼ ମାସରେ ମେଘ ସହ ମାଟିର ମିଳନ ହୋଇଥାଏ  । ମାଟିକୁ ବିଶ୍ରାମ ଦେବାପାଇଁ ତିନିଦିନ ପର୍ଯ୍ୟନ୍ତ ମାଟିକୁ କଷ୍ଟ ନଦେବାନେଇ ରଜପର୍ବ ପାଳନ କରାଯାଇଥାଏ ବୋଲି କହନ୍ତି ବୟସ୍କ ଲୋକମାନେ  । ଏବେ ଏ ସବୁ କେହି କେହି ପାଳୁଥିବାବେଳେ ଅନେକ ଏହାକୁ ଅନ୍ଧ ବିଶ୍ୱାସ କହି ଦୂରେଇ ଦେବାରେ ଲାଗିଛନ୍ତି  ।
ରଜରେ ପିଠାର ସୁଆଦ ନିଆରା । ପୋଡ଼ପିଠା କି ରଜପାନ ଖଣ୍ଡେ ନଖାଇଲେ ରଜ ଅଧୁରା । ଓଡ଼ିଆଙ୍କ ଘରେ ଏହି ପିଠା ପରମ୍ପରା ବହୁ ପୁରୁଣା । ବିଶେଷକରି ରଜ ସମୟରେ ଏହାର କିଛି ଖାସ ମହକ ଥାଏ । ଘରଠାରୁ ଆରମ୍ଭ କରି ବଡ଼ ବଡ଼ ହୋଟେଲ ପର୍ଯ୍ୟନ୍ତ ସବୁଠି ଭଳିକି ଭଳି ପିଠାର ପସରା ଦେଖିବାକୁ ମିଳିଥାଏ । ସେ ପୋଡ଼ପିଠା ହେଉ କି ଆରିସା, କାକରା, ମଣ୍ଡା, ମୁଅାଁ ବା ଚକୁଳି ପ୍ରତି ପିଠାରେ ଥାଏ ଓଡ଼ିଆ ଘରର ସ୍ୱାତନ୍ତ୍ର୍ୟ । ରଜ ସଜବାଜ ଦିନ ଠାରୁ ପିଠାର ମହକ ଆରମ୍ଭ ହୋଇଯାଇଥାଏ । ତା ସହିତ ଆମ୍ବ, ପଣସ, ସପୁରୀର ବାସ୍ନା । ଘରେ ଘରେ ଭରିଯାଏ ପିଠା ଓ ଫଳର ମଧୁର ମହକ । ରଜ ତିନିଦିନ ମହିଳାମାନଙ୍କୁ କାମରୁ ବିରତି ଦିଆଯାଇଥାଏ । ଏଣୁ ରଜ ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିଥାଏ । ପୁରୁଖା ଲୋକମାନେ କହନ୍ତି, ରଜଦିନ ପିଠା ପୋଡ଼ାଯାଏ ନାହିଁ, ଚୁଲି ଜଳେନାହିଁ କି ହାତରେ ପାଣି ଲାଗେ ନାହିଁ । ଯାହା କାମ ସାରିବାର ଅଛି, ରଜ ପୂର୍ବରୁ ସାରିବାକୁ ପଡ଼ିଥାଏ । ଏବେ ଗୁଡ଼ପୋଡ଼, ଚିନିପୋଡ଼ ମିତିକି ବିଭିନ୍ନ ଫଳରେ ତିଆରି ପୋଡ଼ପିଠା ବି ପ୍ରସ୍ତୁତ ହେଲାଣି । ପଣସ, କଦଳୀ, ଟୁଟିଫ୍ରୁଟି, ଆମ୍ବରସ ଆଦିକୁ ବ୍ୟବହାର କରାଯାଇ ବି ପୋଡ଼ପିଠା ପ୍ରସ୍ତୁତ କରାଯାଉଛି । କିନ୍ତୁ ସେହି ପାରମ୍ପାରିକ ପୋଡ଼ପିଠାର ଜାଗା ଆଜି ବି ଅଛି । ଏହାର ପ୍ରସ୍ତୁତ ପ୍ରଣାଳୀ ମଧ୍ୟ ସ୍ୱତନ୍ତ୍ର । ପିଠା ପ୍ରସ୍ତୁତ ହେବା ପରେ ମା'ଲକ୍ଷ୍ମୀଙ୍କୁ ପୋଡ଼ପିଠା ଦେବାର ରୀତି ମଧ୍ୟ ଲକ୍ଷ୍ମୀପୁରାଣରେ ବର୍ଣ୍ଣନା କରାଯାଇଛି ।
ପିଠା ଭିତରେ ସାର ରଜ ପୋଡ଼ ପିଠା  । ଘରେ ହେଉ ବା ରଜ ଦୋଳିରେ ସବୁରି ହାତରେ ଖଣ୍ଡେ ପିଠା  । ଏଇ ପୋଡ଼ପିଠାର ମହକ ଖେଳିଯାଏ ଚାରିଆଡ଼େ  । ବର୍ଷକରେ ଥରେ ଘରେ ପୋଡ଼ପିଠା ହେବ ବୋଲି କାହାରି ପାଦ ତଳକୁ ଲାଗୁନଥାଏ  । ପହିଲିରଜ ପୂର୍ବଦିନ ସଜବାଜ  । ରଜ ସଉଦାରେ ପୋଡ଼ପିଠାର ସବୁ ଚିଜ କିଣାଯାଇଥାଏ  । ରାତିରେ ରୋଷେଇବାସ ସରିଲା ପରେ ଶାଶୂ-ବୋହୂ ମିଶି ପୋଡ଼ପିଠା ତିଆରିରେ ଲାଗିଯାନ୍ତି  । ହାଣ୍ଡିଶାଳରେ ଚୁଲିରେ ମାଟି ହାଣ୍ଡି ବସାଇ ପାଣି ଫୁଟାଏ ବୋହୂ  । ଏଥିରେ ପଡ଼େ ଆବଶ୍ୟକ ପରିମାଣର ଲୁଣ ଆଉ ଗୁଡ଼  । ଶାଶୂ ଚୁଲିମୁଣ୍ଡରେ ବସି ବଢ଼େଇ ଦେଉଥାଏ  । ବୋହୂ ଫୁଟନ୍ତା ପାଣିରେ ପୂର୍ବରୁ ଶିଳରେ ପ୍ରସ୍ତୁତ ଚାଉଳ ଚୂନା ପକାଇ ଏହାକୁ ଯନ୍ତିବାକୁ ଆରମ୍ଭ କରେ  । ସହଯୋଗ କରେ ଶାଶୂ  । ଚୂନା ଯନ୍ତି ଆସିବାବେଳକୁ ଏଥିରେ ପଡ଼େ ଅଦା, ମରିଚ ଆଉ ପାତିନଡ଼ିଆ  । କେତେବେଳେ କେମିତି ଏହି ପିଠାରେ ବସାଦହି ବି ପଡ଼ିଥାଏ, ଯାହା ସ୍ୱାଦଯୁକ୍ତ କରାଏ ପିଠାକୁ  । ଚୂନା ଯନ୍ତା ସରିଲା ପରେ ଏହାକୁ ଅଜାଡ଼ି ଦିଆଯାଏ ପଲମରେ  । ପଲମରେ ଦିଆଯାଏ କଦଳୀପତ୍ର  । ଏଥିରେ ଚୂନାଯନ୍ତାକୁ ହାତରେ ସଜାଡ଼ି ଜୁଆଣି, ଅଳେଇଚ, ଗୁଜୁରାତି ପ୍ରଭୃତି ମସଲା ଦିଆଯାଏ  । ଏତେସବୁ କାମ ଭିତରେ ଘଷି ରଡ଼ନିଆଁ ଝଟକି ଉଠୁଥାଏ ଚୁଲିରେ  । ତଳେ ଚୁଲି ନିଆଁ, ଆଉ ଚୁଲି ଉପରେ ପଲମ ବସାଇ ପଲମରେ ଉପରେ ଅଜାଡ଼ି ଦିଆଯାଏ ରଡ଼ନିଆଁ  । ରାତିସାରା ଚୁଲି ପାଉଁଶରେ ପିଠା ପୋଡ଼ା ହେଉଥାଏ  । ପିଠାକାମ ସାରି ସମସ୍ତେ ଶୋଇପଡ଼ନ୍ତି  । ସକାଳୁ ଉଠିଲେ ସମସ୍ତଙ୍କର ମନେ ପଡ଼େ ପୋଡପିଠା କଥା  । ଗାଧୁଆ ସାରି ନୂଆ ବେଶପୋଷାକରେ ମଜ୍ଜିଯାନ୍ତି ପିଲାଠୁ ବୁଢ଼ାଯାଏ  । ଖୁସି କହିଲେ ନସରେ  । ପହିଲି ରଜର ପହିଲି ପୁଲକ ଭରିଯାଏ ମନରେ  । ରଙ୍ଗ ବେରଙ୍ଗର ପୋଷାକରେ କିଶୋରୀ ଓ ଯୁବତୀଙ୍କର ଗାଁ ବୁଲା ଆରମ୍ଭ ହୋଇଯାଇଥାଏ  । ବାଡ଼ିପଟେ ଆମ୍ବ କି ବରଗଛରେ ରଜଦୋଳି ସଜ ହୋଇଥାଏ  । ଘରର ବଡ଼ବୋହୂ କି ଯେ କେହି ମହିଳା ଗାଧୁଆପାଧୁଆ ସାରି ନୂଆବସ୍ତ୍ର ପିନ୍ଧି ଚୁଲିରୁ ପିଠା ଓହ୍ଲାଇ ପନିକି ଧରି ବସିପଡ଼ନ୍ତି ପୋଡପିଠା କାଟିବାକୁ  । ଚାରିପଟେ ବେଢ଼ିଯାନ୍ତି ପିଲାମାନେ  । କଟା ପୋଡପିଠାରୁ କିଛି ପ୍ରଥମେ ଗୃହଦେବୀ ବୃନ୍ଦାବତୀଙ୍କ ଠାରେ ଭୋଗ ଲଗାଯାଏ  । ପରେ ପିଣ୍ଡି ଓ ବାରିଆଡ଼େ ଦିଆଯାଏ ଏହି ପିଠା  । ପରେ ଘରର ବୋହୂ ଏହି ପିଠାକୁ ପ୍ରଥମେ ମାନ୍ୟ ଲୋକ ଓ ପରେ ପିଲାଙ୍କ ଭିତରେ ବାଣ୍ଟି ଦିଅନ୍ତି  । ପିଲାଙ୍କର ମଧ୍ୟ ଏହାକୁ ଖାଇବାର ଉତ୍ସାହ କିଛି କମ୍ ନୁହେଁ  । ସାଇପଡ଼ିଶାରେ ଏହି ପିଠା ବଣ୍ଟାଯାଏ  । କାହାରି ଘରେ ସେଇବର୍ଷ କେହି ମରିଥିଲେ ତାଙ୍କ ଘରେ ପିଠା ହୋଇନଥାଏ, କିନ୍ତୁ ସାଇପଡ଼ିଶାରେ କେତେଆଡ଼ୁ ପିଠା ପହଞ୍ଚôଯାଏ ତାଙ୍କ ଘରେ  । ରଜରେ ପୋଡ଼ପିଠା ବାଣ୍ଟିବାର ପରମ୍ପରା ଗ୍ରାମ୍ୟ ସଂସ୍କୃତିରେ ଖୁବ୍ ନିଆରା  । ଝିଅମାନେ ଦଳ ଦଳ ହୋଇ ପୋଡ଼ପିଠା ଖାଇ ରଜଦୋଳି ଖେଳିବାର ଦୃଶ୍ୟ ଖୁବ ଆମୋଦଦାୟକ  । ପୋଡ଼ପିଠାର ମହକରେ ମହକିଯାଏ ସାରା ଗାଁ  ।  ଲକ୍ଷ୍ମୀପୁରାଣରେ ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥ ଓ ଶ୍ରୀବଳରାମଙ୍କୁ ଖାଇବା ଶେଷରେ ପୋଡ଼ପିଠା ଦେବାର ବର୍ଣ୍ଣନା ରହିଛି  । ତେଣୁ ଶ୍ରୀମନ୍ଦିର ପରମ୍ପରାରେ ଓଡ଼ିଶାର ଲୋକଦେବତାଙ୍କ ପାଖରେ ଏହା ଖୁବ୍ ପ୍ରିୟ, ଯେଉଁଥି ପାଇଁ ମହାପ୍ରଭୁ ରଥଯାତ୍ରାରେ ଆସନ୍ତି ମାଉସୀ ମା'ଘର  । ଓଡ଼ିଶା ଏକ କୃଷି ପ୍ରଧାନ ଦେଶ ଓ ରଜ ଏକ କୃଷିଭିତ୍ତିକ ପର୍ବ  । ଏଠାରେ ଧାନ ଫସଲ ମୁଖ୍ୟ ହୋଇଥିବା ବେଳେ ଚାଉଳ ଚୂନାରେ ତିଆରି ଏହି ପିଠା ଉକ୍ରଳୀୟ ସାଂସ୍କୃତିକ ଧାରାରେ ଚଳଣିର ଅଂଶ ହୋଇରହିଛି  ।
ମୋ : ୯୪୩୭୧୪୨୭୧୭